ମୁଣି – ପ୍ରଶାନ୍ତ କୁମାର ସାହୁ
ଅପାରଗ ପଣେ ବୈରାଗ୍ୟ ପ୍ରବଣ ଚିତ୍ତ
ଅଭିନୟ କରେ ଅଜ୍ଞାନ ସେ ମୋହଧ୍ବାନ୍ତ,
ଆଦରିଛି ସ୍ବାର୍ଥ ନିତ୍ୟ ପାଶେ ରଖି ମୁଣି
ଆଉଡ଼ାଇଯାଏ ସତ୍ୟ ସେ ଚତୁରମଣି ।
ଇଚ୍ଛୁକ ବିଳାସୀ ସ୍ବପ୍ନ ତରୁଣ ପ୍ରବର
ଈଜ୍ୟାଶୀଳ ଚାରୁ ଚିତ୍ତେ ଇନ୍ଦ୍ରିୟଗୋଚର ,
ଉଚ୍ଛଳ ମାନସେ ଉଭା ସ୍ବଭାବ ବାଞ୍ଛିତ
ଊର୍ଣ୍ଣନାଭ ସମ ଇଚ୍ଛା ଚିନ୍ତନେ ଶୋଭିତ ।
ଋଦ୍ଧିମାନ୍ ହେବା ଚିନ୍ତା ଅନୁଦିନ ଘାରେ
ଋଣୀ ହୋଇଯାଏ ହାୟ !ତିଳେ ନବିଚାରେ,
ଏତାବତ୍ ନାହିଁ ଜ୍ଞାନାଞ୍ଜନେ ଉପଚାର
ଐଚ୍ଛିକ ଜୀବନୁଁ କାହୁଁ ପାଇବ ନିସ୍ତାର ।
ଓଷଦ ବିହୀନ ବ୍ୟାଧି ମୋହବିଷ ମୁଣି
ଔର୍ବ ଜୀବନଚରିତେ ତ୍ୟାଗୀ ନାହିଁ ଜିଣି !
ମୋହଧ୍ବାନ୍ତ-ମୋହ, ଅନ୍ଧକାର, ,ଆଉଡ଼ାଇବା-ଲେଉଟାଇବା, ଈଜ୍ୟାଶୀଳ-ଯେ ପୂଜାକରେ, ଉଚ୍ଛଳ-ସର୍ବତଃ ବ୍ୟାପ୍ତ, ଊର୍ଣ୍ଣନାଭ-ମାଙ୍କଡ଼ସା ଜାଲ, ଏତାବତ୍ -ଏପର୍ଯ୍ୟନ୍ତ, ଋଦ୍ଧିମାନ୍-ଧନଶାଳୀ, ଔର୍ବ-ପାର୍ଥିବ, ଅନୁଦିନ-ପ୍ରତିଦିନ
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା
