କର୍ମଯୋଗୀ ସମାଜସେବୀ ଇଂ ଗୋପାଳ କୃଷ୍ଣ ବେହେରା – ଡକ୍ଟର ଲକ୍ଷ୍ମଣ ସାହୁ

ଡକ୍ଟର ଲକ୍ଷ୍ମଣ ସାହୁ, ଅଧ୍ୟାପକ, ଓଡିଆ ବିଭାଗ,
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦/୯୦୪୦୧୫୧୪୭୫

କର୍ମହିଁ ଜୀବନର ମାନଦଣ୍ତ ଓ ମାନବ ସେବାହିଁ ମାଧବ ସେବା । ଏହି କର୍ମ ଓ ସେବାକୁ ଜୀବନର ବ୍ରତ ରୂପେ ଧାରଣ କରି ଆସିଥିବା ପ୍ରଖ୍ୟାତ ବ୍ରିଜ୍ ଓ ରୋଡ୍ ବିଶେଷଜ୍ଞ ଇଂଜିନିୟର ଗୋପାଳ କୃଷ୍ଣ ବେହେରା ଆଜି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି, ଜଣେ କର୍ମଯୋଗୀ ଓ ସମାଜସେବୀ ଅସାଧାରଣ ସ୍ନେହୀ ମଣିଷଟିଏ । ବାଲି, ଗୋଡି, ଢିମା, ଲୁହାଛଡ, ସିମେଣ୍ଟ କଂକ୍ରିଟ୍ ଭିତରେ ନିତି ପେଶି ହୋଇଥିବା ମଣିଷଟିର ହୃଦୟ କେତେ କୋମଳ, ଉଦାର ଯେ ତାଙ୍କ ସଂସ୍ପର୍ଶରେ ଆସିଛି ସେହି ବୁଝିଛି, ହୃଦୟରେ ଭଲ ପାଇବାର ମଧୁରତା, ଭାଷାରେ ଗୁରୁଗମ୍ଭୀର କାର୍ଯ୍ୟ କରିବାର ସତ୍ୟତା, ଆଖିର ଆଖିଏ ଦୃଢ ସଂକଳ୍ପ ଇଚ୍ଛାଶକ୍ତିର ମାଦକତା, ବ୍ୟବହାରରେ ଚଟୁଳ ରସିକତା ପୂର୍ଣ୍ଣ ସମ୍ଭ୍ରମତା, ଚାଲିର ଠାଣିରେ ରାଜକୀୟତାର ପରିପାଟୀ ଫୁଟି ଉଠୁଥିବା ଏହି ମହାନ୍ ବ୍ୟକ୍ତିଙ୍କ ଜନ୍ମ ୨୯ ସେପ୍ଟେମ୍ବର ୧୯୪୦ ମସିହା କଟକ ଝାଞିରିମଂଗଳା ପୁଣ୍ୟ ପବିତ୍ର ସ୍ଥାନରେ । ପିତା ସ୍ୱର୍ଗତ ଦୃର୍ଲଭ ବେହେରା, ମାତା ସ୍ୱର୍ଗତା ଲକ୍ଷ୍ମୀ ଦେବୀଙ୍କର ସେ ଥିଲେ ଅଳିଅଳ ଜ୍ୟୋଷ୍ଠ ସନ୍ତାନ । ପିତା ଦୃର୍ଲଭ ବେହେରା ସେ ସମୟରେ କୋଠାବାଡି ନିର୍ମାଣ କାର୍ଯ୍ୟରେ ସୁନାମ ଅର୍ଜନ କରିଥିବାରୁ ପିଲାଟି ବେଳୁ ବୋଧହୁଏ ଗୋପାଳ ବାବୁଙ୍କ ଉପରେ ପିତାଙ୍କ ପ୍ରଭାବ ପଡିଥିଲା, ଯାହା ତାଙ୍କୁ ଭବିଷ୍ୟତରେ ଜଣେ ସୁଦକ୍ଷ ଇଂଜିନିୟର କରି ଗଢି ତୋଳିଲା । ସେଦିନର ସେହି ଚପଳମତି ବାଳକ ଚାହାଳୀ ପାଠ ଶେଷକରି ରାଜାବଗିଚା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠାରମ୍ଭ କରିଥିଲେ, ପରେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ମାଟ୍ରିକ୍ ଶିକ୍ଷା ସାରି ଅଧୁନା ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରିଥିବା ରେଭେନ୍ସା ମହାବିଦ୍ୟାଳୟ ଆଇ.ଏସ.ସି କୃତିତ୍ୱର ସହ ପାଶ୍ କଲେ । ଇଂଜିନିୟର ଶିକ୍ଷା ଲାଭ ୟୁନିଭରସିଟ୍ କଲେଜ ଅଫ ଇଂଜିନିୟରିଂ ବୁର୍ଲାରେ ବି.ଟେକ୍ ସମ୍ମାନର ସହ ସଫଳତା ପାଇଥିଲେ ଓ ସେଇ ବର୍ଷ ୧୯୬୨ ରେ କର୍ମମୟ ଜୀବନ କ୍ଷେତ୍ରରେ ପାଦ ରଖିଲେ, ସର୍ବପ୍ରଥମେ ଓଡିଶା ସରକାରଙ୍କ ଅଧିନରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ପୂର୍ତ୍ତ ବିଭାଗରେ ଚାକିରୀ ଆରମ୍ଭ କରିଥିଲେ, ସେଥିଲେ ତାଙ୍କ ଅଂଚଳର ପ୍ରଥମ ଇଂଜିନିୟର । ବାପା ଓ ମାତାଙ୍କ ଦୂରଦୃଷ୍ଠି ଯୋଗୁହିଁ ତାହା ସମ୍ଭବ ହୋଇଥିବା ସେ ସ୍ୱୀକାର କରନ୍ତି ।

ଗତି ମୁଖର ସମୟର ଚକ୍ରତଳେ ମଣିଷ ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ଆଗକୁ ଚାଲେ । କିନ୍ତୁ ସମସ୍ତେ ସେହି ସମୟର ଝଡଝଞାକୁ ସାମନା କରି ପାରଂତି ନାହିଁ । ଯେ କରେ, ସେ ହେଉଛନ୍ତି, ପ୍ରକୃତରେ ଅଭିଞ, ପ୍ରଭାବଶାଳୀ, ସର୍ବଶକ୍ତିମାନ ଶ୍ରେଷ୍ଠ ମଣିଷ । ଇଂଜିନିୟର ଗୋପାଳ ବାବୁ ସେମାନଂକ ମଧ୍ୟରୁ ଜଣେ, ଚାକିରି କାଳ ମଧ୍ୟରେ ଓ ପରେ ବିଭିନ୍ନ ପଦ ପଦବୀରେ ନିଜର କର୍ମନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ପରପୋକାରରେ ଜୀବନ ବିତାଇ ଚାଲିଛଂତି । ପ୍ରଥମେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କାର୍ଯ୍ୟଭାର ଗ୍ରହଣ କରି ଶେଷରେ ଚିଫ ଇଂଜିନିୟର (ମୂଖ୍ୟ ଯନ୍ତ୍ରୀ) ପୂର୍ତ୍ତ ଓ କୋଠାବାଡି ବିଭାଗ(ଓଡିଶା ସରକାରଂକ ଅଧିନରେ)ରୁ ଅବସର ନେଇ କେବେ ଥକି ପଡି ନାହାନ୍ତି । ତାଙ୍କର ଦକ୍ଷତା, କର୍ତ୍ତବ୍ୟ ନିଷ୍ଠା ତାଙ୍କୁ ତାଙ୍କ କର୍ମରେ ଅଦ୍ୟାବଧି କାର୍ଯ୍ୟରେ ବାନ୍ଧି ରଖିଛି । ପ୍ରାୟତଃ ପଚାଶ ବର୍ଷରୁ ଅଧିକ ସମୟ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଭାବରେ ସଂପୃକ୍ତ ରହି ଆସିଥିବା ଏହି ମହାନ୍ ବ୍ୟକ୍ତି ଏବେ ବି ଜଣେ କନ୍ସଲଟାଣ୍ଟ (ଉପଦେଷ୍ଟା) ଭାବରେ କାର୍ଯ୍ୟରତ ଅଛଂତି । ତାଙ୍କର ପ୍ରମୁଖ ଅବଦାନ ଗୁଡିକ ପ୍ରତି ଦୃଷ୍ଟି ଦେଲେ ବିସ୍ମୟ ଲାଗେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ପ୍ରଥମ ବ୍ରିଜ୍ କାଳିଆବୁଦା ଠାରୂ ଆରଂଭ କରି ଅନ୍ୟ ସାତଟି ବ୍ରିଜ୍ ର ପ୍ଳାନିଂ ଓ ନିର୍ମାଣ, ଲୁଣାନଦୀ ଉପରେ ଇଷ୍ଟକୋଷ୍ଟ ରେଳବାଇର ବ୍ରିଜ, ପାରାଦ୍ୱୀପ ହରିଦାସପୁର ରେଳଲିଙ୍କ୍, କଟକ-ପାରିଦ୍ୱିପ କଂକ୍ରିଟ୍ ରୋଡ୍ ଓ ଧବେଶ୍ୱର ଝୂଲନ୍ତା ବ୍ରିଜ୍ ଆଦି ତାଙ୍କ ଦକ୍ଷତାର ପ୍ରମାଣ ଦିଏ । ବର୍ତ୍ତମାନ ମହାନଦୀ ଉପରେ ଚହଟା ଠାରେ ନିର୍ମାଣଧୀନ ବ୍ରିଜର କନ୍ସଲଟାଣ୍ଟ (ଉପଦେଷ୍ଟା ଯନ୍ତ୍ରୀ) ଇଂଜିନିୟର ବିଶେଷଞ୍ଗ ଭାବରେ କାର୍ଯ୍ୟରତ ଓ ନାର୍ବାଡ୍ ବ୍ୟାଙ୍କର ମଧ୍ୟ ବିଶେଷଞ୍ଗ ଉପଦେଷ୍ଟା (କନ୍ସଲଟାଣ୍ଟ) ଭାବରେ ଅବସ୍ଥାପିତ ଅଛନ୍ତି ।

କୌଣସି ବ୍ୟକ୍ତିଠାରୁ ଯେ କୌଣସି କାମ ହାସଲ କରିବାର ଏକମାତ୍ର ଉପାୟ ସେହି ବ୍ୟକ୍ତି ମନରେ ସେହି କାମ କରିବା ପାଇଁ ସ୍ୱତଃ ପ୍ରବୃତ୍ତି ଜାଗ୍ରତ କରାଇବା, ଗୋପାଳବାବୁଙ୍କ ପାଖରେ ଏହା ଏକ ବିରାଟ ଅସ୍ତ୍ର, ଯାହାକି ଅତି ସହଜରେ ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କ ଠାରୁ କାର୍ଯ୍ୟ କରାଇ ନେଉଥିଲେ । ମହୁ ଯଦି ସଂଗ୍ରହ କରିବାକୁ ଇଚ୍ଛା ମହୁଫେଣାକୁ ଗୋଇଠା ମାରିବା ଅନୁଚିତ । ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ଶକ୍ତିକୁ ବଡଗୁଣ ବୋଲି ଭାବନ୍ତି, ତାକୁ ପ୍ରଶଂସା ଓ ଊତ୍ସାହିତ କରି ତା’ର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇ ସଫଳତାର ଶୀର୍ଷରେ ପହଂଚାଇ ଦେବାର କଳା କୌଶଳ ତାଙ୍କୁ ବେଶ୍ ଜଣାଥିବାରୁ, ସେ ସମସ୍ତଙ୍କ ପ୍ରିୟପାତ୍ର ଅତି ଆପଣାର ମଣିଷଟିଏ ଅଟନ୍ତି ।

ସୁଦୂର ଜର୍ମାନରେ ରହିଥିବା ପ୍ରଖ୍ୟାତ ଇଂଜିନିୟର, ଓଡିଆ ସଂସ୍କୃତିର ରକ୍ଷକ, ଓଡିଆ ପରିପାଟୀକୁ, ନିଜ ଜନ୍ମମାଟିକୁ ପ୍ରାଣ ଭରି ଭଲ ପାଉଥିବା ଖ୍ୟାତନାମା ଲେଖକ, ସୁବକ୍ତା ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ ତାଙ୍କର ପରମ ବନ୍ଧୁ, ବନ୍ଧୁଙ୍କ ଦୃଷ୍ଟିରେ ସେ ହେଉଛନ୍ତି ମହାନଦୀ ବିହାରର ଗାନ୍ଧି । ସତରେ ଗାନ୍ଧି ଦର୍ଶନରେ ଗୋପାଳବାବୁ ସମାଜ ସେବାରେ ଅନୁପ୍ରାଣୀତ । ସତ୍ୟ, ଧର୍ମ, ସମୟାନୁବର୍ତ୍ତିତା ମଧ୍ୟରେ ସଦା ସେ ନିମଗ୍ନ ।

କଟକ ମହାନଦୀ ବିହାର ସୌନ୍ଦର୍ଯ୍ୟକରଣ ଦିଗରେ ପ୍ରୟାସୀ । ବିଶେଷତଃ ରାସ୍ତାକଡ ବୃକ୍ଷରୋପଣ, ଜଗନ୍ନାଥ ମନ୍ଦିର, ମଙ୍ଗଳା ମନ୍ଦିର, ରାଧାକୃଷ୍ଣ ଆଦି ବିଭିନ୍ନ ମନ୍ଦିର ନିର୍ମାଣ, ବିଭିନ୍ନ ସ୍ଥାନରେ ମଧୁସୂଦନ, ଗୋପବଂଧୁ ଆଦି ମହାପୁରୁଷ ମାନଂକ ପ୍ରତିମୂର୍ତ୍ତି ସ୍ଥାପନ, ପେନସନ ଭୋଗୀଙ୍କ ସଂଘ ଗଠନ, ମହାନଦୀ ବିହାର ରଥଯାତ୍ରାର ପରିଚାଳନା, ମହାନଦୀ ଫେଷ୍ଟିଭାଲ, ସାଂସ୍କୃତିକ ମହ୍ଲାର କାର୍ଯ୍ୟର ସୁସଂପାଦନ, ବିଭିନ୍ନ ଶିକ୍ଷାନୁଷ୍ଠାନ ବିକାଶ, ମହାନଦୀ ବିହାର ମହିଳା ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତ୍ତି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ, ଉପସ୍ଥିତି, ପରାମର୍ଶ, ହାତସ୍ପର୍ଶ, ପୃଷ୍ଠପୋଷକତା, ଦାନ, ଦାୟିତ୍ୱ ବୋଧତାକୁ ଦେଖିଲେ ବିସ୍ମୟ ଲାଗେ । ମହାନଦୀ ବିହାର ଅଂଚଳ କେବଳ ନୁହେଁ, ପାଖାପାଖି ପ୍ରତ୍ୟେକ ଅଂଚଳରେ ବଦାନ୍ୟତା ଦେଖାଇ ଆସିଛନ୍ତି । ସେ ଭୋଗରେ ନୁହେଁ ତ୍ୟାଗରେ ବ୍ରତୀ ; ମହାନଦୀ ବିହାରର ବିଭିନ୍ନ ଅନୁଷ୍ଠାନକୁ ମୁକ୍ତ ହସ୍ତରେ ଦାନ କରି ଚାଲିଥିବା ଏହି ମହାନ୍ ତ୍ୟାଗୀ ପୁରୁଷଙ୍କ ଶେଷ ଇଚ୍ଛା ଓ ସଂକଳ୍ପ ନିଜ ବାସ ଭବନକୁ ମୃତ୍ୟୁ ପରେ ମହାନଦୀ ବିହାର ମହିଳା ମହାବିଦ୍ୟାଳକୁ ଦାନ କରିବାର ଦୃଢ ସଂକଳ୍ପ କରିଥିବା କଥା ଦୁଇ ସୁଯୋଗ୍ୟ ପୁତ୍ର ଓ କନ୍ୟାକୁ ଜଣାଇଛନ୍ତି, ତାଙ୍କର ଏ ଦାନରେ ମହାବିଦ୍ୟାଳୟର ଏକଛାତ୍ରୀ ନିବାସ (ହଷ୍ଟେଲ) ହେବ, ଏ ମହାନ ଦାନ ନିକଟରେ ଏ ଅଂଚଳ ତଥା ମହାବିଦ୍ୟାଳୟ ଋଣୀ ଓ ତାଙ୍କ ନାମରେ ଛାତ୍ରୀ ନିବାସ ନାମାଙ୍କିତ କରାଯିବାରେ ମୁଁ ଆଶାବାଦୀ ।

ଇଚ୍ଛା ଓ ପ୍ରୟାସର ସେ ସଫଳକାମୀ ମଣିଷଟିଏ । ଯେ ସ୍ପଷ୍ଟବାଦୀ ଅନ୍ୟମାନଙ୍କ ମନୋଭାବକୁ ଜାଣି ପାରନ୍ତି, ସେହି ଅନୁସାରେ କାର୍ଯ୍ୟ କରନ୍ତି, ନିଜ ଭବିଷ୍ୟତ ଉପରେ ଚିନ୍ତିତ ହେବାକୁ କେବେ ପଡେ ନାହିଁ । ସେହିଁ ସକଳ କାର୍ଯ୍ୟରେ ସଫଳ ହୁଅନ୍ତି, ସେଭଳି ଗୋପାଳ ବାବୁ ସବୁ କ୍ଷେତ୍ରରେ ସଫଳକାମୀ ପୁରୁଷ, ପରିବାରରେ ଦୁଇ ସୁଯୋଗ୍ୟ ପୁତ୍ର ଓ ଏକମାତ୍ର ସୁକନ୍ୟାଙ୍କ ସଫଳ ପିତା, ଧର୍ମପରାୟଣା ପତ୍ନୀ ଶୈଳବାଳାଙ୍କ ସଫଳ ପତି ।

ମହାନଦୀ ବିହାରରେ ବିଭିନ୍ନ ସମୟରେ ନାନା ସମସ୍ୟାକୁ ନେଇ ବାଦ ବିବାଦ ସୃଷ୍ଟି ହୁଏ । ତାର ସମାଧାନର ବାଟ ତାଙ୍କ ପାଖରେ ଥାଏ; ନିନ୍ଦା, ଅପବାଦକୁ ଖାତିର ନାହିଁ, ଯେ କୌଣସି ଲୋକ ବି ସମାଲୋଚନା କରିପାରେ, ନିନ୍ଦା, ଅଭିଯୋଗ ଆଣିପାରେ, ମୂର୍ଖ ଲୋକମାନଙ୍କ ଭିତରୁ ଅନେକ ସେପରି କରନ୍ତି, କିନ୍ତୁ କ୍ଷମା ଦେବାକୁ ହେଲେ ଚରିତ୍ର, ନିଷ୍ଠା, ଆତ୍ମ ସଂଯମ ଆବଶ୍ୟକ, ଯାହା ଗୋପାଳ ବାବୁଙ୍କ ଠାରେ ଦେଖିବାକୁ ମିଳେ । ଜଣେ ବଡ ବ୍ୟକ୍ତିତ୍ୱ ସଂପନ୍ନ ଲୋକ ଛୋଟ ଲୋକମାନଙ୍କ ସହ କିପରି ବ୍ୟବହାର କରନ୍ତି, ତାହା ଦ୍ୱାରାହିଁ ତାଙ୍କର ବଡଲୋକ ପଣିଆ ଜଣାପଡେ । ଦ୍ୱାପରର କୃଷ୍ଣ ଥିଲେ ଗୋପର, ମଥୁରାର, ହସ୍ତିନାର, ଦ୍ୱାରିକାର ପ୍ରିୟ; ସେଭଳି ଗୋପାଳ କୃଷ୍ଣ ହେଉଛନ୍ତି ଏ ଦେଶରାଜ୍ୟ ପୂର୍ତ୍ତ କୋଠାବାଡି ବିଭାଗର, ଏ ଜାତୀୟ ସଂସ୍କୃତି ଓ ଇତିହାସର, ଜାତିର, ମହାନଦୀ ବିହାରର, ସକଳ ଅନୁଷ୍ଠାନର ପ୍ରିୟ, ସକଳେ ତାଙ୍କର କର୍ମ, ଧର୍ମ, ଦାନ, ସେବା ପାଇଁ ଭଲ ପାଆନ୍ତି ।

“ଆଗରେ ପଡିଛି ପଥ ବହୁ ଦୂର ଆହୁରି କେତେ ଯେ ବାକି
ଚାଲିବି ଚାଲିବି ନପଡିବି ଥକି ବୁଜିବା ଆଗରୁ ଆଖି ।”

ଏହି ସଂକଳ୍ପରେ ବ୍ରତୀ ଗୋପାଳ ବାବୁ । ମହାନଦୀ ବିହାରରେ ବହୁ ଜ୍ଞାନୀ, ଗୁଣୀ, ବୁଦ୍ଧିଜୀବି, ଯନ୍ତ୍ରୀ (ଇଂଜିନିୟର), ପ୍ରବୀଣ ଶିକ୍ଷାବିତ, ଡକ୍ଟର, ଡାକ୍ତର, ବିଶିଷ୍ଟ ଶିଳ୍ପପତି, ଓକିଲ, ବିଚାରପତି, ନ୍ୟାୟାଧୀଶ, ବଡ ବଡ ବ୍ୟବସାୟୀ ମାନଙ୍କ ଅଭାବ ନାହିଁ, ତା’ ସତ୍ତ୍ୱେ ଗୋପାଳବାବୁ ସଂପୂର୍ଣ୍ଢ ଭିନ୍ନ ରକମର ମନେ ହୁଅନ୍ତି । ନିଃସ୍ୱାର୍ଥପର, ବୁଦ୍ଧିଦୀପ୍ତ, ନିରାଡମ୍ବରପନ୍ନ, ଅହଂକାରଶୂନ୍ୟ, ମିଷ୍ଠଭାଷୀ, ରକ୍ତ, ମାଂସଧାରୀ ଅସାରଣ ବ୍ୟକ୍ତିଟିଏ । ଦେବତା ଅଛନ୍ତି; ହେଲେ କୌଣସି ମନ୍ଦିର, ମସଜିଦ୍ ବା ଗୀର୍ଜା (ଚର୍ଚ୍ଚ) ରେ ନାହାନ୍ତି; ଅଛନ୍ତି ଏଇ ମଣିଷ ମାନଙ୍କ ଭିତରେ, ଯେ ସାଧାରଣରୁ ଅସାଧାରଣ ପାଲଟନ୍ତି, ସେହିଁ କେବଳ ଦେବପ୍ରତିମରେ ରୂପାନ୍ତରିତ ହୁଅନ୍ତି, ସେଭଳି ଗୋପାଳ ବାବୁ ଜଣେ ଦେବପ୍ରତିମ ବ୍ୟକ୍ତି । ତାଙ୍କର ଏ ଅଠଷ୍ଟରୀତମ ଜନ୍ମ ଜୟନ୍ତୀରେ ତାଙ୍କୁ ମୋର ଶତ ପ୍ରଣାମ ଓ ଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରୁଛି ।

ମନ୍ତବ୍ୟ ରଖନ୍ତୁ: