ବେଶୀ କିଛି ଚାହେଁନା ଏ କୁସୁମରୁ
ଚାହେଁ ଟିକେ ପୁଲକ ।
ସେ ପୁଲକେ ଖେଳିଯିବ ଦୁନିଆରେ
ହସ ଖୁସି ଅନେକ ।।୧।।
ବେଶୀ କିଛି ଚାହେଁନା ଏ ପ୍ରଦୀପରୁ
ଚାହେଁ ଟିକେ ଆଲୋକ ।
ସେ ଅଲୋକେ ଲିଭିଜିବ କାଳରାତି
ଅନ୍ଧାରର ମୁଲକ ।।୨।।
ବେଶୀ କିଛି ଚାହେଁନା ଏ ଗଛ ଠାରୁ
ଚାହେଁ ଛାଇ ଟିକକ ।
ସେ ଛାଇରେ ଦୂର ହେବ ଖରା ତାତି
ବସିଯିବ ପଥିକ ।।୩।।
ବେଶୀ କିଛି ଚାହେଁନା ମୋ ହୃଦୟରୁ
ଚାହେଁ ଟିକେ ଚମକ ।
ସେ ଚମକେ ପାଲଟିବ ପ୍ରତି ପ୍ରାଣ
ସାହସର ପ୍ରତୀକ ।।୪।।
ବେଶୀ କିଛି ଚାହେଁନା ଏ ମାଟିଠାରୁ
ଚାହେଁ ପ୍ରେମ ଏତକ ।
ସେ ପ୍ରେମରେ ରହିବନି ରାଗ ଋଷା
ଅଶାନ୍ତିର ଧମକ ।।୫।।
ବେଶୀ କିଛି ଚାହେଁନା ଏ ପବନରୁ
ଚାହେଁ ହେବି ଗାୟକ ।
ସେ ସ୍ୱରରେ ଫେରିଯିବ କେତେ ସ୍ମୃତି
ଭିଜିଯିବ ପଲକ ।।୬।।
ବେଶୀ କିଛି ଚାହେଁନା ଏ ମଣିଷଠୁ
ଚାହେଁ ଟିକେ ବିବେକ ।
ଅଜ୍ଞାନକୁ ଜୟ କରି ସାଜିବ ସେ
ବିଜୟର ଘୋଟକ ।।୭।।
ରୁଦ୍ରରୂପା ବ୍ରହ୍ମା, ଦଶମ ଶ୍ରେଣୀ
ଚିକିଟୀ ଗଡ଼, ଗଞ୍ଜାମ
Comments