ମୁଁ ଏକ କନ୍ୟା – ନାରାୟଣ ସେନାପତି
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୁଁ ଏକ କନ୍ୟା
ହତଭାଗିନୀ ମୁଁ ଜଳି ଜଳି ମରେ
ବୁହାଇ ଲୁହର ବନ୍ୟା
ମା ଗରଭରେ ଆଖି ବୁଜି ଥିଲି
ଚାରିପଟେ ମହାରଥୀ
ଚକ୍ରବ୍ୟୁହ ମଧ୍ୟୁ ମୁକୁଳିବା ଆଗୁ
ଲିଭିଯାଏ ସଞ୍ଜବତୀ
ଭାଗ୍ୟବଳେ ଜୀଇଁ ହୁଏ ମୁଁ ଭୂମିଷ୍ଠ
ଦେଖେ ସଶସ୍ତ୍ର ପ୍ରହରୀ
ଅଣଦେଖା ଆଉ ହତାଦରେ ସର୍ବେ
ଖୁମ୍ପିଖାନ୍ତି ପାଶେ ଘେରି
ମୋ ଜନମ ନୁହଁ ଶୁଭ
ସଭିଏଁ କହନ୍ତି ଝିଅ ଜନମିଲେ
ବାପା ମାଆଙ୍କର ବୋଝ॥
କିଶୋରୀ ବୟସେ ଅପ୍ରାପ୍ତ ବୟସେ
ସହେ ଧର୍ଷଣ ଶୋଷଣ
ନ୍ୟାୟ ମିଳେନାହିଁ ଅନ୍ୟାୟ ସଂସାର
କରେ ଶତ ହିନିମାନ
ଜନନୀ ଭଗିନୀ ଜାୟା ଆଶା ବାନ୍ଧି
ଦୁଇକୁଳେ ସାଜେ ହିତା
ସେବା ଓ କର୍ମକୁ ଧର୍ମ ମୁଁ ଆଚରେ
ତ୍ୟାଗେ ସାଜେ ମୁଁ ସଳିତା
ଅଭିଶପ୍ତ ମୋ ଜୀବନ
ଯେଉଁ ଡାଳ ଧରେ ତାହା ଭାଙ୍ଗିଯାଏ
ଆଶା ମୋ ଶୁଷ୍କ ଶ୍ମସାନ॥
ପୁରାଣରେ ଅଛି କନ୍ୟା ମହାରତ୍ନ
କନ୍ୟାଦାନ ମହାପୁଣ୍ୟ
କଳିଯୁଗେ କନ୍ୟା କାହାର ଖେଳଣା
କାହାପାଇଁ ପାପ ଘୃଣ୍ୟ
ମୋ ବିନା ସଂସାର ସୃଷ୍ଟି ଅସମ୍ଭବ
ଭୁଲିଛି ଦୁଷ୍ଟ ମାନବ
ଅଜ୍ଞାନ ଅଧମ ଜାଣେନା ବୁଝେନା
କେବେ ବୁଡିବ ତା ନାବ
ବେଳ ଥାଉ ପାଗ ବାନ୍ଧ
କନ୍ୟାକୁ ମାରିଲେ ଅବହେଳା କଲେ
ଭବିଷ୍ୟତ ହେବ ଅନ୍ଧ॥

ନାରାୟଣ ସେନାପତି
ଜମ୍ଭରା, କେନ୍ଦୁଝର
