ତୁମ ଅପେକ୍ଷାରେ ମାଆ – ପ୍ରସନ୍ନଜିତ ସାହୁ
ପ୍ରସନ୍ନଜିତ ସାହୁ
ନାଉଗାଁ, ଜଗତସିଂହପୁର
ଦୂରଭାଷ- ୭୩୭୭୬୬୩୪୦୦
ଦର୍ଶନ ଦିଅହେ ଦଶଭୁଜା ମାଆ
ତୃଷାର୍ତ୍ତ ଆଜି ଏ ଧରା
ଶରତ ଲଗନେ ସୁନୀଳ ଗଗନେ
ଧୂସର ବଉଦ ଭରା ।
ମୁଣ୍ଡ ହଲାଉଛି କାଶତଣ୍ଡୀ ଫୁଲ
ରକ୍ତଜବା ଚାହିଁ ଅଛି
ପଟ ଖଣ୍ଡେ ପୁଣି ନିସ୍ତାର ପାଇବ
ମାଆର ଶିରରେ ବସି ।
କୋମଳ ଶେଫାଳି ଭୁଇଁକୁ ଛୁଇଁଛି
ପଡୁଛି ବିସ୍ତାରି ହୋଇ
ଅଶିଣ ମାସର କାକର ରାତିରେ
ବାସନା ଦିଏ ବିତରି ।
ବିଳମ୍ବକୁ ଆଉ ସହିପାରେ ନାହିଁ
ନୟନ ଚାତକ ପରି
ଦର୍ଶନାଭିଳାଷୀ ସନ୍ତାନକୁ ତୁମ
ଆଶିଷ ଦିଅହେ ଭରି ।
