ଅଵ୍ଜ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

ହେ ଅବ୍ଜ ତୁମେ ଜାତୀୟ କୁସୁମ
ସରୋବର ମହାରାଣୀ
ତୁମେ ହସିଦେଲେ ଦୁନିଆଁ ଦୁଲୁକେ
ଦେବତା ପାରନ୍ତି ଜାଣି।

ବଡ଼ ସୁକୁମାରୀ ପ୍ରେମ ପୂଜାରିଣୀ
ତପନଙ୍କ ପ୍ରାଣପ୍ରିୟା
ଅଭିମାନୀ ପରି ଶୋଇଥାଅ ତୁମେ
ନ ପାଇବା ଯାଏ ଛୁଆଁ।

ସୁରୁଯ ଉଇଁଲେ ପ୍ରଥମ କିରଣ
ପଡ଼ଇ ଯେବେ (ତୁମ) ତନୁରେ
ଭାବ ବିହ୍ଵଳରେ ବାୟାଣୀ ପରାଏ
ହସି ଫୁଟିଥାଅ ସରେ।

ମହାଲକ୍ଷ୍ମୀଙ୍କର ପ୍ରୀତିପୁଷ୍ପ ତୁମେ
ପଦ୍ମାବତୀଙ୍କ ଜୀବନ
(ହେ)ସୁନ୍ଦରୀ ରୂପସୀ ତୁମକୁ ଦେଖିଲେ
ପୁରି ଉଠେ ମନ ପ୍ରାଣ।

ପଙ୍କଜ ସରୋଜ ନଳିନୀ ଅମ୍ବୁଜ
ବିଶେଷତା ପ୍ରତି ନାମେ
ସମୀର ପରଶେ ଲାଜେଇଲେ ତୁମେ
ଭ୍ରମର ତୁମକୁ ଚୁମେ।

ତୁମ ସରୋବରେ ମହାଲକ୍ଷ୍ମୀ ପଛେ
ଲୁଚିଥିଲା ଦୁର୍ଯ୍ୟୋଧନ
ଅମାନିଆଁ ହୋଇ ତୁମକୁ ଛାଡିଲା
ଅଚିରେ ହେଲା ନିଧନ।

ତୁମ ପତରରେ ଅନ୍ନ ପରଶିଲେ
ଖାଇବା ଲାଗେ ଆନନ୍ଦ
ତୁମ ଲାବଣ୍ୟରେ ଆଖି ରହିଗଲେ
ପିଉଥାଏ ମକରନ୍ଦ।

ପବନ ଛୁଆଁରେ ଦୋହଲି ଦୋହଲି
ଖେଳୁଥାଅ ଯେବେ ଦୋଳି
ରମ୍ଭା ମେନକାବି ସରି ହୁଅନ୍ତିନି
ବ୍ରହ୍ମାଣ୍ଡ ଯାଏ ଚହଲି।

ସଭିଙ୍କୁ ସଧିରେ ଦେଇଥାଅ ବାର୍ତ୍ତା
ଫୁଲପରି ସବୁ ହୁଅ
ଶାନ୍ତ ସ୍ନିଗ୍ଧ ହୁଅ ନିର୍ମଳ ନିଷ୍ପାପ
ହୃଦେ ପ୍ରେମ ଭରିଦିଅ।

ବଡ଼ ହେବାପାଇଁ ବଡ଼ କୁଳ ନୁହଁ
କର ବଡ଼ ଉଚ୍ଚ ମନ
ଭଲ କାମ କରି ସଭିଙ୍କ ସେବାରେ
ଦିଅ ତୁମ ମନ ପ୍ରାଣ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ