ରାଜା ପ୍ରାଚୀନବହିଙ୍କୁ ନାରଦଙ୍କ ଉପଦେଶ

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଧ୍ରୁବଙ୍କର ବଂଶଧର ଜଣେ ରାଜା ରାଜ୍ୟ ଶାସନ କରୁଥିଲେ । ତାଙ୍କର ନାମ ଥିଲା ପ୍ରାଚୀନବହି । ସ୍ବର୍ଗଲାଭ କାମନା କରି ସେ ଯାଗଯଜ୍ଞ ଅନୁଷ୍ଠାନରେ ବହୁ ପଶୁବଳି ଦେଉଥିଲେ । ଦିନେ ଦେବର୍ଷି ନାରଦ ତାଙ୍କ ନିକଟରେ ଉପସ୍ଥିତ ହୋଇ ପଶୁବଳିରୁ ନିବୃତ୍ତ ହେବା ନିମନ୍ତେ ରାଜାଙ୍କୁ ଉପଦେଶ ଦେବା ଛଳରେ ଏକ କାହାଣୀ ଶୁଣାଇଥିଲେ । କାହାଣୀଟି ହେଲା: ବହୁକାଳ ପୂର୍ବେ ପୁରଞ୍ଜନ ନାମରେ ଜଣେ ରାଜା ରାଜ୍ୟ ଶାସନ କରୁଥିଲେ । ସେ ତାଙ୍କ ରାଜ୍ଯରେ ଏକ ଅତି ମନୋରମ ରାଜଧାନୀ ନଗରୀର ସନ୍ଧାନରେ ଥିଲେ । ଅନେକ ଦିନ ଖୋଜାଖୋଜି କରିବା ପରେ ଏକ ନଵଦ୍ବାରବିଶିଷ୍ଟ ନଗରୀ ତାଙ୍କର ଦୃଷ୍ଟିଗୋଚର ହେଲା । ନଗରୀ ମଧ୍ଯରେ ସୁନ୍ଦର ଅଟାଳିକା ଓ ଫୁଲ ବଗିଚା ଦେଖି ରାଜା ମୁଗ୍ଧ ହୋଇଗଲେ । ସେ ସେଇ ନଗରୀରେ ଅବସ୍ଥାନ କରିବାକୁ ସ୍ଥିରକଲେ । ଦିନେ ନଗରୀ ମଧ୍ଯରେ ଭ୍ରମଣ କରୁ କରୁ ରାଜା ପୁରଞ୍ଜନ ଏକ ପରମା ସୁନ୍ଦରୀ ଯୁବତୀଙ୍କୁ ଦେଖି ତା ପ୍ରତି ଆକର୍ଷିତ ହେଲେ ଏବଂ ତା ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଏହି ସୁନ୍ଦରୀ ରମଣୀ ହିଁ ଥିଲା ତାଙ୍କର ସବୁକିଛି । ରାଜା ଭୋଗସୁଖରେ ମତ୍ତ ହୋଇ ରାଜ୍ୟ ଶାସନ କଥା ଭୁଲି ଯାଇଥିଲେ । କାଳକ୍ରମେ ରାଜାଙ୍କର ଅନେକ ଗୁଡିଏ ପୁତ୍ରକନ୍ଯା ଜନ୍ମ ହୋଇଥିଲେ । ସବୁଦିନ ସମାନ ନ ଥାଏ । ପୁରଞ୍ଜନ ଯେତେବେଳେ ଭୋଗ ସୁଖରେ ଆକଣ୍ଠମଗ୍ନ,ସେତେବେଳେ ଦିନେ ଗନ୍ଧର୍ବପତି ଚଣ୍ଡବେଗ ନଗରୀ ଉପରେ ଆକ୍ରମଣ କଲେ । ତାଙ୍କ ସହିତ ରହିଥିଲେ ୩୬୦ ଜଣ ଗନ୍ଧର୍ବ ଓ ସେମାନଙ୍କ ପତ୍ନୀ । ଚଣ୍ଡବେଗର ଆକ୍ରମଣରେ ପୁରଞ୍ଜନଙ୍କର ଆକର୍ଷଣୀୟ ରାଜଧାନୀ ନଗରୀଟି ଧ୍ବସ୍ତବିଧ୍ବସ୍ତ ହୋଇଗଲା । ଏତିକି ବେଳେ ଜଣେ ଯାଦୁକର ଆସି ରାଜା ପୁରଞ୍ଜନଙ୍କୁ ଯାଦୁବଳରେ ନେଇଯାଇ ଏକ ରୂପସୀ ରମଣୀରେ ପରିଣତ କରିଦେଲା । ପୁରଞ୍ଜନଙ୍କର ପୂର୍ବସ୍ମୃତି ଲୋପ୍ ପାଇଗଲା । ସେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ ତାଙ୍କର ବିଷୟ-ବିଭବ,ପତ୍ନୀ ଓ ପୁତ୍ରକନ୍ଯାଙ୍କୁ । ମଳୟଧ୍ବଜ ନାମରେ ଜଣେ ରାଜା ଏଇ ସୁନ୍ଦରୀ ରମଣୀଙ୍କୁ ବିବାହ କଲେ କିନ୍ତୁ ରାଜା କିଛିଦିନ ପରେ ମୃତ୍ଯୁବରଣ କଲେ । ପୁରଞ୍ଜନ ନାରୀ ରୂପରେ ରାଣୀ ଥିବା ଅବସ୍ଥାରେ ବିଧବା ହେଲେ । କୁଳର ପ୍ରଥା ଅନୁଯାୟୀ ତାଙ୍କୁ ସ୍ବାମୀଙ୍କ ଚିତାରେ ଝାସ ଦେଇ ମରିବାକୁ ହେବ । ଚିତା ପ୍ରସ୍ତୁତ ହେଲା । ରାଣୀ(ପୁରଞ୍ଜନ)ସହ-ମରଣ ଗ୍ରହଣ କରିବାକୁ ଯାଉଛନ୍ତି, ଏହି ସମୟରେ ଜଣେ ସୌମ୍ଯକାନ୍ତି ବ୍ରାହ୍ମଣ ସେଠାରେ ଉପସ୍ଥିତ ହୋଇ କହିଲେ ହେ ରାଜା ପୁରଞ୍ଜନ ! ତୁମେ ଏ କଅଣ କରିବାକୁ ଯାଉଛ ? ତୁମେ କଅଣ ନିଜକୁ ସମ୍ପୂର୍ଣ୍ଣ ରୂପେ ଭୁଲିଗଲ ? ତୁମେ ସ୍ତ୍ରୀଲୋକ ନୁହଁ । ତୁମେ କାହିଁକି ମୃତ ବ୍ଯକ୍ତି ସହିତ ଚିତାରେ ମରିବାକୁ ଯାଉଛ ? ତା’ ସହିତ ତୁମର କୌଣସି ସମ୍ପର୍କ ନାହିଁ । ତୁମେ ହେଉଛ ରାଜା ପୁରଞ୍ଜନ । ତୁମେ ଓ ମୁଁ ବହୁଦିନର ପୁରାତନ ବନ୍ଧୁ । ପୂର୍ବଜନ୍ମରେ ଆମେ ଦୁହେଁ ମାନସ ସରୋବର ମଧ୍ଯରେ ଦୁଇଟି ହଂସ ରୂପେ ବିଚରଣ କରୁଥିଲେ । ତୁମେ ମୋତେ ଭୁଲି ଯାଇଛ । ବନ୍ଧୁର କଥା ଶୁଣି ପୁରଞ୍ଜନଙ୍କର ଧୀରେ ଧୀରେ ଚୈତନ୍ୟ ଉଦୟ ହେଲା ଏବଂ ସେ ପୂର୍ବସ୍ମୃତି ଫେରି ପାଇବା ସଙ୍ଗେ ସଙ୍ଗେ ପୂର୍ବର ପୁରୁଷ ରୂପ ମଧ୍ଯ ଫେରିପାଇଲେ ।

ନାରଦମୁନି ଉପାଖ୍ଯାନଟିର ଆରମ୍ଭରେ ରାଜା ପ୍ରାଚୀନବହିଙ୍କୁ ଶୁଣାଇଥିବା କାହାଣୀଟି ଖୁବ୍ ଅର୍ଥପୂର୍ଣ୍ଣ ଥିଲା । ଏହାର ବ୍ଯାଖ୍ଯା କରିବା ନିମନ୍ତେ ରାଜା ନାରଦ କହିଲେ, ହେ ରାଜନ୍, ପୁରଞ୍ଜନ ହେଉଛନ୍ତି ଜୀବ ଏବଂ ତାଙ୍କର ପରମ ବନ୍ଧୁ ବ୍ରାହ୍ମଣ ହେଉଛନ୍ତି ଈଶ୍ବର । ଯେଉଁ ସୁନ୍ଦରୀ ରମଣୀ ମୋହରେ ପଡି ରାଜା ତାଙ୍କୁ ବିବାହ କରିଥିଲେ, ସେ ହେଉଛନ୍ତି ଦୁର୍ବୁଦ୍ଧି । ପୁରଞ୍ଜନଙ୍କର ନଗରୀର ଦ୍ବାର ଗୁଡିକର ସଂଖ୍ଯା ନଅଟି । ପ୍ରତ୍ୟେକ ମନୁଷ୍ୟର ଶରୀରରେ ଯେଉଁ ନବଦ୍ବାର ରହିଛି, ତାହା ହେଉଛି, ଦୁଇ ଆଖି,ଦୁଇ ନାକପୁଡା,ଦୁଇ କାନ,ଗୋଟିଏ ପାଟି, ଗୋଟିଏ ମଳଦ୍ବାର ଓ ଗୋଟିଏ ମୁତ୍ରଦ୍ବାର । ୩୬୦ ଜଣ ଗନ୍ଧର୍ବ ଓ ଗନ୍ଧର୍ବୀ ହେଲେ ୩୬୦ ଦିନ ଓ ରାତି । ଚଣ୍ଡବେଗର ଅର୍ଥ ମହାକାଳ,ଯାଦୁକରର ଅର୍ଥ ମୃତ୍ଯୁ ଏବଂ ହଂସ ଦୁଇଟି ହେଲେ ଜୀବାତ୍ମା ଓ ପରମାତ୍ମା । ଜୀବାତ୍ମା ଓ ପରମାତ୍ମା ଦୁଇଜଣ ପରମବନ୍ଧୁ । ଅନ୍ତରାଳରେ ରହିଥିବାରୁ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ତେବେ ଜୀବ ବିପଦରେ ପଡିଲେ ଏବଂ ଭୋଗବାସନାରେ ଲିପ୍ତ ରହି ଦିଗହରା ହେଲେ,ତାକୁ ପଥ ଦେଖାଇବା ପାଇଁ ସେ ଧାଇଁ ଆସନ୍ତି । ଜୀବାତ୍ମା ନିଜର କର୍ମଫଳ ଯୋଗୁଁ କେତେବେଳେ ସୁଖ ଭୋଗ କରେ ତ କେତେବେଳେ ଦୁଃଖ ଭୋଗ କରେ । ‘ମୁଁ-ମୋର’ ଏହି ଅହଂକାର ଯୋଗୁଁ, ଜୀବ କର୍ମ ବନ୍ଧନରେ ପଡିଯାଏ ଏବଂ ଏହାର ଫଳସ୍ବରୂପ ଜନ୍ମ-ମରଣର ଚକ୍ରରେ ପଡି ଘୋର ଦୁଃଖ ଯନ୍ତ୍ରଣା ଭୋଗ କରେ । ଜୀବର ମୋହ ତୁଟିଗଲେ ,ଦୁଃଖର ଅବସାନ ହୁଏ । ଶେଷରେ ରାଜା ପ୍ରାଚୀନବହିଙ୍କୁ ନାରଦ କହିଲେ,ହେ ରାଜନ୍ ,ତୁମେ ଆସକ୍ତି ତ୍ଯାଗ କର । ହିଂସାରୁ ବିରତ ହୁଅ । ପଶୁବଧ କରି ଯଜ୍ଞାନୁଷ୍ଠାନ ଦ୍ବାରା ସ୍ବର୍ଗଲାଭ କାମନା ତ୍ଯାଗ କର । ଏହା ଦ୍ବାରା ତୁମର ଆଦୌ ମଙ୍ଗଳ ହେବ ନାହିଁ । ସେହି କର୍ମ ହେଉଛି ସତ୍କର୍ମ,ଯାହା ଦ୍ବାରା ଶ୍ରୀହରି ସନ୍ତୁଷ୍ଟ ହୁଅନ୍ତି । ସେହି ବିଦ୍ଯା ହେଉଛି ପ୍ରକୃତ ବିଦ୍ଯା,ଯାହା ଲାଭ କଲେ ଶ୍ରୀହରିଙ୍କ ଠାରେ ଚିତ୍ତ ସମାହିତ ହୁଏ । ସର୍ବଶକ୍ତିର ଆଧାର ଶ୍ରୀହରି ହେଉଛନ୍ତି ମନୁଷ୍ୟର ଏକମାତ୍ର ଆଶ୍ରୟ ଓ ତ୍ରାଣକର୍ତ୍ତା । ସେ ହେଉଛନ୍ତି ମନୁଷ୍ୟର ହିତକାଂକ୍ଷୀ ଓ ଅତି ଆପଣାର । ଯେଉଁ ମନୁଷ୍ୟ ଏହି ତତ୍ତ୍ବକୁ ଜାଣିପାରେ ସେ ହିଁ ପ୍ରକୃତ *ବିଦ୍ବାନ* ।

ସଂଗ୍ରହକାରୀ-କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ