ଛୋଟ ମୋର ଗାଆଁଟି – ଧ୍ରୁବ ଚରଣ ବେହେରା

ଦୂରେ ଦିଶୁଥାଏ ଭାଲେରୀ ପାହଡ
ଆକାଶକୁ ସତେ ଛୁଇଁ
ମାଟିର କବିତା ଶୁଣାଉଛି ତାକୁ
ସୂରୁଯ ଆସିଲେ ନଇଁ ।।

କାନେ କାନେ ତାର କହୁଅଛି ନିତି
ଗୋଧୂଳି ବେଳ ଉପମା
ସକାଳର ରବି ଉଇଁ ଆସୁଥିଲେ
ଚିଲିକା କି ? ମନୋରମା ।।

ସବୁଜିମା ରାଜି ହସୁଥାଏ ଏଠି
ସୁନାର ଶୋରିଷ କ୍ଷେତେ
ଆମ୍ବ ବଉଳର ମହକ ବାସଇ
କୋଇଲି ମଧୁ ସଙ୍ଗୀତେ ।।

ପରଜାପତିର ହସଖୁସି ଦେଖି
ହସେ କୃଷ୍ଣଚୂଡା ରାଣୀ
ଆନନ୍ଦେ ଡୁବକି ଦେଇ ମାଛରଙ୍କା
ଝାଡିଦିଏ ପର ବେଣୀ ।।

କ୍ଷେତ ପରେ କ୍ଷେତ ସାଗ ପରିବାର
ଦିଶୁଥାଇ ଧାଡି ଧାଡି
ବଣ ଲଟା ତୀରେ କୁମ୍ଭାଟୁଆ ରାବେ
ଡାହୁକର ଶୁଭେ ରଡି ।।

ସରଳ ସୁନ୍ଦର ଶାଳିଆ ନଈଟି
ଆସିଛି ପାହାଡୁ ବହି
ଶୀତଳତା ଭରା ଜଳ ରାଶି ତାର
ଅଙ୍କା ବଙ୍କା ଯାଏ ଧାଇଁ ।।

ଗାଇଆଳ ଟୋକା ଫେରୁଥାଏ ନିତି
ସଞ୍ଜ ହେଲେ ଆଗମନ
ଧୂଳି ଉଡୁଥାଏ ଗଗନ ବକ୍ଷରେ
ଚୂମି ସୁନେଲୀ କିରଣ ।।

ଲାଗୁଥାଏ ସତେ ଆକାଶ ଶେଯରୁ
ଝରୁଛି ସୁନାର ରେଣୁ
ହମ୍ବା ରଡି ସାଥେ ବିହଙ୍ଗ କାକଳି
କି ସୁନ୍ଦର ସ୍ୱର ବେଣୁ ।।

ଭଗିଆ ନନାର ଶଗଡ ଗାଡ଼ିଟି
ଘିଡି ଘିଡି ଗଡି ଚାଲେ
କଳାମେଘ ଦେଖି ଦୂର ପାହଡରେ
ଶିଖି ପୁଛ ମେଲି ହଲେ ।।

ବାଟୋଇ ଭାଇଟି ଖଟଣିରୁ ଫେରେ
ଖଣ୍ଠିଲିରେ ଧରି ପଡ଼ି
ପୋଖରୀ ତୁଠରେ ସ୍ନାହନରେ ରତ
ଆପଣ ଦୁଃଖ କୁ ଫେଡି ।।

ଧାନ ଖଣିପରେ ବସି ସୁଖ ଦୁଃଖ
ହେଉଥାନ୍ତି ଅଜା ଆଈ
ଜହ୍ନର କିରଣ ପଡୁଥାଅ ଝରି
ରଜନୀର ପଡେ ଛାଇ ।।

ସରଳ ସୁନ୍ଦର ଜୋଛନାର ଧାରେ
ହସୁଥାଏ ମୋର ଗାଆଁ
ତା ମାଟି ପବନ ପାଣି ଲାଗେ ମିଠା
ମଧୁପୁର ତାର ନାଆଁ ।।

କେତେ ଧୂଳି ମାଟି ଉଡାଇଛୁ ଏଠି
ଖେଳି ଖେଳି ତା ଛାତିରେ
କୋମଳ କଳିକା ଫୁଟି ଆମେ ଫୁଲ
ବାସିଲୁ ତାର କୋଳେ ।।

ଏହି ମୋ ଜନନୀ ଉତ୍କଳୀୟ ଭୂମି
ମଧୁଠାରୁ ଲାଗେ ମିଠା
ଗାଆଁ ଗହଳିର ସମାଙ୍ଗମ କେତେ
ଧନ୍ଯ ମୋର ମାତୃଭାଷା ।।

ଗାଆଁ ମୂଲକକୁ ଭୁଲି ହେବ ନାହିଁ
ହେଉ ପଛେ ସହରିଆ
ଭାଇଚାରା ପଣେ ଜୀବନ କଟଇ
ଏହି ମୋର ଛୋଟ ଗାଆଁ ।।


ଅଠରବାଟିଆ, ବାଲୁଗଁ।, ଖୋର୍ଦ୍ଧା

ମନ୍ତବ୍ୟ ରଖନ୍ତୁ: