ଅଭିନନ୍ଦନ – ଧ୍ରୁବ ଚରଣ ବେହେରା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ
ପ୍ରୀତିର ଗୋଲାପ ଫୁଲତୋଡ଼ା ଗୋଟି
ଆଣିଛି ତୁମରି ପାଇଁ
ପ୍ରେମ ପୀରତିର ଅଭୁଲା ସ୍ମୃତି କୁ
ରଙ୍ଗରେ ସଜାଇ ଦେଇ ॥୦॥
ପତ୍ରେ ପତ୍ରେ ତାର ଲେଖିଅଛି ଚିଠି
ମନର ଲେଖନୀ ଧାରେ
ବିରହର ସବୁ ଅନ୍ତରା ମୂଖୁଡା
ଭାବନାର କଳିମାରେ
ଫଗୁଣର ରଙ୍ଗେ ସଜାଇଛି ଧାଡି
ଗୋଟି ଗୋଟି ଲେଖି ଦେଇ ॥୧॥
ସାତ ସପନରେ ଆସୁଅଛ ତୁମେ
ଶରତ ଜୋଛନା ଧାରେ
ମାଗୁଅଛ ଭିକ୍ଷା ହୃଦୟ ଦୁଆରେ
ଅଭିସାର ଓଢଣୀରେ
ଏଡେ ପ୍ରେମ ଚୋର ତୁମେ ସାଥି ମୋର
ହସ ହସ ମନ ନେଇ ॥୨॥
ଦେଖୁଛ କି ନାହି ଫୁଲତୋଡ଼ା ମୋର
ହସୁଛି ପ୍ରୀତି ନଇରେ
ସମର୍ପି ଦେବି ମୁଁ ରମ୍ୟ ଉପବନେ
ଅଭିନନ୍ଦନର ସୁରେ
ଏହି ହେବ ଆମ ମନର ଠିକଣା
ପ୍ରଥମ ଚିଠିଟି ହୋଇ ॥୩॥
