ବାର୍ଦ୍ଧକ୍ୟ – ଅଜୟ କୁମାର ସାହୁ

ଲେଖକ ପରିଚୟ

Blog | +

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ଅଜୟ କୁମାର ସାହୁ
ଚାନ୍ଦପୁର, ନୟାଗଡ

ମୋର ଅତି ଆପଣାର ପାଠକ ପାଠିକା ମାନଙ୍କୁ ସାଦର ପ୍ରଣାମ । ଏହି ଶିକ୍ଷକଟିକୁ ଆପଣ କିଛି ମାତ୍ରାରେ ଅନୁମାନ କରିପାରୁଥିବେ । ମୁଁ ଲେଖିବାରେ ଏତେ ମାହାରତ ହାସଲ କରିନାହିଁ । କିନ୍ତୁ ବେଳେ ବେଳେ ଯେଉଁ ଘଟଣା ମୋ ମନକୁ ବ୍ୟତିବ୍ୟସ୍ତ କରେ, ସେହି ବିଷୟରେ ଦି’ପଦ ସାଧା କାଗଜ ଉପରେ ନଲେଖିଲେ ମୋ ମନ ଜମା ବୁଝେ ନାହିଁ । ଘଟଣା ସମ୍ପର୍କିତ ଶବ୍ଦ ଗୁଡିକ ଅମାନିଆ ହୋଇ ମୋ ମଗଜ ଭିତରେ ଏଣେ ତେଣେ ଘୁରି ବୁଲି ମୋତେ ଖୁବ ବ୍ୟତିବ୍ୟସ୍ତ କରି ପକାଏ । ତେଣୁ ମୁଁ ସେମାନଙ୍କୁ ବୁଝାଇ ସୁଝାଇ ଏହି କାଗଜର ଚଟାଣ ଉପରେ ସଜାଇ ଥାଏ । ଆଶା କରୁଛି ଆଜିର ଶୀର୍ଷକ ଆପଣଙ୍କ ମନକୁ କିଛି ମାତ୍ରାରେ ଉଦବେଳିତ କରିପାରେ ସତ, କିନ୍ତୁ ସମାଧାନର ସୂତ୍ର ନିଶ୍ଚୟ ଆପଣ ବାହାର କରିବେ ।

“ବାର୍ଦ୍ଧକ୍ୟ” ଏମିତି ଏକ ଶବ୍ଦ ଶୁଣିଲେ ଖୁବ ଡର ଲାଗେ । କାରଣ ଏହା ପଛରେ ଧାଡିବାନ୍ଧି ଠିଆ ହୋଇଥାନ୍ତି ଅନେକ ହତାଶା, ରୋଗ, ଶୋକ, ତିରଷ୍କାର ଆଉ ଯନ୍ତ୍ରଣା । ବିନା ନିମନ୍ତ୍ରଣରେ ଏମାନେ ଆଗେଇ ଆସନ୍ତି ଏବଂ ଗ୍ରାସ କରିଯାନ୍ତି ସଂପୂର୍ଣ୍ଣ ବାର୍ଦ୍ଧକ୍ୟର ପରିବେଶକୁ । ଜୀବନର ଏହି ଅନ୍ତିମ ସୋପାନରେ ନା ଥାଏ ପିଲାଦିନର ଧୂଳିଖେଳ, ମାଆ ପାଖରେ ଅଳି, ବାପା ପାଖର ଅଝଟ, ଭାଇ ଭଉଣୀଙ୍କ ମାଡ ପିଟ, ଦୁଷ୍ଟାମିରେ କାନମୋଡା, ଜେଜେ ମା’ର ବୁଢୀ ଅସୁରୁଣୀ ଗପ ଅବା ଜେଜେ ବାପାଙ୍କ ସହିତ ଯାତରା ବୁଲା । ଆଉ ଯେତେବେଳେ ଯୌବନର ରଙ୍ଗରେ ଜୀବନଟା ଧୀରେ ଧୀରେ ରଙ୍ଗୀନ ହୁଏ, ଜହ୍ନରାଇଜର ରାଜକୁମାରୀର ପ୍ରେମରେ ଛନ୍ଦି ହୋଇଯାଏ ଜୀବନ… ବିଞ୍ଚିହୋଇ ଯାଏ ପ୍ରେମର ଫଲ୍ଗୁ । କେହି ଜଣେ ଅଜଣା ରୂପସୀ ଜୀବନର ଖୁବ ଭାଗୀଦାରୀ ପାଲଟିଯାଏ, ଆଉ ଆରମ୍ଭ ହୁଏ ଜୀବନର ଭିନ୍ନ ଏକ ମୋଡ… କର୍ତ୍ତବ୍ୟ ଆଉ ଜୀବନ ଜଞ୍ଜାଳ ମଧ୍ୟରେ ଛନ୍ଦି ହୋଇଯାଏ ମଣିଷର ଜୀବନ ଡୋରୀ । ଏମିତି ଅନେକ କଥା… ! ସବୁ କିଛି ଇତିହାସର ପେଡି ଭିତରେ ସ୍ମୃତି ପାଲଟିଯାଏ । ପଛକୁ ଆଉ ଯେତେ ଚେଷ୍ଟା କଲେବି ଫେରି ହୁଏନା । ଯନ୍ତ୍ରଣା ଜର୍ଜରିତ ହୋଇ ଉଠେ ଅବୁଝା ମନଟା । କାରଣ ସେତେବେଳକୁ ବାର୍ଦ୍ଧକ୍ୟର କରାଳ ରୂପ ଗ୍ରାସ କରିଯାଇଥାଏ ଜୀବନକୁ । ସମସ୍ତଙ୍କ ପାଇଁ ଅଲୋଡା ପାଲଟିଯାଇଥାଏ ମଣିଷଟି । ନିଭୃତ ତନ୍ତ୍ରୀର ଅକୁହା କଥାକୁ ଚାପି ରଖିବାକୁ ଚେଷ୍ଟାକରେ ମନର ଆଦେଖା କୋଠରୀରେ । ବେଳେ ବେଳେ ଆଖିର ଉଜାଣିରେ ସୃଷ୍ଟି ହୁଏ ଶ୍ରାବଣର ବର୍ଷା ଆଉ ଲୁହର ଢେଉରେ ପ୍ଳାବିତ ହୋଇଯାଏ ଜୀବନର ଉପତ୍ୟକା ! ଖୁବ ନିକଟରୁ ଶୁଭୁଥାଏ ଅବଶ୍ୟମ୍ଭାବୀ ମୃତ୍ୟୁର ବିଗୁଲ ।

କିଛି ଆଜ୍ଞା ଭୁଲ କହିଲିକି ? ଏହା କିନ୍ତୁ ଜୀବନର ନିଚ୍ଛକ ସତ୍ୟ । ଯାହାର ହାତଧରି ଆମେ ଚାଲି ଶିଖିଥିଲେ, ଯିଏ ଆମକୁ କଥା କହିବା ଶିଖେଇଥିଲା, ଆମକୁ ଦଣ୍ଡେ ନଦେଖିଲେ ପାଗଳ ହୋଇଯାଉଥିଲା, ଦେହ ଖରାପ ହେଲେ ଦିନ ରାତି ଆଖିଆ ଅପିଆ ଜଗି ବସୁଥିଲା, ଆମ ଭବିଷ୍ୟତକୁ ସଜାଡିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ସକାଳୁ ସଞ୍ଜ ଯାଏଁ ପରିଶ୍ରମ କରୁଥିଲା ଆଉ ନିଜ ପେଟରେ ଓଦାକନା ଦେଇ ଆମ ପେଟରେ ଦାନା ଦେଉଥିଲା… ଆଜି ସେ ଆମ ପାଇଁ କେତେ ଅଲୋଡା ! କେତେ ଅଦରକାରୀ !! ସେମାନଙ୍କ ପାଇଁ ଆମର ଆମର, ଆମ ସମାଜର ଆଉ ପ୍ରତିଟି ମଣିଷର କଣ କିଛି କର୍ତ୍ତବ୍ୟ ନାହିଁ ? କେତେ ସ୍ଵାର୍ଥପର ଏଇ ମଣିଷ ଗୁଡାକ ।

ସେଦିନର ଏକ ଦୁଃଖଦ ଘଟଣା ମନେ ପଡିଯାଏ… । ୨୦୧୬ ମସିହାର ନଭେମ୍ବର ୧୧ ତାରିଖ, ମୋ ଅଞ୍ଚଳର ଏକ ବ୍ୟାଙ୍କ ଶାଖାରେ ଆଠଗୋଟି ଅଚଳ ୫୦୦ ଟଙ୍କିଆ ନୋଟ ବଦଳ କରିବା ପାଇଁ ଲମ୍ବା ଧାଡିରେ ଚାତକ ପରି ଠିଆ ହୋଇଥାଏ । କେତେବେଳେ ମୋର ପାଳି ପଡିବ ! କଷ୍ଟ ଅର୍ଜିତ କିଛି ସଞ୍ଚିତ ସମ୍ବଳ ମୋର ଯେମିତି ହେଲେ ବଦଳେଇ ନୂଆ ଚଳନ୍ତି ନୋଟ ଆଣିବାକୁ ପଡିବ । ସମୁଦ୍ର ଲହଡି ଭଳି ଗର୍ଜନ ଶୁଭୁଥାଏ । କାରଣ ବୁଝିବାରୁ ଜଣା ପଡିଲା ବିଶୃଙ୍ଖଳିତ ଲୋକମାନେ ନିୟମିତ ଧାଡି ଭାଙ୍ଗି ମଝିରେ ଜବରଦସ୍ତି ପଶି ଯାଉଛନ୍ତି ଆଉ ସେଥିପାଇଁ ଅନ୍ୟମାନେ ପାଟିତୁଣ୍ଡ କରୁଛନ୍ତି । ଆଉ ପରସ୍ପର ଭିତରେ ଆଲୋଚନାବି ଅନେକ ଯେମିତି କିଏ ସରକାରଙ୍କ ସପକ୍ଷରେ କହୁଥିଲାତ ପୁଣି କିଏ ବିପକ୍ଷରେ । ତା’ଭିତରେ ପୁଣି ନିଜ ନିଜ କଥା… କିଏ ପୁଅ କଥା କହୁଥିଲାତ, କିଏ ଶାଶୁ କଥା ଆଉ ପୁଣି କିଏ ଦେଶ ବିଦେଶର ସାଂପ୍ରତିକ ପରିସ୍ଥିତି ବିଷୟରେ ବି ଚର୍ଚ୍ଚା କରୁଥିଲା । ଏସବୁ ଭିଡ ଭିତରେ ହଠାତ ମୋର ନଜର ପଡିଲା ଜଣେ ଜରାଜୀର୍ଣ୍ଣ ବୃଦ୍ଧଙ୍କ ଉପରେ । ଆଖିରେ ଆଖିଏ ଲେଞ୍ଜରା, ଦେହରେ ମଇଳା ଚିରା ପୋଷାକ, ମୁଖମଣ୍ଡଳରେ ହତାଶାର ଚିତ୍ର, ହାତ ଗୋଡ ଥରୁଚି ଅହରହ, ସତେ ଯେମିତି କାହା ଭୟରେ !! ଫର୍ମ ଖଣ୍ଡେ ଧରି ମୁଣ୍ଡରେ କୋତରା ଗାମୁଛାଟିଏ ପକାଇ ତଳେ ବସିଥାନ୍ତି । କାରଣ ତାଙ୍କ ପାଖରେ କ୍ଷଣେ ଠିଆ ହେବାର ଶକ୍ତି ନଥାଏ କେମିତି ବା ସେ ଏତେ ବଡ ଜନସମୁଦ୍ର ଭିତରେ ଏଇ ଲମ୍ବା ଧାଡିରେ ସାମିଲ ହେବେ !! ଧାଡି ଟିକେ ଆଗକୁ ବଢିବା ପରେ ବାଧ୍ୟ ହୋଇ ବୃଦ୍ଧ ଜଣକ ତାଙ୍କ ବଙ୍କୁଲି ବାଡି ସାହାଯ୍ୟରେ ତଳୁ ଉଠି ଆଗକୁ ବଢିବାକୁ ଚେଷ୍ଟା କରୁଥିଲେ । ତଳୁ ଉଠିବାରେ ଟିକେ ବିଳମ୍ବ ହେବାରୁ ତାଙ୍କ ପଛରେ ଥିବା ଯୁବକଟିଏ ଧକାଏ ଦେଲା । ଲଥ କରି ତଳେ ପଡିଗଲେ ବୃଦ୍ଧ ଜଣକ । ବାର୍ଦ୍ଧକ୍ୟର ଅସହାୟତାକୁ ଆପଣେଇ ନେଇଥିବା ବୃଦ୍ଧ ଜଣକ କିଛି ପ୍ରତିବାଦ ନକରି ପୁଣି ତଳୁ ଉଠିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ କେହିବି ହେଲେ ସାହାଯ୍ୟ କରିବାକୁ ଆଗେଇ ଆସୁନଥିଲେ । ମନଟା ମୋର ବୁଝିଲାନି, ମୋ ପଛରେ ଥିବା ପିଲାଟିକୁ ମୋ ଫର୍ମଟି ଧରେଇ ଦେଇ ଅଗ୍ରସର ହେଲି ବୃଦ୍ଧ ଜଣଙ୍କ ନିକଟକୁ । ଭଲ ଅଛନ୍ତିତ ମଉଷା ? ମୋ ପ୍ରଶ୍ନର ଉତ୍ତର ଆସିଲା, “-ଏ ବୟସରେ ଆଉ ଭଲ କଣ ବାବୁ !” ବୃଦ୍ଧ ଜଣକ ଆଉ ଯାହା ସବୁ କହିଗଲେ ସେସବୁ ଲେଖିବାକୁ ଭାଷା ନାହିଁ ମୋ ପାଖରେ । ମୁଁ କେବଳ କିଂ କର୍ତ୍ତବ୍ୟ ବିମୁଢ ଚାହାଣୀରେ ଅବଲୋକନ କରୁଥିଲି ବାର୍ଦ୍ଧକ୍ୟର ଚରମ ଅସହାୟତାକୁ… ଯାହାକି ପ୍ରତିଟି ମଣିଷର ଜୀବନରେ ଦିନେ ନା ଦିନେ ନିଶ୍ଚୟ ଆସିବ । ଧାଡିର ପ୍ରଥମରେ ଠିଆ ହୋଇଥିବା ଲୋକଟିକୁ ଅନୁରୋଧ କଲି ବୃଦ୍ଧ ଜଣଙ୍କୁ ଟିକେ ଆଗକୁ ଛାଡିବାକୁ… କିନ୍ତୁ ଲୋକଟି ଉତ୍ତର ଦେଲା ମୁଁ ଚାରିଘଣ୍ଟା ଆଗରୁ ଠିଆ ହୋଇଛି, ଛାଡି ପାରିବିନି । ଏଭଳି ପରିସ୍ଥିତିରେ ମୋ ପାଖରେ ଆଉ କିଛି ସାହାଯ୍ୟ କରିବାର ଚାରା ନଥିଲା ବୃଦ୍ଧ ଜଣଙ୍କୁ । ଏଇ ସ୍ଵାର୍ଥପର ସମାଜ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିଉଠୁଥିଲା ମୋର ଅଶାନ୍ତ ମନଟା । ଧାଡିଟିର ମୋ ସ୍ଥାନରେ ବୃଦ୍ଧ ଜଣଙ୍କୁ ଠିଆ କରାଇ ମୁଁ ଫେରି ଆସିଲି ସେଦିନ ସେଠାରୁ । ସେଇ କରୁଣ ଦୃଶ୍ୟ ଦେଖିବାର ସାହାସ ଆଉ ମୋ ପାଖରେ ନଥିଲା । କାରଣ ସେତେବେଳକୁ ମୋ ମନଟା ଘୃଣାରେ ଭରି ଯାଇଥିଲା ବାର୍ଦ୍ଧକ୍ୟର ଅସହାୟତାକୁ ଉପହାସ କରୁଥିବା ସ୍ଵାର୍ଥପର ସମାଜ ବିରୁଦ୍ଧରେ… ॥

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
Subscribe
Notify of
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ