ଗୁରୁଦକ୍ଷିଣା – ଇଂ ପଦ୍ମ ଚରଣ ମିଶ୍ର

୨୦୦୫ ମସିହାରେ ବିରମିତ୍ରପୁର ସ୍ଥିତ ରାଷ୍ଟ୍ରାୟତ ମାଇନିଂ କମ୍ପାନୀରେ ଉମାକାନ୍ତ ମହାପାତ୍ର ବୋଲି ପିଲାଟିଏ ଇଲେକ୍ଟ୍ରିକାଲ୍ ଡିପ୍ଲୋମା ସାରି ବର୍ଷିକିଆ ଆପ୍ରେନ୍ଟିସିପ୍ କରିବାକୁ ଆସିଥିଲା। ଆମ କମ୍ପାନୀର ଇଲେକ୍ଟ୍ରିକାଲ୍ ବିଭାଗରେ ଆମେ ୩-ଜଣ ଇଞ୍ଜିନିୟର୍ ଥିଲୁ। ମୋର ଚାକିରୀ ମାତ୍ର ୩ ବର୍ଷ ହେଇଥାଏ। ମୁଁ ସେତେବେଳେ କ୍ରସର୍ ପ୍ଲାଣ୍ଟର ଦାୟିତ୍ବରେ ଥାଏ। ପିଲାଟା ପ୍ରଥମେ ୬-ମାସ କମ୍ପାନୀର କଲୋନୀ ସପ୍ଲାଇରେ ରହି ଟ୍ରେନିଂ ନେବାପରେ ମୋ ପାଖକୁ ଆସି ଟ୍ରେନିଂ ନେବାକୁ ଛଟପଟ୍ ହେଲା। ଆମ ବିଭାଗର ସେତେବେଳର ମୁଖିଆ, ମ୍ୟାନେଜର ଅମରେଶ ଦାସଙ୍କୁ ସେଥିପାଇଁ ବାରମ୍ବାର ଅନୁରୋଧ କରିଥିଲା। ମ୍ୟାନେଜର୍ ବି ୬-ମାସ ପରେ ପିଲାଟାକୁ ମୋ ପାଖକୁ ପଠେଇ ଦେଇଥିଲେ। ପ୍ରଥମ ଦିନ ମୋ ପାଖରେ ଟ୍ରେନିଂ ନେବାକୁ ଆସି ମତେ ତା’ ନିଜ ବିଷୟରେ କିଞ୍ଚିତ୍ ଧାରଣା ଜବରଦସ୍ତ କରି ଶୁଣେଇଥିଲା। ତା’ ଭିତରେ ଶିଖିବା ଓ ଶିଘ୍ର ଚାକିରୀଟିଏ ପାଇବାର ପ୍ରବଳ ଅଭିଳାଷକୁ ମୁଁ ବାରି ପାରିଥିଲି।

ସେଦିନ ପରଠୁ ମୁଁ ମନେ ମନେ ତା’ପାଇଁ ଗୋଟେ ଖସଡା ପ୍ରସ୍ତୁତ କରିଥିଲି, ପିଲାଟାକୁ କେମିତି ରାସ୍ତା ଦେଖେଇ ହେବ। ମୋ ନିର୍ଦ୍ଦେଶକ୍ରମେ ସେ ପ୍ଲାଣ୍ଟ କଣ୍ଟ୍ରୋଲ୍ ରୁମରେ ବସି ପାଠ ପଢିବାରେ ଲାଗିଲା। ସମୟ ଅପଚୟ କରୁଥିଲା କମ୍ ଆଉ ପଢୁଥିଲା ବେଶି। ତାକୁ ମୁଁ କିଛି ସମ୍ୟକ୍ ଧାରଣା ଦେବାପରେ, କମ୍ପିଟେଟିଭ୍ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା। ସାଧାରଣତଃ ଦେଖାଯାଏ, କମ୍ପାନୀ ମାନଙ୍କରେ ଆସୁଥିବା ଆପ୍ରେନ୍ଟିସ୍ ପିଲାଏ ସମୟ ଅତିବାହିତ କରିବାରେ ବ୍ୟସ୍ତ ଥାଆନ୍ତି, ନତୁବା ସେମାନଙ୍କୁ କିଛି ଶିଖେଇବା ପାଇଁ ବିଭାଗୀୟ ଅଫିସରଙ୍କୁ ବୋଝ ବା ଅନାବଶ୍ୟକ ପରି ମନେ ହୁଏ। କିନ୍ତୁ ଉମାକାନ୍ତ ପରି ପିଲାଟା ସେଥିରେ ବ୍ୟତିକ୍ରମ ଥିଲା। ସେ ପ୍ରବଳରୁ ପ୍ରବଳତ୍ତମ ଚେଷ୍ଟା କରି ଚାଲିଥିଲା।

ଦିନେ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କର ଜୁନିଅର୍ ଇଂଜିନିୟର୍ ଚାକିରୀ ପାଇଁ ବିଜ୍ଞାପନ ବାହାରିଲା। ଉମାକାନ୍ତ ଚାକିରୀ ପାଇଁ ଆବେଦନ କରି ସାରିବା ପରେ ମତେ କହିଲା। ବ୍ୟତିବ୍ୟସ୍ତ ହେଇ ଦିନେ କହି ପକେଇଲା, “ସାର୍, ଏଇ ପୋଷ୍ଟ ଗୁଡାକ ଭିତରୁ ମତେ ଗୋଟେ ମିଳିବନି”? ପିଲାଟାର ଆଖି ଛଳଛଳ ହେଇ ଉଠୁଥିଲା। ମୁଁ ତାକୁ ଆଶ୍ବାସନା ଦେବାକୁ ଯାଇ କହିଲି, “ବ୍ୟସ୍ତ ହେବାର କିଛି ନାହିଁ, ତୁ ହିଁ ପାଇବୁ; ବର୍ତ୍ତମାନ ସମୟଟା ହେଉଚି ଲିଖିତ ପରୀକ୍ଷାରେ କେମିତି ଭଲ କରିବୁ; ସେଥିପାଇଁ ଲାଗିପଡ; ଯାହା ବି କିଛି ସନ୍ଦେହ ହେବ, ମୁଁ ତ ଅଛି”। ସେଦିନଠୁ ପିଲାଟା ପୁରା ଝୋଙ୍କରେ ଲାଗିଗଲା। ଅନେକ ଛୋଟ ବଡ ସନ୍ଦେହକୁ ମୁଁ ପ୍ରତିଦିନ ଦୂର କରୁଥିଲି। ମାସେ ଉତ୍ତାରୁ ଲିଖିତ ପରୀକ୍ଷା ହେଲା। ସେ ଆରାମରେ ପାସ୍ କରିଗଲା। ଏବେ ରହିଲା, ମୌଖିକ ପରୀକ୍ଷା। ଡରରେ ପିଲାଟା ଥରୁଥାଏ। ତା’ ଅବସ୍ଥା ଦେଖି ତାକୁ ବୁଝେଇ କହିଲି, “ଆରେ, ଡରୁଚୁ କାହିଁକି; ତୁ ତ କଠିନ ପରୀକ୍ଷାଟାକୁ ଆରାମରେ ପାରି କରିଛୁ; ସହଜିଆ ମୌଖିକ ପରୀକ୍ଷା ପାଇଁ ମୁଁ ଅଛି ନା”? ପରବର୍ତ୍ତୀ ସମୟରେ ଗମ୍ଭୀର ଭାବରେ ଚିନ୍ତା କରି ଚାଲିଲି, ମୌଖିକ ପରୀକ୍ଷାରେ ମୁଁ ଯଦି ନିଜେ ଚୟନକର୍ତ୍ତା ହେଇଥାନ୍ତି, ଡିପ୍ଲୋମା ପିଲାଙ୍କୁ କଣ ସବୁ ପଚାରିଥାନ୍ତି।

ଦେଖୁ ଦେଖୁ ସମୟ ଆସିଗଲା। ମୌଖିକ ପରୀକ୍ଷାର ୩- ଦିନ ପୂର୍ବରୁ ଉମାକାନ୍ତକୁ ବିଭିନ୍ନ ପ୍ରଶ୍ନ ଓ ତା’ର କେମିତି ସରଳ ଉତ୍ତର ଦିଆଯିବ ବୁଝେଇ ଚାଲିଲି। ଲାଗୁଥିଲା, ଏଇଟା ମୋର ପ୍ରତିଷ୍ଠାର ବେଳ। ଉମାକାନ୍ତ ବି ଆଜ୍ଞାଧିନ ଛାତ୍ର ପରି ସବୁ ପିଇ ଯାଉଥିଲା। ଭୁବନେଶ୍ବରରେ ମୌଖିକ ପରୀକ୍ଷା ପାଇଁ ଆୟୋଜନ ହେଇଥିଲା। ଅବିକଳ ମୁଁ ତାକୁ କହିଥିବା ପ୍ରଶ୍ନ ଗୁଡାକ ପଚରା ଯାଇଥିଲା। ଉମାକାନ୍ତ ଅନାୟସରେ ସେଗୁଡିକର ଉତ୍ତର ନିର୍ଭିକ ଭାବରେ ଦେବାରେ ଲାଗିଲା। ତା’ର ଉତ୍ତର ଦେବାର ଶୈଳୀ ଦେଖି ମୁଖ୍ୟ ଚୟନକର୍ତ୍ତାଙ୍କ ସନ୍ଦେହଜାତ ହେଲା। ସେ ଆଉ ଧୈର୍ଯ୍ୟଧରି ରହି ପାରିଲେନି, ଉମାକାନ୍ତର ବାୟୋଡାଟା ପୁନଃ ଯାଞ୍ଚ କଲେ। ଯାଞ୍ଚ କଲାପରେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ଲାଗିବା ବି ସ୍ବାଭାବିକ୍ ଥିଲା। ସେ ଜଣେ ୩/୪ ବର୍ଷ ଚାକିରୀ କରି ସାରିଥିବା ଅଭିଜ୍ଞ ବ୍ୟକ୍ତି ଭଳି ପ୍ରଶ୍ନ ଗୁଡିକର ଉତ୍ତର ଦେଉଥିଲା। ମୁଖ୍ୟ ଚୟନକର୍ତ୍ତା ପଚାରିଲେ, “ତୁମେ ତ ଫିଲ୍ଡରେ କିଛି ବର୍ଷ କାମ କରୁଥିବା ଲୋକ ଭଳି ଉତ୍ତର ଦେଉଚ; ଜମାରୁ ଲାଗୁନି ତୁମେ ଏବେ ପାସ୍ କରିଚ ବୋଲି; ରାଜ୍ କଣ”? ଉମାକାନ୍ତ ମୁହଁ ଖୋଲିଥିଲା, “ମୁଁ ମିଶ୍ର ସାରଙ୍କ ତତ୍ତ୍ବାବଧାନରେ ଟ୍ରେନିଂ ନେଉଚି ଗତ ୪ ମାସ ହେଲା; ସାର୍ ମତେ ସବୁକିଛି ଅତି ସରଳ ଭାବେ ଶିଖେଇଛନ୍ତି”। ଚୟନକର୍ତ୍ତା ମଣ୍ଡଳୀ ଉମାକାନ୍ତ ଉତ୍ତରରେ ପ୍ରଶନ୍ନ ହେଇ ଯାଇଥିଲେ। ୨ ଦିନ ପରେ ଉମାକାନ୍ତ ମୋ ପାଖରେ ପହଞ୍ଚି ସାଷ୍ଟାଙ୍ଗ ପ୍ରଣାମଟିଏ ମାରି ସବୁ କାହାଣୀ ବଖାଣି ଥିଲା। ମାସେ ଉତ୍ତାରୁ ଉମାକାନ୍ତର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଜୁନିୟର ଇଂଜିନିୟର ପୋଷ୍ଟିଂ ପାଇଁ ଚିଠି ଆସିଲା। ଆପ୍ରେନ୍ଟିସ୍ ସମୟ ସରିବାର ମାସେ ଆଗରୁ ସେ ଚାକିରୀ ପାଇ ଯାଇଥିଲା।

ମଝିରେ ମଝିରେ ତା’ଠୁ ଫୋନ୍ ଆସେ। ୩ ବର୍ଷ ପରେ ଦିନେ ହଟାତ୍ ଫୋନ୍ ଆସିଲା। ମତେ ଭେଟ କରିବାକୁ ଚାହୁଁଥିଲା। କାରଣ ପଚାରିବାରୁ ଜଣା ପଡିଲା, ତା’ର ବାହାଘର ଠିକ୍ ହେଇ ଯାଇଚି। ମୋ ପାଖକୁ ଆସି ନିମନ୍ତ୍ରଣ କରିବାକୁ ମନାକଲି। ଜିଦ୍ କଲା, ଆମେ ଯେମିତି ସପରିବାର ଯିବୁ। ହଁ’ ଟିଏ ମାରି ରହିଲି। ବାହାଘର ସରିଲା। ଭୋଜିଦିନ ଆମେ ସପରିବାର ରାଉରକେଲା ବାହାରିଲୁ। ମୋ ସ୍ତ୍ରୀ ଯିବାକୁ ରାଜି ନଥିଲା। କହିଲା, “ମୁଁ ସେ ପିଲାକୁ ଭଲଭାବରେ ଚିହ୍ନିଁନି, କି ସେଇଠି ମୋର କେହି ବି ପରିଚିତ ନଥିବେ”। କହିଲି, “ଚାଲ୍, ସେ ମୋ ଶିଷ୍ୟ ଭଳି; ଅଧା ଘଣ୍ଟା ରହି ଚାଲି ଆସିବା; ନଗଲେ ତା’ର ମନକଷ୍ଟ ହେବ”। ଯାହାହେଉ, ସମସ୍ତେ ଗଲୁ। ରିସେପ୍ସନ୍ ଜାଗାରେ ପହଁଚି, ଦୂରରେ ଠିଆ ହେଇ ଉମାକାନ୍ତ ଆଡେ ଚାହିଁଲି। ସେଇଠି ମୋର ୨/୪ଟା ଚିହ୍ନାଁ ମୁହଁ ଥିଲେ। ଉମାକାନ୍ତ ଓ ତା’ର ନବ ବିବାହିତ ସ୍ତ୍ରୀ ଠିଆ ହେଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ, ଯେହେତୁ ତାଙ୍କ ସମ୍ପ୍ରଦାୟରେ ବର ଓ ବଧୁ ୮- ଦିନ ପର୍ଯ୍ୟନ୍ତ କାହାକୁ ପ୍ରଣାମ, ନମସ୍କାର କିମ୍ବା ପାଦଧୂଳୀ ନେବାର ନିୟମ ନଥିଲା। ଆମ ପରିବାର ଗହଳି ଭିତରେ ଉମାକାନ୍ତ ଠିଆ ହେଇଥିବା ମଞ୍ଚ ଉପରକୁ ଚଢିଲୁ। ହଟାତ୍ ଉମାକାନ୍ତ ମୋ ଆଡକୁ ମାଡି ଆସିଲା, ମୋର ଓ ମୋ ସ୍ତ୍ରୀର ପାଦ ଛୁଇଁ ପ୍ରଣାମ କଲା। ପାଖରେ ଠିଆ ହେଇଥିବା ଭଦ୍ରଲୋକ ଜଣେ ସହସା କହି ଉଠିଲେ, “ଆପଣ ନିଶ୍ଚୟ ମିଶ୍ର ସାର୍”? ମୋର ଆଖି ଦୁଇଟାରୁ ଠପ୍ ଠପ୍ ହେଇ କେଇ ବୁନ୍ଦା ଝରି ପଡିଲା। ସେ ଭଦ୍ରଲୋକ ଜଣକ ଉମାକାନ୍ତର ବାପା ଥିଲେ। ପୁଅର ଚାକିରୀ ପାଇଁ ମୋତେ ଶ୍ରେୟ ଦେଉଥିଲେ ବୋଲି ବୁଝିପାରିଲି। ନିଜ ବାପା ମାଆଙ୍କୁ ୮-ଦିନ ଧରି ପ୍ରଣାମ ନକରିବା ବରବଧୂ ଆମ ପାଦ ଛୁଇଁ ପ୍ରଣାମ କରିବା ସେଇଠି ଉପସ୍ଥିତ ତା’ର ସମସ୍ତ ବନ୍ଦୁବାନ୍ଧବଙ୍କୁ ସ୍ତବ୍ଧ କରି ଦେଇଥିଲା। ସତେ ଯେମିତି କିଛି ଗୋଟେ ଅଭିନବ ଘଟଣା ଘଟିଗଲା। ଆମ ପରିବାର ସେଇଠି ଉପସ୍ଥିତ ସମସ୍ତ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ଲୋକମାନେ ଘୁରି ଘୁରି ଆମ ଆଡେ ଦେଖୁଥିଲେ। ମୋତେ ସତ୍କାର କରିବାକୁ ଉମାକାନ୍ତ ଓ ତା’ର ବାପା ଲାଗି ପଡିଲେ। ଭାବିଲି, ତା’ର ଅନ୍ୟ ଅତିଥିମାନେ ଅସହଜ ମନେ କରିବେ। ଉମାକାନ୍ତକୁ ମଞ୍ଚ ଉପରକୁ ଯିବାକୁ ବାଧ୍ୟ କଲି। କଥା ମାନି ପିଲାଟା ମଞ୍ଚ ଉପରକୁ ଗଲେ ବି ତା’ର ନଜରଟା ମୋ ପାଖରେ ହିଁ ଲାଖି ରହିଲା। ଆମେ ଯେତେ ସମୟ ରହିଲୁ, ଉମାକାନ୍ତର ବାପା ଆମ ପାଖ ଛାଡିଲେନି। ସେମାନଙ୍କୁ ଆଉ ଅସୁବିଧାରେ ନପକେଇବାକୁ ଭାବି ମୁଁ ଘରକୁ ବାହାରି ଯିବାକୁ ଉଚିତ୍ ମଣିଲି। କାମ ଅଛି, ପରେ ପୁଣି ଦେଖା ହେବ କହି, ବାହାରି ଆସିଲୁ। ଅବାକ୍ ହେଇ ମୋ ସ୍ତ୍ରୀ ମୋ ଆଡେ କ୍ଷଣିକ କ୍ଷଣି ଚାହୁଁଥିଲା।

ସେଦିନ ଉମାକାନ୍ତର ସମସ୍ତ ବନ୍ଧୁବାନ୍ଧବଙ୍କ ସାମ୍ନାରେ ସେ ଗୁରୁଦକ୍ଷୀଣା ଦେବା ଭଳି ମୋତେ ଲାଗିଥିଲା। ବାହାଘର ଦିନରେ ସେ ନିଜେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ପରିବର୍ତ୍ତେ ମୋ ପରିବାରକୁ କେନ୍ଦ୍ରବିନ୍ଦୁ କରି ଦେଇଥିଲା। ଆଜି ସେ ଉନ୍ନତ କାର୍ଯ୍ୟପାଇଁ ପ୍ରୋଜେକ୍ଟ ଭଳି ମହତ୍ବପୂର୍ଣ୍ଣ ବିଭାଗରେ ବ୍ରହ୍ମପୁରରେ ଅବସ୍ଥାପିତ ଅଛି। ପ୍ରମୋସନ୍ ପାଇ ଆସିଷ୍ଟାଣ୍ଟ ଇଂଜିନିୟର୍ ବି ହେଇଗଲାଣି।


ଇଂ. ପଦ୍ମ ଚରଣ ମିଶ୍ର
ବି.ଏମ୍-୭, ବନମୁଣ୍ଡା, ବିରମିତ୍ରପୁର
ସୁନ୍ଦରଗଡ, ଓଡିଶା-୭୭୦୦୩୩

3 thoughts on “ଗୁରୁଦକ୍ଷିଣା – ଇଂ ପଦ୍ମ ଚରଣ ମିଶ୍ର

ମନ୍ତବ୍ୟ ରଖନ୍ତୁ: