ବଂଶୀ ବିଧୁର – ମିନାକ୍ଷୀ ପାଢ଼ୀ

ଲେଖକ ପରିଚୟ

ମୀନାକ୍ଷି ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ଫେରିବା ଆଗରୁ ସୁଦୂର ଗୋପରୁ
ପତର ଲେଖନ୍ତି ରାଈ,
“ହେ ଦ୍ୱାରକାଧୀଶ ରାଧା ପ୍ରାଣ ଈଶ
ମୂରଲୀ ନିଅ ଫେରାଇ…..।

ଯାଇଥିଲ ଯେବେ ତେଜି ଗୋପପୁର
ବଂଶୀ ଦେଇ ମୋର ଜିମା,
ସେଦିନ ଠୁଁ ତାକୁ ଛୁଇଁନା, ଶୁଣିନି
‘ରାଧା’ ନାମ ଆଉ ଜମା….।

ଅତି ଯତନରେ ସାତ ପେଟରାରେ
ପାଟ ବସନେ ଗୁଡାଇ,
ରଖିଛି ସାଇତି ସେ ସ୍ମୃତି ଧନକୁ
ନିଇତି ଲୁହରେ ଧୋଇ…..।

ଯେଉଁ ମୂରଲୀର ହୃଦୟେ ମୋ ବାସ
ଦିଅ ଥରେ ଓଠେ ଛୁଇଁ,
ଅନ୍ତିମ ସମୟେ କରିବି ଶ୍ରବଣ
ଶେଷ ଇଛା ମୋର ଏଇ….।

ଅନୁରୋଧ ମମ ବିଦାୟ ବେଳାରେ
ଶେଷ ଥର ମଧୁସ୍ୱନ
ଶୁଣିବି, ଶୋଇ ମୁ ତୁମରି କୋଳରେ
ଛାଡିବି ଏଇ ଜୀବନ…..।“

ପ୍ରାଣପ୍ରିୟ ଅଙ୍କେ ସମର୍ପି ମଥାକୁ
ଶ୍ରୀରାଧା ପଡିଲେ ଶୋଇ,
ଶୋକାକୁଳେ ପ୍ରଭୁ ତୋଳିଲେ ମୁର୍ଚ୍ଛନା
ହୃଦୟ ଗାତ୍ର କମ୍ପଇ ……..।

ହେଉଥିଲା ସ୍ଥିର ଗଗନ, ପବନ
ଯମୁନା ଉତ୍ତାଳ ଜଳ,
ଆବର ଥମିଲେ ପତ୍ର କୁସୁମାଦି
ପ୍ରିୟ ଚକ୍ଷୁ ଟଳମଳ……।

‘ରାଧା-ରାଧା’ ସ୍ୱନ ତୀବ୍ର ସେ କମ୍ପନ
ସମ୍ମୋହିତ ତିନି ପୁର,
ରାଧା ପ୍ରାଣ ଜ୍ୟୋତି ଶ୍ୟାମ ବକ୍ଷେ ଲୀନ
ତେଜିଣ ଦିବ୍ୟା ଶରୀର…….।

“ରାଧା ବିନା ଶ୍ୟାମ, ଶ୍ୟାମ ବିନା ରାଧା
ଉଭୟଙ୍କ ବିନା ବଂଶୀ,
ଅକାରଣ ରାଧେ” ସକରୁଣେ କାହ୍ନା
ଉଠିଲେ ସଧୀରେ ଭାଷି……।

ଜୀବନର ଅତି ପ୍ରିୟ ଏକ ବଂଶୀ
ଆରେକ ରାଧା ସୁନ୍ଦରୀ,
ଯମୁନାରେ ବିସର୍ଜିଲେ ଅବସୋସେ
ବଂଶୀ ଦୁଇ ଖଣ୍ଡ କରି…..।

-ମୀନାକ୍ଷି ପାଢ଼ୀ, ଚିକିଟି ପେଣ୍ଠ, ଗଞ୍ଜାମ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ