କଳା ମଚମଚ ଚିକ୍କଣ ବଳିଷ୍ଠ ବପୁଧାରୀ ଯୁବକ ଜଣକଙ୍କ କାନ୍ଧରେ ଥିବା ଭାର ଲହକି ଲହକି ହଲି ଭାରର ଓଜନକୁ ସୂଚାଇ ଦେଉଥିଲା । ମାଂସପେଶୀ ବାହାରକୁ ଫୁଟି ଉଠି ତାଙ୍କ ବଳିଷ୍ଠତାର ପ୍ରମାଣ ଦେଉଥିଲା ଯେପରି । ମୁଖ ମଣ୍ଡଳରୁ ସ୍ୱେଦ ନିର୍ଗତ ହେଉଥିଲା । ଯୁବକ ଜଣକ ଗୋଟିଏ ଗୃହ ସମ୍ମୁଖରେ ଭାର ଥୋଇ ଦେଇ ଡାକିଲେ, "ମାଆ ଶୀଘ୍ର କବାଟ ଖୋଲି ଜିନିଷ ତକ ରଖି ନିଅନ୍ତୁ । ମୋର ତେଣେ ବହୁତ କାମ ଅଛି । ଶରଧାବାଲିରେ ରହୁଥିବା ପଣ୍ଡାଙ୍କର ମିତ୍ର ମୋତେ ବିଶ୍ୱାସ କରି ମୋ ହାତରେ ଏସବୁ ପଠାଇଛନ୍ତି ।" ଏସବୁ ଶୁଣି ଗୃହକର୍ତ୍ତ୍ରୀ କବାଟ ଖୋଲି ଦେଲେ । ସ୍ୱାମୀ ବିରକ୍ତ ହୋଇ ଅନ୍ୟ ଏକ କୋଠରୀରେ ପ୍ରଭୁଙ୍କୁ ଧ୍ୟାନ କରୁ କରୁ ଗଭୀର ନିଦରେ ଶୋଇଥିଲେ । ତାଙ୍କୁ ଉଠାଇବା ଉଚିତ ନୁହେଁ ଭାବି ଏକା ବେଳକେ ଏତେ ପରିମାଣର ଜିନିଷ ପତ୍ର ଦେଖି ସେ ନିର୍ବାକ୍ ହୋଇ ଅନାଇଁ ରହିଲେ । ପୁଣି ଜିନିଷ ଆଣିଥିବା ଯୁବକର ଆକର୍ଷଣୀୟ ଚେହେରା ଦେଖି ସେ ଆଖି ଫେରାଇ ପାରୁନଥିଲେ । "ଅନେଇ କରି ରହିଛ କ'ଣ ମା ? ଜିନିଷ ରଖନ୍ତୁ, ମୋର ତେଣେ କେତେ କାମ । ସମସ୍ତେ ମୋତେ ଚାହିଁ ରହିଛନ୍ତି । ରୁହନ୍ତୁ ମୁଁ ବି ଆପଣଙ୍କୁ ସାହାଯ୍ୟ କରୁଛି ।" ଏମିତି କହି ଯୁବକ ଆଖି ପିଛୁଳାକେ ସବୁ ଜିନିଷପତ୍ର ସଜାଡି ଫେରି ଯିବାକୁ ଉଦ୍ୟତ ହେବାରୁ ସେ କହିଲେ, "ପୁଅ ! କେତେବେଳଠାରୁ ଏତେ ଓଜନର ଭାର ଧରି ଆସିଛୁ । ଟିକିଏ ଅପେକ୍ଷା କର କି ମୁଁ କ'ଣ ଦିଟା ସଙ୍ଗେ ସଙ୍ଗେ କରି ଆଣୁଛି । ଖାଇସାରି ଚାଲିଯିବୁ ।" ଏ କଥା ଶୁଣି ଯୁବକ ଜଣକ କହିଲେ, "ମୁଁ କିଛି ବି ଖାଇ ପାରିବି ନାହିଁ । ଦେଖୁ ନାହାଁନ୍ତି ମୋ ଜିଭ କଟିଯାଇଛି । "ଏହା କହି ଜିଭ କାଢ଼ି ଦେଖାଇ ଦେଲେ ଯୁବକ। ଗୃହକର୍ତ୍ତ୍ରୀ ଦେଖିଲେ ସତକୁ ସତ ଜିଭ ଉପରେ ତିନିଟି କଟା ଦାଗ ଥାଇ ରକ୍ତ ଝିପିଝିପି ହେଉଥିଲା । ସେ ଏହା କେମିତି ହେଲା କହୁ କହୁ ମୁଁ ଯାଉଛି କହି କିଛି ବାଟ ଯିବାପରେ ଯୁବକ ଜଣକ ଅଦୃଶ୍ୟ ହୋଇଗଲେ ।
ଆଉ ମୁହୁର୍ତ୍ତେ ହେଲେ ବିଳମ୍ବ ନକରି ରନ୍ଧନ କାର୍ଯ୍ୟ ସମାପ୍ତ କଲେ ଗୃହକର୍ତ୍ତ୍ରୀ ଗୀତା ପଣ୍ଡାଙ୍କ ପତ୍ନୀ । କେତେବେଳଠାରୁ ପତି ତାଙ୍କ ଉପରେ ବିରକ୍ତ ହୋଇ ଅନ୍ୟ ଏକ କୋଠରୀରେ କବାଟ ବନ୍ଦକରି ଶୋଇ ପଡିଛନ୍ତି । ପିଲାଙ୍କ ପାଇଁ କଥା କଟି ହୋଇ ଉଭୟ ପରସ୍ପର ଉପରେ ବିରକ୍ତ ହୋଇ ଯାଇଥିଲେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଝିରେ ମଝିରେ ଏ ପ୍ରକାର ମନୋମାଳିନ୍ୟ, ଅଭିମାନ, ମାନଭଞ୍ଜନ ନରହିଲେ ସମ୍ପର୍କ ମଧୁର ହେବ କିପରି ? ଘରେ କିଛି ବି ଖାଦ୍ୟ ନଥିବାରୁ ଏବଂ ପିଲାମାନେ ଉପାସରେ ଥିବାରୁ ସ୍ୱାମୀଙ୍କ ଉପରେ ବିରକ୍ତ ହୋଇଥିଲେ ସେ । ଉତ୍ତରରେ ଗୀତା ପଣ୍ଡା କହିଥିଲେ, "କାହିଁକି ମୋ ଉପରେ ଅଯଥା ବିରକ୍ତ ହେଉଛ ତୁମେ । ମୋର ପ୍ରଭୁଙ୍କ ଉପରେ ଭରସା ଅଛି । ଦେଖ ସେ ନିଜେ ଗୀତାରେ କହିଛନ୍ତି, "ଅନନ୍ୟଶ୍ଚିନ୍ତୟନ୍ତୋ ମାମ୍ ଯେ ଜନାଃ ପର୍ଯ୍ଯୁପାସତେ, ତେଷାମ୍ ନିତ୍ୟାଭିଯୁକ୍ତାନାମ୍ ଯୋଗକ୍ଷେମମ୍ ବହାମ୍ୟହମ୍ ଅର୍ଥାତ୍ ଯିଏ ମୋ ଉପରେ ଭରସା ରଖି ମୋର ଗୁଣ ଗାନ କରି ଭଜନ କରିଥାଏ ତା'ର ସମୁଦାୟ ଭରଣ ପୋଷଣର ଭାର ମୁଁ ବହନ କରିଥାଏ ।" ଏହା ପ୍ରଭୁଙ୍କର ମୁଖ ନିଃସୃତ ବାଣୀ । ଏସବୁ ଶୁଣି ସେ ଚିହିଁକି ଉଠି କହିଥିଲେ, "ଏହା ପୂର୍ବ କାଳରେ ଲେଖା ଯାଇଥିଲା । ବର୍ତ୍ତମାନ ଘୋର କଳିକାଳ । ଖାଲି ଶାସ୍ତ୍ର କଥା କହିଦେଲେ ମୋ ପିଲାମାନଙ୍କ ପେଟ ପୁରିବ ନାହିଁ ।" ତାହେଲେ ତୁମେ କଣ ଏ ଶାସ୍ତ୍ରକୁ ଅମାନ୍ୟ କରୁଛ ? ତୁମେ ଏସବୁ କ'ଣ କାଟି ଦେଇ ପାରିବ ? "ଉତ୍ତେଜିତ ହୋଇଉଠିଲେ ଗୀତା ପଣ୍ଡା । "ଏହା କେଉଁ ବଡ଼ କଥା ଯେ" କହି ପାଖରେ ଥିବା ଲେଖନୀରେ ପୋଥିରେ ଲିଖିତ ସେହି ଶ୍ଳୋକକୁ ତିନି ଗାର ପକାଇ କାଟି ପକାଇଲେ ପଣ୍ଡାଙ୍କ ପତ୍ନୀ । ଏଥିରେ ଉତ୍ତ୍ୟକ୍ତ ହୋଇ ପୋଥି ସହ ଏକ କୋଠରୀରେ କବାଟ ବନ୍ଦକରି ମହାପ୍ରଭୁଙ୍କୁ କ୍ଷମା ମାଗି ପ୍ରାର୍ଥନା କରୁ କରୁ ଶୋଇ ପଡ଼ିଲେ ଗୀତା ପଣ୍ଡା । ପତ୍ନୀ ମଧ୍ୟ ପିଲାଙ୍କୁ ଧରି ଅନ୍ୟ ଏକ କୋଠରୀରେ ପତିଙ୍କ ଠାରେ ବିରକ୍ତ ହୋଇ ରୁଷି ଶୋଇ ପଡ଼ିଲେ। ଜିନିଷ ପତ୍ର ନେଇ ଆସିଥିବା ବାଳକର ଡ଼ାକ ଶୁଣି ସେ ଉଠି ପଡ଼ିଥିଲେ । ପତିଙ୍କର ପ୍ରତ୍ୟେକ କଥା ପ୍ରକୃତରେ ସତ୍ୟ ଥିଲା । ଗୋଟି ଗୋଟି ହୋଇ ସବୁ କଥା ମନେ ପଡିଗଲା ତାଙ୍କର। ପବିତ୍ର ପୁରୁଷୋତ୍ତମ କ୍ଷେତ୍ରରେ ତାଙ୍କ ପରିବାର ରହନ୍ତି । ଆର୍ଥିକ ଅବସ୍ଥା ବହୁତ ଖରାପ। ପାଞ୍ଚ ପ୍ରାଣୀ କୁଟୁମ୍ବ । ତିନୋଟି କନ୍ୟା ଏବଂ ଦୁଇଟି ପୁତ୍ର ସନ୍ତାନ । ସ୍ୱାମୀ ଗୀତା ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ । ଭାଗବତ ଟୁଙ୍ଗିରେ ଭଗବତ ଗୀତା ପାଠ କରି ତାର ଭାବାନୁବାଦ କରି ଲୋକମାନଙ୍କୁ ବୁଝାଉଥିଲେ ସେ । ତେଣୁ ଗୀତା ପଣ୍ଡା ନାମରେ ତାଙ୍କୁ ସମସ୍ତେ ଜାଣିଥିଲେ । ଏହା ବ୍ୟତୀତ ସେ ଘରକୁ ଘର ବୁଲି ଭିକ୍ଷା କରି ଯାହା କିଛି ପାଆନ୍ତି ସେହିଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା । ଯେଉଁଦିନ କିଛି ମିଳେ ନାହିଁ ସେହି ଦିନମାନଙ୍କରେ ବାଧ୍ୟ ହୋଇ ଓପାସ ରେ ରହୁଥିଲେ । ସେଥିପାଇଁ ପତ୍ନୀ ତାଙ୍କୁ ବିରକ୍ତ ହେବା ସ୍ଵାଭାବିକ କଥା। ଆଜି ଦିନଟା ସବୁଠାରୁ କିନ୍ତୁ ନିଆରା ଥିଲା ତାଙ୍କ ପାଇଁ । ଯୁକ୍ତି ତର୍କ ମଧ୍ୟରେ ଏପରି ଚରମ ସୀମାରେ ସେ ପହଞ୍ଚି ଯାଇଥିଲେ ଯେ ହିତାହିତ ଜ୍ଞାନ ଭୁଲି ଯାଇ ସ୍ୱୟଂ ମହାପ୍ରଭୁଙ୍କର ମୁଖ ନିଃସୃତ ବାଣୀ ଗୀତାର ସେହି ଶ୍ଳୋକ ଲେଖା ଯାଇଥିବା ପୋଥିର ପୃଷ୍ଠାଟି ଉପରେ ଲେଖନୀରେ ତିନୋଟି ଗାର କାଟି ପକାଇଲେ । ଭାବନାର ଜାଲରେ ଛନ୍ଦି ହୋଇ ସେ ଗୀତା ପଣ୍ଡା ଶୋଇଥିବା କୋଠରୀ ସମ୍ମୁଖରେ ପହଞ୍ଚିଲେ । କବାଟରେ ଠକ୍ ଠକ୍ କରି ଡାକିଲେ ସେ," ହଇ ହେ ଶୁଣୁଛ । ଉଠ ଖାଇବ। ପିଲାମାନେ ଅପେକ୍ଷା କରିଛନ୍ତି ।" ଏକଥା ଶୁଣି ଉଠି ପଡ଼ି ପତ୍ନୀଙ୍କ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁ ରହିଲେ ଗୀତା ପଣ୍ଡା । "ଅନେଇଛ କ'ଣ ମ ? ତୁମ ଶରଧାବାଲିର କେଉଁ ବନ୍ଧୁ ଭାରୁଆ ହାତରେ ବହୁତ ଜିନିଷ ପଠାଇଛନ୍ତି । ସେ ପିଲାଟିକୁ ଯେତେ ବାଧ୍ୟ କଲି ସେ କ'ଣ ରହିଲା ? ଓଲଟି ଜିଭ ଦେଖାଇ କହିଲା ତା'ର ଜିଭ କଟିଯାଇଛି । ଖାଇ ପାରିବ ନାହିଁ । ପ୍ରକୃତରେ ଜିଭ ତା'ର କଟି ଯାଇଥିଲା । କିଏ ଏପରି କଲା କହୁ କହୁ ସେ ଚାଲିଗଲା ।"
ଏକଥା ଶୁଣି ହଠାତ୍ ପାଗଳ ପରି ବାଟଘରକୁ ଦୈାଡି ଦୈାଡି ଯାଇ ମାଟିକୁ କୁଣ୍ଢେଇ କାନ୍ଦି କାନ୍ଦି ଗଡ଼ି ଗଲେ ଗୀତା ପଣ୍ଡା । "ଏ ଅଧମକୁ କ୍ଷମା କରିଦିଅ ମହାପ୍ରଭୁ । ମୋ ପାଇଁ ଆପଣ କେତେ କଷ୍ଟ ଓ ଯନ୍ତ୍ରଣା ନ ପାଇଲେ ! ମୁଁ ମହାପାପୀ । ମୋତେ ଦଣ୍ଡ ଦିଅନ୍ତୁ ପ୍ରଭୁ ।" ଏହିପରି ପାଗଳ ପରି ବାଉଳି ଚାଉଳି ହେଲେ ସେ । "କ'ଣ ହେଲା ? ଏମିତି କାହିଁକି ହେଉଛ ? ମୋର ଭୁଲ୍ ହୋଇଛି । ମୁଁ ତୁମ ଗୀତାକୁ ବିଶ୍ୱାସ ନକରି କାଟି ପକାଇଛି । ମୋତେ କ୍ଷମା କରିଦିଅ ।" ପତ୍ନୀଙ୍କ ଠାରୁ ଏସବୁ ଶୁଣି ଗୀତା ପଣ୍ଡା କହିଲେ,"ସେ କଥା ନୁହେଁ ପ୍ରିୟେ, ମୋର ଜଗନ୍ନାଥଙ୍କ ବ୍ୟତୀତ କେହି ଜଣେ ହେଲେ ବି ବନ୍ଧୂ ଶରଧାବାଲିରେ ନାହାଁନ୍ତି । ଯିଏ ଭାରୁଆ ହୋଇ ଏସବୁ ଆଣିଥିଲେ ସେ ଆଉ ଅନ୍ୟ କେହି ନୁହନ୍ତି । ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ । ଗୀତାର ପୃଷ୍ଠାକୁ ତୁମେ ଲେଖନୀରେ କାଟି ପକାଇଥିଲ । ତେଣୁ ତାଙ୍କ ଜିଭ ଦେଖାଇ କଟା ଘା ଦେଖାଇଥିଲେ ସେ । ତୁମେ ଭାଗ୍ୟବତୀ ହୋଇ ଥିବାରୁ ଚର୍ମ ଚକ୍ଷୁରେ ସ୍ୱୟଂ ମହାପ୍ରଭୁଙ୍କୁ ସଶରୀରରେ ଦର୍ଶନ କଲ । ଏହାଠାରୁ ବଡ଼ ଭାଗ୍ୟ ଆଉ କ'ଣ ଥାଇପାରେ ? ଧନ୍ୟ ତୁମେ । ମୁଁ ଏତେ ଦିନ ଠାକୁରଙ୍କୁ ସେବା କରି ମଧ୍ୟ ଦିନେ ହେଲେ ଦର୍ଶନ କରିନାହିଁ । ଧନ୍ୟ ମହାପ୍ରଭୁ ଧନ୍ୟ ତୁମର ମହିମା । ଜୟ ଜଗନ୍ନାଥ ।" ନିଜ ଭୁଲ୍ ବୁଝିପାରି ଗୀତା ପଣ୍ଡାଙ୍କ ପତ୍ନୀ ପଶ୍ଚାତାପ କରି କାନ୍ଦି କାନ୍ଦି ହାତଯୋଡି ପ୍ରଭୁ ଙ୍କ ଉଦ୍ଦେଶ୍ୟରେ କହିଲେ, "ହେ ମହାପ୍ରଭୁ ମୁଁ ଘୋର ଅପରାଧ କରିଛି । ମୋତେ କ୍ଷମା କରି ଦିଅନ୍ତୁ ପ୍ରଭୁ । ପରିସ୍ଥିତିରେ ପଡ଼ି ମୋର ଏପରି ଭୁଲ୍ ହୋଇଛି ।" ପରେ ପରେ ଉଭୟ ସାଷ୍ଟାଂଗ ପ୍ରଣାମ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ।
ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫
Comments