ଚିଠି ଖଣ୍ଡେ – ଦିଲ୍ଲୀପ କୁମାର ତ୍ରିପାଠୀ

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଦିଲ୍ଲୀପ କୁମାର ତ୍ରିପାଠୀ
ଢ଼େଙ୍କାନାଳ, ପର୍ଜଙ୍ଗ
ଦୂରଭାଷ : ୯୯୧୬୦୬୫୮୬୬

ଧଳା, ମଳିଛିଆ କାଗଜ ଖଣ୍ଡେ
ଦେହସାରା ଆଠ କି ଦଶ ଭାଙ୍ଗ
ମୁହଁ ତା’ର ନୀଳ ପଡି ଫୁଲି ଗଲାଣି
ବୟଷ ପଚାଶ ହବ ବୋଧେ
ହେଲେ, ଏବେବି ତା ଦେହର ନାଲି
ପାନ ପତୁରିଆ ରଂଗ ଟା ଦାଉ ଦାଉ ଦିଶୁଛି ।

ସ୍କୁଲ୍ ବେଳର ସାଥୀ ସେ
ସବୁଦିନ ବାହାରିବ ବ୍ୟାଗ୍ ଖଣ୍ଡେ ଧରି
ଯିବାପାଇଁ, ମୋ ସହ
ଦେଖିଛି ସେ ମୋତେ ପିଲାରୁ ଭେଣ୍ଡା ହବା
ଦେଖିଛି ବି ମୋ ହନ୍ତସନ୍ତିଆ ଜଞାଳ,
ଜାଣିପାରେ ମୋ ସନ୍ତସନ୍ତିଆ ମୁହଁର ରହସ୍ୟ
ସେଇଥିପାଇଁ ତ ମୋ ସନ୍ତପ୍ତ ମନ ଟିକିଏ ସୁଁ ହେଲେ
ଭାଙ୍ଗିଯାଏ ତା ପତଳା ନିଦ
ହାତ ଖୋଲି ଡାକେ, ଚାପି ଧରେ ତା ଛାତିରେ
ପୁରୁଖୀଙ୍କ ପରି ବୁଝେଇବସେ
ନେଇଯାଏ ବେଳେବେଳେ
ଆମ ଗାଁ ନଈ କୂଳର କଦମ୍ବ ଫୁଲର
ବାସ୍ନା କିଣେଇ ଦବାକୁ ।

ପତିବ୍ରତା ସ୍ତ୍ରୀ ଟିଏ ପରି
ପାଦରେ ପାଦ ମିଶେଇ ଚାଲିଛି ସେ,
ସହିଛି ସମୟର ସବୁ ଅଦଉତି
ଅନିଦ୍ରା ହେଇଛି ମୋ ସହ ରାତି ରାତି
ପିଇଛି ମୋ ଧାର ଧାର ଲୁହ,
କେତେ ଯେ ଆଞୁଳା, କିଏ ଗଣିଛି !

ନିଶୂନ୍ ବେଳର ରାଜୁତି ଭାଙ୍ଗିଛି
ତା ମେଘ-ମହ୍ଲାର ରାଗରେ ଗୀତ ଗାଇ
“ପ୍ରିୟ ତମେ ମୋର ଥରଥର ଓଠ
ଓଢଣା ତଳର ଲାଜ,
ତମ କବିତାର ପ୍ରତିଟି ପାଖୁଡା
ହଉ ମୋ ସ୍ଵରରେ ସଜ ”
ଏମିତି କେତେ କ’ଣ ।

ପାଇବା, ହଜେଇବା ଆଉ ଖୋଜିବାର ଚେଷ୍ଟାରେ
କାଟିଛି ମୁଁ ବର୍ଷ ବର୍ଷର ଏଇ ଲମ୍ବା ଜୀବନ
ମୋ ସ୍ଵଳ୍ପ ଆୟରେ କରିଛି
ଖରା, ବର୍ଷା, ଶୀତର ଆତିଥେୟ
ଦେଖିଛି ହସ-ଲୁହର ବାଗୁଡି ଖେଳ
ଗଦା ଗଦା ଆତ୍ମୀୟଙ୍କ ଗହଳି
ମୋ ପୁଅ ଦୀପଙ୍କରର ଅଳି-ଅର୍ଦ୍ଦଳୀ
ଆଉ ଏଇ ବୟଷର ସଞ୍ଜବେଳଟାରେ
ଗଣିଛି ହାତଗଣତି ବନ୍ଧୁ-ବାନ୍ଧବଙ୍କ
ଯିବା ଆସିବ ବେଳ ।

କିନ୍ତୁ କେହି ଥାଉ କି ନଥାଉ
ଏଇ ଚିଠି ଖଣ୍ଡିକ ଜଗି ବସିଛି ମୋତେ,
ଜଣେଇଛି ତା’ର ଉପସ୍ଥିତି,
ଟିକ୍ ଟିକ୍ ହଉଥିବା ମୋ ବାପାଙ୍କର
ସେଇ ପୁରୁଣା ହାତ-ଘଡି ପରି ।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ