ରହିଯାରେ ରାତି – ଅଶୋକ କୁମାର ପ୍ରହରାଜ

ଲେଖକ ପରିଚୟ

ଅଶୋକ କୁମାର ପ୍ରହରାଜ
ପୁରୀ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରହିଯାରେ ରାତି ନ ପାହି ଯାଆ ତୁ
ରଙ୍ଗବତୀ ରାଣ ତତେ ଦେଇଛି
ରଙ୍ଗମହଲ ତା ‘ରକ୍ତାଭେ ରଂଜିତ
ରମଣୀୟ ଶୋଭା ହୁଏ ଉଦ୍ଭାସିତ
ରତିକାନ୍ତ ତା’ର ଆଜି ଆସିଛି (1)
ରୁକ୍ଷ ହେଲା ବିହି ରୁଷିଲା ସୌଭାଗ୍ୟ
ରୌଦ୍ରତା ଆସିଲା ଭାଗ୍ୟ ଆକାଶେ
ରୂପନଗରର ଅନ୍ଧାରି ରାଇଜେ
ରୂପବତୀ ସାଜି ରୂପ ନିଜ ବିକି
ରୁନ୍ଧିଲା ଯୌବନ ନିତି ପରଶେ.(2)
ରକ୍ତପଙ୍କ ରତିବନ୍ଧର ଯନ୍ତ୍ରଣା
ରତିଗୃହେ ନିତି କେତେ ସହିଛି
ରକ୍ତବୃନ୍ତା ପରି ତା’ଦେହ ମହକ
ରଜନୀମୁଖରେ ଫୁଟି ଚକମକ
ରାତ୍ରୀ ଅନ୍ତର୍ଦ୍ଧାନେ ଝରି ପଡିଛି. (3)
ରସାଳାପ କା’ର ନିର୍ଜନ ନିଶାର୍ଦ୍ଧେ
ରୋମାଞ୍ଚିତ କରେ ତା ତନୁ-ମନ
ରକ୍ତରେଣୁ ସାଜିବନି ତା’ ମଥାରେ
ରୋହିତ ପରାୟେ ହୃଦୟ ନଭରେ
ରଙ୍ଗ ଅଜାଣତେ କରେ ଲେପନ.(4)
ରହି ରହି ଜାଳେ ପ୍ରୀତି ଦୀପାଳିକୁ
ରଖି ଢାଳେ ଧୀରେ ସ୍ନେହ ଇନ୍ଧନ
ରୋଧିତା ବା ହେବ କା’ କୂଳର ବଧୂ
ରକ୍ତରେଣୁକା ସେ ଖୋଜେ ବନ୍ଧନ.(5)
ରହିଯାରେ ରାତି ନ ପାହି ଯାଆ ତୁ
ରଙ୍ଗବତୀ ଖୁସି ମରି ନ ଯାଉ
ରସାଣିତେ ଝରି ସରାଗର ରେଣୁ
ରୋଧିତାର କାନେ ଗାଉ ଗୁଣୁ ଗୁଣୁ
ଅର୍ଦ୍ଧଦଗ୍ଧ ସଳିତା ସେ ନ ହେଉ.(6)

ଉପରୋକ୍ତ କବିତାରେ କେତେକ ଶବ୍ଦର ଅର୍ଥ :-
ରକ୍ତାଭ :-ନାଲି ଆଭା
ରକ୍ତପ :-ରାକ୍ଷସ
ରକ୍ତବୃନ୍ତା :-ଶେଫାଳି
ରଜନୀମୁଖ :- ସନ୍ଧ୍ୟା ସମୟ
ରକ୍ତରେଣୁ :-ସିନ୍ଦୁର
ରୋହିତ :-ଇନ୍ଦ୍ରଧନୁ
ରକ୍ତରେଣୁକା :-ପଳାଶ କଢ଼ି

ଅଶୋକ ପ୍ରହରାଜ, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ