ବିଚରା ସତ୍ୟଟା

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବିଚରା ସତ୍ୟଟା ଅସତ୍ୟ ଦୁଆରେ
ହୋଇଛିରେ ଆଜି ବନ୍ଧା
ପୁଳା ପୁଳା ଦୁଃଖ ଖାଉଛି ଖୁସିରେ
ଖୁସି ପାଳୁଛି ଅରନ୍ଧା।

ସତ୍ୟକୁ ଆଦରେ କରୁଛି ଯେ ପ୍ରେମ
ହେଉଛି ଏକଘରିଆ
ଅସତ୍ୟ ମାନଙ୍କ ଅଟ୍ଟହାସ୍ୟେ ମରେ
କାନ ତା ହୁଏ ହାଲିଆ।

ସତ୍ୟକୁ ଯିଏ ବି ଦେଉଛି ସମ୍ମାନ
ପାଉଛି ସେ ଅସମ୍ମାନ
ମିଥ୍ୟାଚାରୀଙ୍କର ଚକ୍ରବ୍ୟୁହେ ପଡି
ହରାଏ ଅମୁଲ୍ୟ ପ୍ରାଣ।

ଗାନ୍ଧୀଙ୍କର ସତ୍ୟ ଅଗଣାରେ ଆଜି
ଦିଶୁନାହିଁ ତ ତୁଳସୀ
ବିଦେଶୀ ମିଥ୍ୟାଟା ବାଇଡ଼ଙ୍କ ସାଜି
ସାଜେ ଚଉଁରା କଳସୀ।

ପିତୃସତ୍ୟ ମାନି ଆଜିର ରାମଟା
ଯାଉନାହିଁ ବନବାସ
ନିଜ ଜିଦ୍ ରଖି ବୃଦ୍ଧାଶ୍ରମେ ଛାଡି
(ପୁଅ)ପିତାଙ୍କୁ କଲାଣି ଶେଷ।

ଆଜିର ଶୈବ୍ୟାଟା ସ୍ୱାମୀ ସତ୍ୟ ଶୁଣି
ପଠାଉଛି ଛାଡପତ୍ର
ରୋହିତ କହୁଛି ଚିହ୍ନିନି ବାବୁଙ୍କୁ
ନୁହଁ ମୁଁ ତାଙ୍କର ପୁତ୍ର।

ଧର୍ମ କାନ୍ଦୁଅଛି ଭୋ ଭୋ କରି
ଅନାଥ ସତ୍ୟକୁ ଦେଖି
ଅଧର୍ମ ଓ ମିଥ୍ୟା ଦୁଇ ହାତ ଧରି
ଦେଖାଅନ୍ତି ନାଲିଆଖି।

ଆଜି ଯଦି ଥାନ୍ତେ ପୂର୍ବ ନଳ ରାଜା
କାଟି କି ଥାଆନ୍ତେ ଘାସ
ସୈନ୍ୟ ସାମନ୍ତଙ୍କୁ ପଠାଇ ତୁରିତେ
କରିଥାନ୍ତେ ସର୍ବନାଶ।

ଘୃଣା ନିନ୍ଦା ଯେତେ କ୍ଷତାକ୍ତ କରନ୍ତି
ସତ୍ୟକୁ ପ୍ରତିଟି କ୍ଷଣ
ଅସତ୍ୟ ମୁରୁକି କହୁଛି ରେ ଜ୍ଞାନୀ
କୁଆଡେ ଗଲା ତୋ ଟାଣ?

ତଥାପି ସତ୍ୟଟା ସମୟ ସ୍ରୋତରେ
କରୁଛି ତା ନିତ୍ୟକର୍ମ
ଆଶା ଭରସାକୁ ହରାଉନି କେବେ
ପାଳୁଛି ତା ପୁଣ୍ୟ ଧର୍ମ।

ସମୟ ଆସିବ ଅସତ୍ୟ ହଟିବ
ହସିବ ସାରା ସଂସାର
ଧର୍ମ ନ୍ୟାୟ ତାର ସାଥେ ମିଳିଯାଇ
ରଚିବେ ସରଗ ପୁର।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ