ମାତୃତ୍ଵର ପରିଭାଷା – ଅଜୟ କୁମାର ସାହୁ

ଲେଖକ ପରିଚୟ

Blog | +

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

ଅଜୟ କୁମାର ସାହୁ, ଚାନ୍ଦପୁର, ନୟାଗଡ

ମାଆ ଶବ୍ଦଟି ସତେ କେତେ ଆପଣାର…. ବୋଧହୁଏ ମାଆ ଶବ୍ଦ ଠାରୁ ଅଧିକ ଆତ୍ମୀୟତା ଅନ୍ୟ କୌଣସି ଶବ୍ଦରେ ନଥାଏ । ଏହି ଶବ୍ଦଟିର ଗୁରୁତ୍ଵ ମୋ ପାଖରେ ଏତେ ବଢି ଯାଇଛି ଯେ, ତାହା ….ଅପ୍ରକାଶ୍ୟ । ଜୀବନରେ ଗୋଟିଏ ବ୍ୟକ୍ତି, ଯିଏକି ଆମ ମାଆ ଆମକୁ ନିଃସ୍ଵାର୍ଥପର ଭାବେ ଭଲପାଇଥାଏ । କିନ୍ତୁ ଅନ୍ୟ ମାନଙ୍କ ଭଲପାଇବା ପଛରେ ଲୁଚି ରହିଥାଏ ସ୍ଵାର୍ଥ । ସନ୍ତାନଟିଏ ପ୍ରତି ମାଆର ଭଲପାଇବା ଅନ୍ତରର କେଉଁ ଗଭୀରତମ ପ୍ରଦେଶରୁ ଆସିଥାଏ ଯେ, ସନ୍ତାନଟି ସୁନ୍ଦର ହେଉ ବା ଅସୁନ୍ଦର, ଗୁଣର ହେଉ ବା ନହେଉ ଅବା ସୁସ୍ଥ ଅସୁସ୍ଥ କିମ୍ବା ପଙ୍ଗୁ ହୋଇଥାଉ, ତଥାପି ସେଇ ନିଃସ୍ଵାର୍ଥପର ଆଉ ଅତୁଳନୀୟ ଭଲପାଇବାରେ କୌଣସି ପ୍ରତିବନ୍ଧକ ଘଟି ନଥାଏ । ସୃଷ୍ଟିର ଏହି ରହସ୍ୟକୁ ଉନ୍ମୋଚନ କରିବା ତ ସମ୍ଭବ ନୁହେଁ, କିନ୍ତୁ କିଛି ସ୍ମୃତି ଆଉ ଅନୁଭୂତିର ଘଟଣା ଗୁଡାକ ଆପେ ଆପେ ବାହାରି ଆସେ ମୋ ମନ ଭିତରୁ… ।

ସେଦିନର ସକାଳ… କିଛି ବ୍ୟକ୍ତିଗତ କାମରେ ମୁଁ ଭୁବନେଶ୍ଵର ଅଭିମୂଖେ ଯାତ୍ରା କରୁଥାଏ । ଜାତୀୟ ରାଜପଥର ଗୋଡିପଡା ତନଖି ଫାଟକ ନିକଟରେ ମୋତେ ମୋର ମୋଟରସାଇକେଲଟିକୁ କିଛି ସମୟ ଅଟକେଇବାକୁ ପଡିଲା, କାରଣ ମୋ ସମ୍ମୁଖ ରାସ୍ତାରେ ଅନେକ ଗୁଡିଏ ଭାରିଯାନ ଧାଡି ବାନ୍ଧି ଠିଆ ହୋଇଥିଲେ । ସେମାନଙ୍କୁ ଅତିକ୍ରମ କରି ଆଗକୁ ଯିବା ମୋ ପକ୍ଷରେ ସମ୍ଭବ ନଥିଲା । ହଠାତ ମୋର ନଜର ପଡିଲା, ଜଣେ ମହିଳାଙ୍କ ଉପରେ । ତାଙ୍କର ଅତୀବ କ୍ଷୀଣକାୟ ଏବଂ ଧୁଳି ଧୂସର ଚେହେରାରୁ ବାରି ହୋଇପଡୁଥାଏ ତାଙ୍କର ଅସହାୟତାର ପରିଚୟ । ସେଇ ଅସହାୟା ମହିଳା ଜଣଙ୍କ ତାଙ୍କ କୋଳରେ ଗୋଟିଏ ଛୋଟିଆ ଶିଶୁକୁ ଧରି କିଛି ଖୁଆଇବାରେ ବ୍ୟସ୍ତ ଥାଆନ୍ତି । ଶହ ଶହ ପଥଚାରୀ ତାଙ୍କ ନିକଟ ଦେଇ ଅତିକ୍ରମ କରି ଚାଲିଯାଉଥାନ୍ତି, ହେଲେ କାହାରବି ଟିକେ ଆଡ ନଜର ନଥାଏ ଏହି ମହିଳାଙ୍କ ଅସହାୟତା ପ୍ରତି । ଏଇ ସ୍ଵାର୍ଥପର ଆଉ ପ୍ରାଚୁର୍ଯ୍ୟର ଦୁନିଆଁ ବିରୁଦ୍ଧରେ ମୋ ମନଟା ତୀବ୍ର ଅଶାନ୍ତ ହୋଇ ଉଠୁଥିଲା । ମୋଟରସାଇକେଲଟିକୁ ପାର୍କିଙ୍ଗ କରି ଅଗ୍ରସର ହେଲି ସେଇ ମହିଳାଙ୍କ ନିକଟକୁ ।

“ମାଆ – ଏ କଣ ତୁମ ପୁଅ” ?

“ନାଇଁ ବାବୁ – ଏ ମୋ ଝିଅ… ଦୁଇଦିନ ହେଲା କିଛି ଖାଇବାକୁ ପାଇନି, ସେ ବାବୁ ଜଣଙ୍କ ପାଞ୍ଚ ଟଙ୍କା ଦେଇଥିଲେ, ସେଥିରେ ତା’ପାଇଁ କିଛି ଖାଇବା ଆଣି ତାକୁ ଦେଉଛି” । ତାର ତୃଷାର୍ତ୍ତ ନୟନରୁ ପେଟର ଭୋକ ଗୁଡାକ ଲୁହଧାର ହୋଇ ବାହାରି ଆସୁଥିଲା ବାହାରକୁ । ପକେଟରୁ କିଛି ଟଙ୍କା ବାହାର କରି ମହିଳାଙ୍କ ହାତରେ ଦେଇ କହିଲି, “ଏଥିରେ କିଛି ଖାଇବା ନେଇ ଆସି ଏବେ ଆଗ ଖାଇ ନିଅ” । କିନ୍ତୁ ଉତ୍ତର ଆସିଲା, “ମୋର କିଛି ଖାଇବା ଚିନ୍ତା ନାହିଁ ବାବୁ, ଏଥିରେ ମୋ ପିଲାଟି ଆଗ ଖାଉ” । ମହିଳା ଜଣଙ୍କର ଏଭଳି ଉତ୍ତରରେ ମୁଁ ଖୁବ ଆଶ୍ଚର୍ଯ୍ୟ ହେଉଥିଲି, ପେଟର ଅସହ୍ୟ ଭୋକକୁ ପେଟରେ ମାରି ନିଜ ଶିଶୁ ପ୍ରତି କେତେ ବ୍ୟାକୁଳ ସେ । ମୋର ଅଜାଣତରେ ଦୁଇଧାର ସମବେଦନାର ଅଶ୍ରୁ ଗଡିଆସି ମୋର ଗଣ୍ଡସିକ୍ତ କରୁଥିଲା । ନିଜକୁ ପ୍ରକୃସ୍ଥିତ କରିନେଇ ମୁଁ ମୋର ଗନ୍ତବ୍ୟ ପଥରେ ବାହାରି ଯିବାକୁ ଉଦ୍ୟତ ହେଲି, କାରଣ ସେତେବେଳକୁ ମୋ ସାମନାରୁ ରାସ୍ତା ପରିଷ୍କାର ହୋଇସାରିଥାଏ ।

କାମ ସାରି ଫେରୁଥାଏ ଘରକୁ… ସେଇ ଜାତୀୟ ରାଜପଥର ଅନ୍ୟ ଏକ ହୃଦୟ ବିଦାରକ ଦୃଶ୍ୟ ମୋର ପଞ୍ଜରା ଥରାଇଦେଲା । “ମୋ ପୁଅକୁ ବଞ୍ଚେଇଦିଅ… ବଞ୍ଚେଇଦିଅ” ବୋଲି ଖୁବ ଉଚ୍ଚ ସ୍ଵରରେ ଜଣେ ମହିଳା ଚିତ୍କାର କରୁଥାନ୍ତି । ବୋଧହୁଏ କିଛି ଦୁର୍ଘଟଣା ଘଟିଛି ଆଗରେ !! ଅଶାନ୍ତ ଜନଗହଳି ଭିତରେ ଘଟଣାଟିକୁ ଠାବ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରୁଥାଏ । ଦୁର୍ଘଟଣାସ୍ଥଳ ନିକଟକୁ ଯାଇ ଦେଖିଲି, ଦୁର୍ଘଟଣାଗ୍ରସ୍ତ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ମୃତ, ଛୋଟିଆ ଶିଶୁଟିଏ ସାମାନ୍ୟ ଆଘାତପ୍ରାପ୍ତ କିନ୍ତୁ ଜଣେ ମହିଳା, ଯାହାଙ୍କର ଦୁଇଟିଯାକ ଗୋଡ ନଷ୍ଟ ହୋଇଯାଇଛି, ସେ କେବଳ ଉଚ୍ଚସ୍ଵରରେ ଚିତ୍କାର କରୁଛନ୍ତି “ମୋ ପୁଅକୁ ବଞ୍ଚେଇଦିଅ… ଶୀଘ୍ର ଟିକେ ଡାକ୍ତରଖାନା ନେଇଯାଅ କିଏ” । ହରେଇ ବସିଥିବା ନିଜର ଦୁଇଗୋଡ ପ୍ରତି ତାଙ୍କର ତିଳେ ହେଲେ ଅନୁଶୋଚନା ନଥିଲା କି କଷ୍ଟ ନଥିଲା… ନିଜ ଶିଶୁପୁତ୍ରର ସାମାନ୍ୟ ଆଘାତ ତାଙ୍କୁ ଖୁବ କଷ୍ଟଦେଉଥିଲା । ସେଇ ମହିଳା ଜଣଙ୍କ କେବଳ ହାତଟେକି ନିଜ ଛୁଆ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଡାକୁଥିଲେ, ଆଉ ସେଇ ମହିଳାଙ୍କ ନିକଟରୁ ଖୁବ ସହଜରେ ବାରି ହୋଇପଡୁଥିଲା ମାତୃତ୍ଵର ପରିଭାଷା କଣ ?

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments