ଅଧୋପତନ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଭଗବାନ ସୃଷ୍ଟିରେ ପ୍ରକୃତି ଓ ପୁରୁଷ ଦୁଇଜଣ ଏକ ବିରାଟ ଅଂଶ ଗ୍ରହଣ କରନ୍ତି l ପ୍ରକୃତି ହେଉଛି ନାରୀ ରୂପକ ଦେବୀ l ନାରୀ ଆଜି ଶିକ୍ଷା, ଦୀକ୍ଷାରେ ପୁରୁଷ ଠାରୁ କୌଣସି ଗୁଣରେ କମ ନୁହେଁ l ସେହି ନାରୀ ଯଦି ଉପଯୁକ୍ତ ଶିକ୍ଷା ନ ପାଏ, ତେବେ ତାର ସୃଜନ ଶକ୍ତିର ପରି ପ୍ରକାଶ ଘଟେ ନାହିଁ l ବର୍ତ୍ତମାନ ସମାଜର କିଛି ପରିବର୍ତ୍ତନ ହୋଇଛି l ପୁଅ ଝିଅ ମଧ୍ୟରେ ପ୍ରଭେଦ କେତେକାଂଶରେ କମି ଯାଇଛି l ପିତା ମାତା ବୁଝିଲେଣି ପୁଅ ଝିଅ ଦୁହେଁ ଆମ ସନ୍ତାନ l ଉଭୟ ଉପଯୁକ୍ତ ଶିକ୍ଷା ପାଇଁ ଯୋଗ୍ୟ ହେବାର ସମାନ ଅଧିକାର ଅଛି l ଭାରତୀୟ ନାରୀ କୌଣସି ଗୁଣରେ କମ ନୁହନ୍ତି l ସେ ଏକ ସମୟରେ ଘରେ ଏକାଧିକ କାମ କରନ୍ତି l ଯଥା :-ରୋଷାଇ କରୁଥିବା ସମୟରେ କିଏ ଆସିଲେ କବାଟ ଖୋଲନ୍ତି l ଛୁଆ କାନ୍ଦିଲେ ତାକୁ ତୁନିକରାନ୍ତି l ଅତିଥି ଘରକୁ ଆସିଲେ ତାଙ୍କୁ ଚା ଜଳଖିଆ ଦିଅନ୍ତି l ଘର ପରିବାର ସମସ୍ତଙ୍କର ଦାୟିତ୍ୱ ନିଅନ୍ତି l ସକାଳ ସନ୍ଧ୍ୟାରେ ନିଜ ସନ୍ତାନ ମାନଙ୍କର ପାଠ ପଢା କଥା ବୁଝନ୍ତି l ଯେଉଁ ମହିଳା କର୍ମ ଜୀବି, ସେ ପୁରୁଷ ସହିତ ମିଶି ଅଫିସରେ କାମ କରନ୍ତି l ଅର୍ଥାତ ନାରୀ ପୁରୁଷ ଠାରୁ କୌଣସି ଗୁଣରେ ପଛୁଆ ନୁହେଁ l କଳା, ସାହିତ୍ୟ, ଦର୍ଶନ, ବିଜ୍ଞାନ, ଆବିଷ୍କାର, ଉଦ୍ଭାବନ, ନ୍ୟାୟl ଲୟ, ବିଦ୍ୟାଳୟ ଓ ପରିଚାଳନା ଆଦି ସକଳ କ୍ଷେତ୍ରରେ ଶିକ୍ଷିତା ମହିଳା ଗଣ ତୁଙ୍ଗ ପଦବୀରେ ଅଧିକାରୀ ହୋଇ ନିଜ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାଇ ଥାନ୍ତି l ନାରୀ ମାନଙ୍କର ଚିନ୍ତା ଧାରାରେ ମୌଳିକତାରେ ଅଭାବ ନାହିଁ l କର୍ତ୍ତବ୍ୟ ନିଷ୍ଠାର ଅଭାବ ନାହିଁ l କାର୍ଯ୍ୟ ଦକ୍ଷତା ଓ ସମସ୍ୟା ସମାଧାନର ଅଭାବ ନାହିଁ l

ରାଜନୀତିରେ କୌଶଳ ଓ କୂଟନୀତିରେ ଉପସ୍ଥିତ ବୁଦ୍ଧିର ଅଭାବ ନାହିଁ l ବିଚାରରେ ବିଜ୍ଞତା ଓ କର୍ମ କ୍ଷେତ୍ରରେ ସୃଜନ ଶିଳତାର ଅଭାବ ନାହିଁ l ନାରୀ କୁସୁମ ପରି କୋମଳ, ପୁଣି ଆବଶ୍ୟକ ସ୍ଥଳେ ବଜ୍ର ପରି ଟାଣ ହୋଇଥାନ୍ତି l ଶ୍ୱେତ ଦୀପର ରାଣୀ ପ୍ରଥମ ଏଲିଜl ବେଥ, ରେଡିୟମ ଆବିଷ୍କାର କର୍ତ୍ତୀ ମାଡାମ କ୍ୟୁରି, ଆମ ଦେଶର ପୂର୍ବତନ ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଭାରତର ବୁଲବୁଲ ସରୋଜିନୀ ନାଇଡ଼ୁ ଏମାନଙ୍କ ଦକ୍ଷତାର ପରିପ୍ରକାଶ ଘଟିଛି l ନାରୀ ଆଜି କୌଣସି କ୍ଷେତ୍ରରେ ପଛୁଆ ନୁହେଁ l ଖେଳ ଜଗତ, ସନ୍ତରଣ, ଉଡ଼ାଜାହାଜ ଉଡେଇବା ପ୍ରତ୍ୟେକ କାମରେ ସେ ସହଭାଗିନୀ ହୋଇ କାମ କରୁଛି l ଯେଉଁ ନାରୀ ଜଗତେ ପୂଜିତା, ସେହି ନାରୀ ବେଳେ ବେଳେ ପ୍ରତିହିଂସା ପରାୟଣ ହୋଇ ଅନ୍ୟ ଜଣେ ନାରୀର ମନ କଥା ବୁଝି ନ ପାରି ତାର ଅନିଷ୍ଠ କରି ଥାଏ l ଏହା ତ ଘର ଘରର କାହାଣୀ l ସବୁ ଘରେ ନାରୀକୁ ନେଇ କିଛିନା କିଛି ବାଦ ଵିଵାଦ ଉଠି ଥାଏ l ଛୋଟ ଛୋଟ କଥା ଯାହା ନିଜ ନିଜ ମଧ୍ୟରେ ସମାଧାନ ହୋଇ ପାରିବ, ତାହା ସ୍ୱାମୀ, ଶଶ୍ବରଙ୍କ କାନକୁ ଯାଇଥାଏ l ଛୋଟ କଥା ତାର କାୟା ବିସ୍ତାର କରି ପରିବାରରେ ଅଶାନ୍ତି ସୃଷ୍ଟି କରି ଥାଏ l ଶାଶୁ ବହୂକୁ ଝିଅ ବୋଲି ଭାବେ ନାହିଁ କି ବହୂ ଶାଶୁକୁ ମାଆ ବୋଲି ଭାବେ ନାହିଁ l ଯଦ୍ୱାରା କି ମାନ ଅଭିମାନ ଲାଗି ରହେ l କେହି କାହା ସହିତ ମନ ଖୋଲି କଥା ବାର୍ତ୍ତା କରନ୍ତି ନାହିଁ l ପରସ୍ପରର ବୁଝାମଣାର ଅଭାବ ଯୋଗୁଁ ଏହି ପରି ଘଟି ଥାଏ l

ବେଳେ ବେଳେ ଦେଖା ଯାଏ ବହୂ ଉଚ୍ଚ ଶିକ୍ଷିତା ହୋଇ କର୍ମ ଜୀବି ହୋଇଥିଲେ, ସେ ଘରର ସବୁ ଦାୟିତ୍ୱ ତୁଲାଇବାକୁ ଅକ୍ଷମ ହୋଇ ଥାଏ l ନିର୍ଦ୍ଦିଷ୍ଟ ସମୟ ଭିତରେ ସେ ଯେତିକି ପାରେ ସେତିକି କରେ l ବାକି କାମ ଶାଶୁ ନଣନ୍ଦ ଯଦି ଖୁସି ଖୁସିରେ କରି ଦିଅନ୍ତି, ତେବେ କିଛି କଥା ନାହିଁ l ସେ ସମୟରେ ଯଦି ଶାଶୁ ନଣନ୍ଦ କହନ୍ତି ବହୂ କିଛି କାମ ନ କରି ଭ୍ୟାନିଟି ବ୍ୟାଗ ଧରି ଅଫିସ ପଳାଉଛି l ଆମେ ମାଆ ଝିଅ ଦୁଇଟା କାମ କରି କରି ମରୁଛୁ l ଶାଶୁ କହେ, କି ବହୂ ଆଣିଥିଲି ଯେ କେଉଁ ଗୁଣକୁ ନାହିଁ l ଏ କଥା ଯଦି ବହୂ ଶୁଣେ ସେ ଦୁଃଖିତ ହୁଏ l ଏ କଥା ଯଦି ସେ ବାରମ୍ବାର ଶୁଣେ, ତା ମନରେ କ୍ରୋଧ ଉତ୍ପନ ହୁଏ l ସେ ମଧ୍ୟ ଦୁଇ ପଦ ନ କହି ଛାଡେ ନାହିଁ l ତେଣୁ ଘର ବାତାବରଣ କଳୁଷିତ ହୋଇ ଯାଏ l ଏ କ୍ଷେତ୍ରରେ ଶାଶୁ ବୁଝିବା ଦରକାର, ବହୂ କିଛି କାମ କରି ଅଫିସ ଯାଉଛି l ଆମ ପାଇଁ ଚା ଜଳଖିଆ କରି ଦେଇଛି l ବାକି କାମ ଆମେ ମିଳି ମିଶି କରିନେବା l ତେବେ ଘରେ ଶାନ୍ତି ବିରାଜିବ l ଛୋଟ କଥାକୁ ନେଇ ଆଉ ମହାଭାରତ ସୃଷ୍ଟି ହେବ ନାହିଁ l ବେଳେ ବେଳେ ଦେଖା ଯାଏ, ଏହି ଶାଶୁ ବହୂ କଳିରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସି ଯାଏ l ଏପରି କି ଛଡା ଛଡ଼ି ହେବା ପଯ୍ୟନ୍ତ କଥା ଯାଏ ବା କେତେକ କ୍ଷେତ୍ରରେ ଛଡାଛଡି ମଧ୍ୟ ହୋଇ ଯାଆନ୍ତି l ସେ ପରିବାର ଉନ୍ନତି ପଥରେ ଗତି କରିବା ପରିବର୍ତ୍ତେ ଅଧୋପତନ ଘଟେ l କେତେକ ଘରେ ବହୂ ତା ଶାଶୁକୁ କହେ, ମୋ ସ୍ୱାମୀ ଯେଉଁ ଟଙ୍କା ରୋଜଗାର କରୁଛି ସେ ସବୁ ମୋର l ତୁମର ସେଥିରେ କିଛି ଅଧିକାର ନାହିଁ l ତେଣୁ ଶାଶୁ ବହୂ ମଧ୍ୟରେ ମନୋମାଳିନ ଘଟେ l ଝଗଡା ସୃଷ୍ଟି ହୁଏ l ଶତ୍ରୁତା ବୃଦ୍ଧି ପାଏ l ଆଉ କେତେକ କ୍ଷେତ୍ରରେ ଯୌତୁକ ଟଙ୍କା ପାଇଁ ବା କିଛି ଜିନିଷ ଆଣିବା ପାଇଁ ଶାଶୁ ବହୂକୁ କହେ l ବହୂ ବାପାଙ୍କର ବାରମ୍ବାର ଯୌତୁକ ଦେବାର କ୍ଷମତା ନ ଥିଲେ ବହୁ ଉପରେ ଶାଶୁ ନଣନ୍ଦ ସମସ୍ତେ ମିଶି ଅତ୍ୟାଚାର କରନ୍ତି l ଅତଏବ ନାରୀ ସହିତ ନାରୀର ସମ୍ପର୍କ ବିଗିଡି ଯାଏ l କେତେକ କ୍ଷେତ୍ରରେ ବିବାହିତ ପୁରୁଷ ଯଦି ଅନ୍ୟ ନାରୀ ସହିତ ଦୈହିକ ସମ୍ପର୍କ ରଖେ, ତେବେ ନାରୀ ନାରୀର ଶତ୍ରୁ ହୁଏ l ବିଂଶ ଶତାଦ୍ଧିରେ ମଧ୍ୟ କେତେକ ଘରେ ଝିଅ ଜନ୍ମ ହେଲେ ପ୍ରଥମେ ମାର ମୁଖ ଶୁଖି ଯାଏ l କାରଣ :ସେ ପୁଅ ପାଇଁ ଆଶା ରଖି ଥାଏ l

ପୁରୁଷ ସମାଜରେ ନାରୀ ଯଦି ନାରୀକୁ ସମ୍ମାନ ନ ଦେବ ତେବେ ନାରୀର ସମ୍ମାନ କିପରି ରହିବ ? ତେଣୁ ଲୋକ ମୁଖରୁ ଶୁଣି ବାକୁ ମିଳେ ସ୍ଵଜାତି ପରମ ହିଂସୁଙ୍କ l ନାରୀ ପାଇଁ ମହା ଭାରତ ସୃଷ୍ଟି, ନାରୀ ପାଇଁ ରାମାୟଣ ସୃଷ୍ଟି, ଯେଉଁଠି ହିଂସା, ଦ୍ୱେଷ, ପରଶ୍ରୀ କାତରତା ସ୍ଥାନ ପାଏ, ସେଠାରୁ ଶୁଖ ଶାନ୍ତି ଦୂରେଇ ଯାଏ l ତେଣୁ ହେ ବିଦ୍ୱେଷୀ ନାରୀ, ନିଜର କ୍ରୋଧକୁ ସମ୍ଭାଳି ନିଅ l ଘରେ ହେଉ କି ବାହାରେ ହେଉ କେହି ଯେପରି ନ କହନ୍ତି ନାରୀ ପାଇଁ ଆଜି ନାରୀର ଅଧୋପତନ ଘଟିଲା l ଏ ଅପବାଦରୁ ନିଜକୁ ଦୂରେଇ ରଖ l ସବଂସହl ଧରଣୀ ଭଳି ସବୁ ସହି ନିଅ l ଜଗତରେ ତୁମ ନାମର ପ୍ରତିଛବି ଛାଡ଼ି ଯାଅ l ନାରୀ ନାରାୟଣୀ, ନାରୀ ସୃଜନ କାରିଣୀ, ନାରୀ ରୁଦ୍ରାଣୀ, ନାରୀ ସ୍ନେହ ମୟୀ, ନାରୀ ମମତାମୟୀ, କେହି ଯେପରି ନ କହୁ ନାରୀ ପରିବାର ଧ୍ଵଂଶ କାରିଣୀ l

ବାସନ୍ତୀ ଲତା ଜେନା
ସା :ଗାନ୍ଧିନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର, ପିନ କୋଡ଼ :
764059
ମୋ : 8658655979

Leave a Reply

Your email address will not be published. Required fields are marked *