ମନିପର୍ସ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସବୁଥର ପରି ଏ ବର୍ଷ ବି ନୂଆବର୍ଷର ପ୍ରଥମ ରବିବାରରେ ଟିକେ ଗାଁକୁ ଯାଇ ବୁଲି ଆସିବାକୁ ଭାବିଲି । ସକାଳ ସାଢ଼େ ଆଠଟାରେ ଗାଁ ଛକରେ ପହଞ୍ଚୁ ପହଞ୍ଚୁ ଦେଖାହେଲେ ପିଲାବେଳ ସାଙ୍ଗସବୁ । ଛକରେ ପାନ ଦୋକାନଟା ବି ସାଙ୍ଗ ବୁଲୁର । ସେଇଠି ଦେଖା ହେଇ ଗଲେ ନରିଆ , ସପନା , ରଞ୍ଜନ , ଗଦା ଆଉ କାଳୁ ।

‘କିରେ ପିଲାଛୁଆଙ୍କୁ ଆଣିନୁ କି ‘ ପଚାରିଲା କାଳୁ । ଦୋକାନ ଉପରୁ ଦାନ୍ତ ଦେଖେଇ ବୁଲୁ କହିଲା , ‘ ଭାଉଜ ପରା ଆମ ଭୋବନସରିଆ , ଗାଁରେ ତାକୁ କଣ ଭଲ ଲାଗିବ ?’ ହସିଲି ମୁଁ ଟିକେ ।
‘ତୁ ଯାହା କହ , ଟୁଟୁକୁ ଆମର ମାନିବାକୁ ପଡିବ । ଶିବଙ୍କ ବେଲପତ୍ର ପଛେ ବନ୍ଦ ହବ , କିନ୍ତୁ ନୂଆବର୍ଷରେ ଗାଁକୁ ଆସିବା ତା’ର ବନ୍ଦ ହବନି ‘ ..କହିଲା ନରିଆ ।
‘ ହଁ ରେ ନରିଆ , ଏଇ ଗୋଟେ ଟୋକା ପିଲାବେଳ ଗାଁ ସାଙ୍ଗକୁ ଯାହା ଟିକେ ପଚାରୁଛି, ନହେଲେ ଦେଖୁନୁ ରବିକୁ ଆଉ ଅଭିକୁ ‘ ..କଥା ଯୋଡ଼ିଲା ସପନା ।
ଗଦା ଆଉ ରଞ୍ଜନ କଣ ଟିକେ ଟୁପୁରୁ ଟାପର ହେଲେ , ଗଦା କହିଲା , ‘ ସାଙ୍ଗ ଏତେ ଦିନପରେ ଗାଁକୁ ଆସିଛୁ , ଫେର ନୂଆବର୍ଷଟା , ତୋ ଆଡୁ ଗୋଟେ ବାଡ଼ିଆ ଡାଲେମା ଆଉ ଝଡା ବେସରଟେ ହଉ ‘ । ମୁଁ ମନିପର୍ସ କାଢି ପାଆଁଶ ଟଙ୍କିଆଟେ ବଢ଼େଇଲି । ରଞ୍ଜନ କହିଲା , ‘ ଟୁଟୁ , ଆମ କଥା ତ ଜାଣିଛୁ , ଶୁଖା ଖଡ୍ ଖଡ୍ , ଏତିକିରେ କଣ ହବ , ଆଉ ଖଣ୍ଡେ ନଢା ‘ । ଏଇ ପିଲାଦିନ ସାଙ୍ଗସବୁ ମୋର ଭାରି ପ୍ରିୟ , ଗାଁରେ ଛୋଟମୋଟ ଚାକିରୀ ବା ବ୍ୟବସାୟ କରି ଚଳନ୍ତି, ବହୁତ ଭଲ ପାଆନ୍ତି ମୋତେ । ସେମାନଙ୍କ ପାଇଁ ମୁଁ ହେଲି ଭୁବନେଶ୍ୱରରେ ବଡ ଚାକିରୀ କରୁଥିବା ତାଙ୍କ ସାଙ୍ଗ ।କଥା କାଟିପାରିଲିନି, ଆଉ ପାଆଁଶ ଦେଲି । ସପନା କହିଲା , ‘ ତୁ ଘରକୁ ଯା , ଦାଦାଖୁଡ଼ୀ ସାଙ୍ଗେ କଥା ହଉଥା , ଆମେ ତତେ ଡାକିଆଣିବୁ , ଏଇ ରଞ୍ଜନ ଘର ଆମ୍ବତୋଟାରେ ମ ‘ ।

ଦାଦା ଖୁଡ଼ୀ ଆଉ ମୁନା ମୁନି ମତେ ଦେଖି ଭାରି ଖୁସି ହେଲେ । ଜଳଖିଆରେ ଗୁଡ଼ ଉଖୁଡା ଆଉ ସୁଜି କ୍ଷୀରି ପୁଣି ପାଚିଲା ଅମୃତଭଣ୍ଡା । ବହୁତ ଦିନପରେ ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେଲି । ଦାଦା ବୁଲେଇ ଦେଖେଇଲେ ଘର ଅବସ୍ଥା । ବାରିପଟ କବାଟଟା ଭାଙ୍ଗି ଗଲାଣି , ରୋଷେଇଘର ସେପଟ କାନ୍ଥ ପାଣି ଖାଉଛି , ଦାଣ୍ଡପଟ ଗ୍ରୀଲରେ ରଙ୍ଗ ମାରିବାକୁ ହବ । ‘ ମୋ ପାଖେ ତ ସମ୍ବଳ ନାହିଁ ଯାହା ତୁ କରିବୁ ‘ , ଦୀର୍ଘଶ୍ଵାସ ପକାଇ କହିଲେ ଦାଦା । ‘ହଉ ଦେଖିବା’ କହି ସାହିଆଡ଼େ ବୁଲି ବାହାରିଲି ।

ଦେଖାହେଲା ଟହଲିଆ ରାଜୁ । ଆମ ଗାଆଁରେ ରାଜୁ ନାଁରେ ତିନିଜଣ ଥିବାରୁ ଆଉ କିଛି କାମଧନ୍ଦା ନ ଥାଇ ୟା ତା ବୋଲହାକ କରୁଥିବାରୁ ସମସ୍ତେ ତାକୁ ଏଇ ନାଁରେ ହିଁ ଡାକନ୍ତି । ‘ ବୁଝିଲ ଭାଇ ତେମେ ସିନା ଗାଁରେ ରହୁନା ମୁଁ କିନ୍ତୁ ତମ ଘର ଦୁଆର ତୋଟା ବଗିଚା ଗାଡ଼ିଆ ପୋଖରୀ ସବୁ ନିଘା ରଖିଛି , ପଚାରୁନ ହରି ଦା’ ଙ୍କୁ । ମୁଁ ଜାଣେ , ମୋଠୁ ପଚାଶ ଶହେ ନ ପାଇଲା ଯାଏଁ ସେ ଏମିତି ଗୁଡାଏ ଗପିବ । ବରଂ ତାକୁ କିଛି ଧରେଇ ବିଦାୟ ଦେବା ବୁଦ୍ଧିମାନର କାମ ।

କୁନିଅପା ଘରେ ପହଞ୍ଚିଲି । ମୋ ଲେଖାଯୋଖା ପିଉସୀ ଅପା । ବିଧବା , ବୟସ ପଅଁଷଠି ପାଖାପାଖି , ସେ ସମୟର ମାଇନର ପାସ । ଯା ହଉ ମତେ ଟିକେ ଦେଖିବାକୁ ଆସିଲୁ କହି ଚା ବସେଇଲା ଚୁଲିରେ ।
‘କିରେ ଟୁଟୁ , ତୁ କାଳେ ଗୀତଗପ ଲେଖୁଛୁ ପେପରରେ, ବିଭୁ କହୁଥିଲା । ବଢ଼ିଆ ଆଉ , ଇଆଡ଼େ ଚାକିରୀରୁ ଦରମାକୁ ଏଥିରୁ ବି ଭଲ ପଇସା ପାଉଥିବୁ ‘ । ପଇସା , ପୁଣି ଗୀତ ଗପରୁ ? ହସିବି ନା କାନ୍ଦିବି ବୁଝିପାରୁନଥାଏ ମୁଁ । ହଉ ତୁ ଆଉ ଟିକେ ଭଲ ଲେଖେ , ବହି ବାହାରିବ , ଅଧିକ ପଇସା ପାଇବୁ, ହେଲା ? ହଁ , ହଁ , ମୁଁ ଏଥର ମୁଣ୍ଡ ଟୁଙ୍ଗାରିଲି । ଚା ପିଉପିଉ ପୁଣି କହିଲା କୁନିଅପା , ‘ କିରେ ଏଥର ତ କାର୍ତ୍ତିକକୁ ମତେ କିଛି ଦେଇନୁ । ତୁ ତ ସବୁ ବର୍ଷ ଦଉ । ଗରିବ ପିଇସୀଟା ମୁଁ ପରା ତୋର ‘ । ମନିପର୍ସରୁ ଖୋଜି ଖୋଜି ତିନିଟା ଶହେ ଟଙ୍କିଆ କାଢି ଅପା ହାତରେ ଦେଲି । ପୁରା ଖୁସିଥିଲା ଭଳି ଲାଗିଲାନି ସେ , କହିଲା , ହଉ ଏଥର କିନ୍ତୁ ବୋହୂ ଆସିଲେ ତାକୁ କହିବୁ ମୋ ପାଇଁ ଲୁଗା ଖଣ୍ଡେ ଆଣିଥିବ ।

ଏତିକିବେଳକୁ ମତେ ଖୋଜିଖୋଜି ଗଦା ଆସି ପହଞ୍ଚି ଯାଇଥିଲା । ଆମେ ତୋଟା ଆଡେ ବାହାରିଲୁ । ବହୁତ ମଉଜମସ୍ତିରେ ଭୋଜି ଖିଆହେଲା । ପ୍ରାୟୋଜନ ପାଇଁ ମତେ ବି ଭୁରି ଭୁରି ପ୍ରଶଂସା ମିଳିଲା ।

ହେଲେ କାହାକୁ କହିଥାନ୍ତି ଯେ , ମୋ ମନିପର୍ସ ଅବସ୍ଥା ଖରାପ ? କରୋନା ପରବର୍ତ୍ତୀ ସମୟ ଓ ସରକାରଙ୍କ ଘରୋଇକରଣ ନୀତି ଯୋଗୁଁ ମୋ ଚାକିରୀ ସଂସ୍ଥାନ ଅବସ୍ଥା ବେହାଲ । ମୋ ଦରମାରେ ଲାଗିରହିଛି ଅନିୟମିତତା । ଏ ମାସର ଦରମା ବି ମିଳିନାହିଁ । ଏଇ ଖାଲି ଗାଁକୁ ଆସିବି ବୋଲି ସାଙ୍ଗଠାରୁ କିଛି ଟଙ୍କା ଆଣିଥିଲି କାଲିସନ୍ଧ୍ୟାରେ ।

ଭାବିଥିଲି ଗାଁରେ ଗୋଟେ ଦିନ କଟେଇବି । ବୁଲିବି ବିଲମାଳରେ । ଗାଧେଇବି ପୋଖରୀରେ । ପିଲାଦିନ ସ୍ମୃତିସବୁ ଆଉ ଟିକେ ତାଜା କରିବି । ମୋବାଇଲରେ ଫଟୋ ନେବି ବହୁତ ।ଏକୁଟିଆ ବସିବି ଘଡ଼ିଏ ନଈ ପଠାରେ । ହଁ , ଯଦି ସମ୍ଭବ ହବ ଗୋଟେ ଦି’ଟା କବିତା ଲେଖିବି । ସେତେବେଳକୁ ଦିନ ସାଢେ ତିନିଟା । କାହିଁକି କେଜାଣି ବଦଳେଇଲି ନିଷ୍ପତ୍ତି । ଦାଦାଙ୍କୁ ମିଛରେ କହିଲି ଅଫିସରୁ ଜରୁରୀ ଫୋନ ଆସିଛି , ମତେ ଯିବାକୁ ପଡିବ । ଖୁଡି ମନ ଦୁଃଖ କଲେ । କାଲି ସକାଳେ ଗଲେ ହବନି , ପଚାରିଲେ । ମୁଁ ପୁଣିଥରେ ମନିପର୍ସ ଖୋଲିଲି , ଆଉ ଯାହା ଥିଲା ମୁନା ମୁନିଙ୍କ ହାତରେ ଦେଇ ଗାଡି ଷ୍ଟାର୍ଟ କରିବାକୁ ବାହାରିଲି ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ