ଚିକିତ୍ସାଳୟ – ନାରାୟଣ ଚନ୍ଦ୍ର ସେନାପତି
ବିଦ୍ୟାଳୟେ ପାଠ ଦେବାଳୟେ ପୂଜା
କାର୍ଯ୍ୟାଳୟେ କେତେ କାମ
ଚିକିତ୍ସାଳୟଟି ରକ୍ଷାକରେ ପ୍ରାଣ
କାଟେନା ସଂସାରୁ ନାମ।
ଡାକ୍ତର ନର୍ସ କମ୍ପାଉଣ୍ଡର ଏଠି
କରନ୍ତି ରୋଗୀଙ୍କ ସେବା
ଶରଧା ସେନେହ ମା ପରି ଦେଇ
ସଜାନ୍ତି ମମତା ଗଭା।
ଦ୍ଵିତୀୟ ଈଶ୍ୱର ଚିକିତ୍ସକ ଏଠି
ଜାଳନ୍ତି ତ୍ୟାଗର ବତୀ
ତାଙ୍କ ପଦେ କଥା ଅମୃତ ସମାନ
ବଢାଏ ସ୍ପନ୍ଦନ ଗତି।
ଔଷଧ ଏଠାରେ ମା ପୋଡ଼ପିଠା
ଇଞ୍ଜେକ୍ସନ (ଗୋ)ମାତା କ୍ଷୀର
ସାଲାଇନ ଲାଗେ ସମୁଦ୍ର ଲହରୀ
ଚିକିତ୍ସା ଗଙ୍ଗାର ଧାର ।
ଆମ୍ବୁଲାନ୍ସ ସ୍ୱର ଯେବେ ବାଜେ କାନେ
ଅନ୍ତରୁ ଜାଗେ ତା କୋହ
ଶେଯରେ ଶୁଆଇ ସେବା କରେ ସିଏ
ପୋଛି ଆଖି ଝରା ଲୁହ।
ମିଶାଣ ଚିହ୍ନଟି ଯୋଗ କରେ ସେବା
ମନରେ ନ ରଖି ଭେଦ
ସେ ଚିହ୍ନ ଦେଖିଲେ ମୁଣ୍ଡ ନଇଁଯାଏ
ଆଶା ହୁଏ ଗଦଗଦ।
ତା ଦ୍ୱାର ଛୁଇଁଲେ ମୁମୂର୍ଷୁର ଆଶା
ବଞ୍ଚିବା ଦେଖେ ସପନ
ଆଶ୍ୱାସନା ଦେଇ ଧୀରେ ଧୀରେ କହେ
ହୁଅନାହିଁ ମ୍ରିୟମାଣ।
ତା କାନ୍ଥ ଉପର ଲେଖାମାନ କହେ
ପ୍ରତିଷେଧକର ବାଣୀ
ତାକୁ ପଢି ବୁଝି କାମେ ଲଗାଇଲେ
ରୋଗକୁ ପାରିବା ଜାଣି।
ସୁସ୍ଥ ଓ ନୀରୋଗ ରଖିବା ତା ଲକ୍ଷ୍ୟ
କହେ ହରାଅନା ଧୈର୍ଯ୍ୟ
ଭକ୍ଷଣ କର ହେ ସୁଖାଦ୍ୟ ସମୟେ
କର ନିତ୍ୟ ଶୁଦ୍ଧ କାର୍ଯ୍ୟ।
ରୋଗର ନିଦାନ ଚିକିତ୍ସା ବ୍ୟବସ୍ଥା
ଜଣାଏ ସେବନ ବିଧି
ମୁଣ୍ଡ ପାତି ଯିଏ ସଶ୍ରଦ୍ଧେ ମାନଇ
ରୋଗକୁ ହୁଏ ସେ ଶୁଦ୍ଧି।

ଯେତେ ଜ୍ଞାନ ବୁଦ୍ଧି ଅମାପ କୌଶଳ
ସବୁକୁ ହରାଏ ରୋଗ
ସେ ରୋଗକୁ ମାରି ହସ ଭରିଦିଏ
କହେ ସୁସ୍ଥେ କର ଭୋଗ।
ଅତ୍ୟାଧୁନିକତାର ସ୍ପର୍ଶରେ ବିଜ୍ଞାନ
ଦେଇଛି ଡାକ୍ତରୀ ଶିକ୍ଷା
ସର୍ଜରୀ ରୋପଣ ଅନ୍ତ ପରୀକ୍ଷଣ
ଚିକିତ୍ସାଳୟର ଦୀକ୍ଷା।
ଏ ସଂସାରେ ହୀନ ଅଦୃଶ୍ୟ ଅଣୁଜୀବ
ବଳରେ ସେ ବଳୀୟାନ
ସେ ସବୁକୁ ମାରି ଆନନ୍ଦ ଭରସେ
ରଚେ ଜୀବନ କାହାଣୀ।
ଜୀବାଣୁ ଭୁତାଣୁ କୀଟାଣୁ ବୀଜାଣୁ
ତାର ଘୋର ଚିର ଶତ୍ରୁ
ଶପଥ କରେ ସେ ସମୂଳେ ନାଶିଵ
ତାଙ୍କ ପିତୃ ମାତୃ ଭ୍ରାତୃ।
ହୋମିଓ ଆଉଁସା ଆୟୁର୍ବେଦ ଚିମୁଟା
ଏଲୋପାଥିକ୍ ର କାମୁଡା
ରୋଗ ଭଲହେଲେ ମନ ଖୁସି ଲାଗେ
ଲାଗେ ହସେ ଘୋଡାଚଢା।
ଘରସିନା ଅଟେ ଆମର ସରଗ
ସରଗର ସ୍ୱର୍ଗ ଏହି
ଏଠାକୁ ଯେ ଆସେ ପ୍ରଭୁ ଫେରାଅନ୍ତି
ତା ପ୍ରିୟ ଜନମଭୁଇଁ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
