ବୋଉ ଠୁଁ ଶିଖିଛି କବିତା – ଦିଲ୍ଲୀପ କୁମାର ତ୍ରିପାଠୀ

ଲେଖକ ପରିଚୟ

Blog | +

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ଦିଲ୍ଲୀପ କୁମାର ତ୍ରିପାଠୀ
ଢ଼େଙ୍କାନାଳ, ପର୍ଜଙ୍ଗ
ଦୂରଭାଷ : ୯୯୧୬୦୬୫୮୬୬

ମୋ ଜୀବନର ପ୍ରଥମ କଡ ଲେଉଟା
ଗୁରୁଣ୍ଡିବା, କଥା କହିବା, ଚାଲି ଶିଖିବା
ସବୁ ତୁ ଶିଖେଇଛୁ…
ଶିଖେଇଛୁ ବୋଲି ତ ଦେଖ୍ ମୁଁ କେମିତି
ଦୌଡି ପାରୁଛି, କହି ପାରୁଛି
ଆଉ ଲେଖି ପାରୁଛି ।

ସମସ୍ତେ କୁହନ୍ତି କାଳେ
ମୋ ମୁହଁରେ ତୋ ମୁହଁ ବାରି ହେଇଯାଏ
ମୋ ହସରେ ତୋ ହସର ଝଲକ୍ ଟେ ଦେଖାଯାଏ,
ବାକ୍ୟରେ ଆକାଙ୍କ୍ଷା ଆଉ ଯୋଗ୍ୟତା ପରି
ତୋ ହାତଲେଖା ଚଉପଦୀ କେତୋଟି
ସାଜେ ମୋ କବିତା ସୃଜନର ଆଧାର,
ଲୁଗାକାନିର ସାତ ଗଣ୍ଠି ଫିଟେଇ
ତୁ ଦେଇଥିବା ଶବ୍ଦମାନେ
ମୋତେ ବାଟେଇ ନିଅନ୍ତି
ଗଢିବାକୁ ନୂଆ ଏକ ସଂସାର
ଆଉ ପ୍ରତିଥର ସେଇମାନେ ହିଁ ହୁଅନ୍ତି
ନବୋଦ୍ୟମ ର ମୂଳଦୁଆ ।

ପଡୁ-ପଡୁ ଉଠିବା ଛଳରେ ବୁଣିଛୁ
ମୋ ଅଜ୍ଞାତ ମାନସପଟରେ ଧୈର୍ଯ୍ୟର ବୀଜ
ତୋ ରେ ରଖା ଡାକରେ ଶିଖେଇଛୁ
ପଦରେ ଆସତ୍ତିର କୌଶଳ
ପାଦ ଉପରେ ପାଦ ଥାପି ଚାଲୁ ଚାଲୁ
କେମିତି ଶିଖିଗଲି କେଜାଣି
ବିଶ୍ଵାସ ଆଉ ନିର୍ଭରର ଲୁଚା ଛପା ଖେଳ !

ତୋ ଠୁଁ ଶିଖିଛି ମୁଁ ଥାକ ଥାକ ପର୍ବତ
ଉପରେ କାହିଁକି ସେ ମେଘଟା
ଘଣ୍ଟ ଘୋଡେଇ ବସିଛି,
ଅଜଣା ବାଦଲ ର ପ୍ରବଞ୍ଚନାରେ
ପ୍ରତିଥର ଗର୍ଭବତୀ ହଉଥିବା
ଏଇ ଧାନ ବିଲ ଗୁଡାକ
କାହିଁକି ଏବେବି ଛାଡିନାହାନ୍ତି ଆସ୍ଥା ।

ତୋ ଆଖିରେ ଦୁନିଆ ଦେଖିବାର ଅଭ୍ୟାସ
ମୋତେ ଶିଖେଇଛି ବଞ୍ଚିବାର ବାଗ
ଝଡ ସହ ମିତ୍ରତା ଆଉ ସ୍ୱାର୍ଥ ସହ ଶତୃତା,
ତୁ ଶିଖେଇଛୁ ଧାଉଁଥିବା ସହରର ହାତ ଛାଡି
କେମିତି ମାପିବାକୁ ହୁଏ ଗର୍ଜନ୍ତା
ସମୁଦ୍ରର ସୁନ୍ଦରତା ।

ହଁ, ‘ବୋଉ’ମୁଁ ତୋ ଠୁଁ ହିଁ ଶିଖିଛି
ଲୁହର ସ୍ୟାହିରେ,
ଜୀବନର ସାଦା କାଗଜରେ
କେମିତି ଲେଖିବାକୁ ହୁଏ ହସି ହସି, ‘କବିତା’।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments