ରାତିର ତାତି – ପ୍ରସନ୍ନ କୁମାର ମାଦଳା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା
ମନର ମଣିଷ ଖୋଜି ହୁଏ ଶେଷ
ଦେହେ ଭରି ସିନା ତାତି
ଖସାଇ ଶିଶିର ଲୁହ ଝର ଝର
ଭିଜି ଯାଉଥାଏ ରାତି ।
ଝରା ଶେଫାଳୀର ଶେଯର ଅତର
ବୋଳି ହୁଏ ନିଜ ଛାତି
ସେ ଅଭିସାରିଣୀ ସାଜଇ କାମିନୀ
ବିଳାସ ବିଧୁରେ ମାତି ।
ଜହ୍ନର ସରାଗେ ବେଶ ହୁଏ ଆଗେ
ଗଭାରେ ସଜାଇ ତାରା
ମିଳନ ମୋହରେ ଅନ୍ଧାର କୁହରେ
ଖେଳଇ ଭୁବନ ସାରା ।
ଉଆଁସ ତମସେ ମନ ମାରି ବସେ
କଳା ପଣତକୁ ମେଲି
ଗାଆଁ ଦାଣ୍ଡୁ ଧାଏଁ ନଈପଠା ଯାଏଁ
ସାଉଁଟି ସପନ ଭେଳି ।
ମହୁଲି ମାୟାରେ ନିଜର ଛାୟାରେ
କୁହୁକ ମନ୍ତର ବୋଳି
ପ୍ରାଣୀଙ୍କ ଜଗତେ ଶୃଙ୍ଗାର ନିରତେ
ଛନ୍ଦମାନ ଦିଏ ତୋଳି ।
କଳା ମଲ୍ଲୀ ଫୁଲ ଶୁଙ୍ଘାଇ ପ୍ରବଳ
ବଶୀଭୂତ କରି ଭେଣ୍ଡା
ସେ ଯେ ମାୟାବିନୀ ପୀରତି ପ୍ଳାବିନୀ
ସହଜେ ସଜାଏ ମେଣ୍ଢା ।
ପୁନେଇଁ ରାତିରେ ଜୋଛନା ଭାତିରେ
ପିନ୍ଧଇ ରଜତ ପାଟ
କାମ ବିଳାସିନୀ ତନୁ ପ୍ରଭାସିନୀ
ରଚଇ ମିଳନ ନାଟ ।
ମଧୁଶାଳା ଦେଖି ରହିଥାଏ ସାକ୍ଷୀ
ଦୀପ ଶିଖାଟିଏ ଭଳି
କାହା ପଥ ଚାହିଁ ରହେ ସେ ଅନାଇଁ
ନିଜେ ପଛେ ଯାଏ ଜଳି ।

ବିଲ୍ବମଙ୍ଗଳର ଫେରିବା ବେଳର
ପଥେ ବିଞ୍ଚି ପ୍ରୀତିଫୁଲ
ସପନର ରାତି ଉଜାଗର ନିତି
ଋତୁମତୀ ବଧୁ ତୁଲ ।
