ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > କବିର ଘର

କବିର କବିତା ! କବିର ଘର ନୂଆ ରଙ୍ଗରେ.. ନୂଆ ରୂପରେ.. । ଓଡିଆ ସାହିତ୍ୟ ଜଗତର ସାରସ୍ଵତ ସାହିତ୍ୟ ମଞ୍ଚ ଭାବରେ ଏହି କବିର ଘର ମୁଣ୍ଡ ଟେକିଛି । ଓଡିଆ କବି ମାନଙ୍କର କବିତାପାଠ, ସାରସ୍ଵତ ସାଧନାରେ ନିପୁଣ କବି ଓ ସୁ-ସାହିତ୍ୟିକ ମାନଙ୍କ ସହ ଅନ୍ତରଙ୍ଗ ଆଳାପକୁ ନେଇ କବିର ଘରର ଅଭିନବ ପ୍ରୟାସ “ଆଜିର ଅତିଥି”। ଏବଂ ଓଡିଆ ସାହିତ୍ୟକୁ ପ୍ରଗତି ପଥରେ ଆଗେଇ ନେବା ନିମନ୍ତେ ଏହି ସାରସ୍ଵତ ଯାତ୍ରାରେ ନିଜକୁ ନିଯୋଜିତ ରଖିଥିବା ବଣମଲ୍ଲୀର ମହକ ଏବଂ କବିର ଘରର ଦ୍ଵାରା ପ୍ରକାଶିତ “ଇ-ପତ୍ରିକା” ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ନିଆରା ପ୍ରୟାସ । ଯେଉଁ ପ୍ରୟାସ ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ଦିଗରେ ତଥା ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ଦିଗରେ ପଥ ପ୍ରଶସ୍ତ କରି ପାରିବ ଏଥିରେ ଦ୍ଵିମତ ନାହିଁ । ଇଣ୍ଟରନେଟ ମାଧ୍ୟମରେ ଓଡିଆ ସାହିତ୍ୟର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା, ତଥା ଏହାର ଉତ୍କର୍ଷତାକୁ ବିଶ୍ଵ ଦରବାର ପର୍ଯ୍ୟନ୍ତ ବାଟ କଢେଇ ନେବାର ଲକ୍ଷ୍ୟ ନେଇ ଆଜି ବଣମଲ୍ଲୀର ମହକ ଓ କବିର ଘର ଜାରି ରଖିଛନ୍ତି ଏହି ଅଭିନବ ସଂସ୍କୃତି ଓ ସାରସ୍ଵତ ଯାତ୍ରା ।

ସାହିତ୍ୟ ହେଉଛି ସମାଜର ଦର୍ପଣ କାରଣ ସମାଜର ହିତ ସାଧନ ସାହିତ୍ୟ ମାଧ୍ୟମରେ ଘଟିଥାଏ । ସମାଜର ଭଲ-ମନ୍ଦ, ହାନି-ଲାଭ, ସୁଖ-ଦୁଃଖ, ସୁରୁଚି-କୁରୁଚି ଏବଂ ଆଚାର-ବ୍ୟବହାର ଇତ୍ୟାଦି ସାହିତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ସମାଜ ଓ ବ୍ୟକ୍ତି ନିମନ୍ତେ ସଚେତନତାର ବାର୍ତ୍ତା ସାହିତ୍ୟ ହିଁ ଯୋଗାଇ ଦେଇଥାଏ । ଆସନ୍ତୁ ଏହି ସାରସ୍ଵତ ଆଲୋଚନା ନିମନ୍ତେ କବିର ଘର ଦ୍ଵାରା ପ୍ରତିଷ୍ଠିତ ଫେସବୁକ ଓ ହ୍ଵାଟସଆପ ସଂଘରେ ଯୋଗଦେଇ ଆଲୋଚନାକୁ ଆଗେଇ ନେବା । ସୁସ୍ଥ ସାହିତ୍ୟ ସୃଷ୍ଟି ଓ ସୁ-ସମାଜ ଗଠନ ଆମର ଲକ୍ଷ୍ୟ ହେଉ ।


କବିର ଘରର ପ୍ରତିଷ୍ଠାତାଙ୍କ ଲେଖନୀରୁ…

ପିଲାଟି ଦିନରୁ ସାହିତ୍ୟରେ ରୁଚି ଥିଲା । ସରଳ ଗ୍ରାମୀଣ ସଂସ୍କୃତି ତଥା ପିତାଙ୍କ ସାହିତ୍ୟିକ ଜୀବନର ପ୍ରେରଣା ଥିଲା ମୋ ସୃଜନୀର ସ୍ଵର । ଲେଖୁଥିଲି କବିତା, ଲେଖୁଥିଲି ଗଳ୍ପ ଏମିତି ଅନେକ କଥା.. ହେଲେ ସବୁ ସେମିତି ରହିଯାଉଥିଲା ପାଣ୍ଡୁଲିପିର ପୃଷ୍ଠା ଭିତରେ । ବୟସର ପରିପକ୍ଵତା ଆସିନଥିବାରୁ ସେମାନଙ୍କ ସହ ତାଳ ଦେଇ ଆଗକୁ ବଢି ପାରୁନଥିଲି ପାଦେ । କିନ୍ତୁ ସୁଯୋଗ ଯେ ମୋ ସୃଜନୀର ଦ୍ଵାରଦେଶରେ ଅପେକ୍ଷା କରିଥିଲା ତାହା ମତେ ଅଜଣା ଥିଲା ।

୨୦୧୦ ମସିହାର ସେହି ଶୁଭ ମୂହୁର୍ତ୍ତ.. ଭାବିଲେ ଆଜିବି ରୋମାଞ୍ଚିତ ହୋଇ ଉଠେ ଏହି କବି ହୃଦୟଟି ! ଏତେ ଆନନ୍ଦ ଥାଏ ଏହି ସର୍ଜନାରେ !! ଖୋରଧାର ପ୍ରାଣନାଥ ମହାବିଦ୍ୟାଳୟ, ମୋ ସାଧନାର ପୀଠ ଯାହାକି ମୋ ତପସ୍ୟାର ସ୍ଥଳ ଥିଲା । ସେଠାରୁ ପ୍ରକାଶିତ ହେଉଥିବା “ପ୍ରତୀକ” ପ୍ରତିକାରେ ବାହାରିଥିଲା ମୋ ସାହିତ୍ୟ ସୃଜନୀରୁ ଜନ୍ମ ନେଇଥିବା “ସଙ୍ଗୀତ” ଶୀର୍ଷକର ପ୍ରବନ୍ଧଟିଏ । ଶୁଣିବା ପରେ ଖେଳି ଯାଇଥିଲା ମୋ ଶରୀରରେ ଅପୂର୍ବ ଶିହରଣ । ସେହି ଖୁସିକୁ ମୁଁ ମର୍ମେ ମର୍ମେ ଅନୁଭୋବ କରୁଥିଲି ଏଇଥିପାଇଁ ଯେ, ସାହିତ୍ୟ ଥିଲା ମୋର ଜନ୍ମଗତ ରୁଚି । ଅନ୍ୟାନ୍ୟ ପତ୍ରପତ୍ରିକା ଗୁଡିକୁ ଲେଖା ପଠାଇବା ଆରମ୍ଭ କଲି ଏବଂ ସମସ୍ତ ଲେଖା ଗୁଡିକ କ୍ରମଶଃ ପ୍ରକାଶିତ ହେବାକୁ ଲାଗିଲା । ଖୁସି ଓ ଆଗ୍ରହ ଶତ ଗୁଣିତ ହେଲା । ଖୁବ ଆତ୍ମତୃପ୍ତି ଅନୁଭବ କଲି ମୁଁ ।

ବିଜ୍ଞାନର ପ୍ରଗତିରେ ନିଜକୁ ସାମିଲ କରି ଓଡିଆ ସାହିତ୍ୟର ମୁଖପୁସ୍ତିକା ସଙ୍ଘ “କବିର ଘର” ଓ ହ୍ଵାଟସଆପ ସଙ୍ଘ “କବିର ଘର” ସ୍ଥାପନା କଲି । ମନରେ ଥିଲା ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାର ସ୍ଵପ୍ନ, ସୁ-ସାହିତ୍ୟ ସୃଷ୍ଟି କରିବାର ଅଭିଳାଷ ଏପରିକି ସୁସ୍ଥ ସମାଜ ଗଠନର ମାନସିକତା । କାହିଁକି ନା ସାହିତ୍ୟ ହିଁ ସମାଜର ଏକମାତ୍ର ମାର୍ଗଦର୍ଶକ, ଏହା ମୁଁ ଅନୁଭବ କରିଥିଲି । ସେହି ସାମାଜିକ ମଞ୍ଚରେ ଭେଟ ହୁଏ  ଅନେକ ସାହିତ୍ୟିକ, କବିବନ୍ଧୁ ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହ । ମିଳିଲା ଅନେକରୁ ଅନେକ ସାରସ୍ଵତ ପ୍ରେରଣା । ପାଦ ପରେ ପାଦ ଆଗେଇବାକୁ ପଥ ପ୍ରଶସ୍ତ ହେଲା ।

ସାଂପ୍ରତିକ ବୈଷୟିକ ଜ୍ଞାନକୌଶଳର ଆଧାରରେ କବିର ଘର ଆଜି ସ୍ଵତନ୍ତ୍ର ୱେବଡୋମିନ www.banamalli.org ମାଧ୍ୟମରେ ସାରା ବିଶ୍ଵ ସମ୍ମୁଖରେ ଉପଲବ୍ଧ ହୋଇପାରିଛି । ଏହାର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଇଣ୍ଟରନେଟ ମାଧ୍ୟମରେ ସାରା ବିଶ୍ଵର ପାଠକ ପାଠିକା ମାନଙ୍କ ନିକଟରେ ପହଞ୍ଚେଇବା କ୍ଷେତ୍ରରେ ବଣମଲ୍ଲୀର ମହକ ଅନୁଷ୍ଠାନର ନିଃସ୍ଵାର୍ଥପର ଉଦ୍ୟମ, ଅବଦାନ ଓ ପ୍ରେରଣା ଅତୁଳନୀୟ । ବନ୍ଦେ ଉତ୍କଳ ଜନନୀ । ଅଧିକ ପଢନ୍ତୁ

Top