ପଟିଦିଅଁ ମୋର କଳାଗୋସାଇଁ – ପ୍ରଣତି ମହାପାତ୍ର

ବରଷକେ ଥରେ ସୁଗନ୍ଧ ଚନ୍ଦନେ
ଢାଳି ସୁନାକୁଅ ପାଣି,
ମହାଆନନ୍ଦରେ ମହାସ୍ନାନ କରୁ
ସାଥେ ଭାଇ ଓ ଭଉଣୀ ।

ଲୀଳାମୟ ପୁଣି କେତେ ଲୀଳାଖେଳା
କରୁ ଏ ମର୍ତ୍ତ୍ୟ ମଣ୍ଡଳେ,
ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ
ପଟିଦିଅଁ ପୂଜା ମେଳେ ।

ସ୍ନାନ କରି ଶୋଉ ଅଣସର ଘରେ
ଜ୍ୱର ବାହାନାରେ ତୁହି,
ଅଲାରନାଥରେ ଦରଶନ ଦେଉ
ଶ୍ରୀମନ୍ଦିର ଶୂନ୍ୟ ଥାଇ ।

ତୋ ସ୍ନାହାନ ଦିନେ ମୋହର ଜନମ
କେଡେ ଭାଗ୍ୟବତୀ ମୁହିଁ,
ହେଲେ ପଟିଦିଅଁ ଦରଶନ କିବା
ଭାଗ୍ୟରେ ମୋହର ନାହିଁ ?

ମନପ୍ରାଣ ସଦା ଝୁରୁଛି କାଳିଆ
ତୋ ରୂପ ଦେଖିବା ପାଇଁ,
ଭାବର ଠାକୁର ଆହେ ଭାବଗ୍ରାହୀ
କୃପା ନେତ୍ରେ ଦିଅ ଚାହିଁ ।

ତୁହି କରୁଥାଉ,ତୁ ପୁଣି କରାଉ
ତୋ ବିନୁ ଅନ୍ୟ କେ ନାହିଁ,
ମୋ ଭାଗ୍ୟର ଡୋର ତୋ ଆଡକୁ
ଟାଣି ନେ କଳାଗୋସାଇଁ ।

ଆକୁଳବିକଳେ କରପତ୍ରଯୋଡି
ଚାହିଁ ଛି ତୋ କରୁଣାକୁ,
ପଟିଦିଅଁ ଆଉ ଅଲାରନାଥରେ
ଦେଖିବି ମୋ କାଳିଆକୁ ।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର,
ଫକୀରମୋହନନଗର, ବାଲେଶ୍ଵର

1 thought on “ପଟିଦିଅଁ ମୋର କଳାଗୋସାଇଁ – ପ୍ରଣତି ମହାପାତ୍ର”

  1. ସୁଦୂର ରୁଷୁଡା,ବରଗଡ ରେ ଥାଇ ପଟିଦିଅଁଙ୍କ ଦର୍ଶନ ଆପଣଙ୍କ କବିତାରୁ କରିପାରିଲି,ଖୁବ ମନଛୁଆଁ କବିତା ମହାଶୟା,ନମସ୍କାର

ମନ୍ତବ୍ୟ ରଖନ୍ତୁ