ପ୍ରବନ୍ଧ – ଭାବଭକ୍ତି ସମର୍ପିତ ହନୁମାନ ଚାଳିଶା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଯୁଗେ ଯୁଗେ ଭକ୍ତ ଓ ଭଗବାନ ମଧ୍ୟରେ ଶ୍ରେଷ୍ଠତ୍ୱ ମଧ୍ୟରେ ଭକ୍ତ ଆଗ ପରେ ଭଗବାନ । ଭକ୍ତ ପାଇଁ ଭଗବାନ ଓ ଭଗବାନଙ୍କ ପାଇଁ ଭକ୍ତ । ଏଭଳି ଏକ ପ୍ରଶ୍ନର ଅସମାହିତ ଉତ୍ତର ନାହିଁ । ଶ୍ରୀରାମ ଦୂତ ଭକ୍ତ ହନୁମାନ ନିଜର ସମର୍ପିତ ଭକ୍ତି ବଳରେ ଚାରି ଯୁଗର ଶ୍ରେଷ୍ଠ ଭକ୍ତରୁ ଭଗବାନ ପାଲଟି ଯାଇ ପୂଜିତ ହେଉଛନ୍ତି । ତୁଳସୀ ଦାସଙ୍କ ହନୁମାନ ଚାଳିଶା ପ୍ରଥମ ଦୋହାରୁ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି –

” ଶ୍ରୀଗୁରୁ ଚରନ ସରୋଜ ରଜ/ ନିଜ ମନୁ ମୁକୁରୁ ସୁଧାରି । ।
ବରନଉଁ ରଘୁବର ବିମଲ ଜସୁ / ଜୋ ଦାୟକୁ ଫଲ ଚାରି ॥
ବୁଦ୍ଧିହୀନ ତନୁ ଜନିକେ / ସୁମିରୌ ପାୱନ-କୁମାର ।
ବଲ ବୁଧି ବିଦ୍ୟା ଦେହୁ ମୋହି / ହରହୁ କଲେସ ବିକାର ॥

ହନୁମାନ ପବନ ପୁତ୍ର , ଅଞ୍ଜନା ସୁତ,ରାମ ଭକ୍ତ ହନୁମାନ ବୈଶାଖ ମାସ ପ୍ରଥମ ଦିବସ ପବିତ୍ର ବିଷୁବ ସଂକ୍ରାନ୍ତିର ପାହାନ୍ତି ପ୍ରହରରେ ମାତା ଅଞ୍ଜନାଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ । ଜନ୍ମମାତ୍ରେ ଭୋକ ଲାଗିଲା ବାରୁ ମା’ଙ୍କୁ ଖାଇବାକୁ ମାଗିବାରୁ ମା’ ଅଞ୍ଜନା ଅଚେତ ଅବସ୍ଥାରେ ଥାଇ ଚିନ୍ତା କଲେ , ଏ ପୁତ୍ର ଗର୍ଭରେ ଥିବା ବେଳେ ସକଳ ଚାରି ପ୍ରକାର ଖାଦ୍ୟ – ଚବ୍ୟ , ଚେଷ , ଲେହ୍ୟ , ପ୍ରେୟ ଖାଇବା ପରେ ଶକ୍ତି ମାନ ହୋଇଥିବା ହନୁମାନ ଜନ୍ମରୁ ପୁନର୍ବାର ଭୋଜନ ମାଗୁଛି । କିଛି ସମୟ ଅଞ୍ଜନା ଚିନ୍ତା କଲା ପରେ ତାଙ୍କର ହୃତ୍ ବୋଧ ହେଲା ପୁତ୍ର ଜ୍ଞାନ ରୂପକ ଖାଦ୍ୟ ସନ୍ଧାନ କରୁଛି । ଠିକ୍ ବ୍ରାହ୍ମ ମୁହୂର୍ତ୍ତରେ ମା’ ଅଞ୍ଜନା ଚିନ୍ତା କରୁଥିବା ବେଳେ ଆକାଶକୁ ଚାହିଁ ଦିଅନ୍ତେ ପୂର୍ବାକାଶରେ ବାଳ ସୂର୍ଯ୍ୟଙ୍କ ରକ୍ତିମା ଆଭା ଗୋଲାକାର ବୃତ୍ତ ସଦୃଶ୍ୟ ଫୁଟି ଉଠୁଛି.. !ମା’ ଅଞ୍ଜନା ଚିନ୍ତା କଲେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ସ୍ୱରୂପ । ସେହିଁ ସଚରାଚର ଜଗତର ଜ୍ଞାନ ଗୁରୁ , ତେଜିଆନ ଦେବତା , ଆରୋଗ୍ୟ ଦେବତା । ସୂର୍ଯ୍ୟଙ୍କ ଆଗମନରେ ସଚରାଚର ସକଳ ଜୀବ ଜୀବନ୍ୟାସ ଲାଭ କରେ । ମା’ ଅଞ୍ଜନା ପୁଅକୁ ତେଜିଆନ , ନିରୋଗ , ମହାଶକ୍ତିଶାଳୀ , ମହାଜ୍ଞାନୀ କରିବା ପାଇଁ ଆକାଶରେ ପ୍ରତ୍ୟୟମାନ ଲାଲ ଗୋଲାକର ବୃତ୍ତକୁ ସ୍ୱାଦିଷ୍ଠ ଫଳ ମନେ କରି ହନୁମାନଙ୍କୁ କହିଥିଲେ ଯାଅ ପୁତ୍ର ସେ ଫଳ ଭକ୍ଷଣ କରି କ୍ଷୁଧା ନିବାରଣ କର । ହନୁମାନ ଆକାଶକୁ ବୃକ୍ଷ ଓ ସୂର୍ଯ୍ୟଙ୍କ ଲାଲ ବିମ୍ବକୁ ସୁନ୍ଦର ଫଳର ପ୍ରତୀକ ମନେକରି ଭକ୍ଷଣ କରନ୍ତେ , ଚର୍ତୁଃଦିଗ ଘୋର ଅନ୍ଧକାର ଛାୟୀ ଗଲା ।

ହଠାତ , ଏଭଳି ଅଘଟଣ ଦେଖି ଦେବତାମାନେ ପ୍ରମାଦ ଗଣି ହନୁମାନଙ୍କୁ ଯେତେବେଳେ ଆହତ କଲେ ହନୁମାନ ମୃତ୍ୟୁ ବତ୍ ପଡିରହିବା ଫଳରେ ପବନ ଦେବତା ନିଜ ପୁତ୍ର ପ୍ରାଣ ରକ୍ଷା ନିମନ୍ତେ ନିଜକୁ କୋପରେ ରୋଧ କରି ରହିବା ଫଳରେ, ଦେବତା ମାନେ ଶ୍ୱାସ ରୋଧ ହୋଇ ପଡିଲେ । ଶେଷରେ ସକଳେ ବିଷ୍ଣୁଙ୍କ ଶରଣାପନ୍ନ ହେବାରୁ ବିଷ୍ଣୁ ଦେବତାମାନଙ୍କୁ ନିର୍ଦ୍ଦେଶ ଦେଲେ ହନୁମାନଙ୍କୁ ତମେ ତମର ସକଳ ଶକ୍ତି ପ୍ରଦାନ କର । ହନୁମାନ ଦେବତାମାନଙ୍କ ଶକ୍ତି ପାଇ ବଳବାନ୍ ଲଭିଲେ ଓ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି ଛାଡିଲେ ।

ପୁନର୍ବାର ଅଝଟ ହନୁମାନ ଖେଳିବା ପାଇଁ ମା ଅଞ୍ଜନାଙ୍କୁ କହିବାରୁ ସେ ଦଣ୍ତକାରଣ୍ୟକୁ ପଠାଇ ଦେଲେ । ହନୁମାନ ସେଠାରେ ପହଞ୍ଚି ଅସଂଖ୍ୟ ମୁନି , ଋଷି , ବାବାଜୀମାନେ ତପସ୍ୟା ସହ ଯଜ୍ଞ କରୁଥିବା ଦେଖିଲେ । ମୁନିମାନେ ଯିଏ ଯେତିକି ବର୍ଷ ତପସ୍ୟା କରୁଥିଲେ, ସେମାନଙ୍କ ଜଟା ସେତିକି ଲମ୍ବା ହେଉଥିଲା । ହନୁମାନ ସେହି ଲମ୍ବିତ ଜଟାକୁ ବାନ୍ଧି ଖେଳି ଭିଡି ବାରୁ ମୁନିମାନେ ଅସହିଷ୍ଣୁ ହୋଇପଡିଥିଲେ । ତା’ ପରଦିନ ପରାକ୍ରମୀ ହନୁମାନ ଯାଇ ଦେଖନ୍ତି ମୁନିମାନେ ମସ୍ତକ ମଣ୍ତନ କରି ଜଟା ବିହୁନ ଲଣ୍ତିତ ମସ୍ତକ ଧାରଣ ପୂର୍ବକ ତପସ୍ୟା କରୁଛନ୍ତି । କିନ୍ତୁ ପୁନର୍ବାର ହନୁମାନଙ୍କୁ ଦେଖି ଭୟଭୀତ ହୋଇ ତପସ୍ୱୀ ମୁନି ମାନେ ପଳାୟନ କରୁଥିବା ବେଳେ ଜନୈକ ଛୋଟ ଓ ଛୋଟା ମୁନି , ଯାହାଙ୍କ ନାମ ଚଉକି ମହାମୁନି ଯାଇନପାରି , ନିଜ ସାଧନା ଓ ମନ୍ତ୍ରବଳରେ ହନୁମାନଙ୍କୁ ସ୍ଥିର ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଏକ ଫରୁଆରେ ହନୁମାନଙ୍କ ଶକ୍ତିକୁ ହରଣ / ଆବଦ୍ଧ କରି ଗିଳିବାକୁ ଦେଇ କହିଲେ . ଆଜିଠୁ ତୋର ଏଶକ୍ତି କେବଳ ସୃଷ୍ଟିର ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଲାଗିବ , ଅର୍ଥାତ ବିଷ୍ଣୁଙ୍କ ରାମ ଅବତାରରେ ଲାଗିବ ।

ଅଯୋଧ୍ୟାରୁ ରାମ , ଲକ୍ଷ୍ମଣ ଓ ସୀତାଙ୍କ ବନବାସ ଓ ବନବାସରୁ ଲଙ୍କାପତି ରାବଣ ଦ୍ବାରା ସୀତା ଅପହୃତା ହେବା ପରେ ରାମଚନ୍ଦ୍ର ହନୁମାନଙ୍କୁ ସୀତା ଠାବ ନିମନ୍ତେ ପଠାଇ ଥିଲେ । ଲଙ୍କାରେ ପ୍ରବେଶ କରିଥିବା ବୀର ହନୁମାନଙ୍କୁ ବ୍ରହ୍ମାସ୍ତ୍ରରେ ପରାସ୍ତ କରି ମେଘନାଦ ବାନ୍ଧି ନେଇଯାଇଛନ୍ତି ରାବଣଙ୍କ ଦରବାରକୁ । ହନୁମାନଙ୍କ ଶ୍ରୀଅଙ୍ଗ ବ୍ରଜଠାରୁ ଅଧିକ କଠୋର । ତେଣୁ ତାଙ୍କୁ ବଜ୍ରାଙ୍ଗ କୁହାଯାଏ । ବ୍ରଜାଙ୍ଗରୁ ଅପଭ୍ରଂଶ ହୋଇ ବଜରଙ୍ଗ ହୋଇଛି । ପୁନଶ୍ଚ ସୁନ୍ଦରା କାଣ୍ତରେ ଦର୍ଶାଯାଇଛି – ” ତସ୍ୟ ରାମସ୍ୟ ପଦାଶ୍ଚୁଦଂ ସଦା / ହୃତ ପଦ୍ମ ମଧ୍ୟେ ସୁନିଧ୍ୟାୟ ମାରୁତି । ସଦୈବ ନିର୍ମୁକ୍ତ ସମସ୍ତ ବନ୍ଧନଃ / କି ‘ ତସ୍ୟ ପାଶୈରିତତରୈଶ୍ଚ ବନ୍ଧନୈଃ ।” ସହଜେ ହନୁମାନ ସମସ୍ତ ବନ୍ଧନରୁ ମୁକ୍ତ , ସେଥିରେ କିଛି ଯାଏଆସ ନାହିଁ । ହେଲେ ବ୍ରହ୍ମାଙ୍କ ନାମକୁ ବ୍ରହ୍ମାଙ୍କର ଶକ୍ତିକୁ ସମ୍ମାନ ଦେବା ଉଚିତ । ବ୍ରହ୍ମାଙ୍କୁ କାଳେ ଅପମାନ ହେବ , ଏହାଭାବି ହନୁମାନ ବ୍ରହ୍ମଫାଶରେ ଆପେ ପଡିଗଲେ । ” ନ ଲୌକିକୀ ହରିଃ ରୂପ ମାତ୍ରଂ ତୁ ବାନରମ୍ ।” ଦେଖିବାକୁ ବାନର ଭଳି , କିନ୍ତୁ ମହାନ୍ ବଳବାନ ଦେବତା ନିଶ୍ଚିତ ବୋଲି ଇନ୍ଦ୍ରଜିତ ରାବଣକୁ କହିଛି । ମନରେ ଲେଶମାତ୍ର ଦୁଃଖ ନଥାଏ । ରାବଣଙ୍କ ସମ୍ମୁଖରେ ହସ୍ତପଦ ବନ୍ଧନଯୁକ୍ତ ହୋଇ ଠିଆ ହେଲେ ହନୁମାନ । ଦେଖିଲେ ରାଜ ଦରବାରର ପ୍ରତ୍ୟେକ କାନ୍ଥରେ ଦେବତା ଓ ମୁନିଗଣ ବନ୍ଧନଯୁକ୍ତ ହୋଇ ବିକଳ ଅବସ୍ଥାରେ ଦଣ୍ତାୟମାନ ଅଛନ୍ତି । ସମସ୍ତେ ହନୁମାନଙ୍କୁ ଦେଖି ଆଶ୍ଵାସିତ ହେଉଥାନ୍ତି, ଶୁଭ ଲଗ୍ନର ସମ୍ଭାବନାରେ ଆଶାବାଦୀ ହେଉଥାନ୍ତି ।

ଯେତେବେଳେ ହନୁମାନଙ୍କୁ ରାବଣ କହିଲେ, ତୁମେ ଜାଣିନ ଯେ ଦେବ , ଅସୁର ,ନାଗ, ଯକ୍ଷ ସମସ୍ତେ ମୋର ବନ୍ଦୀ । ତଥାପି ଏ ଦୁଃସାହସ କଲ କିପରି ? ହନୁମାନ କହିଲେ ଯେ ଆପଣ ନର ଓ ବାନରଙ୍କୁ କବଳିତ କରିପାରିନାହାନ୍ତି । ମୋ ପ୍ରଭୁ ଶ୍ରୀରାମଚନ୍ଦ୍ର ଏକ ନର ଓ ସୁଗ୍ରୀବ ବାନର । ଏ ଦୁଇଜଣ ଆପଣଙ୍କ ବିନାଶର ମହାନାୟକ । ଏଣୁ ମାତା ଜାନକୀଙ୍କୁ ସସମ୍ମାନ ସହ ଛାଡି ଦେଇ ଆସନ୍ତୁ । ରାବଣ କ୍ରୋଧିତ ହୋଇ କହିଲେ ତମେ କେଉଁ ସାହସରେ ଅଶୋକ ବନରେ ପହଞ୍ଚିଲ ? ହନୁମାନ କହିଲେ ଶହେ ଯୋଜନ ଅତିକ୍ରମ କରି ଆସିଥିଲି । ” ସତ ଯୋଜନ ତେହିଁ ଆନନ୍ଦ କୀହ୍ନା / ଅତି ଲଘୁ ରୂପ ପବନ ସୁତ ଲୀହ୍ନା (ସୁନ୍ଦରା କାଣ୍ତ) ।” ଭୋକ ଲାଗିଲା ବାରୁ ସେଠି ପଶି ଖାଇଲି । ରାବଣ ପ୍ରଶ୍ନ ଥିଲା ଭିକ୍ଷା ନମାଗି ଏପରି ଉତ୍ପାତ କଲ କାହିଁକି ? ପ୍ରତି ଉତ୍ତରରେ
ମୁଁ ରାତିବେଳେ ଗଛରୁ ଫଳ ତୋଳିବାକୁ ଇଚ୍ଛା କଲିନାହିଁ । କେଵଳ ଗଛ ହଲେଇବାରୁ ଵଡ଼ଵଡ଼ ଗଛ ଟଳିପଡିଲା ।ମୋର କିଛି ଦୋଷ ନାହିଁ, ପୁଣି ମୁଁ କାହାକୁ ଆଗତୁରା ଆକ୍ରମଣ କରିନାହିଁ । ମୋତେ ରକ୍ଷୀଗଣ ହଇରାଣ କରିବାରୁ ମୁଁ ଆକ୍ରମଣ କଲି। ରାବଣ ହନୁମାନଙ୍କୁ ପରିଚୟ ମାଗିବାରୁ ଉତ୍ତରରେ ହନୁମାନ କହିଥିଲେ-

” ରାମ ଦୂତ ଅତୁଲିତ ବଲ ଧାମା / ଆଞ୍ଜନି-ପୁତ୍ର ପବନ ସୂତ ନାମା ॥
ମାହାବୀର ବିକ୍ରମ ବଜରଂଗି / କୁମତି ନିୱାର ସୁମତି କେ ସଂଗି ॥

ଵାୟୁଙ୍କ ଔରସରୁ ଜାତ ସେ ରାମଭକ୍ତ ହନୁମାନ । ଵାସ ଏତିକି ପରିଚୟ । ହନୁମାନ ଵାରମ୍ଵାର ରାବଣକୁ ପୁଲସ୍ତ୍ୟ ମୁନିଙ୍କ ଵଂଶଧର ହୋଇ ଏପରି ଭୁଲ ନକରିଵାକୁ ଚେତାଇ ଦେଉଥିଲେ। ସେ ନିଜେ ନିଜ ଇଚ୍ଛାରେ ବନ୍ଦୀ ହୋଇ ଆସିଛନ୍ତି ଓ ଯେହେତୁ ତାଙ୍କ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣଙ୍କୁ ନିହତ କରିବାର ଅଛି ଏଣୁ ତାଙ୍କୁ ଛାଡି ଦେଇଛନ୍ତି ବୋଲି କହିଲେ । ବାଳୀ ତାଙ୍କୁ କାଖରେ ଜାକି ଛ’ମାସ ଵୁଲିଥିଲେ । ସେଇ ବାଳୀ ରାମଚନ୍ଦ୍ରଙ୍କ ହାତରେ ବଧ ହୋଇଛନ୍ତି । ଏଣୁ ସାଵଧାନ , ଭଲଦଶା ଅଛି ତ ସୀତାଦେବୀଙ୍କୁ ଯଥା ସ୍ଥାନରେ ଛାଡି ଦେଇ ଆସନ୍ତୁ ବୋଲି ଵାରମ୍ଵାର ଉଚ୍ଚସ୍ଵରରେ ହନୁମାନ କହୁଥାନ୍ତି । ଏଥିରେ ରାବଣ ଉତ୍ତେଜିତ ହୋଇ ବାନରଙ୍କର ପ୍ରିୟ ଅଙ୍ଗ ଲାଙ୍ଗୁଡରେ ନିଆଁ ଲଗାଇଦେବାକୁ ନିର୍ଦ୍ଦେଶ ଦେଲେ । ଏଖବର ଶୁଣି ମା ‘ସୀତା ମ୍ରିୟମାଣ ହୋଇ ଅଗ୍ନି ଦେଵତାଙ୍କୁ ନିବେଦନ କଲେ ହନୁମାନଙ୍କର ଯେପରି କିଛି କ୍ଷତି ନକରନ୍ତି । ଲାଙ୍ଗୁଡରେ କନା ଗୁଡେଇଲେ ରାଜକର୍ମଚାରୀ । ଲାଙ୍ଗୁଡ ବଢିବଢି ଚାଲିଥାଏ । କନା ଗୁଡା ଚାଲିଥାଏ । ସେଥିରେ ତେଲ ଢାଳି ନିଆଁ ଲଗାଇ ଦିଆଗଲା । ” କପିକେ ମମତା ପୂଁଚ୍ଛ ପର ସବର୍ହି କହଉଁ ସମଝାଇ / ତେଲ ବୋରି ପଟ ବାଁଧିପୁନି ପାବକ ଦେହୁ ଲଗାଇ (ସୁନ୍ଦରା କାଣ୍ତ)।” ହନୁମାନ ଡେଇଁଲେ ନଗରନଗର । କେବଳ ବିଭୀଷଣପୁରକୁ ଛାଡିଦେଇ ସମଗ୍ର ଲଙ୍କାରେ ଵୈଶ୍ଵାନରଙ୍କୁ ଖେଳାଇ ଦେଲେ ହନୁମାନ । ଚତୁର୍ଦ୍ଦିଗରେ ଖାଲି ଚିତ୍କାର, ରକ୍ଷାକର ! ରକ୍ଷାକର । ହୁହୁ ହୋଇ ଜଳୁଥାଏ ଲଙ୍କାନଗରୀ । ଵିଶ୍ଵକର୍ମାଙ୍କ ରଚିତ ସ୍ଵର୍ଣ୍ଣଲଙ୍କା ଛାରଖାର ହୋଇଗଲା ।

ସ୍ୱୟଂ ହନୁମାନ ଶିବ ପାର୍ବତୀଙ୍କ ମିଳିତ ଅଂଶ । ଶିବ ଦେହ ହେଲେ ପାର୍ବତୀ ଲାଞ୍ଜ । ମା ‘ ପାର୍ବତୀ ଅଗ୍ନି ସ୍ୱରୂପା । ତେଣୁ ହନୁମାନଙ୍କ ଲାଞ୍ଜ ଦହନ ହୋଇନଥିଲା । ରାମଙ୍କ କାର୍ଯ୍ୟ ପାଇଁ ମହାବୀର ହନୁମାନଙ୍କ ଜନ୍ମ । ଅହଂକାରୀ , ଗର୍ବି , କାମାସକ୍ତ ଲମ୍ପଟ ରାବଣର ନିଧନ ନିମନ୍ତେ ବ୍ରହ୍ମା , ବିଷ୍ଣୁ , ମହେଶ୍ବରଙ୍କ ଆବିର୍ଭାବ । ବ୍ରହ୍ମା – ଭଲ୍ଲୁକ ଜାମ୍ବବାନ ରୂପରେ , ବିଷ୍ଣୁ -ରାମ ରୂପରେ ଓ ଶିବ – ହନୁମାନ ରୂପରେ ଧରାରେ ଅବତୀର୍ଣ୍ଣ ହୋଇଥିଲେ ।

ପବନ ପୁତ୍ର ହନୁମାନ , ପବନ ନନ୍ଦନ , ପବନ ସୁତ , ପବନ ସୁତ ଅର୍ଥାତ ସୁତ୍ର । ସକଳ ସୁତ୍ର ଆଧାର ରୂପକ ହନୁମାନଙ୍କ ଜୟନ୍ତୀ ଆଜି । ଯେ ହେଉଛନ୍ତି ଆଜନ୍ମ ବ୍ରହ୍ମଚାରୀ , ଅମର , ଚାରି ଯୁଗରେ ତାଙ୍କର ମହିମା ଅବର୍ଣ୍ଣନୀୟ । ଯାହାଙ୍କ ମହିମା ଗାନରେ ଭଗବାନ ବିଷ୍ଣୁ ତୋଷ ହୁଅନ୍ତି । ମୁକ୍ତିର ଦ୍ବାର ଉନ୍ମୁକ୍ତ ରହେ । ଅର୍ଥାତ ରାମଭକ୍ତ ହନୁମାନଙ୍କ ନାମ ଜପରେ ବିଷ୍ଣୁ ତୋଷ ହୋଇ ସକଳ ପାପ , ତାପକୁ ନାଶ କରି ବୈକୁଣ୍ଠ ପ୍ରାପ୍ତି ହନୁମାନ ଭକ୍ତମାନକୁ କରାଇଥାନ୍ତି । ଚାଳିଶା ପାଠ କରୁଥିବା ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ । ଏହା ସହିତ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇଥାଏ । ସକାଳୁ ଜଲଦି ଉଠି ସ୍ନାନ ସାରି ସଫା ବସ୍ତ୍ର ପରିଧାନ କରି ହନୁମାନ ଚାଳିଶା ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁହଁ କରି ନାଲି ଆସନ ଉପରେ ବସି ପାଠ କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ହନୁମାନଙ୍କ ପ୍ରତିମାକୁ ପୂର୍ବ ବା ଦକ୍ଷିଣ ଦିଗରେ ନାଲି ବସ୍ତ୍ର ପରିଧାନ କରି ରଖି ସମ୍ମୁଖରେ ଘିଅ ବା ତେଲ ଦୀପ ଲଗାଇ ଆଳତି ମନସ୍କାମନା ପୂରଣ ହେବାର ବିଶ୍ୱାସ ରହି ଆସିଛି ।

ତେଣୁ ଏ ପବିତ୍ର ହନୁମାନ ଜୟନ୍ତୀ ଦିବସରେ ହନୁମାନ ଜାତିର ଆହ୍ଵାନ , ହନୁମାନ ଭକ୍ତିର ପ୍ରେରଣା , ହନୁମାନ ଜ୍ଞାନ ମିଶ୍ରା ଭକ୍ତି ଓ ସମର୍ପଣ ଭକ୍ତିର ସଂପଦ , ହନୁମାନ ସର୍ବ-ତନ୍ତ୍ର ରୁ ସ୍ୱତନ୍ତ୍ର ପାଲଟି ଯାଇଛନ୍ତି । ହନୁମାନ ତତ୍ତ୍ୱ – ଅଦ୍ଭୁତ ତତ୍ତ୍ୱ , ସକଳ ତତ୍ତ୍ୱ ଭିତରେ ହନୁମାନ ତତ୍ତ୍ୱ ସାର ମୁଖ୍ୟ-ତତ୍ତ୍ୱ ଭାବରେ ଗ୍ରହଣୀୟ ହୋଇଛି । ଯେଉଁ ତତ୍ତ୍ୱକୁ ଯେତେବେଳେ ଖୋଜିଲେ କେବଳ ହନୁମାନ ତତ୍ତ୍ୱରୁ ସକଳ ଉତ୍ତର ମିଳେ । ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ମାତ୍ର ୪୦ଟି ଚଉପାଇ ଅଛି ।  କବିତା ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅଓ୍ୱଧୀ ଭାଷାରେ  ରଚନା କରିଥିଲେ । ହନୁମାନଙ୍କ ଚାଳିଶା ପାଠ କରି , ଜୟ ହନୁମାନ କି ଉଂଚାରଣ କରି ଜଗତରେ ଘନେଇ ଆସିଥିବା ମହା ସଂକଟ, ବିପଦରୁ ମୁକ୍ତି ଲଭିବା ..

” ପୱନତନୟ ସଂକଟ ହରନ / ମଂଗଲ ମୂରତି ରୂପ ।
ରାମ ଲଖନ ସୀତା ସହିତ / ହୃଦୟ ବସହୁ ସୁର ଭୂପ !”

ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪ ଦୂରଭାଷ : ୯୦୪୦ ୧୫୧୪୭୫


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ