କବିତା – ଭେଟିବେକି ଆଜ କଥା ରଖି – ବି. ନିରୁପମା
ଲେଖକ ପରିଚୟ

ବି.ନିରୁପମା

ଆଗୋ ପ୍ରିୟ ସଖି ,
ସେ ଚିତ୍ତଚୋରଙ୍କ ବାରତା କୁହ ଗୋ
ଭେଟିବେକି ଆଜ କଥା ରଖି ।
ଆଗୋ ପ୍ରିୟ ସଖି….
ସେ କଦମ୍ବ ମୂଳେ ଆଜ ବସି ,
ବାଉଥିଲେ କୃଷ୍ଣ ଏକା ବଂଶୀ ।
ନୀର କୁମ୍ଭ ଘେନି ଫେରିଲା ବେଳକୁ
ଅଟକି ଗଲି ମୁଁ ତାଙ୍କୁ ଦେଖି ।(୧)
ଆଗୋ ପ୍ରିୟ ସଖି….
ବାଙ୍କ ଚାହାଣିରେ ଚାହିଁ ଧୀରେ ,
କହିଲେ ସେ ମୋତେ ଇଶାରାରେ ।
ମୋ ପୁରକୁ ବିଜେ କରିବାକୁ ଆଜ-
ସାଜିଦିଅ ତାଙ୍କ ମନଲାଖି ।(୨)
ଆଗୋ ପ୍ରିୟ ସଖି….
ପାଇଲେ ମୁଁ ଆଜି ତାଙ୍କୁ ପାଶେ ,
ପୂଜିବି ଚରଣ ମନ ତୋଷେ ।
ତାଙ୍କ ମନ ଜାଣି ସେବା କରିବି ଗୋ
ମାନ କରିବିନି ଧ୍ୟାନ ରଖି ।(୩)
ଆଗୋ ପ୍ରିୟ ସଖି….
ସେ ଚିତ୍ତଚୋରଙ୍କ ବାରତା କୁହ ଗୋ
ଭେଟିବେକି ଆଜ କଥା ରଖି….
ଆଗୋ ପ୍ରିୟ ସଖି ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।
