ସୂର୍ଯ୍ୟ – ହେମନ୍ତ କୁମାର ବରାଇ
ଭଗବାନ ବିରାଟଙ୍କ ନୟନୁ ଯାହାର
ଅଭିବ୍ୟକ୍ତି ସେ ଜ୍ୟୋତିଧନ ସହସ୍ରକର ।।
ଭାରତୀୟ କର୍ମନିଷ୍ଠ ଦ୍ବିଜାଦି ଜଗତ
କରନ୍ତି ଯା’ନାମେ ଦିବ୍ୟାଞ୍ଜଳୀ ନିବେଦିତ ।।
ସମସ୍ତ ଚରାଚର ଜନ ଜୀବନ ଦାତା
ଉଷ୍ଣତା ଜ୍ଞାନର ସ୍ବରୂପ ଭାଗ୍ୟବିଧାତା ।।
ଅଙ୍ଗରେ ଯଥା ଆତ୍ମାର ଚୈତନ୍ୟ ପ୍ରକାଶ
ହୁଏ ତବ କରେ ପ୍ରକୃତି ପ୍ରବୃତ୍ତି ବିକାଶ ।।
ନାହିଁ ତବ କିରଣରେ ଭେଦାଭେଦ ଭାବ
ଦ୍ବିଜାଦ୍ବିଜ ଲଭନ୍ତି ତବ ଜ୍ୟୋତି ବିଭବ ।।
ସିମୀତ ଆଦାନ ଅସିମୀତ ବିସରଣ
ନୁହେଁ କି ଭାରତର ବିଶେଷତ୍ବ ବରଣ ।।
ଭାରତୀୟ ସଂସ୍କୃତିର ଚିର ବାର୍ତ୍ତାବହ
ଔଦାର୍ଯ୍ୟ ଗୁଣ ତଥା ଦିବ୍ୟଭାବ ସମୂହ ।।
ଯେଉଁ କରେ ମାନବ ପ୍ରକାଶି ଦିବ୍ୟଭାବ
ମହାମାନବ ବୋଲାଇ ତେଜିଛନ୍ତି ଭବ ।।
ସେହି ଦିବ୍ୟ କରାଶିଷେ ପୂରୁ ମୋ ହୃଦୟ
ମୋ ଭାରତ ଦେଶ ହେଉ ସେ କରେ ସଦୟ ।।
ହେମନ୍ତ କୁମାର ବରାଇ
ରୁଷୁଡା, ବରଗଡ
