ପ୍ରବନ୍ଧ – ମାୟା ବନ୍ଧନେ ଏ ଜଗତ – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ମହାନଦୀବିହାର, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସୃଷ୍ଟି ବଡ ବିଚିତ୍ର । ସୃଷ୍ଟିର ଆରମ୍ଭରୁ ଏ ସୁନ୍ଦରତର ଜୀବ ଜଗତରେ ମାନବ ଶ୍ରେଷ୍ଠ ଜୀବ ଭାବେ ପରିଗଣିତ । ମାନବ ଜୀବନର ସୁଖ , ଶାନ୍ତି ନିମନ୍ତେ ସାଧୁ , ସନ୍ଥ ଓ ଋଷିଗଣ ନାନା ପ୍ରକାର ନୀତି ନିୟମ ଶାସ୍ତ୍ରାନୁସାରେ ଅନୁମୋଦନ କରିଥିଲେ । ବେଦ , ବେଦାନ୍ତ , ଉପନିଷଦ , ପୁରାଣରେ ମାନବର କର୍ମ ପଦ୍ଧତି ଉପରେ କୁହାଯାଇଛି । ମାନବ ନିଜର ଉତ୍ତମ କର୍ମ ଆଚରଣ କଲେ ଭଗବାନ ସନ୍ତୁଷ୍ଟ ହେବେ । ଫଳସ୍ୱରୂପ ମାନବ ଏ ସଚରାଚର ପୃଥିବୀରେ ସ୍ୱର୍ଗ-ସୁଖ ଲଭିପାରିବ । କିନ୍ତୁ ବିଶୃଙ୍ଖଳିତ ମଣିଷ ଋଷିମାନଙ୍କ ଦିଗ୍ ଦର୍ଶନକୁ ନମାନି ଯେଭଳି ଅମାନୁଷିକ କର୍ମରେ ଲିପ୍ତ ରହୁଛି ପରିଣାମ ସ୍ୱରୂପ ଅଶାନ୍ତ ଲାଗିରହିଛି , ଏହାକୁ ଅସ୍ୱୀକାର କରି ହୁଏ ନାହିଁ । ଶ୍ରୀମଦ୍ଭଗବଦ୍ ଗୀତାରେ (୪|୪/୫)ରେ ସୂଚିତ ଅଛି ସୃଷ୍ଟି ଆରମ୍ଭରୁ ସୂର୍ଯ୍ୟଙ୍କ ଉତ୍ପତ୍ତି ଓ ତାଙ୍କର ଉତ୍ପତ୍ତି କର୍ତ୍ତା ସ୍ୱୟଂ ଭଗବାନ । ଭଗବାନ ଅଜନ୍ମ , ତାଙ୍କର କେବେ ଜନ୍ମ-ମୃତ୍ୟୁ ନାହିଁ । ଜୀବର ଜନ୍ମ-ମୃତ୍ୟୁ ଅଛି । ଭଗବାନଙ୍କ ଜନ୍ମ ଲୀଳା କେବଳ ଭକ୍ତମାନଙ୍କ ମୁକ୍ତି ନିମନ୍ତେ ଘଟିଥାଏ । ଦୁଷ୍ଟମାନଙ୍କୁ ନାଶ କରି ଧର୍ମ ପ୍ରତିଷ୍ଠା ନିମନ୍ତେ ଭଗବାନଙ୍କ ଆବିର୍ଭାବ ଘଟେ (୪|୭/୮) । ମାୟା ବନ୍ଧନ ଯୁକ୍ତ ଜଗତରେ ମାୟା ଦୁଇଟି ପ୍ରକାରର , ଯାହା ଯୋଗମାୟା ଓ ମହାମାୟା । ଯୋଗମାୟା ଶକ୍ତି ଦ୍ବାରା ଈଶ୍ୱର ରୂପୀ ଭଗବାନ ପ୍ରକୃତିକୁ ନିୟନ୍ତ୍ରଣ କରୁଥିବା ବେଳେ ମାୟା ଶକ୍ତି ଦ୍ବାରା ଜୀବ ଜନ୍ମ ଗ୍ରହଣ କରେ । ତାଙ୍କୁ କୌଣସି ପ୍ରକାରରେ ମାୟା ସ୍ପର୍ଶ କରିପାରେ ନାହିଁ ।

କିନ୍ତୁ ଯେତେବେଳେ ବିଶେଷକାର୍ଯ୍ୟ ସଂପାଦନ କରିବା ନିମନ୍ତେ ଭଗବାନ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ସେତେବେଳେ ସେ ଯୋଗମାୟାଙ୍କ ସାହାଯ୍ୟ ନିଅନ୍ତି ଓ ମହାମାୟାଙ୍କୁ ନିଜ ପଛ ପାଶ୍ୱର୍ରେ ରଖି ମାୟା ମୋହିତ ଜୀବ ସହିତ ନାନା ଲୀଳା ଖେଳରେ ଲିପ୍ତ ରହନ୍ତି । କାରଣ ପ୍ରତ୍ୟେକଟି ଜୀବ ତାଙ୍କ ଅଂଶରୁ ଜାତ ହୋଇଥିବାରୁ ଜୀବମାନଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ନିହିତ ଥାଏ । ଗୀତାରେ ଦର୍ଶାଯାଇଛି ଜୀବ ତାର କର୍ମ ଫଳ ଭୋଗ କରିବା ପାଇଁ ବାରମ୍ବାର ଜନ୍ମ ଗ୍ରହଣ କରେ । ଯେତେବେଳେ ଧରାପୃଷ୍ଠରେ ଅଧର୍ମର ପ୍ରଭାବ ବିସ୍ତାର ଘଟେ, ସେତେବେଳେ ଭଗବାନ ଧରାଧାମରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ସଂହାରି ସାଧୁମାନଙ୍କୁ ରକ୍ଷା କରି ଧର୍ମକୁ ପୁନଃ ପ୍ରତିଷ୍ଠା କରନ୍ତି । ମଣିଷ କେଉଁ କାରଣରୁ ଧରାପୃଷ୍ଠକୁ ଆସେ , ନିଜର କର୍ମଫଳ ଭୋଗ କରି ଯେଉଁମାନେ , ଭଗବାନଙ୍କ ତତ୍ତ୍ୱକୁ ବୁଝନ୍ତି , ଜାଣନ୍ତି ଓ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରନ୍ତି , ସେମାନଙ୍କ ପୂର୍ବ ଜନ୍ମର ପାପର କ୍ଷୟ ଘଟେ । ସେମାନେ ଭଗବାନଙ୍କ ଦ୍ବାରା ଏ ମାୟା ମୋହ ଜଡିତ ସଂସାରୁ ପରିତ୍ରାଣ ଲଭନ୍ତି । ସେମାନଙ୍କର ଆଉ ଧରାଧାମରେ ପୁନଃ ଜନ୍ମ ଘଟି ନଥାଏ । ଯେଉଁମାନେ ଶାସ୍ତ୍ର , ବେଦ , ପୁରାଣ ଅଧ୍ୟୟନ କରନ୍ତି , ତପସ୍ୟା ସାଧନା କରନ୍ତି ଭଗବାନ ସେମାନଙ୍କୁ ମୁକ୍ତି ଦିଅନ୍ତି । ଅନେକ ତପସ୍ୱୀ ନିଜର ସାଧନା ବଳରେ ଭଗବାନଙ୍କୁ ଦର୍ଶନ କରିବାର ଓ ଭଗବାନ ସ୍ୱୟଂ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ପ୍ରକାଶ କରି ଭକ୍ତକୁ ଦର୍ଶନ ଦେଇଥିବା ପୁରାଣରୁ ଜଣାପଡିଛି । ଭଗବାନଙ୍କ ବିଭିନ୍ନ ନାମ ଭିତରେ ଭାବଗ୍ରାହୀ ନାମଟିର ତାତ୍ପର୍ଯ୍ୟ ସେ ଅଭାବକୁ ଦୂର ଭାବକୁ ନିକଟ , ସମସ୍ତଙ୍କ ଭାବକୁ ବୁଝି ବିଚାରି ଫଳ ଦିଅନ୍ତି । ଭକ୍ତର ମନ ଭାବନା ବୁଝି ପାରୁ ଥିବାରୁ ସେ କେବଳ ଭାବଗ୍ରାହୀ ନୁହନ୍ତି , ଅନ୍ତର୍ଯ୍ୟାମୀ ଅଟନ୍ତି ।

ଏହି ମାୟା ଜଞ୍ଜାଳଗ୍ରସ୍ତ ସଂସାର ଭିତରେ ବନ୍ଧା ପଡିଯାଇଥିବା ମଣିଷ କିଛି ନା କିଛି କର୍ମ କରେ । କର୍ମର ସୁଫଳ ପାଇଁ ଭଗବାନଙ୍କୁ ପୂଜା କରେ । ଯଦି ଫଳ ପାଏ ଭଗବାନଙ୍କ ଶରଣାପନ୍ନର ପ୍ରାପ୍ତି ଫଳ ବୋଲି ବିଶ୍ୱାସ ରଖେ । ନିରାଶ ବ୍ୟକ୍ତି ଭାଗ୍ୟ ଉପରେ ଦୋଷ ଦିଏ । କିନ୍ତୁ ସେ ବୁଝି ନାହିଁ କର୍ତ୍ତବ୍ୟ ଅବହେଳା ଜନିତ ଫଳ ପାଇଛି ବୋଲି । ସମାଜର ଶୃଙ୍ଖଳିତ ନିମନ୍ତେ ସ୍ରଷ୍ଟା ଚାରିବର୍ଣ୍ଣ ବ୍ରାହ୍ମଣ , କ୍ଷତ୍ରିୟ , ବୈଶ୍ୟ ଓ ଶୁଦ୍ରକୁ ସୃଷ୍ଟି କରିଛନ୍ତି । ପ୍ରକୃତ ପକ୍ଷେ ଭଗବାନ ମଣିଷର ସ୍ୱଭାବଗତ ଚରିତ୍ରକୁ ବିଚାର ଧାରାରେ ନିର୍ଣ୍ଣୟ କରିଛନ୍ତି (୪/୧୩) । ମାନବ ସମାଜ ପାଇଁ ଗୀତାରେ ସୁନ୍ଦର କଥା ଉଲ୍ଲେଖ ଅଛି – ” ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମ ଫଳେ ସ୍ପୃହା / ଇତି ମାଂ ଯୋ£ଭିଜାନାତି କର୍ମଭିର୍ନସ ବଧ୍ୟତେ (୪/୧୪) । କର୍ମଫଳ ପ୍ରତି ଯେଉଁମାନେ ଆସକ୍ତ କର୍ମ ତାକୁ ବାନ୍ଧି ରଖେ । ଏହି ଦୃଷ୍ଟିରୁ ମଣିଷକୁ ବଦ୍ଧଜୀବ କୁହାଯାଏ । କିନ୍ତୁ ଭଗବାନ ସକଳ କର୍ମ କରନ୍ତି , ଅଥଚ କର୍ମ ତାଙ୍କୁ ବାନ୍ଧିପାରେ ନାହିଁ । କାରଣ ମଣିଷ ନିଜ କର୍ମ ନିମନ୍ତେ ଆଶାବାଦୀ ଥିବା ବେଳେ ଭଗବାନଙ୍କ ଫଳରେ ଆଶା ନଥାଏ । ମଣିଷ ପରି ତାଙ୍କର ପ୍ରାପ୍ୟ , ଅପ୍ରାପ୍ୟ , ଲାଭ , କ୍ଷତି , ଅଭାବ , ଅସୁବିଧାର କୌଣସି ହିସାବ ନିକାଶ ନାହିଁ । ଏହି ଗୋପନ ରହସ୍ୟକୁ ଯେଉଁ ମଣିଷ ବୁଝି କର୍ମ କରେ ସେ ଏ ମାୟା ଜଡିତ ସଂସାରର କର୍ମ ବନ୍ଧନରେ ପଡିପାରେ ନାହିଁ । ଶାସ୍ତ୍ର , ପୁରାଣରେ ଉଲ୍ଲେଖ ରହିଛି , କିଭଳି କର୍ମ କଲେ ସ୍ୱର୍ଗ ପ୍ରାପ୍ତି ମିଳେ ଓ କେଉଁ କର୍ମକଲେ ମଣିଷ ନର୍କଗାମୀ ହୁଏ । ଜ୍ଞାନୀ , ବିଦ୍ୱାନ ପୁରୁଷ ଉତ୍ତମ କର୍ମ ଦ୍ୱାରା ସ୍ୱର୍ଗ ଲାଭ କରିଛନ୍ତି ।

ଏଜଗତରେ ନାନା ସ୍ୱଭାବ ଚରିତ୍ରର ବ୍ୟକ୍ତି ଅଛନ୍ତି । ସେମାନଙ୍କ ଭିତରେ ଅନେକ ନିଜର ଭୁଲ ଠିକ , ନିଜର ଦୋଷ ଦୁର୍ବଳତା ନଦେଖି ଅନ୍ୟର ବାଛନ୍ତି । ସେମାନେ ବୁଝନ୍ତି ନାହିଁ ଯେ, କର୍ମାନୁସାରେ ପାପରୁ ମୁକ୍ତି ଓ ମୋକ୍ଷ ପ୍ରାପ୍ତ ମିଳେ । ଜୀବନର ମାନଦଣ୍ଡ ଯେଉଁଠି କର୍ମ , ସେଠି ସତ୍ୟକୁ ଅନୁଭବ କରି କର୍ମପଥ ନିର୍ଦ୍ଧାରଣ କରିବା ସହଜ ସାପେକ୍ଷ ନୁହେଁ । କର୍ମ ପଥ ବଡ ଜଟିଳ । ତାକୁ ବୁଝିବା କଷ୍ଟ । କେଉଁ କର୍ମ ମଣିଷ ପାଇଁ ସୁଖ ଆଣି ଦିଏ ଓ କେଉଁ କର୍ମ ଦ୍ବାରା ମଣିଷ ଦୁଃଖ ପାଏ , ତାହା ବୁଝି ବିଚାରି କଲେ ପ୍ରମାଦ ପଡେ ନାହିଁ । କର୍ମକ୍ଷେତ୍ରରେ ମଣିଷ ତିନୋଟି କର୍ମର ବଶବର୍ତ୍ତୀ ହୁଏ ଯଥା – ଶାରୀରିକ କର୍ମ , ମାନସିକ କର୍ମ ଓ ଅନ୍ତର୍ନିହିତ କର୍ମ । ନିଜପାଇଁ କର୍ମ , ସମାଜ ପାଇଁ କର୍ମ ଓ ଈଶ୍ବରଙ୍କ ପ୍ରୀତି ପାଇଁ କର୍ମ । ଏସବୁରେ ଭିନ୍ନତା ରହିଛି । ଯେଉଁମାନେ ସମାଜ ଓ ଈଶ୍ବରଙ୍କ ପାଇଁ କର୍ମ କରନ୍ତି ସେମାନେ ପ୍ରଶଂସିତ ହୋଇଥାନ୍ତି , ତଦାନୁସାରେ ଫଳ ପ୍ରାପ୍ତି ଭଗବାନଙ୍କୁ ପାଇଥାନ୍ତି । କିନ୍ତୁ ଆଜିର ମଣିଷ ସାଂସାରିକ ମୋହ ଓ ଇନ୍ଦ୍ରିୟ ତୃପ୍ତିରେ ପଡି ନିଜପାଇଁ କର୍ମକରେ । ଆଉ ଯେଉଁମାନଙ୍କର କର୍ତ୍ତୃତ୍ୱ ଅଭିମାନ ନାହିଁ , ଇନ୍ଦ୍ରିୟ ତୃପ୍ତିରୁ ବାହାରି , ଭଗବାନଙ୍କ ପାଇଁ କର୍ମ କରନ୍ତି , ସେମାନେ ଜ୍ଞାନୀ ଓ ବିଦ୍ୱାନ ପାଲଟନ୍ତି । ଅନ୍ୟମାନଙ୍କ ପରି ଗର୍ବ ଅହଂକାର ନଥାଏ । ” ତ୍ୟକ୍ତ୍ୱ। କର୍ମଫଳାସଙ୍ଗମ୍ ନିତ୍ୟ ତୃପ୍ତୋ ନିରାଶ୍ରୟଃ / କର୍ମଣି ଅଭିପ୍ରବୃତ୍ତୋ£ପି ନୈବ କିଞ୍ଚିତ୍ କରୋତି ସଃ (୪/୨୦)।” ଅର୍ଥାତ ଯେଉଁ ବ୍ୟକ୍ତି କର୍ମରେ ଆସକ୍ତି ନରଖି ସର୍ବଦା ସନ୍ତୁଷ୍ଟ ରଖି ନିଜର ଓ ସମାଜର ମଙ୍ଗଳ ନିମନ୍ତେ କର୍ମ କରେ , କର୍ମ ଜଡିତ ହୋଇ ମଧ୍ୟ , କର୍ମ ତାକୁ ବାନ୍ଧି ପାରେ ନାହିଁ । ଅଳ୍ପରେ ଜୀବନ ବିତାଇ ପାପଠାରୁ ଦୂରରେ ରହନ୍ତି ସେମାନେ ଭଗବାନଙ୍କ ସନ୍ଧାନ ଲଭନ୍ତି ।

ମଣିଷ ତିନୋଟି ଗୁଣ ସତ୍ତ୍ଵ , ରଜ ଓ ତମ ଦ୍ବାରା ପ୍ରଭାବିତ ହୋଇଥାନ୍ତି । ଯେଉଁମାନେ ସତ୍ତ୍ୱ ଗୁଣ ସଂପନ୍ନ ସେମାନେ ଭଗବାନଙ୍କ ଉପରେ ଦୃଢ ବିଶ୍ବାସ ରଖି ଜନହିତକର କର୍ମ କରିଥାନ୍ତି । ସେମାନଙ୍କ ଜୀବନ ପବିତ୍ର ପାଲଟେ ଓ ଭଗବାନଙ୍କ ଆଶୀର୍ବାଦ ସେମାନେ ଲାଭ କରନ୍ତି । ରଜଗୁଣ ସଂପନ୍ନ ବ୍ୟକ୍ତି ନିଜର ଗର୍ବ ଅହଂକାର ଯୋଗୁଁ ଭଗବାନଙ୍କ ପ୍ରତି ସମର୍ପଣ ଭାବ ରଖି ପାରେ ନାହିଁ । ସେଭଳି ତମଗୁଣ ବ୍ୟକ୍ତି ସ୍ୱକୀୟ କର୍ମ ଗର୍ବ , ଅହଂକାରରେ ଧରାକୁ ସରା ମନେକରି ଜୀବନକୁ ଅଧୋପତନ ଆଡକୁ ଟାଣି ନିଏ । “ବ୍ରହ୍ମାର୍ପଣଂ ବ୍ରହ୍ମ ହବିର ବ୍ରହ୍ମଗ୍ନୌ ବ୍ରହ୍ମଣା ହୁତମ୍ / ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମ ସମାଧିନା (୪/୨୪) । ଗୀତାରେ ଏହା ସ୍ପଷ୍ଟ ଯେ ପ୍ରଭୁଙ୍କ କାର୍ଯ୍ୟରେ ସମର୍ପିତ, ସେ ନିଶ୍ଚିତ ପ୍ରଭୁଙ୍କ ଧାମକୁ ପ୍ରାପ୍ତ ହେବ । ଯଜ୍ଞ ଦ୍ବାରା ହେଉଥିବା ସକଳ ପଦାର୍ଥ ହେଉଛି ବ୍ରହ୍ମ ଓ ଯଜ୍ଞ କର୍ମରେ ନିୟୋଜିତ ବ୍ୟକ୍ତି ମଧ୍ୟ ପବିତ୍ର ବ୍ରହ୍ମ ସ୍ୱରୂପ । ଏହି ଦୃଷ୍ଟିରୁ ଯଜ୍ଞ ଦ୍ବାରା ଜୀବନ ବ୍ରହ୍ମଲୋକ ଲାଭ କରେ । ସାଧୁ , ତପସ୍ୱୀ , ଯୋଗୀ ବିଭିନ୍ନ ପ୍ରକାର ଯଜ୍ଞ କରି ଦେବଗଣଙ୍କୁ ସନ୍ତୁଷ୍ଟ କରନ୍ତି । ଯଜ୍ଞ ବହୁ ପ୍ରକାରର । ଯଜ୍ଞ କହିଲେ ଘୃତ ଯଜ୍ଞ ଓ ନାମ ଯଜ୍ଞକୁ ବୁଝାଏ । ସତ୍ କର୍ମ , ସତ୍ ଅନୁଷ୍ଠାନ , ସଦ୍ ଗ୍ରନ୍ଥପାଠ ଓ ସତ୍ ତ୍ୟାଗକୁ ମଧ୍ୟ ଯଜ୍ଞ କୁହାଯାଏ । ପୂଜା , ଉପାସନାକୁ ମଧ୍ୟ ଯଜ୍ଞ କୁହାଯାଏ । ପ୍ରତ୍ୟେକ ଯଜ୍ଞର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଏକ, ଯାହା କେବଳ ଭଗବାନଙ୍କୁ ସନ୍ତୁଷ୍ଟ କରି କରୁଣା ଲଭିବା । ତେଣୁ ଏହି କର୍ମ ପବିତ୍ର ସାତ୍ତ୍ଵିକ ରୂପେ ସଂପାଦନା କଲେ ସୁଫଳ ମିଳେ । ସଂପ୍ରତି ସମାଜରେ ଲୋକ ଦେଖାଣିଆ ଅହଂକାର ଯୁକ୍ତ ସ୍ୱାର୍ଥ ରହିତ ଚାଲିଥିବା ଯଜ୍ଞ , ସମସ୍ତ କର୍ମକୁ ବୃଥା କରେ ।

ଭଗବାନଙ୍କ କଥାମୃତ ଶ୍ରବଣ ବା କଥନ ରୂପକ ଯଜ୍ଞରେ ଯେ ସଂଯତ ସହିତ ନିଷ୍ଠାବାନ ରହିଲେ ସୁଫଳ ମିଳେ । ଏହି ମାୟା ମୋହିତ ସାଂସାରିକ ବିଷୟକୁ ସଂଯମ ରୂପକ ଅଗ୍ନିରେ ଆହୂତି ଦେଇ ଭଗବାନାଭିମୁଖୀ ହେବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ । ଯେଉଁମାନେ ମନ ଓ ଇନ୍ଦ୍ରିୟ ସଂଯମ କରି ଆତ୍ମାନୁଭୂତି ଲାଭ ଦିଗରେ ଆଗ୍ରହୀ ସେମାନେ ଇନ୍ଦ୍ରିୟକର୍ମ ତଥା ପ୍ରାଣବାୟୁ କର୍ମ-ମନ-ସଂଯମ ରୂପକ ଅଗ୍ନିରେ ଆହୂତି ଦେବାକୁ ପଡିବ । ଅର୍ଥାତ ଅସଂଯ ମନ ଓ ଇନ୍ଦ୍ରିୟକୁ ଜ୍ଞାନାଗ୍ନିରେ ଆହୂତି ଦେବ ବା ପ୍ରାଣାୟାମ ଦ୍ବାରା ଅସଂଯତ ଚଞ୍ଚଳ ମନକୁ ସଂଯତ କରି ଧ୍ୟାନ କରିବ । ମାୟା ଜଗତରୁ ମୁକ୍ତି ହେବା ଭଗବାନଙ୍କ ପଦାରବିନ୍ଦରେ ବିଲୀନ ହେବା ପାଇଁ ଯଜ୍ଞ କରାଯାଏ । ଯଜ୍ଞକୁ ଗୀତାନୁସାରେ ଚାରୋଟି ଦିଗରୁ ବିଚାର କଲେ ଦ୍ରବ୍ୟଯଜ୍ଞ , ତପଯଜ୍ଞ , ଯୋଗଯଜ୍ଞ ଓ କଠିନ ଜ୍ଞାନଯଜ୍ଞ କୁହାଯାଏ । ଦେଉଳ ତୋଳିବା , ପୁଷ୍କରିଣୀ ଖନନକରିବା , ଅନ୍ନଛତ୍ର ଦେବା , ରୋଗୀ ସେବା କରିବା ଓ ଶିକ୍ଷାନୁଷ୍ଠାନ ଗଢିବା ଆଦିକୁ ଦ୍ରବ୍ୟଯଜ୍ଞ କୁହାଯାଏ । ସେଭଳି ଶୀତ , ଉଷ୍ମ ଓ କ୍ଷୁଧା ପ୍ରଭୃତିକୁ ସହ୍ୟ କରୁଥିବା ତପସ୍ୟାକୁ ତପଯଜ୍ଞ କୁହାଯାଏ । ଯୋଗଯଜ୍ଞ ହେଉଛି ପ୍ରାଣାୟାମ ଦ୍ବାରା ଆତ୍ମାକୁ ପରମାତ୍ମାଙ୍କ ସହ ଯୋଗ କରିବା ଓ ଜ୍ଞାନଯଜ୍ଞ ହେଉଛି ଶାସ୍ତ୍ର , ପୁରାଣ , ବେଦାଦି ଅଧ୍ୟୟନ କରି ନୀତିନିୟମ ଅନୁସାରେ ନିଜକୁ ସଂଯତ କରିବା । ଏହି ଚାରି ଯଜ୍ଞ ଦ୍ବାରା ଭଗବାନଙ୍କ ପ୍ରାପ୍ତି ମିଳେ ।

ତପସ୍ୱୀ ସାଧକମାନେ ପ୍ରାଣ ଓ ଅପାନ ବାୟୁକୁ ବନ୍ଦକରି ପ୍ରାଣାୟାମ କରି ସମାଧିସ୍ଥ ହୁଅନ୍ତି । କେତେକ ସାଧକ ଆହାର ସଂଯତ କରି ପ୍ରାଣବାୟୁକୁ ସେଥିରେ ଅର୍ପଣ କରନ୍ତି । ତପସ୍ୱୀମାନଙ୍କ ପ୍ରତିଦିନ ଏଭଳି ପ୍ରାଣାୟାମ ଦ୍ବାରା ସେମାନେ ନିରୋଗ , ଦୀର୍ଘାୟୁ ହେବା ସହ ଆତ୍ମଶକ୍ତିକୁ ଅନୁଭବ କରିପାରନ୍ତି । ଭକ୍ତି , ଜ୍ଞାନ ଓ ଧ୍ୟାନ ମାର୍ଗ ମାଧ୍ୟମରେ ଭଗବାନଙ୍କୁ ଅନୁଭବ କରିବାର ଏହା ସରଳ ଉପାୟ । ଗୀତାରେ (୪/୩୧)ରେ କୁହାଯାଇଛି ସଂସାରରେ ଯଜ୍ଞ କରୁନଥିବା ବ୍ୟକ୍ତି ଯଦି ଯଜ୍ଞ କରି ଆତ୍ମତୃପ୍ତି ଲାଭ କରି ପାରେନି ତେବେ ତାର ଜନ୍ମ ବୃଥା । ଯଜ୍ଞ କରି ଆତ୍ମସନ୍ତୋଷ ଲାଭ କରିବା ହେଉଛି ମଣିଷ ଜନ୍ମର ସାର୍ଥକତା । ଅର୍ଥାତ ଯଜ୍ଞ ଦ୍ବାରା ପରମାତ୍ମାଙ୍କୁ ଲାଭ କରିବା । ତେଣୁ ମୁନିଋଷିମାନେ ଯଜ୍ଞ କରି ଈଶ୍ବରଙ୍କୁ ତୃପ୍ତ କରିବା ସହିତ ଅଲୌକିକ ଶକ୍ତିର ଅଧିକାରୀ ହୋଇପାରୁଥିଲେ । ବେଦ ଓ ଗୀତାରେ ସକାମ ଓ ନିଷ୍କାମ କର୍ମ ବିଷୟରେ ଦର୍ଶାଇ କୁହାଯାଇଛି ସକାମ କର୍ମ ବ୍ୟକ୍ତି ନିଷ୍ଠାର ସହ କର୍ମ କରି ସ୍ୱର୍ଗଲୋକ ଯାଇପାରେ , କିନ୍ତୁ ତାହା ସ୍ଥାୟୀ ନୁହେଁ । କିନ୍ତୁ ନିଷ୍କାମ କର୍ମର ବ୍ୟକ୍ତି ନିଷ୍କାମ କାମନା ଭାବେ କର୍ମକରେ ତାର ପୁନର୍ଜନ୍ମ ଘଟେନାହିଁ । ସେଭଳି ଦ୍ରବ୍ୟମୟ ଯଜ୍ଞରେ ସ୍ୱାର୍ଥ ରହିତ କାମନା ଥାଏ । କିନ୍ତୁ ଜ୍ଞାନଯଜ୍ଞରେ କେବଳ ବିବେକ ଓ ବିଚାରରେ ସେ ଭଗବାନଙ୍କ ସହିତ ସମ୍ବନ୍ଧ ଥାଏ ।

ଏସବୁ ଦୃଷ୍ଟିରୁ ଏହି ମାୟା ମୋହିତ ସଂସାରରେ ଯେତେମାନବ ବସବାସ କରୁଛନ୍ତି ସକଳେ ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ କିଛି ନା କିଛି କର୍ମ ମାଧ୍ୟମରେ ପାପ ପୁଣ୍ୟଭୋଗ କରିବାରେ ଲାଗିଛନ୍ତି । ଯିଏ ନିଜର ବୁଦ୍ଧି , ବିବେକାନୁସାରେ ସତ୍ କର୍ମ କରେ ସେହିଁ ପୁଣ୍ୟ ଅର୍ଜନ କରି ପୁଣ୍ୟ ଫଳ ଲାଭ କରେ । ସଦ୍ ଗୁରୁଙ୍କୁ ଗ୍ରହଣ କରି ଦିବ୍ୟଜ୍ଞାନ ଲାଭ କରେ । ଜ୍ଞାନ କହିଲେ ଯାହା କେବଳ ସାଂସାରିକ ଜ୍ଞାନ , ବୈଷୟିକ ଜ୍ଞାନ , ଆତ୍ମଜ୍ଞାନ ଓ ଶାସ୍ତ୍ରଜ୍ଞାନକୁ ବୁଝାଇଥାଏ । ସାଂସାରିକ ଜ୍ଞାନ ଓ ବୈଷୟିକ ଜ୍ଞାନ ଅପେକ୍ଷା ଆତ୍ମଜ୍ଞାନ ଓ ଶାସ୍ତ୍ରଜ୍ଞାନ ହେଉଛି ପବିତ୍ର ଜ୍ଞାନ । ଏହି ଜ୍ଞାନକୁ ମଧ୍ୟ ଦିବ୍ୟଜ୍ଞାନ କୁହାଯାଏ । ମାନବ ସମାଜରେ ଯେଉଁମାନେ ଦିବ୍ୟଜ୍ଞାନର ଅଧିକାରୀ ସେହିମାନେ ଜୀବନର ମୂଲ୍ୟ ବୁଝିଛନ୍ତି । ମଣିଷ ଜନ୍ମ ଏକ ଦୁର୍ଲ୍ଲଭ ଜନ୍ମ । ସେ କେବେ ଖାଇ ବଞ୍ଚିବା ପାଇଁ ଜନ୍ମ ଲାଭ କରିନାହିଁ । ମଣିଷ ଜନ୍ମ ହୋଇଛି ବଞ୍ଚିବା ଲାଗି ଖାଇବା ଓ ଭଗବାନଙ୍କୁ ଖୋଜିବା ପାଇଁ । ତେଣୁ ଜୀବନ ଭରି ଗର୍ବ ଓ ଅହଂକାରକୁ ମୁଣ୍ଡରେ ରଖି ଚାଲୁଥିବା ମଣିଷ ଏ ମାୟା ମୋହିତ ସଂସାର ମଧ୍ୟରୁ , ଜନ୍ମ ମୃତ୍ୟୁର ଲୁଚକାଳି ଖେଳରୁ ମୁକ୍ତି ପାଇବା ପାଇଁ ଦିବ୍ୟଜ୍ଞାନ ସନ୍ଧାନର ପ୍ରୟାସୀ ହେଉ । ତା’ ଜୀବନ ଯାତ୍ରାର ସାରଥୀ ସ୍ୱୟଂ ଭଗବାନ ବୋଲି ମନେ କରି ତାଙ୍କ ପଦ୍ମପାଦରେ ନିଷ୍କାମ ଭକ୍ତିରେ ଆତ୍ମ ସମର୍ପଣ କଲେ ସକଳ ସଂକଟରୁ ସେହିଁ କେବଳ ମୁକ୍ତି ଦେବେ..!!!

● ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ଅଟକ-୪
ଦୂରଭାଷ: ୯୦୪୦୧୫୧୪୭୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ