ମନେ ପଡୁଛି ଆଜି – ସମିର କୁମାର ବେଉରା
ମନେପଡୁଛି ଆଜି
ହୃଦୟରେ ସାଇତା ସବୁ
ସୁନେଲି ସ୍ମୃତି ,
ଯାହା ମୁ ହଜାଇ ଦେଇଛି
ଯାହା ଆଉଥରେ ଆସିବ କି ଜାଣେନା
ମନେପଡିଗଲେ ସେଇ ଦିନମାନେ
ଲୁହ ବି ମୋ ବୋଲ ମାନେନା |
ମନେପଡୁଛି ମୋର
ପ୍ରଥମ ପ୍ରଜାପତି କେବେ ଧରିଥିଲି
ପ୍ରଥମ ପିଜୁଳି ଚୋରି କେବେ କରିଥିଲି
ପ୍ରଥମ ଖଣ୍ଡିଆ ବିଡି କେବେ ଟାଣିଥିଲି |
ମନେଅଛି ଆଜିବି
କେବେ ଦେଖିଥିଲି ଟୁରିନ ସିନେମା
କେବେ ରଖିଥିଲି ପଇସା ହୁଣ୍ଡିରେ
କେବେ ଜିତିଥିଲୁ ଆମେ କବାଡି ଖେଳରେ |
ମନେପଡେ ଆମ ଗାଁ ଚାଳଘର
ଗେଣ୍ଡୁ ମାଳତୀ ଆଉ ତରାଟ ଅଗଣାରେ ତାର
ଛାମୁଣ୍ଡିଆରେ ଲାଉ , ଛଚିନ୍ଦ୍ରା ଆଉ କାକୁଡି ଲତାର ଭିଡ
ଆଜି ବି ଖୋଜିହୁଏ ସେଇ ଦୃଶ୍ୟ
ମୋର ଏଇ ଅବୁଝା ମନ |
ଆଜି ବି ମନେଅଛି
ପ୍ରଥମେ ଦେଖିଥିବା ପ୍ରିୟଜନ ମରଣ
ନିରୀହ ମୋ ମନ ଖୋଜୁଥିଲା ଜୀବନର କାରଣ ,
ମନେପଡେ କେବେ ସାଇକେଲ ଶିଖୁଥିଲି
ପୋଖରୀରେ ବୁଡି ଵୋଉଠୁ ମାଡ ଖାଉଥିଲି
ମନେପଡନ୍ତି ମିନା ଦିଦି
ଯାହାଙ୍କଠୁ ମୁଁ ଦିନେ ଅ ଆ ଶିଖିଥିଲି |
ମନେପଡେ ସେଇଦିନ
ଯେବେ ପ୍ରଥମକରି
ଆକାଶକୁ ଉପଭୋଗ କରିଥିଲି,
ମୋ ପସନ୍ଦର ସେ ଗୋଲାପୀ ରଙ୍ଗର ଝିଅ କଇଁକୁ
ପ୍ରେମପତ୍ର ଲେଖିଥିଲି
ନିଶାଗଜୁରା ବୟସରେ
ସେ ନରମ କଇଁ ପାଖୁଡାର ସ୍ପର୍ଶ ମୋ ଅଧରରେ ପାଇଥିଲି |

ଆଜି କିନ୍ତୁ ସମୟ ବଦଳି ଯାଇଛି
ଛାତିର ଅତଳ ତଳେ
ସ୍ମୃତିସବୁ ସମାଧି ନେଇଛି ,
କଂକ୍ରିଟ ଜଙ୍ଗଲରେ
ମୋ ଗାଁ , ମୋ ପିଲାଦିନ ହଜିଯାଇଛି |
ସମିର କୁମାର ବେଉରା,
କୁସୁପଙ୍ଗି , ବାଙ୍କୀ , କଟକ, ମୋ- 9853230065
