top of page

ଅନନ୍ୟ ଚିଲିକା

Writer: Prafulla Chandra MishraPrafulla Chandra Mishra

ତୁ ଏକ ସୁଦୃଶ୍ୟ ସ୍ମାରକୀ ଚିଲିକା

ମହନୀୟ ଅବଦାନ

ଅନବଦ୍ୟ ସୃଷ୍ଟି ସୃଜିଛି ବିଧାତା

ଦୃଶ୍ୟ ରମ୍ୟ ମନୋରମ ।।

ବ୍ୟାପକ ତୋହର ସ୍ମୃତି ପରିଚୟ

ଉତ୍କଳର ନୌବାଣିଜ୍ୟ

ଉତ୍କଳ କମଳା ସୁଷମା ଭୂଷଣ,

ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ।।

ବିବିଧତା ଭରା ଜୀବଜନ୍ତୁ ବୃକ୍ଷ

ଲତା, ଶୈବାଳ, କବକ

ଜନ୍ମସ୍ଥଳୀ, ଅନୁପମା ତୁ ଅନନ୍ୟା,

କମନୀୟ ରୂପକଳ୍ପ ।।

ଉର୍ମି ଅଧିରା ସେ ଉଲ୍ଲାସେ ରୂପସୀ

ଚିଲିକା ମୀନ‌ ନୟନା

ଉତ୍କଳର ଶିରୀ ବଖାଣେ ଚତୁରୀ

ଗୌରବମୟ ଗରିମା ।।

ଅତୂଳ ସୌନ୍ଦର୍ଯ୍ୟ ଅଖିଳ ଭୁବନେ

ଯେତେ ଦେଖୁଥିଲେ ତୋତେ

ତେତେ ତୁ ସୁନ୍ଦର ଦେଖାଯାଉ ଥାଉ

ଅପରୂପ ଚାରୁ ଚିତ୍ରେ ।।

ପ୍ରକୃତ ବିଶ୍ଵେ କି ଏ ଛବି ସମ୍ଭବ

କବି ନପାରନ୍ତି ଭାବି

ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକା

ଦେଖି ତୋ'ର ସୌମ୍ୟ ଛବି ।।

ଛବିଳ ଉତ୍କଳ ବିପୁଳ ଶୋଭାର

ପାରିଜାତ ପୁଷ୍ପହାର

ତନ୍ମଧ୍ୟେ ରୂପସୀ ଚିଲିକା ସୁନ୍ଦରୀ

ଶୋଭା ପଦକ ପ୍ରକାର ।।

ବିଶ୍ଵ ପର୍ଯ୍ୟଟନ ମଙ୍ଗଳାଯୋଡି ତୋ

କୂଳେ ହୋଇ ଅବସ୍ଥିତ

ପକ୍ଷୀଙ୍କ ଭୂସ୍ଵର୍ଗ ଭାବେ ଏ ଭୂତଳେ

ହୋଇଅଛି ପରିଚିତ ।‌।

କୂଳେ କଳରବେ ବିହଙ୍ଗ ସକଳେ

ସାରସ ଦମ୍ପତି ମିଳି

ଖେଳ‌ କଉତୁକ ଅନବଦ୍ୟ ରୂପ

ପ୍ରତିଛବି ଉଠେ ଝଳି ।।

ମରାଳ ମାଳିକା ନୀଳ ନଭ ରୂପା

ତୁ କୋଟି ବିଶ୍ଵର ରାଣୀ

କବି କଲମରେ ସୀମିତ ନୁହଇଁ

ବିଷ୍ଣୁ ପ୍ରୀୟା ସୀମନ୍ତିନୀ ।।

କୁମୁଦ ବାନ୍ଧବ ଜ୍ୟୋସ୍ନା ରସାପ୍ଲୁତେ

କୁମୁଦିନୀ ହସ ଦୃଶ୍ୟ

ପରିବ୍ରାଜକର ନବ ଅନୁଭବ

ହୃଦୟେ ହୁଏ ପ୍ରକାଶ ।।

ଅନେକ ରହସ୍ୟ ଗନ୍ତାଘର ତୁ'ତ

ଇତିହାସ ମୂକସାକ୍ଷୀ

ଚିଲିକା ରାଣୀଲୋ କାଙ୍କଣ ଶିଖରୀ

ମହାର୍ଘ ତୋ କୋଟିନିଧି ।।

କରିଛନ୍ତି ଲୀଳା ସ୍ଵଂୟ ଜଗନ୍ନାଥ

ତୋ କୂଳେ ତୋହର ଜଳେ

ବିଧର୍ମୀ ସଂଘାତେ ଅସହ୍ୟ ବିକଳେ

ଶରଣ ଗଲେ ତୋ'କୋଳେ ।।

ସ୍ଵଂୟ ଭଗବାନ ଶରଣ ଦାତ୍ରୀ ତୁ

ମହିୟଷୀ ମାନଚିତ୍ର

ଉତ୍କଳର ଭାଗ୍ୟ ଭାତହାଣ୍ଡି ବୋଲି

ସର୍ବତ୍ର ତୋ'ନାମ ଖ୍ୟାତ ।।

କାଳିଜାଈ ପରବତ ତୋ ଇଲାକା

ଦେବୀ ଉପାସନା ପାଇଁ

ଅଦ୍ଭୂତ ଐସ୍ଵର୍ଯ୍ୟ ଅକୁଣ୍ଠ ଆଶୀଷ

ବିତରଇ ମହାମୟୀ ।।

ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତକାଳୀନ ସେ

ପ୍ରବାଳ ବରଣ ନୀର

ସବୁଜ ବନାନୀ ପାହାଡ ଶୋଭିତ

ଚିତ୍ରେ ନାହିଁ ପଟାନ୍ତର ।।

ତୋ କୂଳରେ କାଞ୍ଚି ଅଭିଯାନ କଥା

ମାଣିକ ପାଟଣା ଦହି

କିମ୍ବଦନ୍ତୀ ନୁହେଁ ଏବେବି ବିଦିତ

ବର୍ଣ୍ଣନା କରି ନୁହଇ ।।

ତୋ କୂଳରେ ଦୟା ନଦୀର ପଠାରେ

କଳିଙ୍ଗ ଯୁଦ୍ଧେ ଅଶୋକ

ଧର୍ମାଶୋକ ନାମେ ପରିଚିତ ହେଲେ

ଧଉଳି ତା'ର ସ୍ମାରକ ।।

ପାଇକ କୁଳର ନିଗମ ଅଭେଦ୍ୟ

ରଙ୍ଗଶାଳା ତୁ ଉନ୍ମନା

ଗୌରବ ଶାଣିତ କରବାଳ ଶବ୍ଦେ

ଅରାତି ହୋଇଛି ବଣା ।।

ସହସ୍ର ତରଙ୍ଗେ ସହସ୍ର ନଉକା

ଅଝାଲ ଉଢାଇ ଯେବେ

ଗତିକରୁଥାଏ ଅଦୂରୁ ଦେଖିଲେ

ଶୋଭାରେ ଅନ୍ତର ଦ୍ରବେ ।।

ଖେଳେ ଶିଶୁମାର ସାଙ୍କୁଚ ମଗର

ସହସ୍ର ଜଳଜ ଜୀବ

ଧରି ରଖିଅଛୁ ଗରଭେ ଚିଲିକା

ଅସମ୍ଭବେ ତୁ ସମ୍ଭବ ।।

ତୋ'ଜଳେ ତୋ'କୂଳେ ପାହାଡ ପର୍ବତ

ପୁର ପଲ୍ଲୀ କି ସହର

ବନାନୀ ଆବର ନଦ, ନଦୀ, ଝର

କିମ୍ବଦନ୍ତୀ ଗନ୍ତାଘର ।।

ପାରିକୁଦ ଆଉ ମାଲୁଦ ଦ୍ଵୀପ ସେ

ଚିଲିକା ମଝିରେ ଯାଇ

ବସତି ବାନ୍ଧିଣ ରହିଛନ୍ତି ଜନେ

ତୋ ପ୍ରେମରେ ମୁଗ୍ଧ ହୋଇ ।।

ବିଶ୍ଵ ମାନଚିତ୍ରେ ସ୍ଵତନ୍ତ୍ର ତୋ'ଚିତ୍ର

ଆକର୍ଷିତ କରିଥାଏ

ଶୌର୍ଯ୍ୟ, ବୀର୍ଯ୍ୟ, ଚାରୁଚିତ୍ର ଏକତ୍ରିତ

ହୋଇ ଯାହା ଶୋଭାପାଏ ।।

ସାଗର ଭଗିନୀ ଗୋ ଚିଲିକାରାଣୀ

ଉତ୍କଳ ଭୂଖଣ୍ଡ ଦେବୀ

ଭୂବନ ବନ୍ଦିନୀ ବିଶ୍ଵ ବିନୋଦିନୀ

ଅବର୍ଣ୍ଣନ ତୋର ଛବି ।।


ମଙ୍ଗଳାଯୋଡି, ଖୋର୍ଦ୍ଧା

ଦୂରଭାଷ - ୮୨୪୯୨୩୪୧୪୩

Comments

Rated 0 out of 5 stars.
No ratings yet

Add a rating*
bottom of page