କୋଣାର୍କ – ଧ୍ରୁବ ଚରଣ ବେହେରା

ଭବ୍ୟ କୋଣାର୍କର ରମ୍ୟ କାରୁକାର୍ଯ୍ୟ
ହସୁଛି ଶିଳାରେ ଫୁଟି
ଜୀବନ୍ତ କାହାଣୀ ଭେଟି ଦେଉଅଛି
କଳାର ସେ ପରିପାଟୀ ।।

ଆକାଶକୁ ଚାହିଁ ଦେଉଛି ବାରତା
ମୁକ୍ତ ଓଢଣାକୁ ମେଲି
ହସୁଅଛି ସହି ଅନେକ ଯନ୍ତ୍ରଣା
ପ୍ରସ୍ତର ଚିତ୍ର କୁ ଖୋଲି ।।

ନାଟ ମଣ୍ଡପଟି ଲାଗଇ ସୁନ୍ଦର
ନର୍ତ୍ତକୀର ନୃତ୍ୟ ଛାଇ
ଓଡିଶୀ ଠାଣିରେ କେଶ କିରଟିରେ
ସତେ କି ଆସୁଛି ଧାଇଁ ।।

ପାଦର ନୂପୁର ଦିଶୁଅଛି ଶୋଭା
ମାଳରେ ଯେସନେ ମଲ୍ଲୀ
ତ୍ରିଭଙ୍ଗୀ ତନୁରେ କର ବେନି ଦୁଇ
ସତେକି ଆସଇ ଝୁଲି ।।

ଆଖିରେ ତାହାର ହଜାରେ ସପନ
ଅପସରୀ ସେ ନାୟିକା
ଶିଳ୍ପୀର ନିହଣେ ଖୋଦିତ ସେ ତନୁ
ଆମୋଦ ପ୍ରୀତି ପ୍ରେମିକା ।।

ଏହି ସେ ମଣ୍ଡପ ନିର୍ମାଣ ଅଙ୍କୁର
ଉଜ୍ଜୀବିତ ଝଲ ମଲ
ସମୟ ସୁଅରେ ଅମରତ୍ବ କୀର୍ତ୍ତି
ବାରଶ ବଢେଇ ମୁଲ ।।

ଶୁଭୁ ନାହିଁ ସିନା ନୃତ୍ୟର ଶବଦ
ଶୁଭୁଛି ଜନ ରାଗିଣୀ
କବିର କଲମେ ଗାଉଅଛି ରହି
ଅତୀତ କଳା କାହାଣୀ ।।

ପଥରେ ପଥରେ କାନ୍ତି ଅଭିସାରେ
ହସେ ପ୍ରୀତି ସରୋବର
ଏହି ସେ ମନ୍ଦିର ଉତ୍କଳ ବକ୍ଷରେ
କହା କରୁଣର ସ୍ଵର ।।

ନୁହେଁ ସେହି କାର କରୁଣର ସ୍ଵର
ସ୍ଵର ମାନବିକତାର
ପୂର୍ଣ ନଉତିଟି ଛୋଟ ଶିଶୁ ପାଇଁ
ହୋଇଲା ଅମର ଗାର ।।

ନାହିଁ ସେ ଧରମା ନାହିଁ ସିନା ଧନ
ଧନ୍ୟ ଧନ୍ୟ ତୋର ଦାନ
ଧରଣୀ ବକ୍ଷରେ ପ୍ରସ୍ତର କଳାରେ
ହୋଇଲୁ ବିଶ୍ବେ ମହାନ ।।

ନିଜେ ତ୍ଯାଗ କରି କଳା କୁ ଆଦରି
ରଖିଲୁ ସହସ୍ର ପ୍ରାଣ
ରଚି ଇତିହାସ ହୋଇଲୁ ବିଖ୍ୟାତ
ତୁ ପିତା ମାତାଙ୍କ ରତ୍ନ ।।

କହଲୋ କୋଣାର୍କ ଅମୁହାଁ କାହିଁକି
ମୁହଁକୁ ଦିଏ ତୁ ଖୋଲି
ସ୍ଥାଣୁ କାହିଁ ପାଇଁ ଲାଜରେ ଲାଜେଇ
ମୁରୁକି ହସୁଛୁ ଖାଲି ।।

ଯୌବନେ ତୋହର ହସୁଛି ଫଗୁଣ
ଗାଉଛି ଶିଳ୍ପୀର ଗାଥା
ନୂଆ ନୂଆ ପ୍ରେମେ ଉଛୁଳେ ଜୁଆର
କେତେ ଗ୍ରାହକ ବାରତା ।।

ସପ୍ତଶ୍ଚର୍ଯ୍ୟା ମଧ୍ଯ ତୁହି ରୂପବତୀ
ପାଟରାଣୀ ମନ୍ଦୋଦରୀ
ଉତ୍କଳ ମାତାର ଅଲିଅଳି କନ୍ୟା
ତୁହି ଅହଲ୍ୟା ସୁନ୍ଦରୀ ।।

ଯୁଗେ ଯୁଗେ ତୁହି ଅଟୁ ଅନୁପମା
ରୂପର ନାହିଁ ଉପମା
ହସି ହସାଉ ତୁ ସଦା ହସୁଥାଉ
କୋଣାର୍କ ତୁ ଅନୁପମା ।।

ନାହିଁ ପଟାନ୍ତର ରୂପର ସମ୍ଭାର
ଚନ୍ଦ୍ରଭାଗା କୂଳେ ହସୁ
ବଙ୍ଗୋପସାଗର ନୀଳ ଜଳରାଶି
ଉପମା ଦେଇ ହରସୁ ।।

ଅମର ମୋହିନୀ ଯୁଗାନ୍ତ ତରୁଣୀ
ଜାଜୁଲ୍ୟମାନ ର ହୀରା
ବିଶ୍ବ ମାନସର ମାନସ ପଟରେ
କୋଣାର୍କ ତୁ ଅପସରା ।।


ଅଠରବାଟିଆ, ବାଲୁଗାଁ, ଖୋରଧା

1 thought on “କୋଣାର୍କ – ଧ୍ରୁବ ଚରଣ ବେହେରା”

  1. ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ।
    ଶୁଭ ଅଭିନନ୍ଦନ ।

ମନ୍ତବ୍ୟ ରଖନ୍ତୁ