କେବେ ତୁମେ – ପ୍ରକାଶ କୁମାର ଚାନ୍ଦ
ପ୍ରକାଶ କୁମାର ଚାନ୍ଦ
ଜଯପୁର ଶାସନ, ପିପିଲି, ପୁରୀ
କେବେ ତୁମେ ଲାଗ ମିଠା ମଳୟ ତ
କେବେ ଚନ୍ଦନର ବାସ
କେବେ ତୁମେ ଲାଗ କୁଆଁରୀ ସଞ୍ଜରେ
ରଙ୍ଗଣୀ ଫୁଲର ହସ ॥
କେବେ ତୁମେ ଲାଗ ପୂନେଇଁ ରାତିରେ
ଚାନ୍ଦର ଚାନ୍ଦିନୀ ଛିଟା
କେବେ ପୁଣି ତୁମେ ଲାଜକୁଳି ଲତା
କେବେ ମହୁ ଠାରୁ ମିଠା ॥
କେବେ ତୁମେ ଲାଗ ସପନ ଦ୍ଵୀପର
ତୁମେ ମୋ ସାଧବବୋହୂ
କେବେ ତୁମେ ଲାଗ ଫଗୁଣରେ ପୁଣି
କୋଈଲିର ମିଠା କୁହୁ ॥
କେବେ ତୁମେ ଲାଗ ଆକାଶର ମେଘ
କେବେ ବିଜୁଳିର କନ୍ୟା
କେବେ ତୁମେ ଲାଗ ପାହାଡି ଝରଣା
କେବେ ତ ପ୍ରୀତିର ବନ୍ୟା ॥
ଦୂର ଆକାଶର ଦୂର ଜହ୍ନ ତୁମେ
ସୁଦୂର ତୁମର ଗାଆଁ
ଲବଙ୍ଗ ଦ୍ଵୀପର ଲାବଣ୍ୟବତୀ ଗୋ
ରୂପ ତୁମ ମନଛୁଆଁ ॥
କେବେ ତୁମେ ଲାଗ ଶରତ ହାତରେ
କାଶତଣ୍ଡୀ ଫୁଲ ଗୋରୀ
କେବେ ତୁମେ ଲାଗ ଧାରା ଶିରାବଣେ
ବୈତରଣୀ ନଦୀ ପରି ॥
କେବେ ତୁମେ ଲାଗ ଆଷାଢ ଆକାଶେ
କଳା ବଉଦର ଛାଇ
କେବେ ତୁମେ ଆସ ବେଙ୍ଗୁଲୀ କଣ୍ଠରେ
ବରଷା ଜଳଦ ନେଇ ॥
କେବେ ତୁମେ ପୁଣି ପହିଲି ବରଷା
ଭିଜା ଭିଜା ଗନ୍ଧ ମାଟି
କେବେ ତୁମେ ପୁଣି ପଦୁଅଁ ପତରେ
ଚୋରା ଚଇତିର ଚିଠି ॥

ତୁମ ହସ ବେଶ ତୁମ ରୂପ ରଙ୍ଗ
କିଏ ହେବ ତୁମ ତୁଲ
କେବେ ସକାଳର ପାହାନ୍ତି କାକର
ଭୋଦୁଅର ଜହ୍ନିଫୁଲ ॥
