ପାଶ୍ଚାତ୍ୟ ସଭ୍ୟତା ଅନ୍ଧାନୁକରଣେ
ହେଉଅଛୁ ଦିଗଭ୍ରାନ୍ତ
ଭ୍ରଷ୍ଟାଚାର ତଥା ବ୍ୟଭିଚାରେ ରହି
ମନ ହୋଇଥାଏ ଶ୍ରାନ୍ତ ।
ନୀତି ବିହୀନତା ଅର୍ଥ ଲୋଲୁପତା
କରିଛି ଆମକୁ ଗ୍ରାସ
ଶୈଶବ ଯୌବନ ଦିଶାହୀନ ହୋଇ
ହରାଉଛି ଶୁଭ୍ର ବାସ ।
ଆଧ୍ୟାତ୍ମିକ ଶିକ୍ଷା ବହୁ ଦୂରେ ରହି
ହେଉଅଛି ଛଟପଟ
ଶତ ଚେଷ୍ଟାକରି ଆମରି ସହିତ
ହୋଇପାରୁନାହିଁ ଭେଟ ।
ସଦାଚାର ଭାଵ ପ୍ରୀତିର ବିଭବ
ନହୁଏ ବୀଜ ବପନ
ସତ୍ୟ ଓ ଅହିଂସା ବ୍ରାହ୍ମଚର୍ଯ୍ୟ ମାର୍ଗ
ହେଉଛି ସାତ ସପନ ।
ମନୁଷ୍ୟ ଜୀବନ ବାସ୍ତବ ଲକ୍ଷ୍ୟରେ
ନହୁଏ ମନୋନିବେଶ
ଶୁଣିବାକୁ କ୍ଷଣେ ଅପ୍ରସ୍ତୁତ ସିଏ
ଅକୃତ୍ରିମ ଉପଦେଶ ।
ଶାଶ୍ୱତ ସୁଖର ସନ୍ଧାନ ନିମନ୍ତେ
ଯାଇ ସାଧନା ପଥରେ
ଜୀବନରେ ଯୋଗ ଧର୍ମ ଆଚରିଲେ
ଶୁଦ୍ଧତା ଆସେ ଚିତ୍ତରେ ।
ସଂସ୍କାର ସଂସ୍କୃତି ଆମ ପରମ୍ପରା
ଅଟେ ସବୁଠୁ ମହାନ
ଆମେ ଠିକ୍ ବୋଲି କହିବା କାହାକୁ
ଦୂରେଇ ତା'ଠାରୁ ପୁଣ ।
କାହା ପ୍ରତି କ୍ରୋଧ ନିନ୍ଦା ପରଶିଲେ
ନହୁଏ ଶୂନ୍ୟ ପୂରଣ
ଭକ୍ତି ଓ ଜ୍ଞାନର ପରମ ବଇରି
ଅଟେ କ୍ରୁର ହିଂସାପଣ ।
ଆଚାର ଅଟଇ ଶ୍ରେଷ୍ଠ ଉପଦେଶ
ସତ୍ୟର ପରିଚାୟକ
ସମୃଦ୍ଧିର ମୂଳ ମଙ୍ଗଳ ଦାୟକ
ଶକ୍ତି ମୁକ୍ତି ପ୍ରଦାୟକ ।
ଅନିନ୍ଦିତ କର୍ମ କରିଣ ସରସେ
ବହି କ୍ଷମାଶୀଳ ଗୁଣ
ଉଚ୍ଚ ଆଦର୍ଶରେ ଆଗକୁ ବଢିଲେ
ହେବ ନିଜ ମୂଲ୍ୟାୟନ ।
ଅନୁପମା ବିଶ୍ଵାଳ
ସମ୍ବଲପୁର, ଓଡିଶା
ଦୂରଭାଷ - ୭୯୭୮୫୬୮୩୨୨
Comments