ବାଉଁଶ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଜନ୍ମରୁ ମରଣଯାଏଁ
ଏନ୍ତୁଡିରୁ ମଶାଣି ପର୍ଯ୍ୟନ୍ତ
ତୁମେ ମୋର ଲୋଡା ସଦା
କେମିତି ମୁଁ ଏଡେଇପାରିବି ?
ହସ-କାନ୍ଦ, ସୁଖ-ଦୁଃଖ ସହ
ମୋ ଦେହର ଅଙ୍ଗ ଭଳି
ଏମିତି ଯୋଡିହୋଇଛ ଯେ
କେମିତି ମୁଁ ତମକୁ ଭୁଲିବି । ୧

ଏନ୍ତୁଡିଶାଳରେ ତୁମେ
ଦିକି ଦିକି ନିଜେ ଜଳି ଜଳି
ମୃଦୁ ତାପ କୋମଳ ପରଶେ
ପୁଷ୍ଟ କଲ ଏ ମୋର ଶରୀର,
ତୁମେ ପୁଣି ଛଅଖଣ୍ଡ ଲୋଡାହେବ
ଘର ବାହୁଡା ବେଳରେ
ସିଡି ହୋଇ ବାଟ କଢାଇବ
ଅଦେଖା ସେ ସରଗ ଦୁଆର । ୨

ବାଲ୍ୟରୁ କୈଶୋର ଯାଏଁ
କୈଶୋରରୁ ଜରା; ଦୂରପଥ
ତୁମେ ସଦା ଅନ୍ତରଙ୍ଗ
ପାଖେ ପାଖେ ଛାଇ ଭଳି ଥାଅ,
ସହଜ କରିଛ ମୋର
ତମାମ୍ ଏ ଜୀବନର ରାସ୍ତା
ଅନ୍ତରଙ୍ଗ ବନ୍ଧୁଟିଏ ହୋଇ
ସହାୟତାର ହାତକୁ ବଢାଅ । ୩

ତୁମକୁ ନେଇ ମୁଁ କେବେ
ଚପଳପଣରେ
ପୁରାଣର ମହୁଆ ନିଶାରେ
ଧନୁର୍ଦ୍ଧାରୀ ହୁଏ
କେବେ ଅବା ମଧୁରାଗ
ବଂଶୀଧାରୀ ସାଜି
କୀଟୁ ବ୍ରହ୍ମ ହୃଦୟକୁ
ଛୁଇଁ ଛୁଇଁ ଯାଏ । ୪

ତେଲଲୁଣ ସଂସାରର
ଦୁରନ୍ତ ସଂଗ୍ରାମ ଭୂଇଁରେ
ତୁମେ ପୁଣି ଉଭାହୁଅ
ଦୁର୍ଦ୍ଦଷ ଯୋଦ୍ଧାଟିଏ ହୋଇ,
ଶତ୍ରୁର ହୁଂକାରେ ଯେବେ
ଦୋହଲିଉଠଇ ପ୍ରାଣ
ଠିଆହୁଅ ଆଗରେ ଲକ୍ଷ୍ମଣ ଭଳି
ଯେମିତିକି ସହୋଦର ଭାଇ ।
(ସୁଖ ଦୁଃଖ ଜୀବନ ବକ୍ରରେଖାର
ପ୍ରତିଟି ବିନ୍ଦୁରେ
ତୁମେ ମୋର ସାନ୍ତ୍ବନାର
ମୃଦୁ ହିମ ଛାଇ ।) ୫

ବାର୍ଦ୍ଧକ୍ୟର ବୋଝ ବୋହୁ ବୋହୁ
ପାଦ ମୋର ଯେତେବେଳେ
ଟଳମଳ, ଅସାଷ୍ଟମ
ଶକ୍ତିହୀନ ବେସାହାରା ହୁଏ,
ତୁମେ କାହୁଁ ଝପଟିଆସ
କେଡେ ଅନୁରାଗେ
ମୋ ଦେହର ଭାର ଉଠାଇନିଅ
ଭାଇ ଭଳି ହସ ହସ ମୁହେଁ । ୬

ଶିବି, ଦଧିଚୀଙ୍କ ଆଦର୍ଶକୁ
ଜୀବନର ବ୍ରତଭାବେ
କାହା ବୋଲେ କହ କହ
ଗ୍ରହଣ କରିଛ,
ଦୁଃଖୀ ମଣିଷ ମୁହଁରେ ହସ
ଫୁଟାଇବା ପାଇଁ
ଆପଣାକୁ ଗୋଟାପଣେ
ସମର୍ପି ଦେଉଛ । ୭

କୃଶତନୁଧାରୀ ତମ
ମନେ ରଖ ଅଦମ୍ୟ ଅଭୀପ୍ସା
ଆକାଶକୁ ଛୁଇଁବାର
ଏକନିଷ୍ଠ ସାଧନା ପ୍ରବଳ,
ଅଙ୍ଗଦାନ ଭଳି ମହତ କର୍ମରେ
ସଦା ଜାଗରିତ ତମେ
ଏ ଧରାବକ୍ଷରେ ସତେ
ତୁମ ଦାନ ଦୀପ୍ତ ସମୁଜ୍ଜ୍ବଳ । ୮


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ