ଚେଙ୍ଗ ବଗ ଆଉ ମେଘ – ବାମନ ଚନ୍ଦ୍ର ଦୀକ୍ଷିତ

ବଗୁଲା ବଗୁଲୀ ବସି
ଥଂଟ ରେ ଥଂଟ କୁ ଘଷି
ପୋଖରୀ ଭିତରେ ଖୋଜୁଛନ୍ତି ଟୋପେ
ତଂଟି ତ ଗଲାଣି ଶୁଖି।

ବଗୁଲା କହିଲା ଧିରେ
କାତର ଆତୁର ସ୍ୱରେ
ଏ ସନ ବରଷା ଆସିବନି କି ଲୋ
ମନେ ମୋ ଆଶଙ୍କା ଭରେ।

ବଗୁଲୀ ବିକଳ ଅତି
ମୁଣ୍ଡ ନୁଏଇଁ ବସିଛି
ଶୋଷ ରେ ଆକୁଳ ତାଳୁ ଶୁଖିଲାଣି
କହି ପାରୁନାହିଁ କିଛି।

ଚେଙ୍ଗ ମାଛ କାହିଁ ଥିଲା
ଡେଇଁ ଡେଇଁକା ଆସିଲା
ବଗୁଲାକୁ କହେ ଡରି ଡରିକା ସେ
ଭାଇ ଭାଉଜର କ’ଣ ହେଲା।

ବେକ କୁ ଉଠେଇ ବଗ
ଚାହିଁଲା ରାଗ ରେ ଆଗ
ଦେଖିଲା ଚେଙ୍ଗ ଟା ଡ଼ଉଲ ଡାଉଲ
ଥଂଟ ରେ ଧରିଲା ବେଗ।

ଭାବିଲା ଦେବ କି ଖାଇ
ତାକୁ ତ ଛାଡିବ ନାହିଁ
ପାଣି ଟୋପେ ନାହିଁ ଗଳା ଶୁଖିଲାଣି
ଗିଳିି ବି ପାରିବ ନାହିଁ।

କହିଲା ରେ ଭାଇ ଚେଙ୍ଗ
କିଛି ଉପାୟ କର ତୁ ଆଗ
ପାଣି ଟୋପେ ପାଇଁ ଜୀବନ ଯାଉଛି
କୁଆଡେ ଗଲା ରେ ମେଘ।

ପୋଖରି ଟା ସାରା ପଙ୍କ
ପାଣି ଟୋପେ କାହିଁ ଦେଖ
ବଗୁଲୀ ଟା ହୁଏ ଆଉଟୁ ପାଉଟୁ
ମିଳୁନାହିଁ କିଛି ବାଟ।

ଚେଙ୍ଗ କହିଲା ରେ ଭାଇ
ମୋତେ ତଳକୁ ଦେ ପକେଇ
ଥୟ ଧରି ଦଣ୍ଡେ ବସିକି ଦେଖୁ ଥା
ପାଣି ଆଣି ଦେବି ମୁହିଁ।

ବଗୁଲା ହେଲା ଚକିତ
ଖୋଲି ଦେଲା ତାର ଥଂଟ
ଥଂଟ ରୁ ଚେଙ୍ଗ ଟା ତଳକୁ ପଡିଲା
ଆରମ୍ଭ କରିଲା ନାଟ।

ପଙ୍କ ରେ ଖେଳିଲା ଖେଳ
ହେଲା ସେ ଉପର ତଳ
ଏପଟ ସେ ପଟ ଛଟପଟ ହୋଇ
କରିଦେଲା ଗୋଟେ ଖାଲ।

ଚାହିଁଛି ବଗୁଲା ଭାଇ
ବଗୁଲୀ ବି ଦେଖୁ ଥାଇ
ଦି ଦଣ୍ଡ ପରେ ଧୀରେ ଧୀରେ ହୋଇ
ଜମା ହେଲା ପାଣି ତହିଁ।

ବଗୁଲା ବଗୁଳି ଦୁଇ
ଖୁଶି ରେ ପାଗଳ ହୋଇ
ପାଣି ପିଇ ସାରି ସୁସ୍ଥ ହେଲା ପରେ
ଦେଖିଲେ ଚେଙ୍ଗ ଟା କାହିଁ?

ଦେଖିଲେ ଚେଙ୍ଗ ପଡିଛି
ହଲୁଛି ନା ଦୋହଲୁଛି
ଚେତା ଶୁନ୍ୟ ହୋଇ ଅଧା ମରା ପ୍ରାୟ
ହାଲିଆ ହୋଇ ପଡିଛି।

ଥଂଟ ରେ ଧରିଲା ତାକୁ
ସାଥେ ଘେନି ବଗୁଳିକୁ
ଉଡ଼ି ଉଡ଼ି ଗଲେ କାହିଁ କେତେ ଦୂର
ପାଣି ଟିକେ ଖୋଜିବାକୁ।

ଦେଖିଲା ବରଷା ରାଣୀ
ଆଖିରେ ଆଖିଏ ପାଣି
ଝିମି ଝିମି କରି ବରଷି ଗଲା ସେ
ପୀୟୂଷ ପସରା ଆଣି।

ଇତି ଚେଙ୍ଗ ବଗୁଲା କାହାଣୀ
ଧନ୍ୟ ଲୋ ବରଷା ରାଣୀ।
ଏ ସନ କାହିଁକି ଏତେ ଡେରି କରୁ
ଜଳି ମରୁଛି ଧରଣୀ।


ସୂର୍ଯ୍ୟମଣି ଭିଲ୍ଲା, ଜଗନ୍ନାଥ ଛକ,
ମୁରାଭଟ୍ଟ ରୋଡ, ହେମୁନଗର, ବିଳାସପୁର, ଛତିଶଗଡ

ମନ୍ତବ୍ୟ ରଖନ୍ତୁ