ଅପଥକୁ ତେଜ – ରମେଶ ଚନ୍ଦ୍ର ମିଶ୍ର
କରୋନାର ଆତଙ୍କରେ
ଶିହରିତ ଏ ସାରା ପୃଥିବୀ
ଅଦୃଶ୍ୟରେ ମୃତ୍ଯୁଦୂତ ଘୂରେ
ସନ୍ଦେହର ବଳୟରେ
ବିପର୍ଯ୍ଯସ୍ତ ଜୀବନର ଆସ୍ଥା
ବିଶ୍ବାସ ହିଁ ମନୁ ଅପସରେ ।
ପ୍ରତି କ୍ଷଣେ ପ୍ରତି ମୁହୂର୍ତ୍ତରେ
କରୋନା ଭୂତାଣୁ କାହା-
ଶରୀରରେ ଥାଉ କି ନଥାଉ
ସୂକ୍ଷ୍ମରୂପେ ଲୁଚିଥାଏ ନିଜ ମନତଳେ ।
ପରସ୍ପର ବିଶ୍ବାସରେ
ଏବେ ସତେ ଘୂଣ ଲାଗିଅଛି
ସ୍ନେହ ପ୍ରେମ ପ୍ରତ୍ଯୟ ସପନ
ଅବିଶ୍ବାସ-ଅଜଗର
ଗୋଟାପଣେ ଗିଳିଦେଲା ପରି
ଦୁର୍ବିସହ ଲାଗଇ ଜୀବନ
ମହା ପ୍ରଳୟର ଆଗମନୀ
କରୋନା ରୂପରେ ତୀବ୍ରେ
ଦେଶେ ଦେଶେ ଆସୁଅଛି ମାଡି
ଶୁଭୁଅଛି ତେଣୁ ତାର ରୁଦ୍ର ପଦଧ୍ବନି ।
ଦ୍ବାରକାର ସିନ୍ଧୁତୀରେ
ଏଇମିତି ଅଦୃଶ୍ୟ କୋକୁଆ
ଦିନେ କଲା ଭୀଷଣ ଆତଙ୍କ
ବ୍ଯାପିଲା ବନାଗ୍ନି ପରି
ହିଂସା, ଦ୍ବେଷ, ଅବିଶ୍ବାସ
ଘେନିଲେ ସଭିଏଁ ରକ୍ତର ତିଳକ
ସେ କୋକୁଆ କରୋନା ରୂପରେ
ତାଣ୍ଡବ ରଚୁଛି ଆଜି
ମହାମାରୀ ମାନବ ସମାଜେ
ଅବିଶ୍ବାସ ବିଷ ବୁଣେ ଜନ ଜୀବନରେ ।
ପୁତ୍ର ତ କୁଣ୍ଠିତ ହୁଏ
ଛୁଇଁବାକୁ ଜନନୀର ଶବ
ପୁତ୍ରସେବା ନକରେ ଜନନୀ
ସର୍ବେ ଥାଇ ଅରକ୍ଷିତ
ଅସହାୟ ହେଉଛି ମଣିଷ
ଏ କେଉଁ ଅବିମୃଷ୍ଯତାର ପଦଧ୍ବନି
ଏ କଣ ସଭ୍ଯତାର ଅନ୍ତିମ ସମୟ
କରୋନା-କୋକୁଆ ଦ୍ବାରା
ସାରା ବିଶ୍ବ ମାନବ ସଭ୍ଯତା
ସତେ କଣ ହୋଇଯିବ କ୍ଷୟ !

ମୁନି ଋଷି କହିଛନ୍ତି
ଆଦିଯୁଗୁ ପୁରାଣଶାସ୍ତ୍ରରେ
ସତ୍ଯ ତ୍ରେତା ଦ୍ବାପର ଓ କଳି
ଆନୁପାତିକ ବିଲୀନ
ହୁଏ ସତ୍ଯ କଳିଯୁଗେ
ଧର୍ମ ଖୋଜେ ଅନ୍ଧକାର ଗଳି
ଆସୁରିକ ଗୁଣର ବିକାଶ
ପ୍ରକୃତି କାନ୍ଦଇ ହୋଇ
ଶିରୀହୀନ ନିୟନ୍ତ୍ରଣହରା
ମାଡିଆସେ ସମୂହ ବିନାଶ ।
ପ୍ରତୀକାତ୍ମକ ଭାବରେ
ମୁନି ଋଷି ସାଧକ ସମାଜ
ଯାହା ଯାହା ଲେଖିଯାଇଛନ୍ତି
ଅଧର୍ମର ପ୍ରାବଲ୍ୟରେ
ସତ୍ଯ ଧର୍ମ ସଂସ୍ଥାପନ ପାଇଁ
ପ୍ରଭୁ ଅବତାରୀ ହୋଇଥାନ୍ତି
ଜଳ ଜଳ ଦିଶେ ସତକଥା
ପ୍ରକୃତି ହିଁ ରୁଦ୍ରରୂପେ
ସଂହାରିଣୀ ମୂର୍ତ୍ତି ଧରି
ଇତିହାସ କରିଦିଏ ବର୍ତ୍ତମାନ ଗାଥା ।
ରେ ମଣିଷ, ମନୁସୁତ !
ଧରଣୀର ଅମୃତ ସନ୍ତାନ
ତନ୍ଦ୍ରା ତେଜି ହୁଅ ସଚେତନ
ପ୍ରକୃତି ତ ମାଆ ତୋର,
କୋଳ ତାର ସୁରକ୍ଷିତ ରଖ
ଅନ୍ତଃ ପ୍ରକୃତି
