ପେଷ୍ଟ କଣ୍ଟ୍ରୋଲ! – ନରେଶ କୁମାର ବେହେରା

ପିଲାଦିନର କଥା । ସେତେବେଳେ ମୁଁ ଦଶମ ଶ୍ରେଣୀ ପାସ୍ କରିଥାଏ ଏବଂ ପ୍ରଥମ ଥର ଭୁବନେଶ୍ଵର ଆସିଥାଏ ମୋର ବଡଭାଇଙ୍କ ପାଖକୁ । ଭାଇ ମୋର ଥାନ୍ତି ଓଡିଶା ପୁଲିସ ରେ; ଆଉ ନୂଆ ନୂଆ ପୋଷ୍ଟିଂ ହୋଇଥାଏ ସେଠି । ସେ ଦିନର କଥା, ତାଙ୍କର ଡିଉଟି ଥାଏ ବିଧାନସଭାରେ । ମୋତେ କହିଲେ ମୋ ସହ ବିଧାନସଭା ଚାଲ, ସେଠି ଆମ ରାଜ୍ୟର ସବୁ ମନ୍ତ୍ରୀମାନଙ୍କୁ ଦେଖିବୁ । କଥାଟା ଶୁଣି ମନ ଭାରି ଉଚ୍ଛନ୍ନ ହେଲା। ସତରେ, ସବୁ ମନ୍ତ୍ରୀମଣ୍ଡଳ ସେଠି ଥିବେ । ଏକା ସଙ୍ଗେ ସମସ୍ତଙ୍କୁ ଦେଖିବାର ଏହା ଏକ ବଢିଆ ସୁଯୋଗ। ଦୁହେଁ ମିଶି ତାଙ୍କ ସାଇକେଲରେ ବାହାରିଲୁ ବିଧାନସଭାକୁ ।

ପ୍ରଥମଥର ବିଧାନସଭା ଦେଖି ମୋ ମନ ଭାରି ଖୁସି । ବିରାଟ ଅଟ୍ଟାଳିକା ଓ ତା ଚାରିପଟେ ସୁନ୍ଦର ଗାଲିଚା ଏବଂ ଗଛଲତା । ଭାଇ ତାଙ୍କର ପାସ୍ ଜରିଆରେ ମୋତେ ଭିତରକୁ ନେଇଗଲେ । ଗୋଟିଗୋଟି କରି ସବୁ ବିଭାଗ ବୁଲେଇ ନେଇ ଆସିଲା ପରେ ମୋତେ ଏକ ବଡ ଗ୍ୟାଲେରୀରେ ଛାଡ଼ିଦେଲେ । ଭିତରେ ଗୋଲ ଟେବୁଲ ଭଳି ଚୌକିସବୁ ପଡିଥାଏ । ପାଖାପାଖି ୧୫୦-୨୦୦, କି ତା’ଠୁ ଅଧିକ ଚୌକି ଥିଲା । ମୋତେ ଉପରେ ଥିବା ବାଲକୋନୀରେ ଛାଡ଼ି ଭାଇ ଚାଲିଗଲେ ଡିଉଟି କରିବାକୁ । କିଛି ସମୟ ପରେ ପତ୍ରପତ୍ରିକା ଏବଂ ଦୂରଦର୍ଶନର ସାମ୍ବାଦିକ ମାନେ ଆସି ନିଜର କାମେରା ଲଗାଇ ସଜବାଜ ହେଲେ । ଉପର ବାଲକୋନୀରେ କିନ୍ତୁ ବହୁତ କମ ଲୋକ ଥାନ୍ତି; ଅତିବେଶୀରେ ୧୦-୧୨ଜଣ ।

ବୈଠକ ଆରମ୍ଭ ହେବାକୁ ବୋଧେ ସମୟ ଥିଲା । ବସି ବସି ବିରକ୍ତ ଲାଗୁଥାଏ । ଏପଟ ସେପଟ ଦେଖେତ କିଛି ଲୋକ ଶୋଇବି ଗଲେଣି । ତାଙ୍କୁ ଦେଖି ମୋତେ ବି ଟିକିଏ ନିଦ ମାଡ଼ି ଆସିଲା। ଆଉ, ଚୌକିରେ ଆଉଜି ମୁଁ ଟିକେ ଶୋଇଗଲି । ଏ.ସି. ପବନରେ ନିଦ ଜୋରରେ ଲାଗିଗଲା । ଦେଖୁ ଦେଖୁ ଦୁଇ ଘଣ୍ଟା ବିତିଯାଇଛି। ହଠାତ୍ ପ୍ୟାଣ୍ଟ ଭିତରେ କିଛି ଗୋଟାଏ କାମୁଡ଼ିବାର ଅନୁଭବ କଲି ଆଉ ତା ସଙ୍ଗେ ସଙ୍ଗେ ଗୁଡ଼ାଏ ଆବାଜ, ପାଟିତୁଣ୍ଡ ମୋ ନିଦକୁ ଭାଙ୍ଗିବାରେ ବିବଶ କରିଦେଲା । ଉଠି ଦେଖେ ତ, ହଲ ପୁରା ଭର୍ତ୍ତି ଆଉ ଗରମାଗରମ । ପାଟିତୁଣ୍ଡରେ ପୁରା ହଲଟି କମ୍ପି ଉଠୁଥାଏ । ମୋତେ କିନ୍ତୁ ଏହାର କୌଣସି କାରଣ ସ୍ପଷ୍ଟ ହେଉନଥାଏ । କହିବାକୁ ଗଲେ, ମୁଁ ପୁରା ବ୍ୟସ୍ତ ବିବ୍ରତ ହେଉଥାଏ – ଏକ ସାଧାରଣ ଓଡଶକୁ ନେଇ। ସେହି ସମୟରେ ସମସ୍ତେ ଟେବୁଲକୁ ବାଡେଇବାକୁ ଲାଗିଲେ । ବୁଝିପାରିଲିନି । କ’ଣ ସେଠି ବି ଓଡଶର ସମସ୍ୟା?

ଏତିକି ବେଳେ, ଭାଇ ଆସି ପହଞ୍ଚିଲେ । ପଚାରିଲେ, ‘କ’ଣ ବୋର ହେଇଗଲୁଣି ବୋଧେ?’

ମୁଁ କହିଲି, ‘ବୋର ତ ନୁହଁ, ଏଠି ପେଷ୍ଟ କଣ୍ଟ୍ରୋଲର ଆବଶ୍ୟକତା ଅଛି। ଏତେ ଓଡଶ ଆଉ ଅସରପା ଅଛନ୍ତି… ମୁଁ ବିରକ୍ତ ହୋଇଗଲିଣି । ଆଉ ସେମାନଙ୍କୁ ବି ଦେଖ… ବିଚରା … ରାଜ୍ୟ ସମ୍ଭାଳିବେ ନା’ ଓଡଶ ମାରିବେ ।‘

ଭାଇ ମୋ କଥା ଶୁଣି ହସିଲେ । କହିଲେ, ‘ଆରେ ସେମାନେ ଓଡଶ ମାରୁନାହାନ୍ତି; ଦୁଇ ଦଳ ଭିତରେ ଯୁକ୍ତିତର୍କ ଚାଲିଛି… ଆଉ କିଛି ସମୟ ରହ ଦେଖିବୁ ଅସଲ ରାଜନୀତି । ‘

ଦେଖୁ ଦେଖୁ ଜଣେ ମନ୍ତ୍ରୀ ଚୌକି ଉପରେ ଛିଡ଼ା ହୋଇଗଲା ଆଉ ମେଞ୍ଚେ କାଗଜ ଫୋପାଡ଼ିବାରେ ଲାଗିଲା । ଅନ୍ୟ ଜଣେ ଏହାକୁ ବିରୋଧ କରି ଜୋତାବାହାର କରି ଫିଙ୍ଗିବାକୁ ଯାଉଥିଲା, ସମସ୍ତେ ତାକୁ ଅଟକାଇଲେ । ଉପରେ ବଡ ସାହିବ ବସି ଅର୍ଡର ଅର୍ଡର ସାଇଲେନ୍ଟ ସାଇଲେନ୍ଟ କହୁଥାନ୍ତି, କିନ୍ତୁ କାହାରିକୁ ଶୁଭୁ ନଥାଏ । ମାନେ ପୁରା ରାଜ୍ୟର ଗୁଣ୍ଡାଗର୍ଦ୍ଦୀ କରିବା ପାଇଁ ଏହା ହିଁ ଏକ ଉପଯୁକ୍ତ ସ୍ଥାନ । କାହିଁକି ନା’ ଏଠି ଏମାନେ ଯାହା କିଛି ବି କରିପାରିବେ । ନା କୌଣସି କେସ ନା ପୁଲିସର ଭୟ। ମୁଁ ଯଦି ସାମାନ୍ୟ ଓଡଶ ପାଇଁ ଏତେ ବିବ୍ରତ, ଏମାନେ ତ ସାରା ରାଜ୍ୟକୁ ବିବ୍ରତ କରିଦେଇଛନ୍ତି । ପ୍ରକୃତ ପେଷ୍ଟ କଣ୍ଟ୍ରୋଲ କାହାକୁ ଏବଂ କେଉଁଠି ହେବା ଦରକାର ଏବେ ମୁଁ ବୁଝିପାରୁଛି ।

ହଁ, ଏବେ ଆମର କ୍ଲୀନଚିଟ୍ ମନ୍ତ୍ରୀ ଦୀର୍ଘ ୧୫ ବର୍ଷ ଧରି ଏହି ଫର୍ମୁଲାରେ ଚାଲିଛନ୍ତି । କେତେ ଯେ ଅନିଷ୍ଟକାରୀ କୀଟଙ୍କୁ ପେଷ୍ଟିସାଇଡ୍ ଦ୍ଵାରା ମାରିଲେଣି ହିସାବ ନାହିଁ । କିନ୍ତୁ, ହେବ କ’ଣ? ଏମାନେ ସତସତିକା କ’ଣ ମରୁଛନ୍ତି ଯେ! ଏ ଘରୁ ବାହାରି ଅନ୍ୟ ଘରେ ପସିବେ । ସେଇଠୁ ପୁଣି ଅସନା କରିବେ ଘରରୁ ଘର, ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା… ଆଉ ପୁରା ରାଜ୍ୟ ।

– ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି, ବ୍ରହ୍ମପୁର, ମୋ-୭୮୦୯୮୭୨୪୮୩

8 thoughts on “ପେଷ୍ଟ କଣ୍ଟ୍ରୋଲ! – ନରେଶ କୁମାର ବେହେରା

  1. ଖୁବ ଚମତ୍କାର ଗଳ୍ପଟିଏ । କଳୁଷିତ ଆଉ ସ୍ୱାର୍ଥ ସର୍ବସ୍ୱ ରାଜନୀତିର ଜ୍ୱଳନ୍ତ ଉଦାହରଣ । ସୁସ୍ଥ ଗଣତନ୍ତ୍ର ଆଜି ପକ୍ଷାଘାତ ବ୍ୟାଧିରେ ପୀଡିତ । ଖୁବ ବାସ୍ତବଧର୍ମୀ କଥାଟିଏ କହିଛନ୍ତି ନରେଶ ବାବୁ ।

ମନ୍ତବ୍ୟ ରଖନ୍ତୁ: