ଆକାଶରୁ ଝର ଝର
ବହୁଛି ବରଷା ଧାର
ଗାଆଁ ବଡ଼ଦାଣ୍ଡ ଆମ
ଦିଶୁଛି କେଡେ ସୁନ୍ଦର ।
ବାସୁଛି ଧୂଳି ଚନ୍ଦନ
ବହୁଛି ଥଣ୍ଡା ପବନ
ମେଘୁଆ ପାଗଟି ଦେଖି
ଖୁସି ହୋଇଯାଏ ମନ ।
ଲାଗୁଛି ଟିକେ ଶୀତୁଆ
ମନ ହୁଏ ଅମାନିଆ
ଭିଜିବାକୁ ପୁଣି ଥରେ
ବରଷାରେ ହୋଇ ଠିଆ ।
ଟୁପୁରୁ ଟାପୁରୁ ମେଘ
ଲାଗୁଅଛି ଅତି ବାଗ
ତା' ସଙ୍ଗେ ଗରମ ମୁଡ଼ି
ଏଇତ ଅଭୁଲା ପାଗ ।
ଶୀତଳ ପବନ ବାଜି
ତନୁ ମନ ଯାଏ ଭିଜି
ଅନେକ ଦିନ ଯେ ବିତି
ଆସିଛି ଏ ଦିନ ଆଜି ।
ଆସିଛି ବରଷା ରାଣୀ
ଆ ମୋର ସୁନା ଭଉଣୀ
କାଗଜରେ କରି ଡ଼ଙ୍ଗା
ଭସେଇବା ଦୁହେଁ ପୁଣି ।
କରିବିନି ମୁହିଁ କଳି
ସେନେହକୁ ଦେବି ବୋଳି
ଚାଲିଆ ପାଖକୁ ମୋର
ନକରି ଅଝଟ ଅଳି ।
ଖବର କାଗଜ ଚିରି
ଡ଼ଙ୍ଗା ଦେବି କେତେ କରି
ଖେଳିବୁ ସରାଗେ ତୁହି
ନିଜ ହାତରେ ତୋ ଧରି ।
ଭାଇ ଓ ଭଉଣୀ ମିଶି
ନାଆ ଭସେଇଲୁ ହସି
ଆମ ଦାଣ୍ଡ ପିଣ୍ଡାପରେ
ପାଖାପାଖି ହୋଇ ବସି ।
ଭାସିଯାରେ ଡ଼ଙ୍ଗା ତୁହି
ପାଣି ଯିବ ଯେଣେ ବହି
କାହାକୁ ନଦେବୁ ଧରା
କେଉଁଠି ନଯିବୁ ରହି ।
ଅମରନାଥ ବାରିକ୍
କୟାଁ, ମଙ୍ଗଳପୁର, ଯାଜପୁର
ଦୂରଭାଷ - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
コメント