ବର୍ଷା – ବାସନ୍ତୀଲତା ଜେନା
ଆକାଶେ ଭାସିଲା କଳା ବଉଦ ଲୋ
ସୂର୍ଯ୍ୟ କାହିଁ ଲୁଚି ଗଲା
ଟୁପୁରୁ ଟୁପୁରୁ ମେଘ ବରଷିଲା
ଦାଣ୍ଡ ଓଦା ହୋଇ ଗଲା ll
ପବନ ବହିଲା ସୁ -ସୁ ଶବ୍ଦ କରି
ବିଜୁଳି ରାଣୀ ହସିଲା
ଘଡ ଘଡି ଶବ୍ଦ ଛାତିରେ ଚମକ
କାନ ତଡା ହୋଇ ଗଲା ll
ମେଘ ବରଷଇ ଝର ଝର ହୋଇ
ଓଳିରୁ ପାଣି ପଡିଲା
ପାଣିର ଫୋଟକା ଫୁଟି ଭାସି ଯାଏ
କ୍ଷେଣକେ ତାହା ଲିଭିଲା ll
ଝର ଝର ବର୍ଷା ଲାଗି ରହି ଥିଲେ
ନଈରେ ବଢ଼ଇ ପାଣି
ସାରୁ ବୁଦା ମୂଳେ ରଡି ଛାଡ଼ି ଥାନ୍ତି
ବେଙ୍ଗ ଓ ବେଙ୍ଗୁଲି ରାଣୀ ll
ନୂଆ ପାଣି ପାଇ ପଲ୍ଲବିତ ହୁଏ
ବୃକ୍ଷ ଲତା ତରୁ ଗଣ
ଶୁଷ୍କ ମରୁଭୂମି ଦୁର୍ବାଦଳେ ହସେ
ସାଧବ ବହୂ ସମାନ ll
ନାଲି ଗୁଲୁ ଗୁଲୁ ପାଟ ଶାଢ଼ୀ ପିନ୍ଧି
ସାଧବ ବହୂ ଚାଲିଲା
ମୁଣ୍ଡରେ ଓଢଣା ଟାଣି ଦେଇ ସିଏ
କାଖେ କଳସୀ ଧରିଲା ll
ଛୋଟ ପିଲା ମାନେ ପାଣି ସୁଅ ମଧ୍ୟେ
ଭସାନ୍ତି କାଗଜ ଡ଼ଙ୍ଗା
ମନ ଆନନ୍ଦରେ ଗୀତ ଗାଇ ଥାନ୍ତି
ଭାସି ଯା କାଗଜ ଡ଼ଙ୍ଗା ll
ଡ଼ଙ୍ଗା ଭାସି ଭାସି ଆଗକୁ ଚାଲିଲା
ନୂଆ ସାଥି ଭେଟ ହେଲା
ଆଷାଢ଼ ଶ୍ରାବଣ ବର୍ଷା ମାସ ଦୁଇ
ମନ ଖୁସିରେ ନାଚିଲା ll
କୃଷକର ମନ ହସରେ ଭରିଲା
ବିଲେ ଦେଖି ବର୍ଷା ପାଣି
ମନ ଆନନ୍ଦରେ ଚାଷ କରିବ ସେ
ବିହନ ଦେଇଛି ବୁଣି ll

ବାସନ୍ତୀ ଲତା ଜେନା, ଗାନ୍ଧିନଗର
ନବରଙ୍ଗପୁର, ମୋ :8658655979
