top of page

ଥୋଇଲି

Writer's picture: Sidheswar TripathySidheswar Tripathy

ମଧୁପୁର ଭାରି ବଡ଼ ଗାଆଁ ଟେ । ଗାଁରେ ପଧାନେଙ୍କର ଭାରି ଖାତିରି । ଦଶବାଟି ଜମି ଚାରିହଳ ବଳଦ ଶଗଡ଼ ନଙ୍ଗଳ ହଳିଆ ଚାକର ଆଉ କୋଉଥିରେ ତାଙ୍କର କମି ଯେ... ! ବଡ଼ପୁଅ ଦାଶରଥୀ ସାନପୁଅ ଭାଗିରଥୀ ଦୁହେଁ ଏବେ ବଡ଼ ହେଲେଣି । ଘରକୁ ଦୁଇ ବୋହୁ ବି ଆସିଲେଣି । ନାତି ନାତୁଣୀ ମାନଙ୍କ କୋଳାହଳରେ ଘର ଏବେ ପୁରି ଉଠୁଛି ।


ସବୁ ଠିକ୍ ଠାକ ଚାଲିଥିଲା । ହେଲେ ବିଧିର ବିଧାନକୁ କଣ ଏଡେଇ ଦିଆଯାଇପାରେ ? ବଡ଼ ବୋହୁକୁ ସାପ ଟେ କାମୁଡି ଦେଲା, ତାକୁ ଗୁଣିଆ ପାଖକୁ ନେଲେ, ହେଲେ ସିଏ ମରିଗଲା । ନୋକ ମାନେ କୁହାକୋହି ହଉଥିଲେ, ତାକୁ ସହର ଡାକତର ପାଖକୁ ନେଇଥେଲେ କାଳେ ବଞ୍ଚି ଯାଇଥାନ୍ତା । ସେ ଯା ହେଉ ବଡ଼ ବୋହୁ ଟା ମଲା, ଯାହା ଯେମିତି ଶୁଦ୍ଧଘରଟା ସରିଗଲା । ଛ'ମାସେରେ ବୋହୂର ବର୍ଷକିଆ କରି ପଧାନେ ବଡ଼ପୁଅକୁ ଆଉ ଗୋଟେ ବାହାକଲେ । ଏଇ ବୋହୂଟି ରୂପରେ ଯେମିତି ଗୁଣରେ ବି ସେମିତି । ସେନେହ ଆଦରରେ ଘଡିକରେ ସଭିଙ୍କୁ ଆପଣାର କରିନେବ ସତରେ । ଗୋରା ତକ ତକ ଚେହେରାକୁ ସେ ନାଲି ଲୁଗା ସାଥେ ନାଲି ସିନ୍ଦୁର ଟୋପାଟେ ନଗେଇ ଦେଲେ ସତରେ ପୁରା ତ ଦେବୀ ନେଖେ ଦୁଶୁଚି । ହେଲେ ମହାକାଳ ଫଳ ଭଳି ଏ ବୋହୁ ଭିତରେ ଏତେ କେଁ ଅଛି ବୋଲି କିଏ ଜାଣିଛି... !


ଏଇ ପଧାନେ ଯୋଉ ଦେହ ଦୁଃଖରେ ପଡି ଚାଲିଗଲେ, ସେଇଠୁ ତ କଥାଟା ଧରା ପଇଲା । ଏଇ ଶୁଦ୍ଧିକ୍ରିୟା ବେଳକୁ କଥାଟା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲା ପରା । କିଏ ଜଣେ ବ୍ରାହ୍ମଣ, ନାହାକ ଦୁହିଁଙ୍କୁ ଚେଙ୍ଗିଦେଲା ପରା... ଏଇ ବୋହୁଟା ଗୋଟେ ଥୋଇଲୀ । ଆଗରୁ ଆଉ କାହାକୁ ବାହା ହେଇଥେଲା । ବାହାଘର ଚାରିମାସ ହେଉଥେଲା ନା କଣ ତା ସ୍ଵାମୀ ଟା ପାଣିରେ ବୁଡି ମରିଗଲା । କିଏ କହୁଛି ହାଣ୍ଡିଆ ପିଇଥିଲା, କିଏ କହୁଛି ମହୁଲି ପିଇଥିଲା ଆଉ କେତେ ନୋକ କହୁଶନ୍ତି ତାକୁ କୁଆଡେ ଠାକୁରାଣୀ ଚିପିଦେଲା । ସେଇଠୁ ଇଏ ତା ବୋପା ଘରକୁ ଆସି ଇଆଡ଼େ ପଧାନଙ୍କ ବଡ଼ ପୁଅକୁ ଦ୍ୱିତୀୟ ହେଇଛି । ଛି ଛି ଛି... ଏଗୁଡ଼ାକ ମୁହଁକୁ ଲାଜ ନାହିଁ ଲୋ । ଆଲୋ ଶୁଦ୍ଧଘର କଣ ହବ ଗାଁରେ, ସଭା ବସିଲା ଲୋ... ସମସ୍ତେ ହାଉ ହାଉ ହେଲେ, ଛି ଛାକର କଲେ, ଥୋଇଲୀ ହାତରୁ ପିଣ୍ଡପାଣି କିଏ ପାଇଛି ନାଁ ଏ ପଧାନେ ପାଇବେ !


ଯାହା ଯେମିତି ହେଲା ହେଲା ଦାଣ୍ଡରେ ନିଶାପ ବସିଲା । କୋଉଠୁ କେମିତି ଖବର ପାଇ ବଡ଼ ବୋହୂର ଭାଇ ପାଞ୍ଚକୋଷ ବାଟରୁ ପୁଲିସି ନେଇକି ଆସିଲା । ପୁଲିସିକି ଦେଖି ଧର୍ମ ଶାସ୍ତ୍ର ପୁରାଣ ପ୍ରଥା ପରମ୍ପରା ଚୋବୋଉଥିବା ନାହାକ, ବ୍ରାହ୍ମଣ ସବୁ ଚୁପ ହେଇଗଲେ ।


ସେ ଯାହାହେଉ, ଶୁଦ୍ଧିକ୍ରିୟା ତ ସରିଲା ହେଲେ ସମସ୍ତଙ୍କ ଗଞ୍ଜଣା ଠିକି ଠିକି ମାର ମାର ଭାରି ଅଡ଼ୁଆ ହେଉଥିଲା ଏଇ ବଡ଼ ବୋହୁ ପ୍ରତି । ସ୍ୱାମୀ ଦି'ଟା ବାହାହେଲେ ଛୁଆପିଲା ଦି'ଟା ଆଗରୁ ଅଛନ୍ତି ଚଳିଲା ହେଲେ ଇଏ ହେଲା ଥୋଇଲୀ । ୟାକୁ କୁଆଡେ ଦେଖିଲେ ଅଶୁଭ । ୟା ହାତରୁ ପିତୃ ପୁରୁଷ ପାଣି ପାଇବେନି ଲୋ ନୋକ କହୁଶନ୍ତି । ଦେଖୁନ ପଧାନେ କେତେ ଅର୍ଜିଥେଲେ ମଲାପରେ ପିଣ୍ଡ ଉଦକ ବାଢିବାକୁ ଏଇ ଥୋଇଲୀ ବୋହୁ ତାଙ୍କ ଭାଗ୍ୟରେ ଥିଲା !


ଆଲୋ ଯାଇଁଲୁଣି ଏତେ ଟାହି ଟାପରା ସହି ନପାରି ସେ ବୋହୁଟା କୁଆଡେ ପଳେଇଛି ଯେ, ଆଉ ତାର ଖୋଜ ଖବର ନାହିଁ । ଏ ଅଲାଜୁକ ବଡ଼ ପୁଅଟା ଏବେ... ଛି ଛି ଛି କେତେ ବା ବୟସ ହେଇଥେବ ୟାକୁ ।


ହଉ ଚାଲେ ଲୋ ଅପା ଗାଧୁଆ ତୁଠରେ ଘଡ଼ିଏ ହେଲାଣି । ଗପୁ ଗପୁ ବେଳ ଗଲାଣି ଚାଲେ ସିଆଡେ ସଞ୍ଜ ଗଡିଯିବ ଯେ... ତେମେ ସବୁ କଣ ଗପ ଶୁଣୁଥବ କିଲୋ ଚାଲ ତମ ଘରେ କଣ ସଞ୍ଜ ଦବନି କି ?


ଆଜିକାଲି ପରଘର କଥା ଶୁଣିବାକୁ ସମସ୍ତି ଙ୍କର ଭାଆରି ଆଗରହ... ।

תגובות

דירוג של 0 מתוך 5 כוכבים
אין עדיין דירוגים

הוספת דירוג
bottom of page