ବିରଜା ପରିଦର୍ଶନ – ଉମାକାନ୍ତ ଦାସ

ଲେଖକ ପରିଚୟ

ଉମାକାନ୍ତ ଦାସ
ଲାଲବାଗ, ଖାନଗର, ମଙ୍ଗଳପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

(ରାଗ – ଚୋଖି)

ମାତୃଶକ୍ତି ରୂପେ ଖାତି ,
ଜାଣିଛନ୍ତି ବେଦପତି ,
ଲେଖିଲେ ତୋ ଗାଥା ପରାଶର କୁମର ।
ମହାଭାରତେ ବର୍ଣ୍ଣିତ,
ସୁଶବ୍ଦେ କଲେ ରଚିତ ,
ତୁହି ମାତ ଆଦି ଶକ୍ତି ଏ ଜଗତର ।
ତୋ ଗାରିମା ଅଟେ ଅପାର ।
ମହାପୁରୁଷେ ଆସିଲେ ଦର୍ଶନେ ତୋର ।।୧

ପ୍ରଥମ ଶଙ୍କରାଚାର୍ଯ୍ୟ,
ଶିଖଙ୍କ ଗୁରୁ ନାନକ,
ଦର୍ଶନ କଲେ ଚୈତନ୍ୟ କ୍ଷେତ୍ର ତୋହର ।
ମାଳିକାକାର ଅଚ୍ୟୁତ,
ଅତିବଡୀ ଜଗନ୍ନାଥ,
ମହାତ୍ମାଗାନ୍ଧୀ ଆସିଲେ ଜାତି ପିଅର ।
ତୀର୍ଥ ଦେଖି ପୂଣ୍ୟ ତାଙ୍କର।
ଧର୍ମାଚାର୍ଯ୍ଯ ,ସଂସ୍କାରକ କଲେ ବିହାର ।। ୨

ଅନେକ ମହାପୁରୁଷ,
ହୋଇ ଅତ୍ୟନ୍ତ ହରଷ,
ବହୁଗୁଣେ ତୋ କିରତି କଲେ ପ୍ରଚାର ।
ବୈତରଣୀ କୂଳେ ବାସ,
ଭକ୍ତଙ୍କ ତୁହି ବିଶ୍ୱାସ,
ଯଯାତି ବିମ୍ବଳା ଥିଲେ ତୋର ଦୟା ର।
ତୁହି ସାହା ଥିଲୁ ତାଙ୍କର ।
ଯଯାତି ନାମେ ହୋଇଲା ଯାଜ ନଗର ।।୩

କର୍ପୂର ଯାଇଛି ଉଡ଼ି ,
କନା ଖଣ୍ଡେ ଅଛି ପଡ଼ି,
ସେହି ଜୀର୍ଣ୍ଣକନା ମଧ୍ଯେ ସଂସ୍କୃତି ସ୍ବର ।
ଦିଗଦିଗନ୍ତକୁ ଯୋଡ଼ି,
ଦିଏ ସାଂସ୍କୃତିକ ରଡି ,
ବୈତରଣୀ ଜଳ ହୋଇ ସ୍ରୋତ ପ୍ରଖର।
ଚିତେ ଚେତି ହେ ନାରୀ ନର।
ଅପକର୍ମ ଯେତେ ସବୁ କର ବାହାର ।।୪

ସମୟ ଦିନେ ଆସିବ,
ଗୌରବ ଫେରି ପାଇବ,
ଅତୀତର ଶତଗୁଣ ଆଲୋକ ତାର।
ମହିମା ମଣ୍ଡିତ ହେବ ,
ଜଗତ ରକ୍ଷା ହୋଇବ,
ଭିନ୍ନ ଭିନ୍ନ ମହାମାରୀ ହେବେ ସଂହାର ।
ଖୋଲିଲେ ପଶ୍ଚିମ ଦୁଆର ।
ଉଡ଼ି ଅଗାଡି ରହିବ ବୀଜ ଧାନର ।।୫

ଆସ ହେ ଭକତେ ଆସ,
ଯିବା ମା’ ବିରଜା ପାଶ,
ଯାଇ ଆନନ୍ଦେ ସେବିବା ଚରଣ ତାର ।
ବେଳୁ ଧ୍ଯାୟୀ ମୂର୍ଖ ଦାସ ,
ଲଗାଏ ତୋ ପଦେଆଶ ,
କର ନାହିଁ ଲୋକହସା ମାଗୁଣି ମୋର । ।
ତୁହି ମାଲୋ ଜ୍ଞାନ ସାଗର ।
ତୋ ପ୍ରଚାରେ କିବା ଲୋଡ଼ା ମାୟା ସଂସାର ।।୬

ଲାଲାବାଗ, ଖାନନଗର, ମଙ୍ଗଳପୁର, ଯାଜପୁର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ