ଭଲ ମନ୍ଦର ଶ୍ରେୟ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜଣେ ବ୍ରାହ୍ମଣ ଏକ ସୁନ୍ଦର ବଗିଚା ଗଢିଥିଲା । ସେହି ବଗିଚାରେ ସୁନ୍ଦର ସୁନ୍ଦର ଫୁଲ, ଫଳ ଓ ପନିପରିବା ଭର୍ତ୍ତି ହୋଇଥିଲା । ଦିନେ ଏକ ଗାଈ ସେହି ବଗିଚାରେ ଆସି ପଶିଲା । ସେ ବଗିଚାରେ ଥିବା ଫୁଲ ଓ ଫଳଗଛ ଖାଇଗଲା । ଏହା ଦେଖି ବ୍ରାହ୍ମଣ କ୍ରୋଧିତ ହେଲା । ସେ ଏକ ବାଡିରେ ଗାଈକୁ ପ୍ରହାର କଲା । ଗାଈଟି ରୋଗୀଣା ଥିବାରୁ ମୃତ୍ୟୁବରଣ କଲା । ଗୋହତ୍ୟା ଦୋଷୀ ହୋଇଥିବା ଜାଣି ବ୍ରାହ୍ମଣ ବିବ୍ରତ ହୋଇପଡିଲା । ତେଵେ ଗୋହତ୍ୟା ଦୋଷରୁ ମୁକ୍ତି ପାଇବା ଲାଗି ସେ ଏକ ଉପାୟ ପାଞ୍ଚିଲା ।

କିଛିକ୍ଷଣ ପରେ ଯମଦୂତମାନେ ଆସି ବ୍ରାହ୍ମଣକୁ ଗୋହତ୍ୟାର ଦଣ୍ଡ ଭୋଗିବାକୁ ନେଇଯିବା ଲାଗି ବାହାରିଲେ । ମାତ୍ର କୁଟୀଳ ବ୍ରାହ୍ମଣ ସେମାନଙ୍କ ସମ୍ମୁଖରେ ଏକ ଯୁକ୍ତି ବାଢିଲା । ସେ କହିଲା- ମୁଁ ଏହି ଗାଈକୁ ମାରିନାହିଁ । ଏ ହାତ ଦୁଇଟି ମାରିଛନ୍ତି । ଦେବରାଜ ଇନ୍ଦ୍ର ହେଉଛନ୍ତି ହାତର ଦେବତା । ତେଣୁ ଏହି ପାପ ପାଇଁ ଇନ୍ଦ୍ରଦେବ ଦାୟୀ । ସେ ହିଁ ଦଣ୍ଡ ଭୋଗିବେ । ବ୍ରାହ୍ମଣର କଥା ଶୁଣି ଯମଦୂତମାନେ ଇନ୍ଦ୍ରଙ୍କ ସମ୍ମୁଖରେ ଉଭା ହେଲେ ଏବଂ ତାଙ୍କୁ ସଵୁକଥା କହିଲେ । ଇନ୍ଦ୍ରଦେବ ସେହି ବ୍ରାହ୍ମଣର କୁଟୀଳତା ସମ୍ବନ୍ଧରେ ଖୁବ୍ ସହଜରେ ଜାଣିନେଲେ । ଏହାପରେ ସେ ଜଣେ ସାଧୁବେଶରେ ଆସି ଇନ୍ଦ୍ରଦେବ ପଚାରିଲେ- ବଗିଚାଟି ଖୁବ୍ ସୁନ୍ଦର ହୋଇଛି । ଏହାକୁ ଆପଣ ସୃଷ୍ଟି କରିଛନ୍ତି ? ବ୍ରାହ୍ମଣ ଉତ୍ତର ଦେଲା, ହଁ ! ମୁଁ ନିଜ ହାତରେ ଏହି ବଗିଚା ଗଢିଛି । ଏହାପରେ ଦେଵରାଜ କହିଲେ, ଯଦି କେହି ଏହି ବଗିଚାକୁ ନଷ୍ଟ କରିଦିଏ ? ବ୍ରାହ୍ମଣ ଉତ୍ତର ଦେଲା- ଏଇ ଟିକିଏ ଆଗରୁ ଗାଈଟିଏ ପଶି ମୋ ବଗିଚାକୁ ନଷ୍ଟ କରିଦେଲା । ମୁଁ ଏମିତି ପିଟିଲି ଯେ ଗାଈଟି ମୃତ୍ୟୁବରଣ କଲା । ଇନ୍ଦ୍ରଦେବ କହିଲେ- ତା’ହେଲେ ତୁମେ ଗୋହତ୍ୟାର ଦୋଷୀ ହେଲ ? ବ୍ରାହ୍ମଣ କହିଲା, ନାଁ ! ମୋ ହାତ ଦୁଇଟି ସେହି ଗାଈକୁ ମାରିଦେଲେ । ଦେବରାଜ ଇନ୍ଦ୍ର ହାତର ଦେଵତା ହୋଇଥିବାରୁ ସେ ଏଥିପାଇଁ ଦାୟୀ ।

ଦେଵରାଜ ଏଥର ନିଜ ପ୍ରକୃତ ସ୍ଵରୂପ ଦେଖାଇଲେ । ବ୍ରାହ୍ମଣକୁ କହିଲେ- ହାତରେ ସୃଷ୍ଟି କରିଥିବା ସୁନ୍ଦର ବଗିଚାର ଶ୍ରେୟ ତୁମେ ନେଇଗଲ । ହେଲେ ସେହି ହାତରେ ଗୋହତ୍ୟା କରିବାର ପାପ ମୁଣ୍ଡାଇବା ଲାଗି ତୁମେ ପଛଘୁଞ୍ଚା ଦେଉଛ ! ଏଥର ଆଉ ବାଟ ନଥିଲା । ବ୍ରାହ୍ମଣ ଗୋହତ୍ୟା ଦୋଷ ମାନିନେଲା ଏବଂ ଦଣ୍ଡ ଭୋଗିବା ଲାଗି ପ୍ରସ୍ତୁତ ହୋଇଗଲା । ଇନ୍ଦ୍ରଦେବ କହିଲେ- ସାଧାରଣତଃ ଅଧିକାଂଶ ମଣିଷଙ୍କ ନିକଟରେ ଏଭଳି ଗୁଣ ଦେଖାଦେଇଥାଏ । ଭଲ କାମର ଶ୍ରେୟ ନେଵାକୁ ମଣିଷ ସବୁବେଳେ ଭଲପାଏ । ମାତ୍ର କୌଣସି ଭୁଲ୍ ହୋଇଗଲେ ମଣିଷ ନିଜ ମୁଣ୍ଡରୁ ଦୋଷ ଛଡାଇବା ଲାଗି ପ୍ରୟାସ କରିଥାଏ । ତେଵେ ଭଲ କାର୍ଯ୍ୟର ଶ୍ରେୟ ନିଜେ ନେବା ବଦଳରେ ମଣିଷ ଯଦି ଏହାକୁ ଈଶ୍ବରଙ୍କ କୃପା ବୋଲି ଭାବେ ତେବେ ସେ ଅହଂକାରର ବଶବର୍ତ୍ତୀ ହୋଇନଥାଏ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ