ରାଜା ହରିଶ୍ଚନ୍ଦ୍ରଙ୍କୁ ମହର୍ଷି ବିଶ୍ଵାମିତ୍ରଙ୍କ ପ୍ରାର୍ଥନା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହରବୀଜଙ୍କ ଅନ୍ତେ ତାଙ୍କ ପୁତ୍ର ହରିଶ୍ଚନ୍ଦ୍ର ଅଯୋଧ୍ୟାର ରାଜା ହୋଇ ପ୍ରଜାମାନଙ୍କୁ ପୁଅ ପରି ପାଳିଲେ । ବାହୁବଳରେ ହରିଶ୍ଚନ୍ଦ୍ର ପୃଥିବୀ ଜୟ କଲେ । ହରିଶ୍ଚନ୍ଦ୍ର ଥିଲେ ପରମ ଧାର୍ମିକ । ସେ ଥିଲେ ଦୟାବନ୍ତ ଦାନଶୀଳ । ଦୀନ ଦୁଃଖୀମାନଙ୍କୁ ସେ ସର୍ବଦା ଦାନ କରୁଥିଲେ । ରାଜା ସୋମଦତ୍ତଙ୍କର ଗୋଟିଏ ଝିଅ ଥିଲା । ସେହି ଝିଅଟିର ନାମ ଶୈବ୍ଯା । ଶୈବ୍ଯାକୁ ହରିଶ୍ଚନ୍ଦ୍ର ବିବାହ କରିଥିଲେ । ହରିଶ୍ଚନ୍ଦ୍ରଙ୍କ ଔରସରେ ଶୈବ୍ଯାଙ୍କ ଗର୍ଭରୁ ପୁଅଟିଏ ଜାତ ହୋଇଥିଲା । ପୁଅଟିର ନାମ ରୋହିତାଶ୍ବ । ଦିନେ ରାଜା ହରିଶ୍ଚନ୍ଦ୍ର ମୃଗୟା କରିବା ପାଇଁ ଘୋଡାଚଢି ଏକାକୀ ଅରଣ୍ୟକୁ ଯାଇଥିଲେ । ଏକ ତପୋବନର ନିକଟବର୍ତ୍ତୀ ହୁଅନ୍ତେ ଶୁଣିବାକୁ ପାଇଲେ ନାରୀକଣ୍ଠର କାତର ଧ୍ବନି । ଗୋଟିଏ ନାରୀର ନୁହେଁ, ଏକାଧିକ ନାରୀଙ୍କର । ସେହି ଧ୍ବନିରେ ସେ ଶୁଣିବାକୁ ପାଇଲେ – ହେ ରାଜା ହରିଶ୍ଚନ୍ଦ୍ର , ରକ୍ଷାକର, ରକ୍ଷାକର । ଶୁଣୁଶୁଣୁ ହରିଶ୍ଚନ୍ଦ୍ର ସେହି ଦିଗକୁ ଘୋଡା ଛୁଟାଇ ଦେଲେ । ସେଠାକୁ ଯାଇ ସେ ଦେଖିଲେ ଲତାଜାଲ ମଧ୍ୟରେ ତିନିଜଣ ରମଣୀ ବନ୍ଧା ହୋଇଛନ୍ତି ଓ ସେହି ନାରୀତ୍ରୟଙ୍କ ନିକଟରେ ଜଣେ ସନ୍ନ୍ୟାସୀ ବସି ହୋମ କରୁଛନ୍ତି । ହରିଶ୍ଚନ୍ଦ୍ର ଭାବିଲେ ସମ୍ଭବତଃ କୋୖଣସି ରାକ୍ଷସ ଏମାନଙ୍କୁ ବାନ୍ଧିଛି ଓ ମୋତେ ଦେଖି କେଉଁଠି ଲୁଚି ରହିଛି । ଏହାଭାବି ହରିଶ୍ଚନ୍ଦ୍ର ନିଜର ଖଣ୍ଡାଦ୍ବାରା ସେହି ନାରୀମାନଙ୍କର ବନ୍ଧନରଜ୍ଜୁ କାଟିଦେଲେ । ସେହି ନାରୀ ତିନିଜଣ ମୁକ୍ତି ପାଇ ଆନନ୍ଦରେ ପଳାୟନ କଲେ ।

ସେହି ଯେ ସନ୍ନ୍ୟାସୀ ସେଠାରେ ବସି ହୋମ କରୁଥିଲେ ପ୍ରକୃତରେ ସେ ହେଉଛନ୍ତି ମହର୍ଷି ବିଶ୍ବାମିତ୍ର । ହରିଶ୍ଚନ୍ଦ୍ର ତାଙ୍କୁ ସେଠି ହଠାତ୍ ଚିହ୍ନିପାରି ନ ଥିଲେ । ହରିଶ୍ଚନ୍ଦ୍ର ନାରୀତ୍ରୟଙ୍କୁ ବନ୍ଧନମୁକ୍ତ କରି ଛାଡିଦେବାର ଦେଖି ଋଷି ବିଶ୍ବାମିତ୍ର କ୍ରୋଧରେ ହୋମଦ୍ରବ୍ଯସବୁ ଫୋପାଡିଦେଇ ହସ୍ତରେ ଜଳଧରି ହରିଶ୍ଚନ୍ଦ୍ରଙ୍କୁ ଅଭିଶାପ ଦେବାକୁ ବାହାରିଲେ । ତାହାଦେଖି ହରିଶ୍ଚନ୍ଦ୍ର ପହଞ୍ଚିଯାଇ ଚିହ୍ନିପାରିଲେ ଯେ ସେ ହେଉଛନ୍ତି ମହର୍ଷି ବିଶ୍ବାମିତ୍ର । ସଙ୍ଗେ ସଙ୍ଗେ ହରିଶ୍ଚନ୍ଦ୍ର ବିଶ୍ବାମିତ୍ରଙ୍କ ପାଦତଳେ ପଡିଯାଇ ଅଭିଶାପ ନ ଦେବା ପାଇଁ ହାତଯୋଡି ପ୍ରାର୍ଥନା କଲେ । ହଠାତ୍ ଚିହ୍ନିପାରିଲେ ନାହିଁ ବୋଲି କହିଲେ । ଅତୀବ କ୍ରୋଧରେ ବିଶ୍ବାମିତ୍ର ଗର୍ଜନକରି କହିଲେ-ରେ ରେ ଅଜ୍ଞାନ ଧନଗର୍ବୀ,ଧନ ଗର୍ବରେ ତୁ ଉନ୍ମତ୍ତ ହୋଇଛୁ । ତେଣୁ ତୁ ମୋତେ ଚିହ୍ନିଥାନ୍ତୁ କିପରି ? ସପ୍ତଦ୍ବୀପା ପୃଥିବୀକି ଜୟକରି ତୁ ଗର୍ବରେ ଜ୍ଞାନ ହରେଇ ବସିଛୁ । ଏହି ସ୍ଥାନରେ ମୁଁ ଗୋପନରେ ରହି ସତ୍ତ୍ବରଜତହ ବିଦ୍ଯା ସାଧନ କରୁଥିଲି । ସେଥିପାଇଁ ଆବଶ୍ୟକତା ଥିବାରୁ ମୁଁ ସେହି ନାରୀ ତିନିଜଣଙ୍କୁ ବାନ୍ଧି ରଖିଥିଲି । କାହିଁକି ତୁ ସେମାନଙ୍କ ବନ୍ଧନରଜ୍ଜୁ କାଟିଦେଲୁ ମୋତେ ବତା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ