ବିଶ୍ଵସ୍ତ ଭୃତ୍ୟ – ପଞ୍ଚତନ୍ତ୍ର କାହାଣୀ

ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ ମୁଁ ତୁମକୁ ଆଉ ଏକ କାହାଣୀ କହୁଛି, ଶୁଣ ।”

ବଣମଲ୍ଲୀର ମହକ bikram-betal ବିଶ୍ଵସ୍ତ ଭୃତ୍ୟ - ପଞ୍ଚତନ୍ତ୍ର କାହାଣୀ ପ୍ରାଚୀନ ସାହିତ୍ୟ ଶିଶୁ ସାହିତ୍ୟ  ବଣମଲ୍ଲୀ ସଂଗ୍ରହାଳୟ

ବେତାଳ ଗପିଲା…
ପ୍ରାଚୀନ କାଳରେ ବର୍ଦ୍ଧମାନ ରାଜ୍ୟରେ ରୂପସେନ ନାମକ ଜଣେ ରାଜା ଥିଲେ । ରୂପସେନ ପ୍ରବଳ ପ୍ରତାପୀ, ନ୍ୟାୟପ୍ରିୟ ଏବଂ ଦୟାଳୁ ଥିଲେ । କେବଳ ସେତିକି ନୁହେଁ ରୂପସେନ ଦାନୀ ମଧ୍ୟ ଥିଲେ । ଦୂରଦୂରାନ୍ତରୁ ଆସୁଥିବା ଜ୍ଞାନୀ, ପଣ୍ଡିତମାନଙ୍କର ସେ ଖୁବ୍ ଆଦର କରୁଥିଲେ । ଦିନେ ପଡୋଶୀ ରାଜ୍ୟର ଜଣେ ବ୍ୟକ୍ତି ରୂପସେନଙ୍କର ଦରବାରକୁ ଆସି କହିଲା- “ମହାରାଜ! ମୁଁ ଅତ୍ୟନ୍ତ ଦୁଃଖୀ । ଆପଣ ମୋତେ ଦୟାକରି ସାହାଯ୍ୟ କରନ୍ତୁ ।” ଲୋକଟିର କଥା ଶୁଣି ମହାରାଜ କହିଲେ- “ତୁମେ କି ପ୍ରକାର ସାହାଯ୍ୟ ମୋ ଠାରୁ ଆଶା କରୁଛ । ଲୋକଟି କହିଲା- “ମହାରାଜ! ମୋ ପାଖରେ ବର୍ତ୍ତମାନ କିଛି କାର୍ଯ୍ୟ ନଥିବାରୁ ମୁଁ ମନେ ମନେ ଦୁଃଖିତ । ଆପଣ ମୋତେ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ । ମୁଁ ଜଣେ ସଚ୍ଚା ସିପାହୀ ଅଟେ । ମୁଁ ଆପଣଙ୍କ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଛି ।” ଲୋକଟିର କଥା ଶୁଣି ସାରିବାପରେ ମହାରାଜ କହିଲେ- “ଠିକ୍ ଅଛି ମୁଁ ତୁମ କଥାରେ ରାଜି । ହେଲେ ତୁମେ ନିଃସଂକୋଚ ସହକାରେ କୁହ ମୁଁ ତୁମକୁ କାର୍ଯ୍ୟ ବାବଦରେ କେତେ ପାରିଶ୍ରମିକ ଦେବି? ଲୋକଟି କହିଲା- “ମହାରାଜ! ମୋର ଦୈନିକ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଆବଶ୍ୟକ ।”

ଲୋକଟିର କଥା ଶୁଣି ଦରବାରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ପଚାରିଲେ- “ତା’ହେଲେ ତୁମର ନାମ କ’ଣ? ଲୋକଟି କହିଲା, “ମୋର ନାମ ବିପ୍ରବର ଅଟେ ମହାରାଜ । ରାଜା କହିଲେ- ତୁମକୁ ବାଦ୍ ଦେଲେ ତୁମର ଆଉ କିଏ ସବୁ ଅଛନ୍ତି? ଲୋକଟି କହିଲା- “ମୋର ପରିବାର କହିଲେ ମୋର ପତ୍ନୀ, ମୋର ପୁତ୍ର ଏବଂ କନ୍ୟାକୁ ବୁଝାଏ । ରାଜା ଲୋକଟିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ- “ତୁମର ଏତେ ଛୋଟ ପରିବାର ଅଥଚ ପ୍ରତିଦିନ ଏକଶହ ସ୍ୱର୍ଣ୍ଣମୁଦ୍ରା ନେଇ ତୁମେ କଣ କରିବ? ଦରବାରରେ ଉପସ୍ଥିତ କର୍ମଚାରୀମାନେ ଲୋକଟିକୁ ପାଗଳ ବୋଲି ଭାବୁଥାଆନ୍ତି । କେହି କେହି ମଧ୍ୟ ଲୋକଟି ରାଜାଙ୍କୁ ମୂର୍ଖ ବନାଇବାକୁ ଆସିଛି ବୋଲି ଭାବୁଥାଆନ୍ତି । କିନ୍ତୁ ଲୋକଟି ପୁରା ଗାମ୍ଭୀର୍ଯ୍ୟ ସହକାରେ ରାଜାଙ୍କ ସମ୍ମୁଖରେ ଠିଆ ହୋଇଥାଏ । ପୁଣି ଆଉ ଥରେ ରାଜାଙ୍କୁ କହିଲା- “ମହାରାଜ! ଏହାଠାରୁ କମ୍ ବେତନରେ ମୁଁ କାର୍ଯ୍ୟ କରିପାରିବି ନାହିଁ ।” ରାଜା ଯେପରି ତା’ର କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଲେ, ଲୋକଟି ରାଜାଙ୍କୁ କହିଲା, “ମହାରାଜ! ମୁଁ ଯାହା କରି ପାରିବି ତାକୁ ଅନ୍ୟ କେହି କରିପାରିବେ ନାହିଁ ।” ଲୋକଟିର କଥା ଶୁଣି ରାଜା ଚିନ୍ତାରେ ପଡିଗଲେ । କିଛି ସମୟ ଚିନ୍ତା କରିବାପରେ ରାଜା ତାକୁ ନିଜର ଅଂଗରକ୍ଷକ ରୂପେ ନିଯୁକ୍ତି ପ୍ରଦାନ କଲେ । ତାର କାର୍ଯ୍ୟ ହେଲା ରାତିରେ ରାଜାଙ୍କ ଶୟନ କକ୍ଷ ପାଖରେ ପ୍ରହରା ଦେବ । ଏହାପରେ ରାଜା ଜଣେ କର୍ମଚାରୀଙ୍କୁ ଡକାଇ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଆଣି ତାକୁ ଦେଲେ । କିନ୍ତୁ ରାଜାଙ୍କର ଏହି ନିଷ୍ପତିରେ କର୍ମଚାରୀଗଣ ରାଜି ନଥିଲେ । ହେଲେ ସେମାନେ ବା’ କ’ଣ କରିପାରିବେ । ପରଦିନ ଠାରୁ ବିପ୍ରବର ରାଜାଙ୍କ କାର୍ଯ୍ୟରେ ଲାଗି ପଡିଲେ । ସେ ନିଷ୍ଠାର ସହିତ ତାଙ୍କର କାର୍ଯ୍ୟ କରୁଥାଆନ୍ତି ଏବଂ କାର୍ଯ୍ୟ ସରିଲାପରେ ନିଜର ପାରିଶ୍ରମିକ ନେଇ ଚାଲିଯାଆନ୍ତି ।

ଏହି ପରି ଦିନ ପରେ ଦିନ ଗଡି ଚାଲିଲା । ଦିନେ ବିପ୍ରବର ତାର ପାରିଶ୍ରମିକ ନେଇଯିବା ପରେ ରାଜା ଜଣେ ଗୁପ୍ତଚରକୁ ଡାକି କହିଲେ- “ତୁମେ ଏହି ଲୋକଟି ପ୍ରତିଦିନ ଶହେ ସ୍ୱର୍ଣ୍ଣମୁଦ୍ରା ନେଇ କଣ କରୁଛି ତା’ର ସନ୍ଧାନ ନିଅ । ତୁରନ୍ତ ତା’ ସମ୍ପର୍କରେ ମୋତେ ଆସି କୁହ । ଗୁପ୍ତଚରମାନେ ତା’ ପଛରେ ଲାଗିପଡିଲେ । କିଛି ଦିନ ପରେ ଜଣେ ଆସି ରାଜାଙ୍କୁ ଜଣାଇଲା- “ମହାରାଜ! ଶହେ ସ୍ୱର୍ଣ୍ଣମୁଦ୍ରା ମଧ୍ୟରୁ ପଚାଶ ମୁଦ୍ରା ସେ ଗରୀବମାନଙ୍କୁ ଦାନ କରିଦିଏ, ଆଉ ପଚିଶଟି ମୁଦ୍ରା ସେ ବିଧବା ଏବଂ ଅନାଥମାନଙ୍କୁ ଦାନ କରେ, ଆଉ ଦଶଟି ସ୍ୱର୍ଣ୍ଣମୁଦ୍ରା ସେ ବିକଳାଙ୍ଗମାନଙ୍କୁ ଦାନ କରେ, ବାକି ସ୍ୱର୍ଣ୍ଣମୁଦ୍ରାରେ ସେ ତା’ର ନିଜ ଖର୍ଚ୍ଚ ଚଳାଏ ।

ଗୁପ୍ତଚରଙ୍କ ଠାରୁ ଏପରି କଥା ଶୁଣି ରାଜା ମନେ ମନେ ଖୁସି ହୋଇଗଲେ । ରାଜା ପ୍ରଥମେ ଭାବିଥିଲେ ବିପ୍ରବର ଏତେ ଗୁଡିଏ ଧନ ନେଇ ଖୁବ୍ ବିଳାସ ବ୍ୟସନରେ କାଳ କାଟୁଥିବ । ଗୁପ୍ତଚରର କଥା ଶୁଣିସାରିବାପରେ ରାଜାଙ୍କର ଯେ କେବଳ ସନ୍ଦେହ ଦୂର ହୋଇଗଲା ତାହା ନୁହେଁ, ବିପ୍ରବର ପ୍ରତି ଅନୁରକ୍ତି ମଧ୍ୟ ବଢିଗଲା । ଏଇଥିପାଇଁ ବୋଧହୁଏ ସେ କହିଥିଲା ଯେଉଁ କାମ କେହି କରିବେ ନାହିଁ ତାହା ସେ କରିପାରିବ । ମହାରାଜ ତା’ର କାର୍ଯ୍ୟରେ ଖୁବ୍ ଖୁସି ଥିଲେ । ଦିନେ ରାଜା ଶୋଇଥିବା ଅବସ୍ଥାରେ ତାଙ୍କ କାନରେ କୌଣସି ଏକ ନାରୀର କାନ୍ଦୁଥିବାର ସ୍ୱର ଶୁଭିଲା । କାନ୍ଦ ଶୁଣିବା ପରେ ମହାରାଜ ଉଠିପଡି କହିଲେ- ‘କିଏ ସେଠାରେ କାନ୍ଦୁଛ?’ ବିପ୍ରବର ରାଜାଙ୍କ ପାଟି ଶୁଣି ତୁରନ୍ତ ଆସି ତାଙ୍କ ପାଖରେ ପହଁଚିଗଲେ । ରାଜା କହିଲେ- “ବିପ୍ରବର! କେହି ଜଣେ କାନ୍ଦୁଥିବାର ମୁଁ ଶୁଣି ପାରିଲି । ତୁମେ ତୁରନ୍ତ ଯାଇ ଏକଥା ବୁଝି ମୋତେ ସମସ୍ତ କଥା ଜଣାଅ ।” ରାଜାଙ୍କ ଆଦେଶ ପାଇବା କ୍ଷଣି ବିପ୍ରବର ସଂଗେ ସଂଗେ ଚାଲିଲେ । ମହଲରୁ ବାହାରି ଆସି ଯେଉଁଠାରୁ କାନ୍ଦ ଶୁଭୁଥିଲା ସେ ଆଡକୁ ଚାଲିଲେ । କିଛି ବାଟ ଗଲାପରେ ସେ ଏକ ନାରୀକୁ ନାନାଦି ଅଳଂକାରରେ ବିଭୂଷିତା ହୋଇ ଠିଆ ହୋଇଥିବାର ଦେଖିଲେ। ସେ ଏପରି ଜୋର୍ରେ ପାଟି କରି କାନ୍ଦୁଥାଏ ସତ କିନ୍ତୁ ଆଶ୍ଚର୍ଯ୍ୟର କଥା ତା’ର ଆଖିରୁ ବୁନ୍ଦିଏ ବି ଲୁହ ବହୁନଥିଲା । କିଛି ସମୟ ପର୍ଯ୍ୟନ୍ତ ବିପ୍ରବର ତାକୁ ଦେଖିଲେ । ଏହାପରେ ତାଙ୍କୁ ପଚାରିଲେ- “ହେ ଦେବୀ! ଆପଣ କିଏ ଏବଂ କାହିଁକି ଆପଣ କାନ୍ଦୁଛନ୍ତି”?

ବିପ୍ରବର କଥା ଶୁଣି ଦେବୀ ପଚାରିଲେ, ତୁମେ କିଏ? ବିପ୍ରବର କହିଲେ, “ମୁଁ ମହାରାଜ ରୂପସେନଙ୍କର ଅଙ୍ଗରକ୍ଷକ ବିପ୍ରବର ଅଟେ ।” ଦେବୀ କହିଲେ, “ମୁଁ ହେଉଛି ଏହି ରାଜ୍ୟର ଧନ ଦେବୀ । ଶନିଦେବ ତାଙ୍କର କୋପଦୃଷ୍ଟି ରୂପସେନଙ୍କ ଉପରେ ପକାଇଛନ୍ତି । ତାଙ୍କର ସର୍ବନାଶ ହୋଇଯିବ । ମୋତେ ଏହି ରାଜ୍ୟ ଛାଡି ଅନ୍ୟତ୍ର ଯିବାକୁ ପଡିବ ।” ରାଜାଙ୍କର ଅନିଷ୍ଟ କଥା ଶୁଣି ବିପ୍ରବର ଚିନ୍ତାରେ ପଡିଗଲେ । ଦେବୀଙ୍କୁ କହିଲେ, “ଦେବୀ ମା! ଆପଣ ଏ କ’ଣ କହୁଛନ୍ତି । ମହାରାଜା ରୂପସେନ ତ ପୂଣ୍ୟାତ୍ମା, ନ୍ୟାୟପ୍ରିୟ ଏବଂ ପ୍ରଜା ମଙ୍ଗଳକାରୀ । ଶନିଦେବ ତାଙ୍କ ଉପରେ କାହିଁକି କୋପ କରିଛନ୍ତି? ଶନି ଦେବଙ୍କ କବଳରୁ ବଂଚିବା ପାଇଁ କ’ଣ କିଛି କରାଯାଇ ପାରିବ ନାହିଁ?” ଦେବୀ କହିଲେ, “ବାପାରେ! ଗୋଟେ ଉପାୟ ଅଛି । କିନ୍ତୁ…… କହି ଦେବୀ ଅଟକି ଗଲେ । ଦେବୀଙ୍କ କଥା ଶୁଣି ବିପ୍ରବର ଧୈର୍ଯ୍ୟହରା ହୋଇ କହି ପକାଇଲା, “ଦେବୀ ମା! ଯାହା କରିବା କଥା ମୋତେ କୁହନ୍ତୁ । ମୋ ରାଜାଙ୍କୁ ବିପଦରୁ କିପରି ଉଦ୍ଧାର କରାଯାଇପାରିବ ମୁଁ ସବୁ କିଛି କରିବି । ମୋ ରାଜା ଏବଂ ରାଷ୍ଟ୍ରର ରକ୍ଷା ପାଇଁ ମୁଁ ପ୍ରାଣ ବଳୀ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି ।”

ବିପ୍ରବରର କଥା ଶୁଣି ଦେବୀ ମା’ କହିଲେ- “ଶୁଣ ବିପ୍ରବର! ଶନିଦେବଙ୍କ କୋପ ଶାନ୍ତ କରିବାପାଇଁ ଯଦି କୌଣସି ବ୍ୟକ୍ତି ଦେବୀଙ୍କ ମନ୍ଦିରକୁ ଯାଇ ତା’ର ପୁତ୍ରକୁ ବଳୀ ଦେବ, ତା’ହେଲେ ରାଜ୍ୟ ଓ ରାଜାଙ୍କ ଉପରେ ଥିବା ସଂକଟ କଟିଯିବ । କିନ୍ତୁ କିଏ ଏ ସଂସାରରେ ଅଛି ଯିଏ ତା’ର ପୁତ୍ରକୁ ବଳୀ ଚଢାଇବ?” ଦେବୀଙ୍କ କଥା ଶୁଣିବାପରେ ବିପ୍ରବର କିଛି କ୍ଷଣ ପାଇଁ ଚୁପ୍ ହୋଇଗଲା । କିଛି ସମୟପରେ ବିପ୍ରବର ଦେଖିଲା ଦେବୀ ସେଠାରୁ ଅଦୃଶ୍ୟ ହୋଇ ଯାଇଛନ୍ତି । ରାଜା ମଧ୍ୟ ବିପ୍ରବରର ପଛେ ପଛେ ଆସି ଏକ ବୃକ୍ଷ ଉହାଡରେ ଠିଆ ହୋଇ ସବୁ କଥା ଶୁଣୁ ଥାଆନ୍ତି । ରାଜା ଏକଥା ଶୁଣି ଭାବିଲେ, ବିପ୍ରବର ବୋଧହୁଏ ଏସବୁ କଥା ମୋତେ ଜଣାଇବେ ।” କିନ୍ତୁ, ବିପ୍ରବର ତାହା ନକରି ସିଧା ଯାଇ ନିଜ ଘରେ ପହଁଚିଗଲେ । ସମସ୍ତ ଘଟଣା ପତ୍ନୀ ଓ ପୁତ୍ର ଆଗରେ ବର୍ଣ୍ଣନା କଲେ ।

ଏହାପରେ ସମସ୍ତେ ଏକମନ ହୋଇ ଦେବୀଙ୍କ ମନ୍ଦିର ଆଡକୁ ବାହାରିଲେ । ବିପ୍ରବର ମନ୍ଦିରରେ ପହଁଚିବା ପରେ ମା’ଙ୍କୁ କହିଲେ, “ହେ ମା! ମୁଁ ଆଜି ମୋର ପୁତ୍ରକୁ ବଳୀ ଚଢାଇବା ପାଇଁ ଆଣିଛି । ମୋ ପୁତ୍ରର ବଳୀଦାନରେ ତୁମେ ସନ୍ତୁଷ୍ଟ ହୋଇ ମୋ ରାଜାଙ୍କର କିମ୍ବା ମୋ ରାଜ୍ୟର ଯେପରି କୌଣସି କ୍ଷତି ନକର ।” ଏହା କହି ବିପ୍ରବର ଖଣ୍ଡା ବାହାର କରି ପୁତ୍ରର ମୁଣ୍ଡକୁ ତା’ର ଶରୀରରୁ ଅଲଗା କରିଦେଲେ । ଭାଇର ମୃତ୍ୟୁ ଦେଖି ଭଉଣୀଟି ମଧ୍ୟ ବାପା ହାତରୁ ଖଣ୍ଡାଆଣି ନିଜ ମୁଣ୍ଡକୁ କାଟିଦେଲା । ପୁତ୍ର ଓ କନ୍ୟାର ମୃତ୍ୟୁ ସହ୍ୟ କରିନ ପାରି ପତ୍ନୀ ମଧ୍ୟ ଅନୁରୂପ କାର୍ଯ୍ୟ କଲା । ଶେଷରେ ପରିବାରର ସମସ୍ତଙ୍କୁ ହରାଇ ବିପ୍ରବର ଶେଷରେ ନିଜର ମସ୍ତକ ନିଜେ ଛେଦନ କଲା । ବିପ୍ରବରର ଏପରି କାର୍ଯ୍ୟ ଦେଖି ରାଜା ସ୍ତବ୍ଧ ହୋଇଗଲେ । ରାଜା ଭାବିଲେ ଜଣେ ସେବକ ଯଦି ମୋ ପାଇଁ ପ୍ରାଣ ବଳୀ ଦେଇପାରିଲା ତା’ହେଲେ ମୁଁ କାହିଁକି ମୋର ଜୀବନ ରଖିବି । ଏହା ଭାବି ମା’ଙ୍କ ହସ୍ତରୁ ଖଣ୍ଡା ଆଣି ରାଜା ନିଜେ ନିଜର ମସ୍ତକ ଛେଦନ କଲେ ।

କାହାଣୀଟି କହିସାରି ବେତାଳ କହିଲା, “ବିକ୍ରମ ଏବେ ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ । ବିପ୍ରବର ପ୍ରାଣ ତ୍ୟାଗ କଲା, ତାର ପୁତ୍ର, ପତ୍ନୀ, କନ୍ୟା ସମସ୍ତେ ପ୍ରାଣଦାନ କଲେ । ଏପରିକି ଶେଷରେ ରାଜା ମଧ୍ୟ ପ୍ରାଣଦାନ କଲେ । ତା’ହେଲେ ଏମାନଙ୍କ ମଧ୍ୟରୁ କାହାର ପ୍ରାଣଦାନ ଶ୍ରେଷ୍ଠ ଅଟେ ?

ବେତାଳର କଥା ଶୁଣିସାରି ରାଜା ବିକ୍ରମ କହିଲେ, “ଏମାନଙ୍କ ମଧ୍ୟରୁ ରାଜାଙ୍କର ବଳିଦାନ ସର୍ବଶ୍ରେଷ୍ଠ ଅଟେ । କାହିଁକିନା ବିପ୍ରବରରର ପୁତ୍ର ରାଷ୍ଟ୍ରହିତ ପାଇଁ ପ୍ରାଣ ଦାନ କଲେ । ଭଉଣୀ ଭାଇର ବିଚ୍ଛେଦ ସହ୍ୟ କରିନପାରି ମୃତ୍ୟୁବରଣ କଲା । ପତ୍ନୀ ପୁତ୍ର ଓ କନ୍ୟାର ମୃତ୍ୟୁକୁ ସହ୍ୟ କରିନପାରି ମୃତ୍ୟୁବରଣ କଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିବାରୁ ବିପ୍ରବର ମଧ୍ୟ ପ୍ରାଣ ଦାନ କଲେ । କିନ୍ତୁ ଜଣେ ସେବକ ପାଇଁ ରାଜା ପ୍ରାଣବଳୀ ଦେବା ଘଟଣା ବିରଳ ଅଟେ । ତେଣୁ ରାଜାଙ୍କର ପ୍ରାଣଦାନ ଶ୍ରେଷ୍ଠ ଅଟେ ।

ଯେମିତି ରାଜା ବିକ୍ରମ ଉତ୍ତର ଦେଇସାରିଛନ୍ତି ବେତାଳ କହିଲା, ମୁଁ ତୁମକୁ ମନା କରିଥିଲି ପାଟି ନଖୋଲିବାପାଇଁ । ଯେହେତୁ ତୁମେ କଥାବାର୍ତ୍ତା କଲ ମୁଁ ବର୍ତ୍ତମାନ ମୋ ସ୍ଥାନକୁ ଚାଲିଲି ।

ଏହା କହି ବେତାଳ ଆକାଶରେ ଉଡି ଉଡି ଚାଲିଲା ଓ ସିଧା ଯାଇ ବୃକ୍ଷ ଡାଳରେ ଓଲଟା ଓଲଟି ପଡିଲା ।

ମନ୍ତବ୍ୟ ରଖନ୍ତୁ: