ତୃଷାର୍ତ୍ତ ସୂର୍ଯ୍ୟ – ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
ଅସଂଖ୍ୟ କାତର ପ୍ରାର୍ଥନା
ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା
ଓ ମୋର ସମସ୍ତ ଜୋର ସତ୍ତ୍ବେ
ସେ ଚାଲିଗଲା ।
ଯାର ଯିବାର ଥାଏ
ତାକୁ କ’ଣ ଅଟକେଇ ହୁଏ ???
ଏଇ ଯେମିତି
ଗଂଗଶିଉଳି ର କ୍ଷଣିକ ସ୍ବପ୍ନ ,
ଆଉ ବି ମତୁଆଲା ଥଣ୍ଡା ପବନ।
ଏବେ ଖାଲି
ନିଃସଂଗତାର ଦର୍ପଣ ରେ
ଛାଇ ଛାଇକା ପ୍ରତିବିମ୍ବ,
ଆଉ ଫୁଲି ଫୁଲି ଉଠୁଥିବା
ଦୀର୍ଘଶ୍ୱାସ ।
ଆଖି ଦରଜା ଖୋଲୁ ଖୋଲୁ
ଧସେଇ ପଶେ
ତା’ରି କଥା , ତାହାରି ହସ ,
ପ୍ରେମ, କଳି ଝଗଡା, ଆଉ ମିଠା ଖଟା ଜୀବନ ସଂଗୀତ ।
ମରୀଚିକାକୁ ସାଉଁଟିବାର ପ୍ରୟାସ ,
ହଜିଯାଇଥିବା ସମୟକୁ ଧରି ରଖିବାକୁ ପ୍ରଚେଷ୍ଟା
ସବୁତକ ସମୟ ଆଜି ସେଇଥିରେ ମସଗୁଲ ,
କିଛି ବି ତ ନାହିଁ ଆଉ
କେମିତି ଯାଇଛି ଭୁଲି ???
ସୂର୍ଯ୍ୟ ଆଜି ତୃଷାର୍ତ୍ତ
ମୋ ପାଣି ଆଞ୍ଜୁଳା ଇଡିବାରେ
ସେ କଣ ଶୋଷି ନେଇପାରିବ
ମୋ ମୋହଭଙ୍ଗର କାଳିମା ???
ଯେତେ ପାଣିରେ ବୁଡିଲେବି
ଛାଡିଯିବକି ମୋ ଗାଲରୁ
ତା ଉତ୍ତପ୍ତ ନିଶ୍ୱାସ !
ଏ ହାତ ପାପୁଲି ଉପରୁ
ତା ନରମ ହାତର ସ୍ପର୍ଶ !
ଜୀବନଯାକ ଗାଧୋଉଥିଲେବି
ଛାଡିଯିବକି ଏ ମନ ଆଉ
ଦେହରେ ଜମିଥିବା ଧୂଳି !
ପ୍ରତି ମୁହୂର୍ତ୍ତ
ପ୍ରତିଟି କ୍ଷଣ
ପାଣି ଚହଲେ ,
ଅନବରତ ବର୍ଷା
ବିନା ମେଘ ଆଉ ବିଜୁଳି ରେ
କିଏ ବାଂଧିବ ବଂଧ
ନା ଅଛି ଧୈର୍ଯ୍ଯ !
ନା ଅଛି ସାହସ !

ଜାଣେ !
ଏ ସୂର୍ଯ୍ୟ ରହିଥିବ ଶୋଷିଲା
ନିରବଧି କାଳ ଯାଏ ,
ନିଶ୍ୱାସକୁ ଏ ଉଦାସୀନ
ପବନରେ ମିଳେଇବା ଯାଏ !
ମମତା ପ୍ରିୟଦର୍ଶିନୀ ସାହୁ
