ଫିକା ଫିକା ସ୍ମୃତି – ଗୋପାଳ ଚନ୍ଦ୍ର ସାଓ
ଆଃ !
ମୋ ଦେହ ଯାକ
ଆଉଁସି ଦେଲେଣି ନରମ ନିଦ
ପାତଳ ନିଦର ନିଶାରେ
ଅତୀତ ଖୋଜିଲା ବେଳେ
ଚିଁ ଚିଁ ଶବ୍ଦ କରି
ବିଛଣା ଯାକ ଘେରିଲେଣି
ତୁମ ହାତ ମିଠା ଛୁଆଁ
ଉଃ !
ନିଃସଙ୍ଗତ ରାତିରେ
ପୁରୁଣା ଉଷୁମ ନିଶ୍ୱାସର ଗଭୀରତା
ମାପୁଥିବା ବେଳେ
ସ୍ମୃତିର କାଚ କାନ୍ଥ ସେପଟେ
ମେଞ୍ଚେ କଳା ଅନ୍ଧାର ମାଖି
ତୁମେ ଯାଚିଦିଅ ଅଳୀକ ଜୀବନ…
ହେଲେ…,
କିଛି ମାଗିବା ଆଗରୁ
ତୁମ ଆଖି ତୁଠରେ ଭାଙ୍ଗେ
ନିରବତାର ଢେଉ…
ବାରମ୍ବାର ମୁଁ ଭିଜେ
ସ୍ମୃତି ଛିଟାରେ…
ହଁ….
ପଢିବାକୁ ଚେଷ୍ଟା କରେ
ଛାତିଏ ଦରଭିଜା
ଗୋପନ ଭାଷାର ଚିଠି
କିନ୍ତୁ…ଶବ୍ଦ ସବୁ ଉଭେଇ ଯା’ନ୍ତି
ନିଜ ମର୍ଜିରେ ସିନା
ଖାଲି ଚହଟୁ ଥାଏ ଇତି…
– ଗୋପାଳ ଚନ୍ଦ୍ର ସାଓ
