ସମ୍ପାଦକୀୟ ବାର୍ତ୍ତା

ବଣମଲ୍ଲୀର-ମହକ ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତର ଏକ ଯୁଗାନ୍ତକାରୀ ଅଭିଯାନ ଓ ସୁଦୂରପ୍ରସାରୀ ପରିକଳ୍ପନା । ସର୍ବଦା ସାର୍ବଜନୀନ ଗଣଚେତନାରେ ଉଦବୁଦ୍ଧ ବଣମଲ୍ଲୀର ମହକ କୌଣସି ବ୍ୟକ୍ତିକୈନ୍ଦ୍ରିକ ମତବାଦରେ ବିଶ୍ଵାସ କରେନାହିଁ । ଏକରୁ ଅନେକ ହୋଇ ଅସଂଖ୍ୟ ମଉଳା ଓ ବିକଶିତ ବଣମଲ୍ଲୀ ମାନଙ୍କୁ ସାଙ୍ଗରେ ନେଇ ତା’ର ଅବିରତ ଜୟଯାତ୍ରା । ଓଡିଆ ସାହିତ୍ୟ ଓ ସଂସ୍କୃତିର ଜୟଗାନ କରି, ଦଳିତ ଓ ଅବହେଳିତ ଲେଖକ ଲେଖିକା ମାନଙ୍କୁ ବିଶ୍ଵଦରବାର ସମ୍ମୁଖରେ ଉପସ୍ଥାପିତ କରିବାର ଲକ୍ଷ୍ୟ ସହିତ ସେ ଆଗେଇ ଚାଲିଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ଉତ୍କର୍ଷତାକୁ ପ୍ରତିପାଦିତ କରିବାକୁ । ଅନ୍ୟପକ୍ଷରେ ଯୁଗ ବଦଳିଛି, ବିଜ୍ଞାନର ପ୍ରଗତିରେ ଆମେ ଆଜି ମହାକାଶରେ ପାଦ ଥାପିଛେ, ଯୋଗାଯୋଗ ବ୍ୟବସ୍ଥା ଖୁବ ବିସ୍ତାରିତ । ସମଗ୍ର ବିଶ୍ଵ ଆଜି ଆମ ହାତମୁଠାରେ ସତ, କିନ୍ତୁ ନେପଥ୍ୟରୁ ଶୁଭୁଛି ଆମ ମାତୃଭାଷାର ବିଳପିତ ଅସହାୟତାର ସ୍ଵର । ଯିଏ ଦିନେ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା ଆମ ଓଡିଆ ସାହିତ୍ୟର ନଭଶ୍ଚୁମ୍ବୀ ବଡଦେଉଳ, ଆଜି ସେ ଶକ୍ତିହୀନ । ହଜି ଯାଇଛନ୍ତି ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ଆଉ ଫକୀର ମୋହନ, ଲୁହ ଲହୁ ଢାଳି ତାଡନା ନିର୍ଯ୍ୟାତନା ବଦଳରେ ଓଡିଆ ଭାଷାର ସ୍ଵତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଅହରହ ଉଦ୍ୟମ ଜାରି ରଖିଥିବା ବ୍ୟକ୍ତିବିଶେଷ ଆଜି ଅଜ୍ଞାତ ବନବାସରେ । ଆମ ଓଡିଆ ସାହିତ୍ୟର ପରିଧି ଆଜି କିଛି ମୁଷ୍ଟିମେୟଙ୍କ କବଳରେ କବଳିତ । ଏହାଛଡା ସରକାରୀ ଉଦାସୀନତା ଏବଂ ଆମ ବୈମାତୃକ ମନୋଭାବ ଆଜି ଏହାର ପଥରୋଧ କରିଚାଲିଛି । ଓଡିଆତ୍ଵର ଭାବାବେଗ, ମାତୃଭାଷାର ମୋହ ଆଜି କମି କମି ଚାଲିଛି । ଯଦି ମାତୃଭାଷାର ମୋହ କମି କମି ଯିବ, ତାହାଲେ ସାହିତ୍ୟ ପଙ୍ଗୁ ପାଲଟିଯିବ । ଯାହାଫଳରେ ସଂସ୍କୃତିର ଅପଭ୍ରଂଶ ଘଟିବ ।

ଐତିହ୍ୟ ଓ ପରମ୍ପରା ମାନବ ସମାଜର ବିକାଶ ଓ ଆତ୍ମବିଶ୍ଵାସ ପ୍ରତିଷ୍ଠା ଦିଗରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମ ଉତ୍କଳୀୟ କଳା ଓ ସଂସ୍କୃତି ବିଶ୍ଵବିଦିତ । ସମଗ୍ର ବିଶ୍ଵ ଦରବାରରେ ଆମର ପରିଚୟ ସ୍ଵତନ୍ତ୍ର । ସଂସ୍କୃତିର କଳାତ୍ମକ ପରିପ୍ରକାଶ ଲିପି ଜରିଆରେ ସାହିତ୍ୟ ରୂପେ ଚରିତାର୍ଥ ହୋଇଥାଏ । ତେଣୁ ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ । ଆଦାନ ପ୍ରଦାନ ସୂତ୍ରରେ ସାହିତ୍ୟ ସୃଷ୍ଟି କରିଥାଏ ଚେତନାବୋଧ, ଯାହାଫଳରେ ସାମାଜିକ ଚେତନା ସାହିତ୍ୟ ମାଧ୍ୟମରେ ହିଁ ରୂପାୟିତ ହୋଇଥାଏ । ସାହିତ୍ୟ ଓ କଳା ମାଧ୍ୟମରେ ମନୁଷ୍ୟ ନିଜକୁ ଓ ସମାଜକୁ ଆବିଷ୍କାର କରିଥାଏ । ତେଣୁ ମନୁଷ୍ୟର ସୂକ୍ଷ୍ମ ଅନୁଭୂତିର ରସାଳ ରୂପାୟନ ହେଉଛି ସାହିତ୍ୟ, ସଙ୍ଗୀତ, ଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ ଚାରୁକଳା ଇତ୍ୟାଦି । ବିଶ୍ଳେଷଣରୁ ଜଣାପଡେ, ପରମ୍ପରା ଓ ସଂସ୍କୃତିକୁ ବାଦ ଦେଇ ସାହିତ୍ୟ ବିକଶିତ ହେବା ଯେତିକି ଅସମ୍ଭବ, ସାହିତ୍ୟକୁ ବାଦ ଦେଇ ସଂସ୍କୃତିର ମାନବୀୟ ମୂଲ୍ୟବୋଧ, ସମୀକ୍ଷା, ପରିଚୟ ଓ ପ୍ରତିଷ୍ଠା ମଧ୍ୟ ସେତିକି ଅସମ୍ଭବ ।

ହଜାର ହଜାର ବର୍ଷର କୃଷି ସଭ୍ୟତା ଅଥବା ଶିକାର ସଭ୍ୟତା କାଳରେ ମନୁଷ୍ୟ ଯେତିକି ଅଗ୍ରସର ହୋଇ ନଥିଲା, ଆଜି ମାତ୍ର ଅଳ୍ପ କେତୋଟି ବର୍ଷ ମଧ୍ୟରେ ସେ ସୀମାହୀନ ପ୍ରଗତି ପଥର ଯାତ୍ରୀ । ପୃଥିବୀ ଆଜି ଗୋଟିଏ ଘର ସଦୃଶ ମନେ ହେଉଛି । ପୃଥିବୀର ଦୁରତ୍ଵ ଆଜି ଅନୁଭୋବ ହେଉନାହିଁ । ବିଜ୍ଞାନର ଚରମ ଉନ୍ନତ୍ତି ବଳରେ ଆଜି ସମୃଦ୍ଧିର ସୀମା ନାହିଁ । ପୃଥିବୀରୁ ମହାକାଶ ଆଜି ଖୁବ ନିକଟ । ତେଣୁ ଏଭଳି ପରିସ୍ଥିତିରେ ଆମେ ସାହିତ୍ୟ ଓ ସଂସ୍କୃତିର ପଥରୋଧ କରିବା ଅର୍ଥାତ ଆମ ମନୁଷ୍ୟତାକୁ ବଳି ପକେଇଦେବା । ତେଣୁ ସଭ୍ୟତାର ଯାନ୍ତ୍ରିକ ବିକାଶ ପଥରେ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଉଚିତ ମାର୍ଗରେ ପରିଚାଳିତ କରିବା ଆମ ସମସ୍ତଙ୍କ ନିମନ୍ତେ ଗୁରୁ ଦାୟିତ୍ଵ । ବଣମଲ୍ଲୀର ମହକ ଏହି ଅଭିଯାନର କିଞ୍ଚିତ ପ୍ରୟାସ ଅଟେ । ଓଡିଆ ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ମୂଲ୍ୟାୟନ ଓ ପ୍ରସାର ନିମନ୍ତେ କିଛି ସାରସ୍ଵତ ସାଧକ ଓ ସଂସ୍କୃତି ସଚେତକ ମାନଙ୍କ ପ୍ରଚେଷ୍ଟାରେ ଏହାର ସୃଷ୍ଟି । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଛାପାଯାଉଥିବା ବହିଟିଏ କି ପତ୍ରିକାଟିଏ ପଢିବାର ସଉକ ଆଜି ମରି ମରି ଗଲାଣି । ଏଭଳି ପରିସ୍ଥିତିରେ ଆଜି ଇଣ୍ଟରନେଟ ମାଧ୍ୟମରେ ହାତ ପାଆନ୍ତାରେ ଅତି ସହଜରେ ବହିଟିଏ କିମ୍ବା ପତ୍ରିକାଟିଏ ଖୁବ ଜନାଦୃତ ହୋଇ ପାରୁଛି ସମସ୍ତଙ୍କ ନିକଟରେ । ତେଣୁ ଏଭଳି ବେଳାରେ ବଣମଲ୍ଲୀର ମହକର ପରିକଳ୍ପନା ସୁଦୂରପ୍ରସାରୀ । ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିର ସୁରକ୍ଷା ଓ ଅଭିବୃଦ୍ଧି ଦିଗରେ ଯତ୍ନବାନ ହେବା ଓ ଭାଷା-ସଂସ୍କୃତିର ମର୍ଯ୍ୟାଦାକୁ ବିଶ୍ଵ ଦରବାରରେ ଅକ୍ଷୁର୍ଣ୍ଣ ରଖିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା, ଆଲୋଚନା ମାଧ୍ୟମରେ ପ୍ରତିଷ୍ଠିତ ସାହିତ୍ୟିକ ଓ ସଂସ୍କୃତି ସଚେତକ ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ହେଉଛି ଏହାର ମୂଳଲକ୍ଷ୍ୟ । ଆସନ୍ତୁ ବଣମଲ୍ଲୀର ମହକକୁ ଆସ୍ଵାଦନ କରି ଅକାଳରେ ଝଡି ଯାଉଥିବା ଅସଂଖ୍ୟ ବଣମଲ୍ଲୀ ମାନଙ୍କୁ ଆଦରର ସହ ସାଉଣ୍ଟି ଆଣିବା ।

ଓଡିଆ ସାହିତ୍ୟ ଓ ସଂସ୍କୃତିର ବିକାଶ, ପ୍ରଚାର, ପ୍ରସାର ସହିତ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ ବଣମଲ୍ଲୀର ଏହି ପ୍ରୟାସ ସୁଦୂରପ୍ରସାରୀ । ବନ୍ଦେ ଉତ୍କଳ ଜନନୀ… ମୂଳକୁ ଫେରନ୍ତୁ