ରୁଦ୍ରାବତାର ହନୁମାନଙ୍କ ଜନ୍ମ ରହସ୍ୟ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋରଧା ଜଳସେଚନ ବିଭାଜନ, ଖୋରଧା

ପ୍ରଭୁ ହନୁମାନଙ୍କର ଜନ୍ମ କାହାଣୀରେ ଯେତିକି ଚମତକରିତା ରହିଛି ସେତିକି ମଧ୍ୟ ମଜାଦାର କଥା ରହିଛି । ରାମାୟଣ ଅନୁସାରେ ହନୁମାନଙ୍କର ପିତା କେଶରୀ ହେଉଛନ୍ତି ଦେବତାଙ୍କ ଗୁରୁ ବୃହଷ୍ପତିଙ୍କର ପୁତ୍ର । କେଶରୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜନୀ ପୁତ୍ରଲାଭ ଇଛାରେ ମହାପ୍ରଭୁ ଶଙ୍କରଙ୍କ ଠାରୁ ଆଶୀର୍ବାଦ ଆଶାରେ ତାଙ୍କୁ ଧ୍ୟାନ କରିବାକୁ ଲାଗିଲେ । ମହାଦେବ ସେ ଦୁହିଁଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ସେମାନଙ୍କୁ ବର ଯାଚିଥିଲେ । ଅଞ୍ଜନୀ ଏବଂ କେଶରୀ ଶିବଙ୍କୁ ତାଙ୍କରିଭଳି ଜଣେ ପୁତ୍ର ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ । ଶିବ ମଧ୍ୟ ତାଙ୍କୁ ଏହି ବର ପ୍ରଦାନ କରିଥିଲେ । ପରେ ଶିବଙ୍କର ଅଂଶ ଅଞ୍ଜନୀଙ୍କ ଗର୍ଭରେ ରହି ହନୁମାନ ରୂପରେ ଜନ୍ମ ନେଇଥିଲେ । ସେଥିପାଇଁ ହନୁମାନ ମଧ୍ୟ ଏକାଦଶ ରୁଦ୍ର ନାମରେ ପରିଚିତ । ଅନ୍ୟ ଏକ କାହାଣୀ ଅନୁସାରେ ପୁତ୍ରଲାଭ ଆଶାରେ ମହାଦେବଙ୍କୁ ଅଞ୍ଜନୀ ପ୍ରାର୍ଥନା କରୁଥାନ୍ତି । ଅଯୋଧ୍ୟାରେ ମହାରାଜା ଦଶରଥ ପୁତ୍ରଲାଭ ଆଶାରେ ଋଷ୍ୟଶୃଙ୍ଗ ଋଷୀଙ୍କୁ ଆଣି ପୁତ୍ରେଷ୍ଟୁ ଯଜ୍ଞ କରୁଥାନ୍ତି । ସେହି ଯଜ୍ଞର ଚରୁଖାଇ ପରେ ତାଙ୍କର ତିନି ରାଣୀ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ଚାରିପୁତ୍ର ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କୁ ପ୍ରାପ୍ତ ହୋଇଥିଲେ । ଦୈବଯୋଗରୁ ଗୋଟିଏ କାଉ ସେହି ଚରୁରୁ କିଛି ଅଂଶକୁ ଖୁମ୍ପାମାରି ଉଡିଗଲାବେଳେ, ଅଞ୍ଜନୀଙ୍କ ପାପୁଲିରେ ଶିବଙ୍କୁ ପ୍ରାର୍ଥନା କରୁଥିବା ସମୟରେ ବାୟୁଦେବତାଙ୍କ ଦୟାରେ ସେଥିରୁ କିଛି ପଡିଯାଇଥିଲା ଏବଂ ପରେ ସେ ଏହାକୁ ଖାଇଦେଇଥିଲେ । ଏହାଫଳରେ ଅଞ୍ଜନୀ ଗର୍ଭବତୀ ହୋଇ ମହାପ୍ରଭୁ ହନୁମାନଙ୍କୁ ଜନ୍ମ ଦେଇଥିଲେ । ଅନ୍ୟଏକ ମତରେ ଦିନେ ଅସୁରମାନଙ୍କର ରାଜା ଲଙ୍କେଶ୍ୱର ରାବଣ ଶିବଙ୍କର ଦ୍ୱାରପାଳ ନନ୍ଦିଙ୍କଦ୍ୱାରା ବାରିତ ହେଲା । ରାବଣ ନନ୍ଦିଙ୍କର ଏ ବ୍ୟବହାରରେ ରାଗି ତାଙ୍କୁ “ମାଙ୍କଡ” ବୋଲି ସମ୍ବୋଧିତ କଲା । ଏଥିରେ ନନ୍ଦି ରାଗିଯାଇ ରାବଣଙ୍କୁ ଅଭିଶାପ ଦେଲେ ଯେ ମୋତେ ଯେପରି ମାଙ୍କଡ ଡାକି ଅସମ୍ମାନ କରିଛୁ ସେହିପରି ଜଣେ ମାଙ୍କଡ ଭବିଷ୍ୟତରେ ଜନ୍ମ ହେବେ ଯାହାଙ୍କଦ୍ୱାରା ତୋର ସମଗ୍ର ଲଙ୍କା ପୋଡିହୋଇ ଧ୍ୱଂସପ୍ରାପ୍ତ ହେବ ।

ଅନ୍ୟ ଏକ କାହାଣୀ ଅନୁସାରେ (ନାରଦ ପୁରାଣ ଏବଂ ବିଷ୍ଣୁପୁରାଣ ଅନୁସାରେ) ମାତା ଲକ୍ଷ୍ମୀଙ୍କ ଅଂଶରୁ ଏକ ସୁନ୍ଦରୀ ରମଣୀ ଜାତ ହେବାପରେ ନାରଦ ସେହି ରମଣୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିଭା ହେବାକୁ ଚାହିଁଲେ ଏବଂ ତାଙ୍କ ସ୍ୱୟଂବରରେ ଯୋଗ ଦେବାପାଇଁ ମନ ବଳାଇଲେ । ନାରଦଙ୍କର ଆଶଙ୍କା ହେଲା ସେହି ସ୍ୱୟଂବରକୁ ନିଶ୍ଚିତ ଭାବେ ଯଦି ତାଙ୍କଠାରୁ କେହି ସୁନ୍ଦର ପ୍ରାର୍ଥୀ ଯୋଗ ଦିଅନ୍ତି, ତେବେ ସିଏ କେବେହେଲେ ସେହି ସୁନ୍ଦରୀଙ୍କୁ ପାଇପାରିବେ ନାହିଁ । ଏହା ଭାବି ଭାବି ସେ ତାଙ୍କର ପରମ ଆରାଧ୍ୟ ଦେବତା ବିଷ୍ଣୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ବିଷ୍ଣୁ ନାରଦଙ୍କର ଦୁଃଖର କାରଣ ଜାଣିବାକୁ ଚାହିଁବାରୁ ନାରଦ ସବୁ ବିଷୟ କହି ତାଙ୍କର ମୁଖକୁ “ହରିମୁଖ” ଅର୍ଥାତ ବିଷ୍ଣୁଙ୍କ ମୁଖ ପରି କରିଦେବାକୁ ଅନୁରୋଧ କଲେ । କାରଣ ନାରଦ ଜାଣିଥିଲେ ଯେ ତ୍ରିଭୁବନରେ ବିଷ୍ଣୁଙ୍କ ମୁହଁପରି ସୁନ୍ଦର ମୁହଁ ଆଉ କାହାର ନାହିଁ । ତେଣୁ ସେହି ମୁହଁଧରି ସ୍ୱୟଂବରକୁ ଗଲେ ସୁନ୍ଦରୀ ରମଣୀ ନିଶ୍ଚିତ ଭାବରେ ନାରଦକୁହିଁ ବରମାଲ୍ୟ ଦେବ । ହରିର ଅର୍ଥ ମଧ୍ୟ ବାନର । ବିଷ୍ଣୁତ ସବୁ ବିଷୟ ଜାଣନ୍ତି । ସେ ନାରଦଙ୍କର ମୁହଁକୁ ଏକ ମାଙ୍କଡର ମୁହଁଭଳି କରିଦେଲେ । ନାରଦ ଏ ବିଷୟରେ କିଛି ଜାଣିପାରିଲେ ନାହିଁ । କିନ୍ତୁ ସ୍ୱୟଂବରରେ ତାଙ୍କର ଚେହେରାକୁ ଦେଖି ସମସ୍ତେ ଯେତେବେଳେ ଥଟ୍ଟାକଲେ ବିଷ୍ଣୁ ତାଙ୍କର ମୁହଁକୁ ମାଙ୍କଡ ମୁହଁପରି କରିଛନ୍ତି ଜାଣି ନାରଦ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଯେ ଆପଣ ମୋତେ ମାଙ୍କଡ ଚେହେରା ଦେଇ ଯେପରି ସମସ୍ତଙ୍କ ଆଗରେ ଅପମାନିତ କରିଛନ୍ତି, ସେହିପରି ଦିନ ଆସିବ ଆପଣ ସେହି ମାଙ୍କଡମାନଙ୍କ ଉପରେ ପୂରାପୂରି ନିର୍ଭରଶୀଳ ହେବେ । ବିଷ୍ଣୁ ନାରଦଙ୍କୁ ହସିକରି କହିଥିଲେ ତୁମେ ଯାହା ଚାହିଁଥିଲ ମୁ ସେଇଆହିଁ କରିଛି । କାରଣ ହରିମୁଖର ଅର୍ଥ ମଧ୍ୟ ବାନରମୁଖ । ଏହାଶୁଣି ନାରଦ ତାଙ୍କର ଭୁଲ୍ ବୁଝିପାରି ଅନୁତାପ କଲେ ଏବଂ ବିଷ୍ଣୁଙ୍କୁ କ୍ଷମା ମାଗିଲେ । ବିଷ୍ଣୁ ତାଙ୍କୁ କହିଥିଲେ ତୁମର ଏ ଅଭିଶାପ ସଂସାରର ମଙ୍ଗଳପାଇଁ ଆଶୀର୍ବାଦ ଭଳି କାମକରିବ ଏବଂ ଏହା ହନୁମାନଙ୍କର ମର୍ତ୍ତ୍ୟରେ ଜନ୍ମିବାପାଇଁ ବାଟ ଫିଟାଇବ ଏବଂ ତାଙ୍କରି ସାହାଯ୍ୟ ନେଇ ମୁଁ ରାମ ରୂପରେ ରାବଣଙ୍କୁ ବଧିପାରିବି ।

ସାରଳା ମହାଭାରତ ଅନୁସାରେ ହନୁମାନଙ୍କ ମାତା ଅଞ୍ଜନୀଙ୍କ ପିତା ହେଲେ ମହାମୁନି ଗୈାତମ ଏବଂ ମାତା ହେଲେ ଦେବୀ ଅହଲ୍ୟା । ଅହଲ୍ୟା ଏତେ ରୂପବତୀ ଥିଲେ ଯେ ତାଙ୍କର ରୂପ ଦେଖି ଦେବତାମାନେ ସାନ୍ନିଧ୍ୟ ପାଇବା ପାଇଁ ବ୍ୟାକୁଳିତ ହୋଇପଡୁଥିଲେ । ଏହି କାରଣରୁ ଗୈାତମ ତପସ୍ୟାକୁ ଯିବାବେଳେ ଅହଲ୍ୟାଙ୍କର ପ୍ରାଣକୁ କାଢି ନିଜ କାନିରେ ରଖି ପୁତ୍ରୀ ଅଞ୍ଜନୀକୁ ମାତାର ନିର୍ଜୀବ ଶରୀରକୁ ଜଗିବା ଦାୟୀତ୍ୱ ଦେଇ ଚାଲିଯାନ୍ତି । ଥରେ ମହାମୁନି ଗୈାତମ ପ୍ରୟାଗ ତୀର୍ଥକୁ ପାଞ୍ଚଦିନ ପାଇଁ ଯିବାର ଜାଣି ସୂର୍ଯ୍ୟ ଏବଂ ଇନ୍ଦ୍ର ଗୈାତମଙ୍କର ଛଦ୍ମବେଶ ଧାରଣ କରି ଅହଲ୍ୟାଙ୍କ ସହିତ ତାଙ୍କର ଅଜାଣତରେ ପାପ ପ୍ରଣୟରେ ଲିପ୍ତ ହେଲେ । ପ୍ରଥମେ ଇନ୍ଦ୍ର ଅହଲ୍ୟାଙ୍କ ଶରୀରରେ ପ୍ରାଣ ହୋଇ ପ୍ରବେଶ କରିବା ପରେ ସୂର୍ଯ୍ୟ ଗୈାତମଙ୍କ ଛଦ୍ମବେଶରେ ଅହଲ୍ୟାଙ୍କ ସହିତ ପାପପ୍ରଣୟରେ ଲିପ୍ତ ହେଲେ । ତହିଁ ପରଦିନ ସୂର୍ଯ୍ୟ ଅହଲ୍ୟାଙ୍କ ଦେହରେ ପ୍ରାଣ ହୋଇ ତାଙ୍କୁ ଜୀବନ୍ୟାସ ଦେବାପରେ ଇନ୍ଦ୍ର ଗୈାତମ ବେଶରେ ଅହଲ୍ୟାଙ୍କ ସହିତ ରତିକ୍ରିଡାରେ ମାତିଲେ । ଦଶମାସ ପରେ ଅହଲ୍ୟାଙ୍କ ଗର୍ଭରୁ ଦୁଇଗୋଟି ପୁତ୍ର ସନ୍ତାନ ଜାତ ହେଲେ । ଗୈାତମ ଏ ବିଷୟରେ କିଛି ଜାଣିପାରିଲେ ନାହିଁ । ସେ ପୁତ୍ର ଦୁହିଁଙ୍କର ନାମ ଯଥାକ୍ରମେ ସୋମତିଳା ଏବଂ ଯବତିଳା ରଖିଲେ । ଦିନେ ଅର୍କତୀର୍ଥକୁ ମହାମୁନି ଭ୍ରମଣରେ ଯିବାବେଳେ ସାଙ୍ଗରେ ଦୁଇପୁତ୍ର ଏବଂ ଦୁହିତା ଅଞ୍ଜନୀ ତାଙ୍କ ସଙ୍ଗରେ ଥିଲେ । କିଛିବାଟ ଖାଲି ପାଦରେ ଚାଲି ଚାଲି ଯିବାପରେ ତପ୍ତ ବାଲିରେ ପାଦକୁ କଷ୍ଟ ହେବାର ଦେଖି ଦୁଇପୁତ୍ରଙ୍କୁ ନିଜର ଦୁଇ କାନ୍ଧରେ ବସାଇ ଆଗକୁ ଚାଲିଲେ । ଏହାଦେଖି ଅଞ୍ଜନୀ ମଧ୍ୟ ପିତାଙ୍କୁ ତାକୁ କାନ୍ଧରେ ବସାଇବାକୁ ଅନୁରୋଧ କରିବାରୁ ଗୈାତମ ମୁନି ଅସନ୍ତୋଷ ବ୍ୟକ୍ତ କଲେ । ଅଞ୍ଜନୀ ପିତାଙ୍କର ଏତାଦୃଶ ଆଚରଣରେ ବିବ୍ରତ ହୋଇ କହିଥିଲେ ମୁଁ ଆପଣଙ୍କର ଔରସରୁ ଜନ୍ମ ହୋଇ ମଧ୍ୟ ମୋତେ ତ୍ୟକ୍ତ କଲେ କିନ୍ତୁ ଜାରଜ ସନ୍ତାନ ଦ୍ୱୟଙ୍କୁ ଆପଣେଇଲେ । ଏ କଥା ଶୁଣିବାପରେ ଗୈାତମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅଞ୍ଜନୀକୁ କହିଥିଲେ ମୁଁ ଆଜି ଏହାର ପରୀକ୍ଷା କରିବି ଏବଂ ଯଦି ଏହା ସତ୍ୟ ହୋଇନଥାଏ ତେବେ ମୁଁ ତୋତେ ଭସ୍ମ କରିଦେବି । ଏହା କହି ପୁତ୍ରଦୁଇଟିଙ୍କୁ ଧରି ସମୁଦ୍ରକୂଳକୁ ଗଲେ ଏବଂ ସେ ଦୁହିଁଙ୍କର ଚୁଟି ଧରି ସମୁଦ୍ର ଭିତରକୁ ନିକ୍ଷେପ କଲେ ଏବଂ କହିଲେ ଯେବେ ତୁମ୍ଭେ ଦୁହେଁ ମୋର ଔରସରୁ ଜାତ ହୋଇଥିବ ତେବେ ଏହି ମାନବ ରୂପରେ ମୋ ପାଖକୁ ଫେରି ଆସିବ ଅନ୍ୟଥା ମର୍କଟ ରୂପରେ ଫେରିବ । ସତକୁ ସତ ସେହି ଦୁଇପୁତ୍ର ମର୍କଟ ରୂପ ଧରି ଗୈାତମ ମୁନିଙ୍କ ସମ୍ମୁଖକୁ ଫେରି ଆସିଥିଲେ । ଗୈାତମ ଅଞ୍ଜନୀଙ୍କ କଥା ସତ ବୋଲି ଜାଣି ନିଜର ସ୍ତ୍ରୀ ଅହଲ୍ୟାଙ୍କୁ ପଥର ହୋଇଯିବାକୁ ଶାପ ଦେଇଥିଲେ । ଅହଲ୍ୟା ମଧ୍ୟ ନିଜ ଝିଅ ଅଞ୍ଜନୀ ଯୋଗୁ ତାଙ୍କର ଅଜାଣତରେ ହୋଇଥିବା କର୍ମରେ ଶାସ୍ତି ପାଇଥିବାରୁ ତାକୁ ଅଭିଶାପ ଦେଇ କହିଥିଲେ, ଭବିଷ୍ୟତରେ ତୋର ଯେଉଁ ପୁତ୍ର ସନ୍ତାନ ଜାତ ହେବ ସେ ମଧ୍ୟ ମର୍କଟ ହୋଇ ଜନ୍ମ ନେବ । ମାଆ ଠାରୁ ଶାପପାଇ ଅଞ୍ଜନୀ ବିଭା ନହେବା ପାଇଁ ମନେ ମନେ ସ୍ଥିର କଲେ । କାରଣ ପୁରୁଷର ସଂସ୍ପର୍ଶରେ ନଆସିଲେ ପୁତ୍ର ସନ୍ତାନ ଜାତ ଅସମ୍ଭବ । ଏହାପରେ ସେ ଘୋର ବନସ୍ତକୁ ଯାଇ କାଶୀ ନଦୀ ତୀରରେ ମହାଦେବଙ୍କୁ ନିରାହାରରେ ତପସ୍ୟା କରିବାରେ ଲାଗିଲେ । ଏହିପରି ଲକ୍ଷ ଲକ୍ଷ ବର୍ଷ ଅତିବାହିତ ହେବାରେ ଲାଗିଲା । ମହାମୁନି ଗୈାତମଙ୍କ ଆଦେଶରେ ପବନଦେବତା ଅଞ୍ଜନୀଙ୍କୁ ପ୍ରତି ଆଠ ଦିନରେ ପକ୍ୱଦ୍ରାକ୍ଷା ପ୍ରଦାନକରି ବଞ୍ଚାଇ ରଖିଥିଲେ । ବହୁବର୍ଷ ଏହିପରି ଅତିକ୍ରାନ୍ତ ହେବାପରେ ହରପାର୍ବତୀ ଯୋଡି କପିଳାସ ଛାଡି ବନବିହାରରେ ବାହାରିଲେ । ହିମ ସମୟରେ କାକମାନେ ବହୁତ ସୁନ୍ଦର ଦେଖାଯାନ୍ତି । ହରପାର୍ବତୀ ଦୁହେଁ କାକରୂପ ଧରି ଛଦ୍ମରେ ଭ୍ରମଣ ସମୟରେ ସେ ଦୁହିଁଙ୍କ ରମଣରୁ ଶୁକ୍ଳ ଶରୀର ସ୍ପଟିକ ପରି ଆଭା ସହିତ ଯେଉଁ କାକ ଜାତ ହୋଇଥିଲେ ତାର ନାମ ଭୂଷଣ୍ଡ କାକ ରଖିଥିଲେ । ସେହି ଦିବ୍ୟ କାକ ବହୁବର୍ଷ ବଞ୍ଚିବାପରେ ଶ୍ରୀକ୍ଷେତ୍ରର ପବିତ୍ର ରୋହିଣୀ କୁଣ୍ଡରେ ପଡି ମୋକ୍ଷ ପ୍ରାପ୍ତି ହୋଇଥିଲେ । ପରେ ପ୍ରଭୁ ଶଙ୍କର ଏବଂ ମାତା ପାର୍ବତୀ ସରୋବରରେ ପଶି ଜଳକ୍ରିଡା କରିବାକୁ ମନ ବଳାଇଲେ । ସେଠାରେ ସେମାନେ ହଂସ ଓ ହଂସିନୀ ରୂପରେ ଜଳକ୍ରୀଡା ସମୟରେ ଶିବଙ୍କର ରେତରୁ ଗୋଟିଏ ଶୁକ୍ଳମୁଖୀ ହଂସୀ ଜାତ ହେଲେ । ସେ ପକ୍ଷୀ ଭୂତ-ଭବିଷ୍ୟତ ଜ୍ଞାତା ହୋଇ ସକଳ ସୃଷ୍ଟିର ବାର୍ତ୍ତା ଜାଣିପାରିବା ସହ ମରାଳ ନାମରେ ପରିଚିତ ହେଇଥିଲା ।

ତାହାପରେ ବନସ୍ତରେ ଭ୍ରମଣ ସମୟରେ ଭଲ୍ଲୁକମାନଙ୍କୁ ଦେଖି କୈାତୁହଳରେ ହରପାର୍ବତୀ ଭଲ୍ଲୁକ ରୂପ ଧରି ଶୃଙ୍ଗାରରେ ମାତି ରହିଲେ । ଶଙ୍କରଙ୍କର ଏହି ଖେଳରୁ ଯେଉଁ ରେତ ତ୍ୟାଗ କରିଥିଲେ ସେଥିରୁ ଜାମ୍ବବାନଙ୍କର ଜନ୍ମ । ଜାମ୍ବବାନ ବନଜୀବ ହୋଇ ମଧ୍ୟ ମହାଧାର୍ମିକ ହେବା ସହିତ ଚାରିବେଦ, ବାଆଷଠି ଯୋଗ ଏବଂ ଚୈାରାଅଶୀ ମୁଦ୍ରାରେ ସିଦ୍ଧିପ୍ରାପ୍ତ ହୋଇ ରାମରାବଣ ଯୁଦ୍ଧର ବିଶିଷ୍ଟ ସେନାନାୟକ ଭାବରେ ଗଣା ହୋଇଥିଲେ । ଏହାପରେ ହରପାର୍ବତୀ ବନବିହାର ସମୟରେ ମର୍କଟମାନଙ୍କୁ ଦେଖି ସେହି ବେଶରେ ଖେଳ କରିବାକୁ ମନକଲେ । ମହାଦେବ ମର୍କଟ ଏବଂ ଦେବୀ ପାର୍ବତୀ ମର୍କଟୀ ବେଶ ଧରି ସଙ୍ଗମରେ ମାତିରହିଲେ । ମହାଦେବଙ୍କ ମର୍କଟ ରୂପର ସ୍ପଳିତ ରେତର ତେଜ ସହି ନପାରି ମାତା ଶିବଙ୍କୁ ଅନୁରୋଧ କଲେ ଯେ ମୁଁ ଆପଣଙ୍କର ଏ ରେତର ତେଜ ସହିପାରୁନି ଏବଂ ଏହା ଯଦି ମୋର ଗର୍ଭରେ ପଡିବ ତେବେ ମୁଁ ଦହିଯ୍ୟ ହୋଇଯିବି । ସାମାନ୍ୟ କଣିକାଏ ରେତ ମାତାଙ୍କର ଗର୍ଭରେ ପଡିଯିବାରୁ ପାର୍ବତୀ ମୁର୍ଚ୍ଛା ଗଲେ । କଣିକାଏ ରେତ ପୃଥିବୀ ପୃଷ୍ଠରେ ପଡିବାକ୍ଷଣି ତାହା ନାଶ ନହୋଇ ବନ ପର୍ବତ କନ୍ଦରରେ ବିକ୍ଷିପ୍ତ ହୋଇ ତାହା ଦେହରୁ କାଚ, ସ୍ପଟିକ, ପାରା, ଗନ୍ଧକ, ଅଷ୍ଟଧାତୁ ଇତ୍ୟାଦିର ଉତ୍ପନ୍ନ ହେଲା । ଶ୍ୱେତଦୁବ ଏବଂ ଯେତେ ପ୍ରକାର ଶ୍ୱେତ ପଦାର୍ଥ ମଧ୍ୟ ଏହା ଦେହରୁ ଉତ୍ପନ୍ନ ହେଲା । କାଣିଚାଏ ରେତର ଭାରାକୁ ବସୁନ୍ଧରା ସହ୍ୟ କରିନପାରି ବିଶ୍ୱନାଥଙ୍କୁ ପ୍ରାର୍ଥନା କଲେ, “ହେ ! ପ୍ରଭୁ, ଆଉ ଅଧିକ ଏ ମହାରସ ମୋର ଉପରେ ପଡିଲେ ମୁଁ ରସାଗତ ହେବି ଏବଂ ହେ ପ୍ରଭୁ ମୋତେ ଏଥିରୁ ରକ୍ଷା କରନ୍ତୁ” । ବସୁନ୍ଧରାର ପ୍ରାର୍ଥନା ଶୁଣି ମହାଦେବ ନିଜର ବସ୍ତ୍ରାଧାରରେ ନିଜର ବଳକା ମହାରସକୁ ଧାରଣକରି କାହାକୁ ତାକୁ ପ୍ରଦାନ କରିବେ ବୋଲି ମନେ ମନେ ବିଚାର କରିବା ସମୟରେ ଅପୁତ୍ରିକ ବାୟୁଦେବତାଙ୍କ କଥା ମନେ ପଡିଲା । ମରୁତକୁ ଡାକି ଏହା ପ୍ରଦାନ କରିବା ପରେ ମରୁତ କୃତାର୍ଥ ହୋଇ ମହାଦେବଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଏ ମହାବୀର୍ଯ୍ୟକୁ କାହାକୁ ସମର୍ପଣ କରିବେ । ଶିବ ମରୁତଙ୍କୁ ମାତା ଶାପରେ ତପ କରୁଥିବା ଅଞ୍ଜନୀଙ୍କ ନାମ କହିଥିଲେ । ପ୍ରତ୍ୟେକ ଥର ପରି ମରୁତ ସେ ଅକ୍ଷୟବୀର୍ଯ୍ୟକୁ ନେଇ ଅଞ୍ଜନୀଙ୍କ ହସ୍ତରେ ପ୍ରଦାନ କରନ୍ତେ ମରୁତ ଖାଇବା ପଦାର୍ଥ ଆଣିଥିବେ ଭାବି ଅଞ୍ଜନୀ ସଙ୍ଗେ ସଙ୍ଗେ ତାକୁ ନଦେଖି ଭକ୍ଷଣ କରିଦେଲେ । ମହାପ୍ରଭୁ ଶଙ୍କରଙ୍କ ରେତ ଅଞ୍ଜନୀଙ୍କ ଉଦରରେ ପଡିବାକ୍ଷଣି ତାହା ଭାରୀ ହେବାକୁ ଲାଗିଲା ଏବଂ ଗୋଟିଏ ପୁତ୍ର ସନ୍ତାନର ଗର୍ଭୋଦୟ ହେଲା । ଏହା ଦେଖି ତପସ୍ଥାନ ଛାଡି ଅଞ୍ଜନୀ ମନ୍ଦରଗିରି ଉପରକୁ ଚାଲିଯାନ୍ତେ ମନ୍ଦରଗିରି ଅଞ୍ଜନୀକୁ ପ୍ରାର୍ଥନା କଲା ଯଦି ତୋର ପୁତ୍ର ମୋର ଉପରେ ପଡେ ମୁଁ ତାର ଭାର ସହ୍ୟ କରିପାରିବି ନାହିଁ ଏବଂ ରସାଗତ ହୋଇଯିବି । ଦିନକୁ ଦିନ ଗର୍ଭ ଅତିଶୟ ଭାରି ହେବାରୁ ଅଞ୍ଜନୀ ମନ୍ଦରଗିରି ଛାଡି ମେରୁଗିରିରେ ପହଞ୍ଚିଲେ । ଅନେକ ଦିନ ପର୍ଯ୍ୟନ୍ତ ପ୍ରସବ ହେଲାନାହିଁ । ଉଦର ଭିତରେ ଥିବା ପୁତ୍ର ବଢି ଚାଲିଥାଏ । ସେହି ଉଦର ଭିତରେ ଥାଇ କୁମର ନିଜର ପିତା ବାୟୁ ଦେବତାଙ୍କୁ କହିଲେ, ମୁଁ ମାତା ଗର୍ଭରେ ବହୁତ ବଢିଗଲିଣି ଏବଂ ଯଦି ଏହାପରେ ଜନ୍ମ ନେବି ତେବେ ମୋର ମର୍ମ ମାତାଙ୍କର ଜନନେନ୍ଦ୍ରିୟରେ ବାଜିବ ଓ ତାହା ଫଳରେ ମୁଁ ମହାଦୋଷୀ ହେବି । ବାୟୁଦେବତାଙ୍କୁ ଏହାର ପ୍ରତିକାର ଶୀଘ୍ର କରିବାକୁ ଅନୁରୋଧ କଲେ । ବାୟୁଦେବତା ଏ କଥା ମହାଦେବଙ୍କୁ କହିବାରୁ ଶିବ ବଜ୍ରକାଛଟା ବାୟୁଙ୍କୁ ପ୍ରଦାନକରି କହିଲେ, ରମ୍ଭା ଫଳରେ ଭର୍ତ୍ତିକରି ଅଞ୍ଜନୀକୁ ଖାଇବାକୁ ଦେଲେ ପୁତ୍ର ସନ୍ତାନ ଏହାକୁ ପିନ୍ଧି ଗର୍ଭରୁ ବାହାରି ଆସିବ ।

ସେ ଦିନ ଥାଏ ତୁଳା ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି, ଅର୍କ ବାର, ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ର ଯୋଗ । ସେହି ଦିନ ରାତ୍ରିର ପାହାନ୍ତି ପ୍ରହରରେ ଚନ୍ଦ୍ର ସପ୍ତମ ଗୃହରେ ଥିବାବେଳେ ମାହେନ୍ଦ୍ର ବେଳାରେ ବଜ୍ରକାଛଟା ଯୁକ୍ତହୋଇ କୁମରମଣି ଅଞ୍ଜନୀଙ୍କ ଗର୍ଭରୁ ଜାତ ହୋଇଥିଲେ । ସେ ଜାତ ହେବାକ୍ଷଣି ତାଙ୍କର ଭାର ସହି ନପାରି ମେରୁ ପର୍ବତ ଟଳମଳ ହେବାକୁ ଲାଗିଲା । ପୁତ୍ରକୁ ଜନ୍ମ ଦେଲା ପରେ ଅଞ୍ଜନୀ ଭାବିଲେ ଗୁରୁଜନଙ୍କର ଅର୍ଥାତ ନିଜ ମାତାଙ୍କର ଶାପ କେବେହେଲେ ଅନ୍ୟଥା ହେଲାନି । ଅଞ୍ଜନୀ ମନେ ମନେ ସେ ପୁତ୍ର ସନ୍ତାନକୁ ଛାଡି ଚାଲିଯିବାକୁ ସ୍ଥିର କଲାବେଳେ ପୁତ୍ର ଜାଣିପାରି ମାତାକୁ ପ୍ରାର୍ଥନାକରି କହିଲା, ମୋତେ ଏ ବାଳୁତ ଅବସ୍ଥାରେ ଛାଡି ଚାଲିଗଲେ ମୁଁ ବଞ୍ଚିବି କିପରି ? ଏହାଶୁଣି ଅଞ୍ଜନୀ କହିଲେ ତୁ ହେଉଛୁ ପବନଙ୍କ ପୁତ୍ର । ଯେତେବେଳେ ମରୁତ ଅଣଚାଶ ମୂର୍ତ୍ତି ଧରେ ତାର ରଙ୍ଗ ଲାଲ ହୋଇଯାଏ । ସେଥିପାଇଁ ତୁ ସେହି ରଙ୍ଗ ବା ଲାଲ ଫଳକୁ ଭକ୍ଷଣ କରି ବଞ୍ଚିରୁହ । ସେତେବେଳେ ସୂର୍ଯ୍ୟ ଉଦୟ ସମୟ । ଲାଲ ଆଭା ନେଇ ଦିବାକରଙ୍କର ଉଦିତ ସମୟ । ସୂର୍ଯ୍ୟଙ୍କୁ ପାଚିଲା ଫଳଭାବି ଗିଳିବାକୁ ଧରିଥିଲେ ଏବଂ ଖେଳିବାପାଇଁ ସାଥିରେ ନିଜ ଘରକୁ ନେବାକୁ ଚେଷ୍ଟା କରିଥିଲେ । ସୂର୍ଯ୍ୟ ତା କବଳରୁ ମୁକୁଳି ନପାରି ଦେବତାଙ୍କ ରାଜା ଇନ୍ଦ୍ରଙ୍କୁ ତାଙ୍କୁ ମୁକୁଳାଇବାପାଇଁ ଅନୁରୋଧ କରିଥିଲେ । ଅନ୍ୟୋନପାୟ ହୋଇ ଅତ୍ୟଧିକ କ୍ରୋଧରେ ଇନ୍ଦ୍ର ତାଙ୍କର ଅମୋଘ ଅସ୍ତ୍ର ବଜ୍ରକୁ ତା ଉପରକୁ ନିକ୍ଷେପ କରିଥିଲେ । ବଜ୍ର ତାଙ୍କର ହନୁହାଡ ଅର୍ଥାତ ଉପର ମାଢିକୁ ଆଘାତ ଦେବାଫଳରେ ବାୟୁପୁତ୍ର ଅଚେତ ହୋଇ ପୃଥିବୀ ପୃଷ୍ଠରେ ପଡିଯାଇଥିଲେ । ଏହାଦେଖି ତାଙ୍କର ପିତା ପବନଦେବତା ଅତିଶୟ କ୍ଷୁବ୍ଧହୋଇ ବାୟୁମଣ୍ଡଳକୁ ସାଙ୍ଗରେ ନେଇ ଏକ ନିଭୃତ ସ୍ଥାନକୁ ଚାଲିଯାଇଥିଲେ । ଏହାଫଳରେ ଧରାପୃଷ୍ଠରେ ଥିବା ପ୍ରତ୍ୟେକ ସଜୀବ ପ୍ରାଣୀ ପବନ ବିନା ଶ୍ୱାସରୋଧ ହେବାର ଦେଖି ବାଧ୍ୟହୋଇ ସମସ୍ତ ଦେବତା ବ୍ରହ୍ମାଙ୍କ ପାଖରେ ପ୍ରାର୍ଥନା କରିଥିଲେ । ବ୍ରହ୍ମା ବାୟୁଙ୍କୁ ମନେଇବା ପରେ ଇନ୍ଦ୍ର ତାଙ୍କର ବଜ୍ରାସ୍ତ୍ରକୁ ପବନପୁତ୍ରଙ୍କ ଦେହରୁ ଫେରାଇ ନେଇଥିଲେ । ସମସ୍ତ ଦେବତା ମିଶି ହନୁମାନଙ୍କୁ ଆରୋଗ୍ୟ କରିବାସହ ହନୁମାନଙ୍କୁ ବହୁତ ପ୍ରକାର ବର ପ୍ରଦାନ କରିଥିଲେ । ଇନ୍ଦ୍ରଙ୍କର ବଜ୍ରାଘାତ ଫଳରେ ତାଙ୍କର ବାମପାଶ୍ୱର୍ର ଗାଲରେ (ହନୁହାଡରେ) ଗୋଟିଏ ଚିହ୍ନ ରହିଯାଇଥିଲା ଯାହାଫଳରେ ତାଙ୍କର ନାମ ହନୁମାନ ହୋଇଯାଇଥିଲା । ହନୁମାନଙ୍କୁ ପ୍ରଜାପତି ବ୍ରହ୍ମା ନିଜ କୋଳକୁ ନେଇ କହିଲେ ତୁ ମୋର ଆୟୁନେଇ ଚିରଞ୍ଜୀବୀ ହୋଇ କାଳ କାଳକୁ ବଞ୍ଚି ରହ ଏବଂ ମହାପ୍ରଳୟରେ ମଧ୍ୟ ତୋର ବିଲୀନ ନହେଉ । ଇନ୍ଦ୍ର ମଧ୍ୟ ତାକୁ ଆଶୀର୍ବାଦ ଦେଇ କହିଥିଲେ ମୁଁ ତୋତେ ବଜ୍ରଶକ୍ତି ମାରିଥିଲି । ଆଜିଠାରୁ ତୋର ଶରୀର ବଜ୍ରଠାରୁ ମଧ୍ୟ ଆହୁରି ଟାଣ ହୋଇଯାଉ । ଶିବ ତାକୁ ପରମଯୋଗୀ ହେବାକୁ ବର ଦେଇଥିଲେ । ବସୁଧା ତାକୁ ଆଶୀର୍ବାଦ ଦେଇ କହିଥିଲେ ମୁଁ ସଦାବେଳେ ତୋର ଲାଙ୍ଗୁଡରେ ଥିବି । ତୁ ଯେତେଦୂର ଯିବାକୁ ଚାହିଁବୁ ମୁଁ ତୋତେ ଭାରସାମ୍ୟ ରକ୍ଷା ସହ ସହାୟତା କରିବି । ଚନ୍ଦ୍ର ଏବଂ ସୂର୍ଯ୍ୟ ଦୁହେଁ କହିଲେ ଆମ୍ଭେ ଦୁହେଁ ତୋର ବେନି ନେତ୍ରରେ ବିରାଜମାନ କରିବୁ । ତୁ ଦିବ୍ୟ ଚକ୍ଷୁରେ ସାରା ବ୍ରହ୍ମାଣ୍ଡ ଦେଖି ପାରିବୁ । ଦେବଗୁରୁ ବୃହଷ୍ପତି ହନୁମାନକୁ ଆଶୀର୍ବାଦ ଦେଇ କହିଥିଲେ ତୁ ଜଣେ ମହାପଣ୍ଡିତ ହୋଇ ବ୍ରହ୍ମଜ୍ଞାନକୁ ପ୍ରାପ୍ତି ହୁଅ । ବିଶ୍ୱାବସୁ ଆଶୀର୍ବାଦରେ ତୋତେ ସବୁ ଅଦୃଶ୍ୟ ପଦାର୍ଥ ଇଛାକଲେ ଦେଖିପାରିବୁ କହିଥିଲେ ଏବଂ ସବୁ ଭୂତ ଭବିଷ୍ୟତ କଥା ତୋତେ ଜ୍ଞାତ ହେବ ବୋଲି ଆଶିଷ ଦେଇଥିଲେ । ଏହିପରି ସମସ୍ତ ଦେବତା ହନୁମାନଙ୍କୁ ନାନା ପ୍ରକାର ବର ଦେଇ ଆଶିଷ ପ୍ରଦାନ କରିଥିଲେ ।

ମନ୍ତବ୍ୟ ରଖନ୍ତୁ: