ଯିଏ ଦାନ କରେ ସେ ଦାତା । ଯିଏ ଦାତା ସେ ଦେବତା । ଜୀବଜନ୍ତୁ ଯାହାଠାରୁ ସର୍ବାଧିକ ଦାନ ଗ୍ରହଣ କରନ୍ତି ସେ ମାଟି ପାଣି ଓ ଉଦ୍ଭିଦ । ଚଳ ଜଗତ ଓ ଅଚଳ ଜଗତ ପରସ୍ପର ପରିପୂରକ । ଅଚଳ ଜଗତ କହିଲେ ଆମେ ବୃକ୍ଷଲତାକୁ ବୁଝିବା । ବୃକ୍ଷଲତା ବିନା ପ୍ରାଣୀ ବଞ୍ଚିବା ଅସମ୍ଭବ । ମଣିଷ ପଶୁପକ୍ଷୀଙ୍କ ଜୀବନ ଧାରଣ ପାଇଁ ଯାହା ଆବଶ୍ୟକ ସବୁକିଛି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବୃକ୍ଷଲତା ଆମକୁ ଦେଇଥାଏ । ଶ୍ୟାମଳ ସଘନ ବନଭୂମି ଶୋଭିତ ଆମ ଦେଶ ଭାରତ । ଆମ ଦେଶର ବଣଜଙ୍ଗଲରେ ଶାଳ, ଶମୀ, ପିଆଶାଳ, କୁସୁମ, ଶିଶୁ, ଆମ୍ବ, ପଣସ, ବର, ଅଶ୍ୱତ୍ଥ ଅସଂଖ୍ୟ ଲତା ଗୁଳ୍ମ ଦେଖାଯାଏ । ପୁରାଣ ଯୁଗରେ ମୁନିଋଷି ମାନେ ଆଶ୍ରମ ସ୍ଥାପନ କରି ରହୁଥିଲେ । ମଣିଷ ପ୍ରଥମେ ବଣ ଜଙ୍ଗଲରେ ରହୁଥିଲା । ବୃକ୍ଷ ତାକୁ ଖାଦ୍ୟ, ଆଶ୍ରୟ, ବସ୍ତ୍ର, ଔଷଧ ସବୁ ଯୋଗାଉଥିଲା । କ୍ରମେ ମଣିଷ ସଭ୍ୟ ହେଲା । ବିଜ୍ଞାନ ମଣିଷକୁ ଅନେକ ତଥ୍ୟ ଜଣାଇଲା । ମଣିଷ ବଣ ଜଙ୍ଗଲର ଆବଶ୍ୟକତା ଅନୁଭବ କଲା । ବୃକ୍ଷଠାରୁ ମଣିଷ କଣ କଣ ପାଏ ଆସନ୍ତୁ ଜାଣିବା ।
ସେବିତବ୍ୟୋ ମହାବୃକ୍ଷ
ଫଳ ଛାୟା ସମନ୍ଵିତଃ
ଯଦି ଦୈବାତ୍ ଫଳମ୍ ନାସ୍ତି
ଛାୟା କେନ ନିବାର୍ଯ୍ୟତେ ।
ବୃକ୍ଷ କେବଳ ଫଳ ଦାନ କରେ ନାହିଁ । ଆମେ ତା'ଠାରୁ ଫଳ, ଫୁଲ, ପତ୍ର, କାଠ, ଛାୟା, ମୂର୍ତ୍ତିକା, ଜଳ, ବାୟୁ ଏବଂ ଆଶ୍ରୟ ତଥା ବିପର୍ଯ୍ୟୟରୁ ମଧ୍ୟ ରକ୍ଷା ପାଉ । ପ୍ରାଣୀମାନେ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି । ବୃକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରେ ଅମ୍ଳଜାନ ଛାଡ଼ିଥାଏ । ଗୋଟିଏ ବୃହତ୍ ଗଛ ବର୍ଷକୁ ୧୦୦ କିଗ୍ରା ଅମ୍ଳଜାନ ଛାଡ଼ିଥାଏ ଓ ୨୦-୨୫ କିଗ୍ରା ଅଙ୍ଗାରକାମ୍ଳ ଶୋଷଣ କରେ । ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବାଷ୍ପର ସନ୍ତୁଳନ ରକ୍ଷା ହୁଏ ।
ବୃକ୍ଷ ଛାୟା ପ୍ରଦାନ କରେ, ଶୀତଳତା ଦାନ କରେ । ଫଳରେ ଉତ୍ତାପ ନିୟନ୍ତ୍ରଣରେ ରହେ । ମାଟି କ୍ଷୟ ରୋକିଥାଏ । ଯାହାଦ୍ଵାରା ମୂର୍ତ୍ତିକା ସଂରକ୍ଷଣ ହୁଏ । ପବନର ବେଗକୁ ବୃକ୍ଷ ଅଟକାଇଥାଏ । ବର୍ତ୍ତମାନ ଦେଖା ଯାଉଛି ଯେ ବଜ୍ରପାତ ରୋକିବା ପାଇଁ ତାଳଗଛ ସମର୍ଥ ।
ଚରକ ସଂହିତା ଅନୁସାରେ ଧରାରେ ଏପରି ବୃକ୍ଷ ନାହିଁ ଯାହାର ଔଷଧୀୟ ଗୁଣ ନାହିଁ । ନିମ, ବେଲ, ତୁଳସୀ, ପିଜୁଳି ବିଷୟରେ ସମସ୍ତେ ଜାଣନ୍ତି । ମହୁ, ଝୁଣା ମଧ୍ୟ ବୃକ୍ଷରୁ ମିଳେ । ବୃକ୍ଷ ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ମାନଙ୍କୁ ମଧ୍ୟ ଆଶ୍ରୟ ଦିଏ ।
ଗ୍ରାମ ଦେବଦେବୀମାନେ ବୃକ୍ଷ ମୂଳରେ ପୂଜା ପାଆନ୍ତି । ମାଆ ତାରିଣୀ ଶାଳଗଛ ମୂଳେ ପୂଜିତା । ଭଗବାନ ବୁଦ୍ଧ ଅଶ୍ୱତ୍ଥ ବୃକ୍ଷମୂଳରେ ତପସ୍ୟା କରି ସିଦ୍ଧି ଲାଭ କଲେ ଓ ଶେଷରେ ନିର୍ବାଣ ପ୍ରାପ୍ତ ହେଲେ । ପ୍ରଭୁ ଜଗନ୍ନାଥ ଦାରୁ ଦେବତା ଅର୍ଥାତ ବୃକ୍ଷରାଜଙ୍କର ଅଂଶ ମଧ୍ୟ ।
ପୁରାଣ ଶାସ୍ତ୍ର ମାନଙ୍କରେ ବୃକ୍ଷଲତା ବଣଜଙ୍ଗଲକୁ ନେଇ ବିସ୍ତୃତ ବର୍ଣ୍ଣନା କରାଯାଇଛି । ସବୁଜ ବନାନୀ, କୁସୁମିତ ବନ ଉପବନ ଆମ କାବ୍ୟ କବିତାର ଆଧାର । ଅରଣ୍ୟର କାନ୍ତ କମନୀୟ ଶୋଭାଶ୍ରୀ କବି ଭାବୁକକୁ ଭାବିବାକୁ ଓ ଲେଖିବାକୁ ବାଧ୍ୟ କରେ । ଚିତ୍ରକର ମଧ୍ୟ ସୌନ୍ଦର୍ଯ୍ୟର ମନ୍ତ୍ର ଘନ ବାନରାଜିରୁ ଆହରଣ କରେ । ପ୍ରକୃତିର ଉଦାର ସୁନ୍ଦର ମଙ୍ଗଳମୟ ରୂପ ହେଉଛି ବୃକ୍ଷଲତା । ଶାସ୍ତ୍ର କହେ ବୃକ୍ଷ ନିଜର ପୁଷ୍ପରାଜି ଦ୍ଵାରା ଦେବତାଙ୍କୁ, ଫଳଦ୍ୱାରା ପିତୃ ପୁରୁଷଙ୍କୁ, ଛାୟା ଦାନ କରି ଅତିଥି ମାନଙ୍କୁ ତୃପ୍ତ କରେ । ସୁପୁତ୍ର ପିତାମାତା ମାନଙ୍କୁ ଜୀବନକାଳ ମଧ୍ୟରେ ସେବା ଯତ୍ନ ଓ ମୃତ୍ୟୁ ପରେ ପିଣ୍ଡଦାନ କଲା ପରି ବୃକ୍ଷ ପୁତ୍ର ଧର୍ମ ପାଳନ କରି ଇହ ଓ ପର କାଳରେ ସୁଖ ଶାନ୍ତି ପ୍ରଦାନ କରେ । ଜୀବନରେ ବୃକ୍ଷ ନିଜର ସର୍ବସ୍ଵ ଅନ୍ୟର ହିତ ପାଇଁ ଦାନ କରେ । ବାସ୍ତବରେ ବୃକ୍ଷଲତା ଆମ ପାଇଁ ଜୀବନ୍ତ ଦେବତା ।
ପରୋପକାରିତା, ସୌହାର୍ଦ୍ଦ୍ୟ ଓ ବିନମ୍ରତାର ପ୍ରତୀକ ଫଳ ଭାରରେ ବୃକ୍ଷଲତା ଆମମାନଙ୍କର ଆଦର୍ଶ ହେଉ ।
ଅଭୟ କୁଣ୍ଡ
ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ
ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ
ଦୂରଭାଷ - ୯୫୫୬୯୮୯୭୨୩
Comments