ପ୍ରଥମ ଓଡିଆ ଇଂରାଜୀ ପଢୁଆ ଏମ.ଏ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଉତ୍କଳର ପ୍ରଥମ ଇଂରାଜୀ ପଢୁଆ ଏମ. ଏ. ଜଣେ ସଚ୍ଚା ଓଡ଼ିଆ କହିଲେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ କଣ୍ଠରୁ ଝକୃତ ହୁଏ, ଉତ୍କଳ ଗୌରବ ମଧୁସୂଦନ ଦାସ l ସେ ଆମ ସମସ୍ତଙ୍କର ପ୍ରିୟ ବୀର ପୁରୁଷ l ସେ କଟକ ଜିଲ୍ଲାର ସତ୍ୟଭାମା ପୁର ଛୋଟିଆ ଗ୍ରାମରେ 1848 ମସିହା ଅପ୍ରେଲ 28 ତାରିଖରେ ଜନ୍ମ ଗ୍ରହଣ କରି ଥିଲେ l ତାଙ୍କର ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ଥିଲା ପାର୍ବତୀ ଦେବୀ l ମଧୁସୂଦନଙ୍କର ପିଲା ଦିନର ନାମ ଥିଲା ଗୋବିନ୍ଦ ବଲ୍ଲଭ l ସେ ଗାଁ ଚାଟଶାଳୀରେ ପାଠ ପଢା ଆରମ୍ଭ କରି ଥିଲେ l ସେଠାରେ ମାଟି ବଂଶ ଅବଧାନ ମାନେ ବିଦ୍ୟା ଶିକ୍ଷା ଦେଉ ଥିଲେ l ପିଲା ମାନେ ଗୋଟିଏ ପ୍ରକାର ଖଡ଼ି ବ୍ୟବହାର କରୁ ଥିଲେ l ସେହି ଖଡିରେ ମାଟି ଉପରେ ଲେଖୁ ଥିଲେ l ସେତେବେଳେ ସିଲଟ,ଖଡ଼ି କଲମ କିମ୍ବା ଡଟପେନ ନ ଥିଲା l ଲେଖିବା ପାଇଁ ତାଳ ପତ୍ର ଓ ଲେଖନୀ ବ୍ୟବହାର କରାଯାଉ ଥିଲା l ସକାଳ ଓ ସନ୍ଧ୍ୟାରେ ଦିନକୁ ଦୁଇ ଥର ପାଠ ପଢା ଯାଉଥିଲା l ସକାଳେ ଅଙ୍କ କଷା, ମିଶାଣ, ଫେଡ଼ାଣ, ଗୁଣନ ଓ ହରଣ ଶିକ୍ଷା ଦିଅl ଯାଏ l ସନ୍ଧ୍ୟାରେ ରାମାୟଣ, ମହାଭାରତ ଓ ଭାଗବତ ପଢା ଯାଏl
ଗୋବିନ୍ଦ ବଲ୍ଲଭ ଚାଟଶାଳୀ ପାଠ ଶେଷ କରି କଟକ ଆସି ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇ ଥିଲେ l ସ୍କୁଲର ପ୍ରବେଶିକା ଖାତାରେ ତାଙ୍କର ନାମ ଗୋବିନ୍ଦ ବଲ୍ଲଭ ପରିବର୍ତ୍ତେ ମଧୁସୂଦନ ଦାସ ଲେଖା ଯାଇଥିଲା lକଟକ ହାଇ ସ୍କୁଲରୁ ସେ 1864 ଖ୍ରୀ. ଅ. ରେ ସେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ପାସ କରି ଥିଲେ l ଯାହାକୁ ଆମେ ବର୍ତ୍ତମାନ ହାଇସ୍କୁଲ ସାର୍ଟିଫିକେଟ କହୁଛୁ l ତାହା ଥିଲା ସେତେ ବେଳର ଏଣ୍ଟ୍ରାନ୍ସ ପରୀକ୍ଷା l ପାଠ ପଢିବାକୁ ତାଙ୍କର ପ୍ରବଳ ଇଛା ଥାଏ l କିନ୍ତୁ ଅର୍ଥାଭାବରୁ ସେ ପାଠ ନ ପଢି ବାଲେଶ୍ୱରରେ କିରାଣୀ ଚାକିରୀ ଟିଏ କଲେ l କିଛି ପଇସା ସଞ୍ଚୟ କରି ମଧୁବାବୁ ଉଚ୍ଚ ଶିକ୍ଷl ପାଇଁ 1866 ଖ୍ରୀ.ଅ. ରେ କଲିକତା ପଢିବା ପାଇଁ ଯାତ୍ରା କରି ଥିଲେ l
ଆଜି କାଲି ଯେପରି ବସ, ଟ୍ରକ, ରେଳ, ଉଡ଼ାଜାହାଜ ଅଛି, ସେତେ ବେଳେ ସେ ସବୁର ସୁବିଧା ନ ଥିଲା l ସେ ଚାନ୍ଦବାଲି ଠାରୁ ଧୂଆଁ କଳ ଚଳିତ ନାଆରେ କଲିକତା ଯାତ୍ରା କରି ଥିଲେ l ଅର୍ଥାଭାବ ହେତୁ କଲିକତାରେ ରହି ପାଠ ପଢିବା କଷ୍ଟ ସାଧ୍ୟ ହେଉ ଥିଲା l ଏହି ସମୟରେ ଅମ୍ବିକା ପ୍ରସାଦ ହାଜରl ନାମକ ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହ ମଧୁ ବାବୁଙ୍କର ଦେଖା ହେଲା l ମଧୁବାବୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବାରୁ ଅମ୍ବିକା ପ୍ରସାଦ ତାଙ୍କର ପଢା ଖର୍ଚ୍ଚ ସଙ୍ଘ ପାଣ୍ଠିରୁ ଅର୍ଥ ସାହାଯ୍ୟ କରି ଥିଲେ l ଇଂରାଜୀ ସାହିତ୍ୟରେ 1873 ଖ୍ରୀଷ୍ଟାବ୍ଦରେ ମଧୁବାବୁ ଏମ. ଏ. ପାସ କଲେ l ସେ ଥିଲେ ଓଡ଼ିଶାର ପ୍ରଥମ ଇଂରାଜୀ ପଢୁଆ ଏମ. ଏ. l ତା’ପରେ ସେ କଲିକତାରେ ଶିକ୍ଷକତା କରି ଥିଲେ l ଗଣିତ ଓ ଭୂଗୋଳରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା l ତେଣୁ ଛାତ୍ର ମାନେ ତାଙ୍କୁ ଶ୍ରଦ୍ଧା ଓ ଭକ୍ତି କରୁ ଥିଲେ l ନିଜର ଗୁଣ ଓ କର୍ମ ନିଷ୍ଠୁl ବଳରେ ସେ ଶ୍ରୀରାମପୁର କଲେଜରେ ଅଧ୍ୟlପକ ଭାବରେ ନିଯୁକ୍ତ ହେଲେ l ଏହି ସମୟ ମଧ୍ୟରେ ମଧୁବାବୁ କଲିକତା ବିଶ୍ୱବିଦ୍ୟାଳୟରୁ ବି. ଲ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ l
1880 ମସିହାରେ ମଧୁବାବୁ ଓଡିଶାକୁ ଫେରି କଟକରେ ଓକିଲାତି କଲେ l ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ l ଓକିଲ ମାନଙ୍କ ମହଲରେ ସେ ପ୍ରଥମେ ପ୍ରଥମେ ଓଡ଼ିଆ ଓକିଲ ବୋଲି ପରିହାସର ପାତ୍ର ହୋଇ ଥିଲେ l ସେ ଧୈର୍ଯ୍ୟ ଓ ସାହସ ଧରି ସମସ୍ତଙ୍କ କଥାକୁ ସହି ନିଜର କର୍ତ୍ତବ୍ୟରେ ମନୋନିବେଶ କରି ଥିଲେ l ନିଜର ବିଦ୍ୟା ବୁଦ୍ଧି ଓ ପ୍ରତିଭା ବଳରେ ମଧୁବାବୁ ଓକିଲ ମହଲରେ ସବୁ ଠାରୁ ଉଚ୍ଚ ସ୍ଥାନ ପାଇଥିଲେ l 1883 ଖ୍ରୀଷ୍ଟାବ୍ଦରେ ସେ ରେଭେନସା କଲେଜରେ ଥିବା l
“ଲ “କ୍ଲାସରେ ଅଧ୍ୟlପକନିଯୁକ୍ତି ପାଇଥିଲେ l ମଧୁବାବୁ କିଛି ଦିନ ପାଇଁ କଟକ ଜିଲ୍ଲା ବୋର୍ଡ଼ର ଚେୟାରମ୍ୟାନ ଓ କଳିକତା ବିଶ୍ୱବିଦ୍ୟାଳୟର ସଭ୍ୟ ରୂପେ ଗୃହୀତ ହୋଇ ଥିଲେ l 1919 ଖ୍ରୀଷ୍ଟାବ୍ଦରେ ଭାରତ ଶାସନ ଆଇନି ଅନୁସାରେ ନୂତନ ନିର୍ବାଚନରେ ନିର୍ବାଚିତ ହୋଇ ମଧୁ ଆବୁ ବିହାର – ଓଡିଶା ଲେଜିସ୍ଲେଟୀଭ କାଉନସିଲର ସଭ୍ୟ ହୋଇ ଥିଲେ l 1921 ଖ୍ରୀ.ଅ. ରେ ସରକାର ତାଙ୍କୁ ବିହାର ଓଡିଶା ମନ୍ତ୍ରୀ ମଣ୍ଡଳର ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗ ଓ ନିର୍ମାଣ ବିଭାଗ ଦାୟିତ୍ୱରେ ମନ୍ତ୍ରୀ ରୂପେ ନିଯୁକ୍ତ କରି ଥିଲେ l ମଧୁବାବୁମନ୍ତ୍ରୀ ପଦରେ ଦୁଇ ବର୍ଷ ରହି ବହୁ ଜନ ହିତ କର କାର୍ଯ୍ୟ କରି ଥିଲେ l ତାଙ୍କ ମତରେ ମନ୍ତ୍ରୀ ମାନେ ହେଲେ ଜନ ସେବକ, ଜନ ସେବା ପାଇଁ ମନ୍ତ୍ରୀ ମାନେ ଦରମା ନେବା ଅନୁଚିତ l ସରକାର ତାଙ୍କର ଏହି ପ୍ରସ୍ତାବ ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିଲେ l
ମଧୂବାବୁଙ୍କ ଚେଷ୍ଟାର ଫଳ ସ୍ୱରୂପ କଟକରେ ତାର କଷି କାମ ଦେଶ ବିଦେଶରେ ନାଁ କରିଛି l ଶିଳ୍ପର ଉନ୍ନତି ପାଇଁ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ l ଯେଉଁ ଜୋତା ଖରାପ ହୋଇ ଯାଉ ଥିଲା ଓ ଖରାପ ଚମଡ଼ାକୁ ସେ ପୋଡି ଦେଉ ଥିଲେ l ତେଣୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡୁଥିଲା l ଶେଷରେ ଜୋତା କାରଖାନା ଅର୍ଥାଭାବରୁ ବନ୍ଦ ହୋଇ ଯାଇଥିଲା l ସେ ଅନ୍ୟ ପାଖରେ ହାତ ପତେଇବାକୁ ପସନ୍ଦ କରୁ ନ ଥିଲେ l ସେ କହୁ ଥିଲେ ଆଲୋ ସଖୀ ଆପଣା ମହତ ଆପେ ରଖି l
ତାଙ୍କ ସମୟରେ ଓଡିଶା ପ୍ରଦେଶ ବୋଲି କିଛି ସୀମା ରେଖା ନ ଥିଲା l ଓଡ଼ିଶାର କେତେକ ଅଂଶ ବଙ୍ଗ ପ୍ରଦେଶରେ, କେତେକ ଅଂଶ ବିହାରରେ, କେତେକ ଅଂଶ ମାନ୍ଦ୍ରାଜରେ ଏବଂ କିଛି ଅଂଶ ମଧ୍ୟ ପ୍ରଦେଶରେ ମିଶି ରହି ଥିଲା l ଓଡିଶା କହିଲେ କଟକ, ପୁରୀ, ବାଲେଶ୍ୱର ଓ ଅନୁଗୋଳ ବୁଝାଉ ଥିଲା l ଏହାକୁ ଓଡ଼ିଶାର ଡିଭିଜନ ବୋଲି କୁହା ଯାଉଥିଲା l ବିଛିନ୍ନl ଅଞ୍ଚଳରେ ରହୁ ଥିବା ଓଡ଼ିଆ, ଓଡ଼ିଆ ନ କହି ହିନ୍ଦୀ ବଙ୍ଗାଳି ଓ ତେଲୁଗୁ ଭାଷାରେ କଥା ହେଉ ଥିଲେ l ମଧୁବାବୁ ବିଚାର କଲେ ପ୍ରଥମେ ସେ ଓଡ଼ିଆ ମାନଙ୍କୁ ଏକତ୍ର କରିବେ ଏବଂ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବେ l ତେଣୁ ସେ ବିଛିନ୍ନ ଓଡ଼ିଆ ଭାଷୀ ମାନଙ୍କୁ ଏବଂ ଓଡ଼ିଆ ବସୀ ମାନଙ୍କୁ ଏକ ଶାସନାଧୀନ କରିବା ପାଇଁ ଉଦ୍ୟମ ଆରମ୍ଭ କଲେ l ସେଥିପାଇଁ ସେ 1903 ଖ୍ରୀ. ଅ. ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ମୁମୃଶୁ ଓଡ଼ିଆଙ୍କ ପ୍ରାଣରେ ଜାତି ପ୍ରେମର ବହ୍ନି ପ୍ରଜ୍ବଳିତ କରି ଥିଲେ l ବିଭିନ୍ନ ସଭା ସମିତିରେ ଭାଷଣ ଦେଇ ଓଡ଼ିଆ ବାସୀଙ୍କ ମନରେ ଏକତାର ସୂତ୍ରପାତ୍ର କରି ଥିଲେ l ସେ ବହୁ କବିତା ଲେଖି ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରି ଥିଲେ l ସେ ତାଙ୍କ କବିତାରେ ଲେଖି ଥିଲେ :-

ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ll

ସେ ସମୟରେ ବଡ଼ଲାଟ ଥିଲେ ଲର୍ଡ଼ କର୍ଜନ l ମଧୁ ବାବୁଙ୍କ ଚେଷ୍ଟା ଓ ବଡ଼ ଲାଟଙ୍କ ଆଦେଶରେ ସମ୍ବଲପୁର ମଧ୍ୟ ପ୍ରଦେଶରୁ ଆସି ଓଡିଶା ସହିତ ମିଶିଲା l ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାକୁ ସେ ପ୍ରାଣ ପଣେ ଲାଗି ପଡି ଥିଲେ l ତାଙ୍କ ସହିତ ଯୋଗ ଦେଇ ଥିଲେ, ଉତ୍କଳମଣି ଗୋପବନ୍ଧୁ ଦାସ,ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳ କେଶବରୀ ହରେକୃଷ୍ଣନ ମହତାବ, ଲିଙ୍ଗରାଜ ପାଣିଗ୍ରାହୀ, ରାମଚନ୍ଦ୍ର ଦେବ, ବିକ୍ରମ ଦେବ, ଫକିର ମୋହନ ସେନାପତି, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଆଦି ସୁଯୋଗ୍ୟ ସନ୍ତାନ ଗଣ ନବ ଉତ୍କଳ ନିର୍ମାଣରେ ଭୂମିକା ଗ୍ରହଣ କରି ଥିଲେ l ମାତୃଭୂମି ଓ ମାତୃ ଭାଷାର ଉନ୍ନତି ପାଇଁ ମଧୁବାବୁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇ ଥିଲେ l ସୁପ୍ତ ଓଡ଼ିଆଙ୍କ ମନରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଜାତୀୟତାର ବହ୍ନି ଜାଳି ଦେଇ ଥିଲେ l ସେ ନିଃସ୍ୱାର୍ଥପର ଦେଶ ସେବକ ଥିଲେ ସଚ୍ଚା ଓଡ଼ିଆ l ତାଙ୍କ ପ୍ରଚେଷ୍ଟାର ଫଳ ସ୍ବରପ 1936 ମସିହା ଅପ୍ରେଲ ଏକ ତାରିଖ ଦିନ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଜାତୀୟ ପତାକା ଉଡିଲା l ତାଙ୍କର ସ୍ବପ୍ନ ଫଳବତୀ ହେଲା l ସେତେବେଳକୁ ସେ ନ ଥିଲେ l 1934 ମସିହା ପେବୃୟାରୀ ମାସ ଚାରି ତାରିଖ ଦିନ ଇହଲୀଳା ସମ୍ବରଣ କଲେ l ତାଙ୍କୁ ସେତେ ବେଳକୁ 86 ବର୍ଷ ବୟସ ହୋଇ ଥିଲା l ମଧୁବାବୁଙ୍କର ମର ଶରୀରକୁ ମହାନଦୀ ତଟସ୍ଥ ଗୋରା କବର ହତା ମଧ୍ୟରେ ସମାଧି ଦିଆଯାଇ ଥିଲା l
ମଧୁବାବୁ ଥିଲେ ପ୍ରେତେକ ଓଡ଼ିଆଙ୍କର ଆଦର୍ଶ l ପ୍ରତ୍ୟେକ ଉଚ୍ଚାଭିଳାଷୀ ନବ ଯୁବ ପିଢ଼ି ଅତୀତ ଗୌରବରେ ଗାରିଆନ l ଓଡ଼ିଶାର ସ୍ୱାଭିମାନ ବଜାୟ ରଖିବା ପ୍ରତ୍ୟକ ଓଡ଼ିଆଙ୍କର କର୍ତ୍ତବ୍ୟ l ଓଡ଼ିଶାର ଐତିହ, ସଂସ୍କୃତି, ପରମ୍ପରା, ସଂକୃତି, ଭାଷା, ସାହିତ୍ୟ ପ୍ରତି ଅନୁରାଗ ରଖିବା, ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଐକ୍ୟବଦ୍ଧ ହେଲେ ତାହାହିଁ ହେବ ବୀର ପୁରୁଷଙ୍କ ପାଇଁ ଯଥାର୍ଥ ସମ୍ମାନ ଓ ଭକ୍ତି ପୁଷ୍ପାଞ୍ଜଳି l

ବାସନ୍ତୀ ଲତା ଜେନା
ସା : ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର ପିନ: 764059
Mo: 8658655979

Leave a Reply

Your email address will not be published. Required fields are marked *